Unknown

 

 

 

 

 

 

 

 

 

 

ପିୟଦଶ୍ଶୀ

ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ

 

ପ୍ରଥମ ଅଙ୍କ

 

ଦୁଇ ହଜାର ବର୍ଷ ପୂର୍ବେ ପାଟଳୀପୁତ୍ର ରାଜପଥର ଦୃଶ୍ୟ । ଉଜ୍ଜୟିନୀରୁ ଆସି ପାଟଳୀପୁତ୍ରରେ ନୂଆ ରାଜଧାନୀ ଗଢ଼ାଯାଇଅଛି, ମୋଟେ ପାଞ୍ଚ ବର୍ଷ ହେଲା । ସେଥିପାଇଁ ବାଟ ପାଖରେ ଦେବଦାରୁ ଓ ଝାଉଁ ଗଛଗୁଡ଼ିକର ବୟସ ଚାରି ପାଞ୍ଚ ବର୍ଷରୁ ବେଶି ନୁହେ। ନିକଟରେ ଗୋଟିଏ ଛୋଟ କୁଡ଼ିଆ । ତାହା ନୂଆ କି ପୁରୁଣା ଜାଣିବାର ଉପାୟ ନାହିଁ । ମାଟି ନଡ଼ାର ଚାଳି ଖଣ୍ଡିଏ-ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିଯାଇ ଗଢ଼ା ହୋଇପାରେ ପୁରୁଣା ହୁଏ ନାହିଁ । ସେହି ଚାଳି ଭିତରେ ସୁନାରି ବଣିଆ ସୋମନାଥ ଓ ତାହାର ବାର ତେରି ବର୍ଷର ପୁଅଟି । ଦୁହିଁଙ୍କ ମଝିରେ ଗୋଟାଏ ନିଆଁ ଉମ୍ଭେଇ । ନଳ ଖଣ୍ଡେ ଧରି ପିଲାଟି ସେହି ଉମ୍ଭେଇ ଭିତରେ ଫୁଙ୍କ ଦେଉଚି, ଆଉ ତାହାର ବାପ ସୋମନାଥ ଚିମୁଟା ସାହାଯ୍ୟରେ ଖଣ୍ଡେ ରୂପା ତତାଇ ଆଣି ହାତୁଡ଼ିରେ ଠକ୍ ଠକ୍ କରୁଚି । ସ୍ୱଭାବସୁଲଭ ଚପଳାତରେ ବାଳକଟି ମଝିରେ ମଝିରେ ନଳରୁ ମୁହଁ କାଢ଼ି ଏଣେତେଣେ ଚାହୁଁଚି । ଆଖି ଦୁଇଟି ଉଜ୍ଜ୍ୱଳ ଅଥଚ କରୁଣ । କିନ୍ତୁ ପରକ୍ଷଣରେ ବାପର ନୀରବ ତାଡ଼ନାରେ ପୁଣି ନିଜ କାମରେ ମନ ଦେଉଚି । ସୋମନାଥର ବୟସ ଅନ୍ଦାଜ ୩୫ । ତାହାର ମୁଛ, ଗାଲପାଟୀ ସିନ୍ଦୂର କଲି ଓ ବଳିଷ୍ଠ ବାହୁରୁ ମନେହୁଏ, ଦରକାର ପଡ଼ିଲେ ସେ ଯୁଦ୍ଧ କରିପାରେ ଏବଂ ଆଗ ପଛ ନ ବିଚାରି ମଣିଷଟାଏ ମାରିଦେଇପାରେ । ସେଥିପାଇଁ ସେ ନିଜେ ମଧ୍ୟ ଭୟଶୂନ୍ୟ ନୁହେ- ମାରିବାକୁ ଯେପରି ସାହସ ଅଛି, ମରିବାକୁ ମଧ୍ୟ ସେହିପରି ତାର ଭୟ - ହିଂସ୍ରଜନ୍ତୁଙ୍କ ପରି । ସାଧାରଣ ସୈନିକର ଯାହା ହୋଇଥାଏ-ପଳାତକ ଶତ୍ରୁ ପଛରେ ଯେପରି ଗୋଡ଼ାଇପାରେ, ନିଜ ପକ୍ଷକୁ ପୃଷ୍ଠଭଙ୍ଗ ଦେବାକୁ ହେଲେ ସଙ୍ଗୀମାନଙ୍କ ସହିତ ଦୌଡ଼ିବାରେ ସେହିପରି ପ୍ରତିଯୋଗିତା କରିପାରେ ।

 

ପଥର ଦୁଇ ଦିଗରୁ ପଥିକମାନଙ୍କର ଗତାୟାତ, ଅଥଚ କାହାରି ମୁହଁରେ କଥା ନାହିଁ । କେବଳ ପରସ୍ପର ଚାହିଁଚାହିଁ ଓ ଠରାଠରି ହୋଇ ଚାଲିଛନ୍ତି । ଦୁଇ ହଜାର ବର୍ଷ ପରେ ଆଜି ମଧ୍ୟ ଭାରତବର୍ଷର ଶିଳ୍ପ ଯେ ହିମାଳୟ ପରି ସ୍ଥାଣୁ, ତାହା ଏହି ସୁନାରୀ ବଣିଆ ଓ ତାହାର ନଳ ଚିମୁଟା ପ୍ରଭୃତି ସରଞ୍ଜାମରୁ ସ୍ପଷ୍ଟ ଜଣାପଡ଼େ ଏବଂ ଭାରତବର୍ଷର ସାଧାରଣ ବେଶଭୂଷାର ପରିବର୍ତ୍ତନ ଯେ କଚ୍ଛପ ପରି ଶିଥିଳ, ତାହା ଏହି ପଥିକମାନଙ୍କୁ ଦେଖିଲେ ବୁଝାଯାଏ ।

 

ପଥର ଏକ ଦିଗରୁ କଳିଙ୍ଗ ରାଜଦୂତ ଧର୍ମ୍ମପାଳଙ୍କର ପ୍ରବେଶ । ବୌଦ୍ଧ ପରିବ୍ରାଜକ ପରି ମୁଣ୍ଡିତ ମସ୍ତକ ଓ ଦେହରେ ଲମ୍ବା ଗେରୁଆ ଆଲଖେଲ୍ଲା । ମୁହଁ ଓ ଆଖିରୁ ନିଷ୍ଠା ଏବଂ ଆମାୟିକତାର ପ୍ରମାଣ ମିଳୁଥିଲେହେଁ ଏଠାରେ ସେ ସମ୍ପୂର୍ଣ୍ଣ ଅପରିଚିତ ବୋଲି ନିଜକୁ ଜାଣନ୍ତି । ପଥଶ୍ରମର କ୍ଳାନ୍ତି ଓ ଅବସାଦରେ ତାଙ୍କର ସ୍ୱାଭାବିକ ଗତି ମନ୍ଦ ହୋଇ ପଡ଼ିଅଛି । ସମ୍ମୁଖରେ ସୋମନାଥକୁ ଦେଖି ସେ ଅଗ୍ରସର ହୋଇ ଆସିଲେ ।]

 

ଧର୍ମ୍ମପାଳ- (ଉତ୍ସୁକ ଭାବରେ) ରାଜନଅର ଆଉ କେତେ ବାଟ ? (ସୋମନାଥ ଆଗ ପରି କାମରେ ଲାଗିଛି; କିନ୍ତୁ ତାର ପୁଅଟି ନଳ ଉପରୁ ମୁହଁ କାଢ଼ି ଅର୍ଥହୀନ ଦୃଷ୍ଟିରେ ଆଗନ୍ତୁକଙ୍କୁ ଚାହିଁଲା)

 

ଧର୍ମ୍ମପାଳ- (ବିସ୍ମିତ ହୋଇ) ଶୁଣି ପାରୁଚ ? ରାଜନଅର ଆଉ କେତେ-(କାମ ବନ୍ଦ ରଖି ସୋମନାଥ ଆଗନ୍ତୁକକୁ ଚାହିଁଲା । ତାଚ୍ଛଲ୍ୟ ନ ହେଲେହେଁ ନିର୍ବିକାର ଭାବ-ଏପରି ଆଗନ୍ତୁକ ସେ ଏଥିପୂର୍ବେ କେତେ ଥର ଦେଖିଚି । ପୁଣି ନିଜ କାମରେ ମନ ହେଲା ।)

 

ଧର୍ମ୍ମପାଳ- (ବିମୂଢ଼ ହୋଇ ଚାରିଆଡ଼କୁ ଚାହିଁଲେ ଏବଂ ଅନ୍ୟ ଉପାୟ ନ ଦେଖି ସୋମନାଥ ପାଖରେ ବସିପଡ଼ିଲେ) ବଡ଼ କାବା କଥା ତ ! ଏ ରାଜ୍ୟ ଗୋଟାକ ସମସ୍ତେ-

 

ସୋମନାଥ- (ଅପରିଚିତର ଅନଥିକାରକୁ ଭ୍ରୂକ୍ଷେପ ନ କରି ଅଦ୍ଭୁତ ଦୃଷ୍ଟିରେ) ତୁମ ରାଜ୍ୟ ?

 

ଧର୍ମ୍ମପାଳ- (ଆଶ୍ୱସ୍ତ ହୋଇ) କଳିଙ୍ଗରେ ମୋର ଜନ୍ମ ।

 

ସୋମନାଥ- (ନ ଶୁଣିବା ପରି) କଳି ?

 

ଧର୍ମ୍ମପାଳ- କଳିଙ୍ଗ ଜାଣ ନି ?- ପାଟଳୀପୁତ୍ତର ଦକ୍ଷିଣରେ-ମଗଧଠାରୁ ବଡ଼ ।

 

ସୋମନାଥ- (ଆଶ୍ଚର୍ଯ୍ୟ ହୋଇ) ସତେ ନା ? ମଗଧଠାରୁ ବଡ଼ ? ଆମରି ରାଜାଙ୍କ ଅଧିତରେ ତ ?

 

ଧର୍ମ୍ମପାଳ- ନା, କଳିଙ୍ଗ ସ୍ୱାଧୀନ ରାଜ୍ୟ ।

 

ସୋମନାଥ- ସେଠାରେ ତେବେ ଆଉ ଜଣେ ରାଜା ଅଛନ୍ତି ? ମଗଧ ସାଥିରେ କେବେ ତାର ଯୁଦ୍ଧ ହୋଇନାହିଁ ? ତା’ ନହେଲେ ଆମେ ଆଉ କେମିତି ଜାଣିବୁ ?

 

ଧର୍ମ୍ମପାଳ- ତମେ ଯୁଦ୍ଧ କର ? କିନ୍ତୁ ତମ ବ୍ୟବସାୟରୁ ତ...

 

ସୋମନାଥ- ଯୁଦ୍ଧ ?-ଏ ରାଜ୍ୟରେ ଯୁଦ୍ଧ ନ କରେ କିଏ ? (ନିଜର ଦୁଇ ବାହୁକୁ ଚାହିଁ) ତକ୍ଷଶିଳା ଜାଣ ? ସେ ଯୁଦ୍ଧ ଯେ ନ ଦେଖିଚି-

 

ଧର୍ମ୍ମପାଳ- ତୁମେ ସେଠାକୁ ଯାଇଥିଲ ?

 

ସୋମନାଥ- (ପୌରୁଷ ଦେଖାଇ) ଖାଲି ଯାଇଥିଲି କଣ ଦେଖିବାକୁ ? ତକ୍ଷଶିଳା ଜୟ କରିଚି କିଏ ?

 

ଧର୍ମପାଳ- (ସୁପାରିସ୍ କରି) ତୁମେ କରିଚ ତା ହେଲେ ? ହଁ, ଅସମ୍ଭବ କଣ । ଜଣେ ଜଣେ ସୈନିକ ଅନେକ ସମୟରେ ଯୁଦ୍ଧ ଜୟ କରନ୍ତି; କିନ୍ତୁ ନାମ ନିଅନ୍ତି ସେନାପତି !

 

ସୋମନାଥ- (ପ୍ରସନ୍ନ ହୋଇ) ଶୁଣିବ ତେବେ ? ଯୁଦ୍ଧପାଇଁ ଯେତେବେଳେ ଡକରା ଆସେ, ସେତେବେଳେକୁ ମୋ ଘରେ ଜଣେ ବୋଲି ତିର୍ଲା ମଣିଷ, ଆଉ ପାଞ୍ଚ କି ଛ’ ବର୍ଷର ଏହି ବୋଲି ପିଲା ପୁଅ (ପୁଅକୁ ଦେଖାଇ); ଏ ଦି’ଟାଙ୍କୁ ଅଥାତା କରି ଯୁଦ୍ଧମୁହଁକୁ କିଏ ଯିବାକୁ ମନ କରିବ କହିଲ ? ଯେତେବ ବୁଝେଇଲେ ସେ ମାଇପି ଲୋକଟା କଣ ବୁଝିବ ? କାନ୍ଦି ବୋବେଇ ତିନି ଦିନ ଯାଏ ମତେ ଭାଡ଼ି ଉପରେ ଲୁଚେଇ ରଖିଲା ।

 

ଧର୍ମ୍ମପାଳ- (ହାସ୍ୟରୁଦ୍ଧ କରି) ଭାଡ଼ି ଉପରେ ?

 

ସୋମନାଥ- ହଁ ହେ, ଖାଲି ତା’ରି କାନ୍ଦକୁ ଡରିକରି-ନ ହେଲେ ମୁଁ କିଏ, ଭାଡ଼ି ଉପରେ କିଏ ? ତେବେ ରଜାଘର ଲୋକେ କଣ ସହଜରେ ଭୁଲିବେ ? କାହାରି କଥା ନ ଶୁଣି ଭାଡ଼ି ସନ୍ଧା କେଞ୍ଚିଲେ, ସେଗୁଡ଼ାକ କଣ ମଣିଷ !

 

ଧର୍ମ୍ମପାଳ- (ସଂକ୍ଷିପ୍ତ କରିବା ଉଦ୍ଦେଶ୍ୟରେ) ତାହା ପରେ ତଳକୁ ଓହ୍ଲାଇ ଆସିଲ ?

 

ସୋମନାଥ-ଖାଲି ଓହ୍ଲାଇ ଆସିଲି ସହଜରେ ? ବାହା ଫୁଟୁକି ମାରି ଯେତେବେଳେ ଡେଇଁଲି, ସେତେବେଳେ ଭୁଇଁ ଏକାତାନେ ଦଶହାତ ତଳକୁ ।

 

ଧର୍ମ୍ମାପଳ- (କୌତୁକ ଦୃଷ୍ଟିରେ) ଆଉ ତମେ ?

 

ସୋମନାଥ- (ସାହସ ପାଇ) ମୋର ସିନା ଗୋଡ଼ଟା ଖସିଗଲା, ନ ହେଲେ ତାଙ୍କରି ଭିତରୁ ଜଣେ କାହାକୁ ଜଖମ କରି ନ ଥାନ୍ତି !

 

ଧର୍ମ୍ମପାଳ- ଯାହା ହେଉ ତକ୍ଷଶିଳା ତ ଜୟ କରି ଫେରିଚ !

 

ସୋମନାଥ- ଜୟ କଲି ସିନା, ଫେରିବାକୁ କଣ ମନ ହେଉଥିଲା ? ଖାଲି ସେଇ ମାଇପିଟା ଯୋଗରୁ ।

 

ଧର୍ମ୍ମପାଳ- ତକ୍ଷଶିଳା ବଡ଼ ଭଲ ଜାଗା, ନା ?

 

ସୋମନାଥ- ଭଲ ଜାଗା ? ତମ ଦେଶରେ ପାକଲା କାନ୍ଦୁ ଅଛି ନା ?

 

ଧର୍ମ୍ମପାଳ- କେନ୍ଦୁ

 

ସୋମନାଥ- ହଁ ହେ କେନ୍ଦୁ । କେନ୍ଦୁ ନ ଥିଲେ ସେଠାକୁ ଯୁଦ୍ଧ କରିବାକୁ ଯିବ କିଏ ? ତକ୍ଷଶିଳାର କେନ୍ଦୁ ଦେଖିଚ ? (ହାତ ଦେଖାଇ) ଏଉଁ ବଡ଼ ବଡ଼ । ଗୋଟିଏ ବୋଲି ମଞ୍ଜି ନାହିଁ କି ଟିକିଏ ବୋଲି ଚୋପା ନାହିଁ । ଗୋଟିଏ ଶରକୁ ଗୋଟିଏ କେନ୍ଦୁ । ବାସ୍, କେତେ ଖାଇବ ଖାଉଥା ।

 

ଧର୍ମ୍ମପାଳ- ତମେ କଣ ସେଠାରେ ଶର ମାରି କେନ୍ଦୁ ପାରୁଥିଲ ?

 

ସୋମନାଥ- ଶର ମାରି ଗଛରୁ କେନ୍ଦୁ ଯେମିତି ପାରିଛି, ମଣିଷ କାନ୍ଧରୁ ମୁଣ୍ଡ ସେମିତି ଛିଣ୍ଡାଇଛି । ପଚାରିଲ, ଯେତେ ଲୋକ ମୋ ସାଥିରେ ଯାଇଥିଲେ । ଆଉ କିଛି ନ କହନ୍ତୁ, ମୋ’ ଠାରୁ ଯେତେ କେନ୍ଦୁ ଖାଇଛନ୍ତି, କହିବେ ନାହିଁ ? ନ ହେଲେ ଶୋଷରେ ଯେମିତି ତଣ୍ଟି ଶୁଖିଯାଏ ।

 

ଧର୍ମ୍ମପାଳ- କେନ୍ଦୁ ପାରି ସମସ୍ତଙ୍କୁ ତେବେ ବାଣ୍ଟିଚ ?

 

ସୋମନାଥ- ମୋହର ବାଣ୍ଟିବା ଯାଏ ପୁଣି ସତାର କରିବ କିଏ-ସମସ୍ତେ ଆସି ହାତ ପୂରାଇ ମୁଣା ଖାଲି କରିଦେବେ ନାହିଁ !

 

ଧର୍ମ୍ମପାଳ- କିନ୍ତୁ ଏତେ କରି ପୁରସ୍କାର ମିଳିଲା କଣ ?

 

ସୋମନାଥ- ପୁରସ୍କାର ? ଘରକେ ଜଣେ ଲେଖାଁ ଯିବେ ଯୁଦ୍ଧକୁ, ସେଥିରେ ପୁଣି ପୁରସ୍କାର ! ଆଚ୍ଛା, ତୁମ ଦେଶର ନାଁ କଣଟି-କେଉଁ ଲିଙ୍ଗ ?

 

ଧର୍ମ୍ମପାଳ-କଳିଙ୍ଗ ।

 

ସୋମନାଥ- ହଁ ହଁ, କଳିଙ୍ଗ । (ଅନୁନୟ ସ୍ୱରରେ) ସତକରି କହିବ ତ ଭାଇ, କଳିଙ୍ଗ ସାଥିରେ ତ ଆମର ଯୁଦ୍ଧ-ଫୁଦ୍ଧ କିଛି ନାହିଁ ?

 

ଧର୍ମ୍ମପାଳ- (ମୃଦୁ ହସି) ଡରୁଚ କାହିଁକି ? କଳିଙ୍ଗରେ ବହୁତ ପାକଲା କେନ୍ଦୁ ଅଛି ।

 

ସୋମନାଥ- କେନ୍ଦୁ କଣ ଖିଆ ହୋଇ ନାହିଁ ? ଯୁଦ୍ଧକଥା କରି କହିଲ ? ତୁମେ ତ ବାକି ଯୁଦ୍ଧ ଖବର ଦେବାକୁ, ଆସିନ ? ତମେ ଏଠାରୁ ଯିବାଟି, ନ ହେଲେ ମୁଁ (ସନ୍ଦିଗ୍‌ଧ ଦୃଷ୍ଟିରେ ଧର୍ମ୍ମପାଳକୁ ଚାହିଁ ନିଜର ସରଞ୍ଜାମ ଗୋଟାଇ ଉଠି ପଳାଇବାକୁ ବାହାରିଲା)-

 

ଧର୍ମ୍ମପାଳ- (ବିଶ୍ୱସ୍ତ ସ୍ୱରରେ) ପାଗଲ ହେଲ ? ଯୁଦ୍ଧ ଖବର ଦେବାକୁ ଏମ୍‌ତି ବେଶରେ କିଏ ଆସେ ? ବସ, ବସ, ଉଠୁଚ କାହିଁକି ?

 

ସୋମନାଥ- (ଆଶ୍ୱସ୍ତ ହୋଇ) ନାହିଁ, ନାହିଁ, ତମେ ଆଗ ଉଠିବଟି-ଜଣାନାହିଁ, ଶୁଣାନାହିଁ,-କାହିଁକି ? ଯୁଦ୍ଧ ତ ବଡ଼ କଥା-ଆମର ଏଠାରେ ଗଛ ବୃଛ ବି, କାହା ଘରେ ସୋରିଷ ଫୁଲିଲେ ଯାଇ ମହାରାଜାଙ୍କ କାନରେ କହିବେ ।ଜାଣ ? ଏଇ ଇଟା ପଥରଙ୍କର ବି କାନ ଅଛି । ନା, ନା, ତମେ ବାହାର; ନ ହେଲେ ମୁଁ ଘର ଭିତରକୁ ଯାଏଁ- (ପୁଅକୁ) ଚାଲ୍‌ରେ ନଟ !

 

ଧର୍ମ୍ମପାଳ- ବସ, ବସ, କିନ୍ତୁ ପ୍ରଜାଙ୍କ କାନ ଏମିତି ବଧିର କାହିଁକି, ଭଲା ? ଖାଲି ବାଟଟା ଟିକିଏ ବତେଇ ଦେବାକୁ ପଚାରିଲେ କାହାରି ମୁହଁରେ କଥା ନାହିଁ ! ତୁମକୁ ମଧ୍ୟ ଯେତେବେଳେ ପଚାରିଲି, ସେଇ କଥା । ଏ ଦେଶ ଗୋଟାକ ସମସ୍ତେ କାଲ ନା କଣ ?

 

ସୋମନାଥ- (ପ୍ରଥମେ ଚମକି ପଡ଼ି ଓ ପରେ ଚାରିଆଡ଼କୁ ଭୟରେ ଚାହିଁ) ଆସ୍ତେ-ଆସ୍ତେ-କାଲ ନୁହନ୍ତି, ମୂକ ।

 

ଧର୍ମ୍ମପାଳ- (ବିସ୍ମିତ ହୋଇ) ମୂକ ?

 

ସୋମନାଥ- (ପୂର୍ବପରି ନିମ୍ନ ସ୍ୱରରେ) ଖାଲି କୀଟ ପତଙ୍ଗ ନୁହନ୍ତି-ମଣିଷ !

 

ଧର୍ମ୍ମପାଳ- ମହାରାଜଙ୍କର ହୁକୁମ ?

 

ସୋମନାଥ- କିଏ ଜାଣେ ? ଆମେ ବୁଝୁଁ ରାଜାଙ୍କ ଚାକରମାନଙ୍କ ହୁକୁମ-ଆମରି ହୁକୁମ-ରାଜାଙ୍କ ଚାକର ଆଉ କିଏ କି ? ଯାଅ ବାବୁ, ନଅରକୁ ଏଇ ସିଧା ବାଟ ।

 

ଧର୍ମ୍ମପାଳ- (ସବିସ୍ମୟ) କିନ୍ତୁ ଏ କି ଅସମ୍ଭବ ହୁକୁମ-କଥା କହିବେ ନାହିଁ !

 

ସୋମନାଥ- (ସହଜ ସ୍ୱରରେ) ହେଁ ହେଁ,- ତାଜ୍ଜିବ ଲାଗୁଚି, ନା ? କାହିଁକି ? କଥାରୁ ତ ସବୁ-ମାଡ଼, ଗୋଳ, ଖୁଣି, ଜନାକାରୀ-କଥା କହିବାରେ ଯେବେ ଆମର ବାଗସାଗ ଥାନ୍ତା ! ସେଦିନ ଖାଲି ପରା ଏଇ କେନ୍ଦୁ କଥାରୁ ମୁଣ୍ଡଫଟା-ଫଟି ହୋଇଥାନ୍ତା-ମୁଁ କହିଲି ଅଛି, ଆଉ ପଞ୍ଝାଏ ଜିଗର କଲେ-ନାହିଁ, ମଞ୍ଜି ନ ଥିଲା କେନ୍ଦୁ କୁଆଡ଼ୁ ଆସିବ ? ନିଜେ ଘର ଭିତରୁ ବାହାରିବେ ନାହିଁ, ଯେ ଦେଖି ଆସିଚି ତା କଥାକୁ ହସରେ ଉଡ଼େଇବେ । ଚିଡ଼ି ଲାଗିଲା, ହୁଡ଼ିକରି ଦି’ପଦ କହିଦେଲି । ହେଲେ ତାଙ୍କର ସାହସ ଦେଖ- ପଞ୍ଝାଟାଯାକ ମତେ ଘେରିଯାଇ କହୁଚନ୍ତି, ମୋ ପିଠିରୁ ସେମିତି ମଞ୍ଜି ନ ଥିଲା କେନ୍ଦୁ ବାହାର କରିବେ ! ଜଣକୁ ପାଁ ଜଣ- ଅନ୍ୟାୟ ଯୁଦ୍ଧ ତ କରିବ, ନ ହେଲେ ଠେଙ୍ଗାଖଣ୍ଡ ହାତରେ ଥିଲେ ମୋ ପାଖ ଭଲା ମାଡ଼ନ୍ତେ ! ତେବେ ବି ଖାଲି ହାତରେ କଣ ଦିଟା ଗୋଟାଏ ବେକ ମୋଡ଼ି ଦେଇ ନ ଥାନ୍ତି ହଠାତ୍ ବୁଝିଗଲି ବୋଲି ସିନା । ଏ ମୂର୍ଖଙ୍କ ସାଥିରେ ଲାଗିବ କିଆଁ-ହେଲା ଯା,-ସେମିତି କେନ୍ଦୁ ନାହିଁ ! ହଉ ବାବୁ, ଏଥର ତୁମେ ଉଠିବଟି ।

 

ଧର୍ମ୍ମପାଳ- କିନ୍ତୁ କଥା ବନ୍ଦ ହେଲେ କଣ ଏ ସବୁ ବନ୍ଦ ହେବ ? ଗୋରୁ ଛେଳିଙ୍କ ଭିତରେ କଥା ସିନା ନାହିଁ, ମରାମରି କଣ କମ୍ ?

 

ସୋମନାଥ- ବୁଝିଲ, କଥା ପରି କଥା କହିଲେ ସିନା ହବ ! କହନ୍ତି ପରା, ତୁଣ୍ଡ ବାଇଦ ସହସ୍ର କୋଶ । କିହୋ ନିଜ ଗଣ୍ଡାକ କମେଇ ଆମେ ଆମ ଦୁଃଖରେ ଚଳିବା । ଆମର ଏତେ ରଜା ରାଜୁଡ଼ଙ୍କ କଥାରେ ଥାଏ କଣ-ସେ କାହାକୁ ମାଇଲେ କି ଧଇଲେ, ତାଙ୍କ କଥା ତାଙ୍କର-ଆମେ ଅଦା ବେପାରୀ, ଜାହାଜ ମୂଲେଇବା କାହିଁକି ?

 

ଧର୍ମ୍ମପାଳ- ତା’ ହେଲେ ଲୋକେ ରାଜାଙ୍କର ନିନ୍ଦା କରିବାକୁ ଏପରି ହୁକୁମ ହୋଇଚି ?

 

ସୋମନାଥ- ହେବ ନାହିଁ ? ଏ ଆମର ନିଜ କମେଇ ନା, ରାଜାଙ୍କର ଦୋଷ କଣ ? ରଜା ଗଜା, ଯାହା ବୁଝିଲେ-ତମର ମୁହଁ ବନ୍ଦ ହେଲେ କେତେ, ମୁଣ୍ଡକାଟ୍ ହେଲେ କେତେ ?

 

ଧର୍ମ୍ମପାଳ- (ବ୍ୟସ୍ତ ଭାବରେ) ଏ କଥା ତମେ ଆଗରୁ ନ କହିଲେ କାହିଁକି ? ଆମେ ତ ଏଠାରେ ବସି କଥା ଗପୁଥାଇଁ ?

 

ସୋମନାଥ- (ଚତୁରତା ଦେଖାଇ) ନାହିଁ, ନାହିଁ, ମୁଁ କଣ ତାହା ଆଗରୁ ନ ବିଚାରି ଛାଡ଼ିଚି ? (ତିନିଟି ଅଙ୍ଗୁଳି ଦେଖାଇ) ତିନି ଜଣ ! ତିନି ଜଣ ଲୋକ ଏକା ଜାଗାରେ, ବୁଝିଲ ?

 

ଧର୍ମ୍ମପାଳ- (ସୋମନାଥର ପୁଅକୁ ଚାହିଁ) କିନ୍ତୁ ତମ ପୁଅକୁ ମିଶାଇ ଆମେ ତ ଏଠାରେ ତିନି ଜଣ !

 

ସୋମନାଥ- ତାକୁ ଆଉ ସୁମାରି କରୁଚ କାହିଁକି ? ତାହାର ଦଣ୍ଡ ମିଳି ସାରିଚି- (ପୁଅକୁ) ଦେଖା ତ ନଟ, ପାଟି ଖୋଲି । (ବାଳକ ମୁହଁ ଖୋଲି ଦେଖାଇଲା)

 

ଧର୍ମ୍ମପାଳ- (ଚମକି ପଡ଼ି) ଅଃ, ପିଲାଟିର ଜିଭ ନାହିଁ !

 

ସୋମନାଥ- (ଅବିଚଳିତ ଭାବରେ) ଛାନିଆ ହେଉଚ କାହିଁକି ? ଦୋଷ କଲା, ଦଣ୍ଡ ପାଇଲା-ମୋ ପୁଅ ବୋଲି କଣ ତାକୁ ଛାଡ଼ ମିଳନ୍ତା ?

 

ଧର୍ମ୍ମପାଳ- (ଭୀତ କଣ୍ଠରେ) କଣ ଦୋଷ କଲା ?

 

ସୋମନାଥ- ହୁଁ, ସାତକାଣ୍ଡ ରାମାୟଣ ଶୁଣିସାରି-(ଉଚ୍ଚସ୍ୱରରେ) କଥା କହିଲା-ବୁଝିଲ-?

 

ଧର୍ମ୍ମପାଳ- (ଦୁଃଖ ଓ ବିସ୍ମୟରେ) ମହାରାଜଙ୍କର ଆଦେଶ ?

 

ସୋମନାଥ- ରାଜାଙ୍କର ବିଶ୍ୱାସ ହେଇଚି, ଏ ଦେଶରେ ରାଜଦ୍ରୋହ ଛଡ଼ା ଆଉ କିଛି କଥା ନାହିଁ । ବୁଝିଲ ?

 

ଧର୍ମ୍ମପାଳ- କିନ୍ତୁ କଥା କହିଲେ ଜିଭ କାଟ୍ !

 

ସୋମନାଥ- ହେବ ନାହିଁ ? ରକ୍ଷାଅଛି, ମୁଣ୍ଡକାଟ୍ ହୁକୁମ ହୋଇ ନାହିଁ । ନହେଲେ ଏମିତି ଯାହା ଗଣ୍ଡାଏ ଖାଇ ପାରୁଚି, ସେତକ ବି ପାରନ୍ତା ନାହିଁ । ତୁମ ଦେଶନାଁ’ କଣଟି-କି ଲିଙ୍ଗ ?

 

ଧର୍ମ୍ମପାଳ-କଳିଙ୍ଗ ।

 

ସୋମନାଥ- ହଁ, ତୁମ କଳିଙ୍ଗରେ କଣ ରାଜା ନାହାନ୍ତି ? ଯାହାର ଯାହା ଇଚ୍ଛା, ସେ ତାହା କହି ଚାଲିଯାଏ ? କାହିଁକି ? କଥା ନ କହିଲେ କଣ ଭାତ ରୁଚେ ନାହିଁ ? ମୋ ପୁଅକୁ ଦେଖୁଚ ଟିକି ? କଥା ନ କହି ଭଲା କୁଆଡ଼େ ତାର ଊଣାଦିଶୁଚି? ବଢ଼ୁଚି ଯେମିତି ବାଉଁଶ କରଡ଼ି ! ଖାଇବା ଶୋଇବା ଚାହିଁବା ଶୁଣିବା କେଉଁ କାମ ତାର ବନ୍ଦ ଅଛି ଭଲା ! ଯୁଆଡ଼େ ଇଚ୍ଛା ଛାଡ଼ିଦେବାକୁ ମୋର ଆଉ ଭୟ ନାହିଁ । ନ ହେଲେ ପିଲା ମତି, କାହା ସାଥିରେ କେତେବେଳେ କଜିଆ କରନ୍ତା କାହା ଝିଅ-ବୋହୂଙ୍କୁ କଣ କହନ୍ତା-

 

ଧର୍ମ୍ମପାଳ- (ଗମ୍ଭୀର ହୋଇ) ବୁଝି ପାରୁଚି- ମହାରାଜଙ୍କର ଏ ଆଦେଶକୁ ତୁମେ ସବୁ ଦୟା ବୋଲି ଭାବିଚ ।

 

ସୋମନାଥ- ଦୟା କଣ ଅଳପ ? ଆଉ କେଉଁ ରାଜା ବେଶି ଦୟା କରେ ? ତୁମେ ଚାଲ, ବୁଲ, ଦେଖ, ଶୁଣ, ସେଥିପାଇଁ କିଏ ମନା କରୁଚି ? ସେତେବେଳେ ଶୋଇଲ କି ଖେଳିଲ, ତା ଉପରେ କଣ କର ବଢ଼ୁଚି ? ଆଉ ବି ଯେତେ ପାର ମନେ ମନେ ସବୁ ଚିନ୍ତା କର-ରାଜାଙ୍କର ମୁଣ୍ଡ କାଟ୍, ରାଜ- କୁଳର ଧ୍ୱଂସ-ସେଥିରେ କାହାର କ୍ଷମତା, ପାଟି ଫିଟେଇବାକୁ-ଖାଲି ତାକୁ ମୁହଁରେ କହିଲେ ସିନା-

 

(ଗୀତ ଗାଇ ଗାଇ ଗୋଟିଏ ଖଞ୍ଜ ଭିକ୍ଷୁକ ଆସୁଥିବାର ଦେଖି ତାହା ଆଡ଼କୁ ଚାହିଁଲା । ଭିକାରିଟିର ରୂପ ଓ ବେଶଭୂଷା ଭାରତୀୟ ଦାରିଦ୍ର୍ୟର ପ୍ରତିନିଧି)

 

ଭିକାରି-ଚଳ ନାବିକ ଚଳ ଚଳ

ଉପରେ ଡକାଇ ଝଞ୍ଜା ତୋଫାନ,

ପାଦରେ ଉଛୁଳେ ଜଳ !

ଚଳଚଳ ।

ଛିଡ଼ିଛି ଦଉଡ଼ି

ଉଡ଼ିଛିଯେବେ ରେ ପାଲ

ଅତଳ ଅକୂଳେ

ସାଇ ତରଣୀ ଚାଲ

ନ ଚାହିଁ ପଛକୁ ନ ଶୁଣ ବାରଣ

ସକଳ ଭୁବନ ହେଉ ଅକାରଣ

ଜୀବନର ତେଜେ ଜଳିଉଠୁ ତୋର

ମରଣର ହଳାହଳ

ଚଳ ଚଳ !

 

ସୋମନାଥ- ଚଳାଚଳି କଥା ନୁହେଁ ରେ-ଚାଲ୍, ବୁଲ୍, ଖା, ଶୁଣ୍-ଖାଲି କଥା କହିବାକୁ ମନା ।

 

ଭିକାରି-ବାବା, ଭିକ୍ଷାଶୀ ବାବା !

 

ସୋମନାଥ- ଭାରି ଆଚମିତ କଥା ! ଏ ରାଜ୍ୟ ଗୋଟାକ ସମସ୍ତେ ଦାନୀ, ଏହି ଏକା ଭିକ୍ଷାଶୀ !

 

ଧର୍ମ୍ମପାଳ- କଣ ଭିକ୍ଷା କରିବାକୁ ମନା ?

 

ସୋମନାଥ- ଭିକ୍ଷା କରିବାକୁ ନୁହେଁ-କଥାକହିବାକୁ, ଗୀତ ଗାଇବାକୁ ।

 

ଧର୍ମ୍ମପାଳ- ଭିକାରି ମଧ୍ୟ-

 

ସେମାନାଥ- ହଁ ହେ, ଭିକାରିଙ୍କ ପାଇଁ ତ ଆମଠାରୁ ଆହୁରି କଡ଼ା ଆଇନ ଦରକାର । ଆମେ ସିନା ଦୋଷ କରୁ ମର୍ତ୍ତ୍ୟରେ, ସେ କରନ୍ତି ସ୍ୱର୍ଗରେ । ଆମେ ଦୋଷ କଲେ ଜିଭ କାଟ୍, ନ ହେଲେ ମୁଣ୍ଡ କାଟ୍ । ତାଙ୍କ ପାପରୁ ସେମିତି କିଏ କଣା, କିଏ ଛୋଟା, କିଏ କାଲା। ତାଙ୍କୁ ସବୁ ଦାନ କରିବା ଯାହା, ପାପ ଅନ୍ୟାୟକୁ ଲାଞ୍ଚ ଦେବା ତାହା । ସେଥିରେ ଧର୍ମ ହୁଏ ନାହିଁ ଯେ, ପାପ କରାଯାଏ ।

 

ଭିକାରି- ବାବା, ଯେ ସ୍ୱର୍ଗର ଆଇନ ନ ମାନି ଦଣ୍ଡ ପାଇ ସାରିଛି, ତା ପାଇଁ ଆଉ ମର୍ତ୍ତ୍ୟର ଆଇନ ବେ-ଆଇନ କଣ ! ଯେତେ ପ୍ରାଶ୍ଚିତ କଲେ ଅନ୍ଧ ଆଖି ଫେରିପାଇବ, ନା ଛୋଟାର ଗୋଡ଼ ଗଜୁରି ଉଠିବ ? ତୁମେ ପୁଣ୍ୟବନ୍ତ ବାବା, ଆଇନ ମାନି ଚଳୁଚ-ସ୍ୱର୍ଗଗାମୀ ହୁଅ ।

 

ସୋମନାଥ- (କ୍ରୁଦ୍ଧ ହୋଇ) କିରେ, ଭାରି ବଢ଼ି ବଢ଼ି ତ କଥା କହୁଚୁ- (ହାତୁଡ଼ିକୁ ଦେଖାଇ) ଦେଖୁଚୁ ?- ଟିକିଏ କଣ ଛୋଟା ହେଇଚୁ-କଣ, କହିଲୁ ଆଉ ଥରେ-

 

ଭିକାରି- (ସାହାଯ୍ୟ ଆଶାରେ ଧର୍ମ୍ମପାଳ ପ୍ରତି) ବାବୁ, ମୁଁ କଣ ଆନ୍ୟୟ କହିଲି ?

 

ସୋମନାଥ- (ଅଧିକ କ୍ରୁଦ୍ଧ ହୋଇ) ନାଃ, ନ୍ୟାୟ କହିଛୁ, ତୋ ମୁଣ୍ଡ କହିଛୁ । ମୁଁ ଯେମିତି କିଛି ବୁଝିପାରେ ନାହିଁ । କାହିଁକି, ତୁ ସ୍ୱର୍ଗଗାମୀ ହେଲେ ?

 

ଭିକାରି- ବାବା, ଆମେ ପାପୀ ଜୀବ ସ୍ୱର୍ଗକୁ ଯିବୁ ତ ନରକ କାହାପାଇଁ ?

 

ସୋମନାଥ- ଆରେ ବାଃ, ବାଃ ଭଲ ଛଟାଗାଳି ଆସେ (ଧର୍ମ୍ମପାଳ ପ୍ରତି)- ଦେଖୁଚ, ମୋହର, ପିଲା ପୁଅ ପାଖରେ ବସିଚି-କେଡ଼େ ବହପ ତାର !

 

ଧର୍ମ୍ମପାଳ- (ମୃଦୁ ହସି) ତମ କଥା ଯେମିତି ଠିକ୍, ତା କଥା ବି ସେମିତି ଠିକ୍ । ସ୍ୱର୍ଗକୁ ଯାଅ, ମର୍ତ୍ତ୍ୟରେ ରହ, ବରାବର ଦିଟା ଆଇନ ମାନିବାକୁ ହେବ-ରାଜାର ଆଉ ଦେବତାର । ଖାଲି ଫରକ ଏତିକି ଯେ, ରାଜା କହେ କଣ ନ କରିବ, ଦେବତା ପହେ କଣ କରିବ । ମର୍ତ୍ତ୍ୟରେ ରହିବାକୁ ଚୋରି ଡକାୟତି କରିବ ନାହିଁ, ସ୍ୱର୍ଗକୁ ଯିବାକୁ ହେଲେ ଦାନ ଧ୍ୟାନ କରବି ।

 

ସୋମନାଥ- ଯେତେ ହେଲେ ମର୍ତ୍ତ୍ୟରେ ପାପ କଲେ କ୍ଷମା ଅଛି; କିନ୍ତୁ ସ୍ୱର୍ଗରେ ଯେ ପାପ ଆଚରଣ କରନ୍ତି-

 

ଭିକାରି- ଆମେ ନାରକୀ ପାପୀଯାକ ତୁମ ପୁଣ୍ୟବନ୍ତ ଲୋକଙ୍କର ବେଶି ଲୋଡ଼ା- ଆମ ଭିତରୁ ବେଶି ଲୋକଙ୍କ ମତ ନ ହେଲେ ସ୍ୱର୍ଗକୁ ଯିବା ସହଜ ପରା-ତୁମ ଇଚ୍ଛା ଖାଲି ବିନା ଖର୍ଚ୍ଛରେ ସ୍ୱର୍ଗକୁ ଉଠିଯିବ ।

 

ସୋମନାଥ- ତୁ ମୋ ଖର୍ଚ୍ଚ କଥା କଣ ଜାଣୁରେ ? ତୁହୋଇ ମୁଣ୍ଡ ମୋ ଖର୍ଚ୍ଚ କଥା- (ଦୂରକୁ ଚାହିଁ ଚମକି ପଡ଼ି) ହେଇଚି ଏଥର-ଠିକ୍ ହେଇଚି-ସ୍ୱର୍ଗ ନରକ ଯେ ଆଡ଼େ ଇଚ୍ଛା (ପ୍ରଥମେ ନିଚ ମୁହଁରେ ଓ ପରେ ଧର୍ମ୍ମପାଳ ମୁହଁରେ ହାତ ଦେଇ ଦୂରକୁ ଅଙ୍ଗୁଳି ଦେଖାଇଲା) ଚୁପ୍, ଚୁପ୍-ଏଇ ଦେଖ-ସ୍ୱର୍ଗର ବାଟ (ଭିକାରି) ପ୍ରତି ଯା, ଯା, ତୁ ଆଗ ଏଠାରୁ ଯିବୁଟି, (ଧର୍ମ୍ମପାଳଙ୍କୁ) ଆଉ ତମେ ବାଟୋଇ ମଣିଷ ଏଠାରେ ତମକୁ ଦୁଃଖ ସୁଖ ହେବାକୁ କିଏ ଭଲା ଡାକୁଥିଲା ? (ଧର୍ମ୍ମପାଳ ଖଞ୍ଜ ହସ୍ତରେ କିଛି ଦାନ କରିବାକୁ ଯିବା ମାତ୍ରେ ଦୁଇଜଣ ନଗରରକ୍ଷକଙ୍କର ଦ୍ରୁତ ପ୍ରବେଶ)

 

ପ୍ରଥମ କୋଟୁଆଳ- (ବ୍ୟଙ୍ଗ ସ୍ୱରରେ) ଚାଲୁ, ଚାଲୁ-ଭଲ ଜମାଣ ତ ଚାଲିଛି ।

 

ଦ୍ୱିତୀୟ କୋଟୁଆଳ- ସବୁବେଳେ ଆମ ଗୋଡ଼କୁ ଖାଲି ଚାହିଁ ବସିଥିବ-ଟିକିଏ କର ଆଡ଼େଇବା ଯାକେ ।

 

ପ୍ରଥମ କୋଟୁଆଳ- ଆଉ ଯେମିତି ଦୂରରୁ ଆମ ଉପରେ ନଜର ପଡ଼ିଯିବ, ଉଃ, ସେମିତି ଜଣେ ଜଣେ ସାଧୁପୁରୁଷ ।

 

ଧର୍ମ୍ମପାଳ- (ଅସହିଷ୍ଣୁ ହୋଇ) କଣ କହୁଚ ଏ ସବୁ ?

 

ଦ୍ୱିତୀୟ କୋଟୁଆଳ- ନାଃ, କଣ ମହୁର, ତମେ କାହିଁକି ବୁଝିବ ? ଚେଇଁ ଶୋଇବ ଯେ-

 

ପ୍ରଥମ କୋଟୁଆଳ- (ଧର୍ମ୍ମପାଳଙ୍କ ସର୍ବାଙ୍ଗକୁ ଚାହିଁ) ଆହା- କାହିଁକି ବୁଝିବ ? ଗେରୁଆ ପିନ୍ଧିଚ ପରା-ପରାକୃତ କଥା ଗଡ଼ାକ ବୁଝିବ ?

 

ଦ୍ୱିତୀୟ କୋଟୁଆଳ- ତୁମର ସବୁ କଣଅଛି, ଯେଝା ସୁଖରେ ସେ ଖୁସି ଗପ କରିବ-ଫଳ ହେବ କଣ ନା, ଆମ ଘରେ କାନ୍ଦ-ବୋବା-ପିଲାପିଲି ଓପାସ ।

 

ଧର୍ମ୍ମପାଳ- ଆମେ ଖୁସି ହେଲେ ତୁମ ଘରେ କାନ୍ଦ-ବୋବା ?

 

ଦ୍ୱିତୀୟ କୋଟୁଆଳ- ହଁ ହେ, କିଛି ବୁଝ ନାହିଁ- ମାୟା ତପସୀ ।

 

ପ୍ରଥମ କୋଟୁଆଳ- ବୁଝିବ ସବୁ, ବଳେ ବୁଝିବ-ଆଗ ଉଠି ଆସିବଟି ।

 

ଧର୍ମ୍ମପାଳ- (ମିନତି ସ୍ୱରରେ) ଏଠାରେ ଆମେ ସବୁ ରୁଣ୍ଡ ହେବା କଥା କହୁଚ ?

 

ଦ୍ୱିତୀୟ କୋଟୁଆଳ- ବାଃ, କେହି ତ କିଛି କହି ନାହିଁ, ଛାଏଁ ସବୁ ବୁଝିଗଲ ! ମାହାଳିଆକୁ ଫଟେଇ ହେଉଥିଲ କାହିଁକି ଭଲା ?

 

ଧର୍ମ୍ମପାଳ- ମୁଁ ସେଥିପାଇଁ ଦାୟୀ-ବିଦେଶୀ ମୁଁ-ନୂଆ ହେଇ ଏଦେଶକୁ ଆସୁଚି-ବାଟ ଘାଟ ଜାଣେ ନାହିଁ; ଏମାନଙ୍କୁ ପଚାରୁଥିଲି ରାଜନଅରକୁ ବାଟ ।

 

ପ୍ରଥମ କୋଟୁଆଳ- ଓହୋ, ସେଥିପାଇଁ ସଭାଟାଏ କରିବା ଦରକାର ହେଲା ? ରାଜନଅର ଯେମିତି ଜଙ୍ଗଲ ମଝିର ଗୋଟାଏ ଉଇ ହୁଙ୍କା ହେଇଚି ଯେ ଖୋଜି ପାଇବା କଷ୍ଟ ।

 

ଧର୍ମ୍ମପାଳ- ରାଜନଅର ହେଲେ ବି, ଏ ଦେଶଲୋକେ ତାହା ଖୋଜିବା, ଯେମିତି, ବିଦେଶୀ ଲୋକ କାହାକୁ ନ ପଚାରି ତାହା ପାଇବା ମଧ୍ୟ ସେହିପରି ଆଶ୍ଚର୍ଯ୍ୟର କଥା ।

 

ପ୍ରଥମ କୋଟୁଆଳ- ହେଉ, ତେବେ ଆସିବା ହେଉ-ରାଜନଅରକୁ ସିଧା ବାଟ ବତେଇ ଦେବୁ- ଆମ ପାଖରେ ଏ କଥାଗୁଡ଼ାକ କାଲ ଆଗରେ ମୂଳା-(ଖଞ୍ଜ ପ୍ରତି କୌତୁକ ଦୃଷ୍ଟିରେ ଚାହିଁ) ଏ ମୂର୍ତ୍ତିଟି ପୁଣି କିଏ ?- ସାକ୍ଷାତ୍ ଅଷ୍ଟବକ୍ର ।

 

ଭିକାରି- (ବିନୀତ ଭାବରେ) ବାବା, ଖଞ୍ଜ ଭିକ୍ଷାଶୀମୁଁ ।

 

ପ୍ରଥମ କୋଟୁଆଳ- ହଁ ସେ କଥା ତୋ ଟାଙ୍କ ଲାଞ୍ଜରୁ ବୁଝା ପଡ଼ୁଛି- ଚାଲ୍ ବାବା, ରାଜଦରବାରରେ ବହୁତ ଭିକ୍ଷା ।

 

ଭିକାରି- ରାଜଦରବାର ଭିକ୍ଷା ତୁମମାନଙ୍କୁ ପାଇଁ ବାବା, ଆମ ଅନ୍ଧ ଖଞ୍ଜଙ୍କ ପାଇଁ ନୁହେଁ-

 

ପ୍ରଥମ କୋଟୁଆଳ- (କ୍ରୁଦ୍ଧ ହୋଇ) ଚାଲ୍ କହୁଚି-ଫେର୍ କଥା କହିବୁ ତ ଜାଣୁ ?

 

ଭିକାରି- (ଧୀର ସ୍ୱରରେ) ଜାଣେ, ବାବା, ତୁମକୁ ନ ଜାଣି ଏ ମହିମଣ୍ଡଳରେ ପୁଣି-

 

ପ୍ରଥମ କୋଟୁଆଳ- ଫେର୍ ? (ହାତରେ ଧରିଥିବା ଠେଙ୍ଗାକୁ ଦେଖାଇ) ଦେଖୁଚୁ ?

 

ଭିକାରି- ତୁମକୁ ତ ଦେଖୁଚି, ତୁମଠାରୁ ଠେଙ୍ଗାଟା କ’ଣ ଅଧିକା ?

 

ଦ୍ୱିତୀୟ କୋଟୁଆଳ- ବାକ୍‌ଚାତୁରୀ ଶୁଣିବାକୁ ଆମେ ଆସିନାହୁଁ, ବୁଝିଲୁ ? କାମ କରିବାକୁ ଆସିଚୁଁ । (ସୋମନାଥକୁ ଚାହିଁଲା । ସେ ଏପର୍ଯ୍ୟନ୍ତ ନିତାନ୍ତ ସାଧୁ ପ୍ରକୃତିର ଲୋକ ପରି ବସିଚି) କିରେ ତୁ ତ କାହିଁ ହଲଚଲ ହେଉ ନାହୁଁ-ଆଉ ଏ ଟୋକାଟା ? (ବାଳକ ତାହାର ଜିହ୍ୱାହୀନ ମୁଖକୁ ଖୋଲି ଦେଖାଇଲା) ହେଲା, ହେଲା, ଏ ପିଲାଟା ଦଣ୍ଡ ପାଇ ସାରିଚି; (ସୋମନାଥକୁ ଚାହିଁ) ଆଉ ତୁ ? ତାର ବାପା ନା ? (କିନ୍ତୁ ସେ କେବଳ ସମ୍ମତିସୂଚକ ମସ୍ତକ ସଞ୍ଚାଳନ କଲା) ।

 

ପ୍ରଥମ କୋଟୁଆଳ- (ସୋମନାଥର ସଙ୍କୁଚିତ କାତର ମୁଖରୁ ଅନୁମାନ କରି ଉଃ; ଢଙ୍ଗ ଦେଖ ! ଦେଖି, ମୁହଁ ଫିଟାଇଲୁ । (ସେ କିନ୍ତୁ ପ୍ରାଣପଣ ଓଠ ବନ୍ଦ କରି ମୂକ ଦୃଷ୍ଟିରେ ଚାହିଁ ରହିଲା) ନାଃ, ସହଜରେ ଓଠ ଖୋଲିବ ନାହିଁ-ଦାନ୍ତ ପଡ଼ି-ଗଲା ପରା ! (ଦ୍ୱିତୀୟ ପ୍ରତି) ଦେଖିବୁଟି ଭାଇ’ ତୋ ଛୁରି ଖଣ୍ଡକରେ ମୁହଁ ଫିଟିବ କି ନାହିଁ । ନ ହେଲେ ଏଇ ଠେଙ୍ଗାରେ ପରୀକ୍ଷା କରିବା (ଦ୍ୱିତୀୟ କୋଟୁଆଳ ଛୁରି କାଢ଼ି ସୋମନାଥର ମୁହଁ ଫିଟାଇବାକୁ ଯିବାରୁ ସେ ପଳାଇବାକୁ ବାହାରିଲା, କିନ୍ତୁ ସଙ୍ଗେ ସଙ୍ଗେ କୋଟୁଆଳ ଦୁହେଁ ତାକୁ ଧରିନେଲେ । ଦୁଇଜଣଙ୍କ ହାତରୁ ମୁକ୍ତି ପାଇନପାରି ସେ ହତାଶ ହେଲା) ।

 

ସୋମନାଥ- ହେ, ମତେ ଭଲା ଛାଡ଼ିଦିଅ-ସତକହୁଚି, ମୋର ଜିଭ ନାହିଁ, ମତେ ଦ୍ୱାହୀ ଝାଡ଼ଖାଈ ଠାକୁରାଣୀ ।

 

ଦ୍ୱିତୀୟ କୋଟୁଆଳ- ଦେଖି ଦେଖି ଆଁ କଲୁ ? ଆଁ ନ କଲେ ଛାଡ଼ିବି ନାହିଁ । ହେଃ, ମତେ ବୋକା କରି ପାଇଚୁ, ନା ? (ଛୁରି ଧରି ଉଦ୍ୟତ)

 

ପ୍ରଥମ କୋଟୁଆଳ- (ହସିଦେଇ ଦ୍ୱିତୀୟ କୋଟୁଆଳ ପ୍ରତି) ତତେ ରଜାଘର ଚାକିରି କିଏ ଦେଲା କେଜାଣି; (ସୋମନାଥକୁ ଚାହିଁ) ଚାଲ୍ ଚାଲ୍-ଚାଲାଖି ରଖି ଦେ ।

 

ଦ୍ୱିତୀୟ କୋଟୁଆଳ- (ବୁଝିପାରି) ଆରେ ସତେ ତ ଏଣେ କଥାରେ ବାଟୁଳି ବାଜୁନାହିଁ, ତେଣେ କହୁଚି ଜିଭ ନାହିଁ, ମୁଁ ଯେମିତି କିଛି ବୁଝିପାରୁନି । ଏଇଥିରେ ତତେ ଛାଡ଼ିଦେବି ପରା ? ଏ ଥରଟାରେ ତତରେ ମିଶେଇ ହେବ ୧୦୨ ବକ୍‌ସିସ୍ ମିଳିବ ଦରବାରରୁ । ତୁ ଯେଉଁ ବୁଦ୍ଧି ଖେଳୁଚୁ, ତତେ ତ ଆଗ ନବା ଦରକାର ।

 

ସୋମନାଥ- ତମର ଯେମିତି ନବାକୁ ଦରକାର, ମୋର ତ ସେମିତି ରହିବାକୁ ବି ଦରକାର ।

 

ଦ୍ୱିତୀୟ କୋଟୁଆଳ- ଆରେ ଯାଃ- ତୋ ଦରକାର ତୋ ଘରେ । ଦୁଇଜଣ ନେବାକୁ ହୁକୁମ ନାହିଁ, ବୁଝିଲୁ ? ଶେଷରେ ଚାକିରି ଖଣ୍ଡମାନ ନେଇ ଆମ ପିଲା କବିଲାଙ୍କୁ ଦାଣ୍ଡରେ ବସାଇବୁ ପରା ?

 

ସୋମନାଥ- ମୋ ପିଲାଏ ଯେ ଏଣେ ଦାଣ୍ଡରେ ବସିବେ-

 

ଭିକାରି- (କୋଟୁଆଳ ଦୁହିଁଙ୍କୁ ଚାହିଁ) ତାହାହେଲେ ବାବା, ମୁଁ ଗୋଟିଏ ସହଜ ଉପାୟ ବତେଇ ଦିଏଁ-ତୁମ ଦି’ଜଣଙ୍କୁ ଜଣେ କିଏ ଆମ ସାଥିରେ ଆସିଲେ ତ କଳି ମେଣ୍ଟିଯାନ୍ତା ? ତାଙ୍କ କଥା ରହନ୍ତା, ତୁମ କଥା ବି ରହନ୍ତା ? ଯୋଉ ତିନିକି ସେଇ ତିନି ହୁଅନ୍ତେ-ଖାଲି ଯାହା ଟିକିଏ ମଝିରେ ଅଦଳ ବଦଳ ।

 

ପ୍ରଥମ କୋଟୁଆଳ- କଳି ମେଣ୍ଟାଇବାକୁ ବିଚାରପତି ବସିଛନ୍ତି, (କ୍ରୋଧଦୃଷ୍ଟିରେ) ତତେ କେହି ପଚାରୁ ନାହିଁ, ବୁଝିଲୁ ? (ଅନ୍ୟମାନଙ୍କୁ) କିରେ ନିଜ ଛାଏଁ କଣ ଉଠିବ ନାହିଁ, ସମସ୍ତେ ଚାହିଁଚି ଠେଙ୍ଗାକୁ ?

 

ସୋମନାଥ- (ଠିଆ ହୋଇ) ବିଚାରପତି ଆଉ କଣ ବୁଝିବେ ଭଲା ? ମୋ ଘରେ ତ ମୁଁ ଜଣେ ଲୋକ କଥା କହେ, ଆଉ ଦେଖୁଛ ଏହି ବାର ବର୍ଷର ପିଲା-ତାହାର ଯେଉଁ ଦଶା !

 

ଦ୍ୱିତୀୟ କୋଟୁଆଳ- କାହିଁକିରେ ତୋର ପରା ତିର୍ଲା ମଣିଷ ଅଛି-ସେ ତ କିଛି ପଦାକୁ ବାହାରେ ନାହିଁ ଯେ ଦଣ୍ଡ ପାଇଥିବ ।

 

ସୋମନାଥ- ଦଣ୍ଡ ସିନା ପାଇନାହିଁ-ସେ ଭଲ ଆଜିଯାଏ ମୋ ଆଗରେ ମୁହଁ ଫିଟାଇଲାଣି ? ଗାଁ ଭିତରେ ପଚାରିଲ, କେଉଁ ଲେକଟା ତା’ କଥା ଶୁଣିଛି ?

 

ଦ୍ୱିତୀୟ କୋଟୁଆଳ- ଏଁ ଆଜିଯାଏ ଚୁଁ ମାରେ ?

 

ପ୍ରଥମ କୋଟୁଆଳ- ହଉ, ହଉ, ଏଣିକି ବଳେ ମୁହଁ ଫିଟିଯିବ ଯେ-ମରଦମାନଙ୍କର ଜିଭ କଟା ହେଲେ ମାଇପେ ଆଉ କଥା ନ କହି ଯିବେ କୁଆଡ଼େ ? ତାଙ୍କ କଥା ସିନା ମରଦ ଯାକ କହୁଥିଲେ, ଏଣିକି ତାହା ବଳେ ଓଲଟିଯିବ ଯେ !

 

ଭିକାରି- ସେ କଥା ନ ହେଉ ବାବା- ତାହାହେଲେ ମାଇପଙ୍କ ସାଥିରେ ଆଜିଯାଏ ଯେଉଁ ସବୁ କଥା ଘର ଭିତରେ ଲୁଚି ରହୁଥିଲା, ଏଣିକି ସେ ସବୁ ଦାଣ୍ଡରେ ହାଟରେ ଡେଙ୍ଗୁରା ଦିଆଯିବ । ମାଇପେ କହିବେ କଥା ! କାଳ କ’ଣ ଓଲଟି ଗଲାଣି ?

 

ପ୍ରଥମ କୋଟୁଆଳ- (ତୀବ୍ର ଦୃଷ୍ଟିରେ ଚାହିଁ) କି’ରେ, ତତେ ପରା ମନା କରିଥିଲି ?

 

ଭିକାରି- କାଲିଠଉଁ ତ ଆଉ ତମ ମନା ନ ମାନିବାକୁ ନ ଥିବ-ଆଜି ଭଲା ତା ଆଗରୁ-

 

ପ୍ରଥମ କୋଟୁଆଳ- ଚୁପ୍ କର । ଚାଲ୍ ସବୁ- ଆମର ଆଉ କାମ ଅଛି ନା-ଉଠ, ଉଠ (ସମସ୍ତେ ଠିଆ ହେଲେ) ।

 

ସୋମନାଥ- (ଅନୁନୟ କରି) ମୋର ଗୁହାରିଟା କେବେ କିଛି ରହଲା ନାହିଁ । ମୋର ଏକୁଟିଆ ଘର, ଜଣେ ବୋଲି ତିର୍ଲା ଲୋକ-

 

ପ୍ରଥମ କୋଟୁଆଳ- (ଦୃଢ଼ଭାବରେ) ସେ କଥା ଆମେ କିଏ ବିଚାର କରିବାକୁ-ବିଚାରପତି ଅଛନ୍ତି ।

 

ଭିକାରି- ବାବା, ମୋର ଘର ନାହିଁ କି ତିର୍ଲା ଲୋକ ନାହିଁ-ସେ କଥା ଭଲା ବିଚାରପତି କିଛି ବୁଝିବେ ?

 

ପ୍ରଥମ କୋଟୁଆଳ- (ଆଖି ତରାଟି) ଫେର୍ ? ବହପ ଦେଖ ! ଯେତେ ଦଣ୍ଡ ଦେଲେ ଏ ଲୋକଙ୍କର ପ୍ରକୃତ ବଳଦିବ ଭଲା !

 

ଧର୍ମ୍ମପାଳ- (ସହଜ ଭାବରେ) ଯେ ଦଣ୍ଡପାଏ, ତାର ଅବା ପ୍ରକୃତି ବଦଳୁଥିବ, କିନ୍ତୁ ଯେ ଦଣ୍ଡଦିଏ, ତା ପ୍ରକୃତି ଜଗତ ଲୋପ ହେଲେ ବି ବଦଳିବ ନାହିଁ ।

 

ପ୍ରଥମ କୋଟୁଆଳ- ହଉ ଚାଲ ସମସ୍ତେ । ଏ ସବୁ କଥାର ଜବାବ ରାଜ ଦରବାରରେ-

 

ଦ୍ୱିତୀୟ କୋଟୁଆଳ- (ପ୍ରଥମକୁ ଚାହିଁ) ସମସ୍ତେ ?

 

ପ୍ରଥମ କୋଟୁଆଳ- (ଦ୍ୱିତୀୟକୁ) କିରେ ତୁ ପୁଣି ଚମକୁଚୁ କାହିଁକି ? ସମସ୍ତେ କିଏ, ମୋଟେ ତ ତିନି ଜଣ-ଖାଲି ଏହି ଟୋକାଟାକୁ ଛାଡ଼ି ।

 

ଦ୍ୱିତୀୟ କୋଟୁଆଳ-ତେବେ ଅନ୍ଧ, ଖଞ୍ଜ, ଭିକାରି, ବିଦେଶୀଙ୍କୁ ଛାଡ଼ିପରା ?

 

ପ୍ରଥମ କୋଟୁଆଳ- ଆରେ ଧେତ୍, ସବୁଦିନେ ତୋର ଏହି ପଛ ବୁଦ୍ଧି । ହୁକୁମ ତ ଅଛି, ଯେ କଥା କହିଲା ତାକୁ ବାନ୍ଧ-ଆଉ ଯେ ଯେତେ ବାନ୍ଧିଲା ତାହାର ବକ୍‌ସିସ୍- ଆଉ ଯଦି ନ ବାନ୍ଧିଲ-? କାମଖଣ୍ଡ ହାତରୁ ଖସିଲା ।

 

ଦ୍ୱିତୀୟ କୋଟୁଆଳ- ତେବେ ତା’ ଭିତରେ ତ ପୁଣି ବିଚାର ଅଛି ?

 

ପ୍ରଥମ କୋଟୁଆଳ- ଆରେ ରଖ୍ ତୋ ବିଚାର । ବିଚାର କରୁଥିଲେ ତ ଆଜି ମନ୍ତ୍ରୀ ହୋଇ ରାଜାଙ୍କ ପାଖରେ ବସିଥାନ୍ତି । କିରେ କଥା ନ କହେ କିଏ ? ଯେ ତ ଆଗରେ ପଡ଼ିଲା ତାକୁ ବାନ୍ଧ- ଆମେ ହଜାର ବିଚାର କଲେ ଭଲ ଆମର କିଛି ଦେବ, ନା ଆଉ କାହାରି କିଛି ହେବ ? (ସମସ୍ତେ କୋଟୁଆଳଙ୍କ ସାଧିରେ ଚାଲିଲେ)

 

ଦ୍ୱିତୀୟ କୋଟୁଆଳ- ଯେତେ ହେଲେ ଠିକ୍ ଭୁଲ୍ ତ ଦୁଇଟା କଥା-

 

ପ୍ରଥମେ କୋଟୁଆଳ- ଦୁଇଟା କଥା ନୁହେଁରେ ବୋକା- ତିନିଟା । ଠିକ୍ ଗୋଟାଏ, ଭୁଲ୍ ଗୋଟାଏ- ଆଉ ଗୋଟାଏ କ’ଣ ଜାଣୁ ? -ପେଟପାଟଣା !

(ଯବନିକା)

***

 

ଦ୍ୱିତୀୟ ଅଙ୍କ

 

ମଗଧର ରାଜକକ୍ଷ-ଭାରତ ସାମ୍ରାଜ୍ୟର ଐଶ୍ୱର୍ଯ୍ୟକେନ୍ଦ୍ର । ଭିତରର ସାଜସଜ୍ଜା ପୁରୁଣା ଧରଣର ହେଲେହେଁ ଆଜିକାଲିର ରୁଚି ଦୃଷ୍ଟିରେ ସେ ସବୁର ନିଷ୍ଠା ଓ ଶୁଚିତା ଅଛି । ଆସନ, ତକିଆ ଓ ଗାଲିଚା ପ୍ରଭୃତି ଭାରତୀୟ କାରିଗରମାନଙ୍କ ଓସ୍ତାଦୀର ନିଦର୍ଶନ । କବାଟ, କାନ୍ଥ ଓ ଝରକାଗୁଡ଼ିକ ଅଜନ୍ତାର ଭାସ୍କର୍ଯ୍ୟ ମନେପକାଇଦିଏ ଏବଂ ବୌଦ୍ଧ ନ ହେଲେହେଁ ଅଶୋକଙ୍କ ରାଜତ୍ୱକାଳରେ ଅଜନ୍ତା ଶିଳ୍ପର ପ୍ରଚଳନ ଥିବାର ପ୍ରମାଣ କରେ । ରାଜୋଚିତ ଆସନରେ ଅଶୋକ ଉପବିଷ୍ଟ । ତାଙ୍କର ତୀକ୍ଷ୍‌ଣ ନାସା ଓ ପ୍ରଶସ୍ତ ଲଲାଟ କେବଳ ନିଜ ସୌଭାଗ୍ୟର ପ୍ରତୀକ ନୁହେଁ, ପୃଥିବୀର ଭାଗ୍ୟଗଠନରେ ମଧ୍ୟ ତାହାର ଉପକରଣ ଅଛି ବୋଲି ସ୍ଫୀତ । ଚିବୁକ ଓ ଅଧର ଦୃଢ଼-ଚକ୍ଷୁ ତୀବ୍ର ଅଥଚ ଅଚଞ୍ଚଳ । ସେଥିରୁ ମନେହୁଏ, କଥା ତାଙ୍କର ବୀଜଗଣିତ ପରି ସଂଯତ ଏବଂ କର୍ମ ଉତ୍ତପ୍ତ ଲୌହ ପରି କଠୋର ।

 

ତାଙ୍କୁ କି କି କର୍ମ କରିବାକୁ ହେବ ଏବଂ କିପରି ଭାଷାରେ କଥା କହିବାକୁ ହେବ, ପୃଥିବୀକୁ ଆସିବା ପୂର୍ବରୁ ଯେପରି ସେ ତାହା ସ୍ଥିର କରି ରଖିଛନ୍ତି । କର୍ମଟା ହିଁ ତାଙ୍କର ସବୁ କ୍ଷେତ୍ରରେ ସୁସ୍ପଷ୍ଟ ଏବଂ ତାହାରି ଭିତରେ ଚିନ୍ତାର ସତ୍ତା ନିଭିଯାଇଅଛି । ସେଥିପାଇଁ ସବୁ କାର୍ଯ୍ୟ ତାଙ୍କର ନାଟକୀୟ ଅଭିନୟ ପରି ହଠାତ୍‌। କାରଣ ସେ ଅଭିନୟ ଉପରେ ବାଧା ଦେବା କୌଣସି ପାର୍ଥିବର ଆୟତ୍ତାଧୀନ ନୁହେଁ । ତାଙ୍କର ସାଧାରଣ ଅବସ୍ଥା ଏପରି ଭୟଙ୍କର ଯେ, ଲୋଭ, ମୋହ ପ୍ରଭୃତି ଦ୍ୱାରା ସେ କ୍ୱଚିତ୍, ଆକ୍ରାନ୍ତ ହେବାର ବାହାରକୁ ଦେଖାଯାଇଥାଏ । ସେଥିପାଇଁ କଥାରେ ସେ ଯେତେବେଳେ ଯୁଦ୍ଧ କର୍ମରେ, ସେତେବେଳେ ନିରାପଦ । ଯେହେତୁ କଥା କହିଲାବେଳେ ସେ କାମ କରନ୍ତି ନାହିଁ । ଯୁଦ୍ଧ ଓ ନରହତ୍ୟାର ଆଦେଶକୁ ଏପରି ସହଜ ଭାଷାରେ ସେ ପ୍ରକାଶ କରନ୍ତି ଯେ କୌଣସି ସୁରସୁନ୍ଦରୀର ସ୍ପର୍ଶ ସେତେବେଳେ ତାଙ୍କୁ ଅଧିକ କୋମଳ କରିପାରେ ନାହିଁ । ଚାଳିଶି ପାର ହେଲେହେଁ ବୟସକୁ ଭ୍ରୂକ୍ଷେପ କରିବାର ଦୀନତା ତାଙ୍କ ମାଂସପେଶୀରେ ନାହିଁ ।

 

ବିଜୟ ଓ ବିଭୂତିର ଲାଳସାରେ ଏବେ ମଧ୍ୟ ତାଙ୍କର ଦୁଇ ଚକ୍ଷୁ କ୍ଷୁଧାର୍ତ୍ତ ଏବଂ ଯଶ ଆଶାରେ ହତ୍ୟା ଓ କ୍ରୂରତାକୁ ଯେପରି ଖେଳନା କରି ସେ ଭାବନ୍ତି, ଦୟା ଓ କୋମଳତାକୁ ମଧ୍ୟ ସେହିପରି ଅସମ୍ଭବ ମନେ କରନ୍ତି ନାହିଁ-ଦୁଇ ବାହୁ ଯେପରି ସମସ୍ତ ସୌରଜଗତକୁ ଆବଦ୍ଧ ରଖିବାକୁ ଚାହେଁ ।

 

ବିଶ୍ୱର ରଙ୍ଗମଞ୍ଚରେ ଯେ କେତୋଟି ଚରିତ୍ର ବାହୁ କିମ୍ବା ମସ୍ତିଷ୍କର ପ୍ରାଧାନ୍ୟ ପ୍ରତିଷ୍ଠାଦ୍ୱାରା ଦୀର୍ଘକାଳ ସ୍ଥାୟୀ ହେବାକୁ ଇଚ୍ଛା କରେ ସେହିମାନଙ୍କ ପରି ଅଶୋକ ମଧ୍ୟ ପୃଥିବୀ ପକ୍ଷରେ ଭୟାବହ ଏବଂ ସେହିମାନଙ୍କ ପରି ଦାରୁଣ ସ୍ୱାର୍ଥପର । ସେ ସ୍ୱାର୍ଥ ଯେପରି ଉତ୍କଟ, ସେହିପରି ବିରାଟ ଶ୍ରାବଣର କଳା ମେଘ ପରି ପ୍ରଳୟାଗ୍ନି ଉଦ୍‌ଗିରଣ କରିପାରେ, ଜଳସେଚନ ଦ୍ୱାରା ଜୀବନର ସୃଷ୍ଟି ମଧ୍ୟ ଆଣିପାରେ-ସବୁ ଅବଶ୍ୟ ନିଜର ଖ୍ୟାତି ଓ କଲ୍ୟାଣ ଉଦ୍ଦେଶ୍ୟରେ ।

 

ଅଶୋକଙ୍କ ନିକଟରେ ପ୍ରାଚୀନ ଛାଞ୍ଚର ଧଳା ଚପକନ୍‌ପିନ୍ଧି ନୈୟାୟିକ ଗଣଭଟ୍ଟ । ଜଗତରେ ଯେଉଁମାନେ ଆଉ କିଛି କାମ କରିବାକୁ ନ ପାଇ ଶେଷରେ କେବଳ ବହି ପଢ଼ନ୍ତି, ସେହିମାନଙ୍କ ପରି ଅକର୍ମା ଚେହେରା ଏବଂ ସେଥିଲାଗି କର୍ମ ଯେଉଁମାନେ କରନ୍ତି ସେମାନଙ୍କ ପ୍ରତି ଅସହିଷ୍ଣୁ । ନୀତି ଅନୀତି, ପାପ ପୁଣ୍ୟ, ସତ୍ୟ ମିଥ୍ୟା ପ୍ରଭୃତିକୁ ଅନ୍ୟମାନେ ଯେପରି ଦେଖିଯାଇଛନ୍ତି, ତାକୁ ନିର୍ବିବାଦରେ ଗ୍ରହଣ କରିବାକୁ ସେ ମାନସିକ ଗୋଲାମୀ ବୋଲି ଭାବନ୍ତି । କାରଣ ସେ ସ୍ଥିର ଜାଣନ୍ତି ଯେ, ଜଗତର ଏହି ବସ୍ତୁଗୁଡ଼ିକୁ ନେଇ ବିବାଦ ଉପସ୍ଥିତ ହେଲେ, କୌଣସି ପକ୍ଷ ତାଙ୍କୁ ବିଚାରାସନରେ ବସିବାକୁ ଡାକିବେ ନାହିଁ । ସେଥିପାଇଁ ନିରାପଦରେ ସେ ପାପକୁ ପୁଣ୍ୟ କହନ୍ତି; ସତ୍ୟକୁ ମିଥ୍ୟା କହନ୍ତି; ସବୁ ପ୍ରାଚୀନ ନୀତିକୁ ଉପହାସ କରନ୍ତି-ଭଗବାନଙ୍କୁ ଦେବତା କହନ୍ତି ନାହିଁ ।

 

ଅଧିକାଂଶ ବହୁପଢ଼ୁଆଙ୍କ ପରି ଦୟା, କ୍ଷମା, ମୈତ୍ରୀ, ମମତା ପ୍ରଭୃତି ବିଷୟରେ ତାଙ୍କୁ ମନୁଷ୍ୟ ଛଡ଼ା ଆଉ ଯାହା କିଛି ବୋଲାଯାଇ ପାରେ କାରଣ ନିଜକୁ ମାନବ ସମାଜର ଉର୍ଦ୍ଧ୍ୱରେ ଦେଖିବାକୁ ଯାଇ ଅନ୍ୟମାନେ ଯାହା ଦେଖନ୍ତି, ସେ ବିଷୟରେ ସେ ଅନ୍ଧ, ଅନ୍ୟମାନେ ଯାହା ଶୁଣନ୍ତି, ସେଥିପ୍ରତି ସେ ବଧିର । ଷଡ଼୍‌ରିପୁକୁ ରିପୁ ନ କହି ସେ ମଣିଷର ନିତାନ୍ତ ଦରକାରୀ ବନ୍ଧୁ ରୂପେ ଭାବନ୍ତି ଏବଂ ଅନ୍ୟ ଏକ ସପ୍ତମ ରିପୁ ତାଙ୍କର ଆବିଷ୍କାର-ଯାହାକୁ ସେ ଏକମାତ୍ର ଶତ୍ରୁ ବୋଲି କହନ୍ତି । ତାହା ହେଉଛି ଲଜ୍ଜା ଅଥବା ସଙ୍କୋଚ । ଲଜ୍ଜା ସଙ୍କୋଚ ତ୍ୟାଗ କଲେ ମାନବଜାତିରୁ ଯେ ବହୁ ଅକଲ୍ୟାଣ ଦୂର ହେବ, ଏହା ତାଙ୍କର ବିଶ୍ୱାସ । ସେଥିପାଇଁ ସେ ଯାହା ଭାବନ୍ତି, ନିର୍ଭୟରେ ତାହା ପ୍ରକାଶ କରନ୍ତି । ଏହାର ଅବଶ୍ୟ ଅନ୍ୟ ଏକ ପ୍ରଧାନ ହେତୁ ଏହି ଯେ, ତାଙ୍କର ସ୍ପଷ୍ଟବାଦିତା ଯୋଗୁଁ ସେ ମଗଧ ସମ୍ରାଟ୍‌ଙ୍କର ପ୍ରିୟ ଏବଂ ମୁଖର ହେଲେହେଁ ହଣା ଖାଇବାର ଭୟ ତାଙ୍କର ନାହିଁ । ଆଉ ମଧ୍ୟ ନିଜକୁ ବେଶି ପରିମାଣରେ ଲୁଚାଇ ରଖିବାହିଁ ସର୍ବଶ୍ରେଷ୍ଠ ଚତୁରତା ବୋଲି ତାଙ୍କର ଧାରଣା । ସେଥିପାଇଁ ସମସ୍ତଙ୍କଠାରୁ ସେ ବେଶି କଥା କହିଥାନ୍ତି ।

 

ଅଶୋକ- ନା, ଆଜି କିଛି ଭଲ ଲାଗୁନାହିଁ । ମୁଣ୍ଡଟା ବଡ଼ ଗରମ ଶହେଟା ଝିଙ୍କାରିଙ୍କର ଯେମିତି ଅବିରତ ଝମ୍‌ଝମ୍‌ଶବ୍ଦ ।

 

ଗଣଭଟ୍ଟ- ତାହାହେଲେ ରାଜବୈଦ୍ୟଙ୍କୁ ଖବର ଦିଏଁ; କିନ୍ତୁ ତାଙ୍କ ମୁଣ୍ଡ ଠିକ୍‌ଅଛି କି ନାହିଁ, ଆଗ ପରୀକ୍ଷାକରିବା ଉଚିତ ।

 

ଅଶୋକ- ନା, ଦରକାର ନାହିଁ । ଏ ରାଜ୍ୟରେ କାହାରି ମୁଣ୍ଡ ଠିକ୍‌ନାହିଁ ।

 

ଗଣଭଟ୍ଟ- ନ ହେଲେ ରାଜମସ୍ତିଷ୍କ ଥଣ୍ଡା ରଖିବା ପାଇଁ ଦୁଇଟା ଗୋଟାଏ ମୁଣ୍ଡ କାଟନ୍ତୁ ।

 

ଅଶୋକ- ପ୍ରଥମେ ଅବଶ୍ୟ ତୁମରି ମୁଣ୍ଡ କାଟିବାର ସୁବିଧା ଥିଲା, କିନ୍ତୁ ସେଥିରେ କିଛି ଫଳ ନାହିଁ । କୁଞ୍ଜରକର୍ଣ୍ଣର ପରାସ୍ତ ଖବର ଶୁଣି ନ ଥିଲେ ଆଜି କେବଳ ତୁମକୁ ନୁହେଁ, ରାଜସଭାର ସମସ୍ତଙ୍କୁ ହୁଏତ ମୁଣ୍ଡ ହରାଇବାକୁ ହୋଇଥାନ୍ତା ।

 

ଗଣଭଟ୍ଟ- (ଉତ୍‌ଫୁଲ୍ଲ ହୋଇ) କୁଞ୍ଜରକର୍ଣ୍ଣ ପରାଜିତ ? ତକ୍ଷଶିଳାରୁ ତେବେ କଣ୍ଟା ଗଲା-

 

ଅଶୋକ- କିନ୍ତୁ କୁନାଳଙ୍କର କିଛି ଖବର ନାହିଁ !

 

ଗଣଭଟ୍ଟ- ରାଜକୁମାର କୁନାଳ ! କୁଞ୍ଜରକର୍ଣ୍ଣକୁ ପରାସ୍ତ କରିବା ଯେ ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା !

 

ଅଶୋକ- ତାଙ୍କ ଉଦ୍ଦେଶ୍ୟ ସଫଳ ହୋଇଚି; ସେ ନିଜେ କିନ୍ତୁ ନିରୁଦ୍ଦେଶ ।

 

ଗଣଭଟ୍ଟ- (ସନ୍ଦିଗ୍‌ଧ ହୋଇ) କୁନାଳ କଣ ସିଂହାସନ ବିରୁଦ୍ଧରେ ବିଦ୍ରୋହ କରିବେ ? ନା, କଦାପି ନୁହେଁ ।

 

ଅଶୋକ- ବିଦ୍ରୋହ ! କୁନାଳ ବିଦ୍ରୋହ କରିବ ତାହାର ପିତା ବିରୁଦ୍ଧରେ ! ତାହାର ଶିକ୍ଷାଗୁରୁ ହୋଇ ତୁମର ମଧ୍ୟ ଏପରି ଅସମ୍ଭବ ଆଶଙ୍କା ?

 

ଗଣଭଟ୍ଟ- ଅସମ୍ଭବ ନୁହେଁ ମହାରାଜ ! ସୁସୀମ ତ ଭାଇ ବିରୁଦ୍ଧରେ ବିଦ୍ରୋହ କରିଥିଲେ ?

 

ଅଶୋକ- ସେଥିପାଇଁ ସୁସୀମ ତ ଭାଇ ବିରୁଦ୍ଧରେ ବିଦ୍ରୋହ କରିଥିଲେ ?

 

ଅଶୋକ- ସେଥିପାଇଁ ସୁସୀମ ଉଚିତ ଶିକ୍ଷା ପାଇଛନ୍ତି । ଭାଇ ହେଉ, ପୁଅ ହେଉ, ରାଜସିଂହାସନ ବିରୁଦ୍ଧରେ ସେ ବିଦ୍ରୋହୀ ହେଲା, ତାହାର ଚୈତନ୍ୟ ଉଦୟ କରିଦେବା ରାଜାର କର୍ତ୍ତବ୍ୟ ।

 

ଗଣଭଟ୍ଟ- ଅବଶ୍ୟ ସୁସୀମଙ୍କର ଚୈତନ୍ୟ ଉଦୟ ହେବା ପୂର୍ବରୁ ଲୋପ ହୋଇଗଲା । କିନ୍ତୁ ରାଜପରିବାରର ଆଉମାନେ ତ ସେ ଘଟନାରୁ ଶିଖିବା ଉଚିତ ।

 

ଦ୍ୱାରପାଳ- (ପ୍ରବେଶ ଓ ଜାନୁପାତ କରି) ମନ୍ତ୍ରୀ ରାଧାଗୁପ୍ତ ଶ୍ରୀଛାମୁକୁ ଆସିବାକୁ ଚାହାନ୍ତି ।

 

ଅଶୋକ- ଆସିବାକୁ କହ । (ଦ୍ୱାରୀ ଚାଲିଯିବା ସଙ୍ଗେ ସଙ୍ଗେ ମନ୍ତ୍ରୀ ରାଧାଗୁପ୍ତ ପହଞ୍ଚିଲେ ଏବଂ ମୁଣ୍ଡ ନୁଆଇଁ ଅଭିବାଦନ କଲେ ପରକ୍ଷଣରେ ଗଣଭଟ୍ଟଙ୍କୁ ଚାହିଁ ଭ୍ରୂକୁଞ୍ଚନ କଲେ । ବୟସରେ ସେ ଅଶୋକଙ୍କଠାରୁ ପ୍ରାୟ ପାଞ୍ଚ ବର୍ଷ ବଡ଼ ଏବଂ ଗଣଭଟ୍ଟଙ୍କର ସମବୟସ୍କ । ଚାଳିଶ ପରେ ପାଞ୍ଚ ବର୍ଷ ପ୍ରଭେଦ, ତିନି ମାଇଲ ପରେ ଦୁଇଟା ସମାନ୍ତରାଳ ରେଲଲାଇନ୍‌ଦେଖାଯିବା ପରି ଏକାସାଙ୍ଗରେ ମିଶିଯାଏ । ସୁତରାଂ ତିନି ଜଣଙ୍କର ବୟସ ପ୍ରାୟ ସମାନ ହେଲେହେଁ ସାମ୍ରାଜ୍ୟବାଦୀ ଅଶୋକଙ୍କ ନିକଟ ଅନ୍ୟ ଦୁଇଜଣ ଅବନତ ଓ ପ୍ରିୟ । ସେଥିପାଇଁ ଉଭୟେ ସମ୍ରାଟ୍‌ଙ୍କର ନିକଟତର ହେବାକୁ ପ୍ରତିଯୋଗୀ ଏବଂ ଜଣେ ଅନ୍ୟକୁ ସେହିପାରେ ନାହିଁ । ଆଉ ଏକ କାରଣ, ଦୁଇଜଣଙ୍କ କ୍ଷମତା ଦୁଇଟା ବିପରୀତ ଦିଗରେ । ରାଧାଗୁପ୍ତ କର୍ମୀ, ସୁତରାଂ ତାଙ୍କ କାର୍ଯ୍ୟକ୍ଷେତ୍ରରେ ସେ ଯାହା ପାଇଛନ୍ତି ସେଥିପାଇଁ ଗବତ; ଗଣଭଟ୍ଟ ଚିନ୍ତା ଓ କୃଷ୍ଟି ଦିଗରେ ଯାହା ପାଇଛନ୍ତି ତାହା ଯୋଗରେ କର୍ମକୁ ଉପହାସ କରନ୍ତି । ଅନ୍ୟ କଥାରେ ଜଣକର ଯାହା ନାହିଁ, ଆଉ କାହାରିଠାରେ ତାହା ଦେଖିବାକୁ ସେ କଟୁ ବୋଧକରେ ନିଜର ଅଭାବ ଉପରେହିଁ ସେମାନଙ୍କର ଆଖି ଲାଖିଅଛି ।)

 

ଅଶୋକ- ରାଧାଗୁପ୍ତ ! କୁନାଳଙ୍କର ଆଉ କିଛି ଖବର ମିଳିଛି ?

 

ରାଧାଗୁପ୍ତ- ରାଜକୁମାର ବୌଦ୍ଧଧର୍ମରେ ଦୀକ୍ଷିତ ହୋଇ ତକ୍ଷଶିଳା ତ୍ୟାଗ କରିଛନ୍ତି, ଏହି ପର୍ଯ୍ୟନ୍ତ ।

 

ଅଶୋକ- ବୌଦ୍ଧଧର୍ମ !

 

ରାଧାଗୁପ୍ତ- ହଁ ମହାରାଜ ! ହଠାତ୍‌ତାଙ୍କର ଏପରି ମତି ପରିବର୍ତ୍ତନ ହେବାର କାରଣ ଜଣାପଡ଼ୁ ନାହିଁ ।

 

ଅଶୋକ- କୁନାଳକୁ ମୁଁ ମୂର୍ଖ ପରି ଭଲ ପାଏଁ । କିନ୍ତୁ ଦେଖୁଛି, ତାହାର ଉପଯୁକ୍ତ ଅନୁସନ୍ଧାନ ହୋଇନାହିଁ ।

 

ରାଧାଗୁପ୍ତ- (ଗଣଭଟ୍ଟଙ୍କ ପ୍ରତି ବିଦ୍ରୂପ ଦୃଷ୍ଟି ପକାଇ ବିନୀତ ଭାବରେ) ରାଜକୁମାର କାହାରିକୁ କିଛି ଖବର ନ ଦେଇ ଅନ୍ତର୍ଦ୍ଧାନ ହୋଇଛନ୍ତି । କେବଳ ରାଜଜେମା ସଙ୍ଘମିତ୍ତାଙ୍କୁ ଖଣ୍ଡିଏ କଣ ପତ୍ର ଲେଖି ଯାଇଛନ୍ତି ।

 

ଅଶୋକ- (ବିସ୍ମୟ ଓ ବିରକ୍ତିରେ) କାହିଁ ? ସଙ୍ଘମିତ୍ତାଠାରୁ ଏ ଖବର ତ ପାଇଲି ନାହିଁ ।

 

ରାଧାଗୁପ୍ତ- ରାଜଜେମା ଅଳ୍ପ ସମୟ ପୂର୍ବେ ପତ୍ର ପାଇଛନ୍ତି । ବର୍ତ୍ତମାନ ଆସି ଛାମୁରେ ଜଣାଇବେ ।

 

ଅଶୋକ- କିନ୍ତୁ କୁନାଳ ଯେ ପତ୍ର ଲେଖିଯାଇଛନ୍ତି, ତାହା ଆମର ଅନୁସନ୍ଧାନର ଫଳ କି-?

 

(ଉଦ୍‌ବିଗ୍ନ ହୋଇ ଉଠି ଧୀରେ ଧୀରେ ବୁଲିବାକୁ ଲାଗିଲେ । ଗଣଭଟ୍ଟ ଓ ରାଧାଗୁପ୍ତ ମଧ୍ୟ ତାଙ୍କ ପଛେ ପଛେ ଚାଲିଲେ)

 

ରାଧାଗୁପ୍ତ- (ନିଜର ଅପାରଗତା ଅପ୍ରମାଣ କରିବା ପାଇଁ) ମହାରାଜ ! କୁମାରଙ୍କର ଅନ୍ତର୍ଦ୍ଧାନବାର୍ତ୍ତା ରାଜ୍ୟମୟ ଘୋଷଣା କରାଯାଇଛି । ପ୍ରବଳ ଅନୁସନ୍ଧାନ ପାଇଁ ଆମର ଗୁପ୍ତଚର ବିଭାଗକୁ ହୁକୁମ ହୋଇଅଛି । ଚେର, ଚୋଳ, ପାଣ୍ଡ୍ୟ ଓ କଳିଙ୍ଗ ପ୍ରଭୃତି ଜାଗାମାନଙ୍କୁ ଦୂତ ପଠାଯାଇଛି ।

 

ଅଶୋକ- ଦୂତ ପଠାଯାଇଛି ! ଖାଲି ଦୂତ ପଠାଇ ଭାରତ ସାମ୍ରାଜ୍ୟ ଉଦ୍ଧାର ହେବ !

 

ରାଧାଗୁପ୍ତ- ରାଜକର୍ମଚାରୀମାନେ ସାମ୍ରାଜ୍ୟର କଲ୍ୟାଣ ପାଇଁ ଜୀବନ ପର୍ଯ୍ୟନ୍ତ ଦେବାକୁ ତିଆର ।

 

ଗଣଭଟ୍ଟ- ମୋହର କିନ୍ତୁ ମନେହୁଏ, ରାଜକର୍ମଚାରୀମାନଙ୍କ ଜୀବନ ବଡ଼ । ଭାରତକୁ ଯେତେ ଅଧିଶ୍ୱର ଆସନ୍ତୁ, ସମାନ ଭାବରେ ସମସ୍ତଙ୍କ ସେବା କରିବାକୁ ତାଙ୍କର ଆପତ୍ତି ନାହିଁ । ଇନ୍ଦ୍ରଙ୍କ ଅପେକ୍ଷା ଶଚୀଙ୍କ ଆସନ ପରି ଭାରତ ସମ୍ରାଟ୍‌ଙ୍କ ଅପେକ୍ଷା ସେମାନଙ୍କ ଆସନ ଆହୁରି ଦୃଢ଼ ।

 

ରାଧାଗୁପ୍ତ- (ତୀବ୍ରଭାବରେ) ଗଣଭଟ୍ଟ ! ସାମ୍ରାଜ୍ୟର ହିତ ପାଇଁ ସେମାନେ ଆପଣାର ସର୍ବସ୍ୱ ବିକି ଦେଇଛନ୍ତି ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ।

 

ଗଣଭଟ୍ଟ- (ଧୀରେ ସ୍ୱରରେ) ରାଧାଗୁପ୍ତ, ଏଥିରେ କିନ୍ତୁ ଦୁଇଟି ବିଷୟରେ ସଂଶୟ ରହିଲା ପ୍ରଥମ କଥା କାହାର ହିତ ପାଇଁ ସେମାନେ ସର୍ବସ୍ୱ ବିକିଛନ୍ତି । ଆଉ ଦ୍ୱିତୀୟରେ ତାଙ୍କର ପାଦଠାରୁ ଗଳା ପର୍ଯ୍ୟନ୍ତ ଥାଇପାରେ; କିନ୍ତୁ ବାକି ଅଂଶଟା ଅଛି ତ ?

 

ରାଧାଗୁପ୍ତ- (ଉତ୍ତେଜିତ ହୋଇ) ରାଜକର୍ମଚାରୀମାନଙ୍କ ନିନ୍ଦା, ରାଜାଙ୍କ ନିନ୍ଦା ଏବଂ ସମ୍ରାଟ୍‌ଙ୍କ ନିନ୍ଦା ସମସ୍ତ ସାମ୍ରାଜ୍ୟର ନିନ୍ଦା, ଏ କଥା ଜାଣକି ଗଣଭଟ୍ଟ ?

 

ଗଣଭଟ୍ଟ- ଅର୍ଥାତ୍‌ସେ ନିନ୍ଦାର କୌଣସି ମୂଲ୍ୟ ନାହିଁ । କାରଣ ସାମ୍ରାଜ୍ୟର କେହି ପ୍ରଜା ଯଦି ରାଜକର୍ମଚାରୀଙ୍କର ନିନ୍ଦା କରେ ତେବେ ତାହା ବୁଲି ବୁଲି ଆସି ଶେଷରେ ତାହାର ନିଜ ନିନ୍ଦା ହେବ ଏବଂ ଫଳତଃ ନିଜକୁ ନିନ୍ଦା କଲେ ମଧ୍ୟ ଶେଷରେ ଯାଇ କର୍ମଚାରୀଙ୍କ ଉପରେ ପଡ଼ିବ !

 

ଅଶୋକ- (ସେମାନଙ୍କ କଥାକୁ ଭ୍ରୂକ୍ଷେପ ନ କରି) ମଗଧ ପ୍ରଜାମାନଙ୍କ ଭିତରେ ରାଜାଙ୍କର ନିନ୍ଦା କିପରି ମନ୍ତ୍ରୀ ?

 

ରାଧାଗୁପ୍ତ- (ଗଣଭଟ୍ଟଙ୍କ କଥା ପ୍ରତି ଅଶୋକଙ୍କର ଅମନୋଯୋଗ ଦେଖି ଉତ୍ସାହରେ ସେଥିପାଇଁ ସମସ୍ତ ସାମ୍ରାଜ୍ୟରେ ଆଇନର ଜାଲ ଛନ୍ଦାଯାଇଅଛି । ଯେ କେହି ତାହା ଭିତରକୁ ଆସୁ, ନିଜର ବିନା ଚେଷ୍ଟାରେ ରାଜକଚେରିରେ ହାଜର ହେବ ।

 

ଗଣଭଟ୍ଟ- (ନିଜର ଉପସ୍ଥିତ ଜଣାଇବା ପାଇଁ) ଆଉ ସେ ଜାଲ ଯେମିତି ମଣିଷର ଯିବା ବାଟରେ ପଡ଼େ, ନହେଲେ ଜଣେ ସୁଦ୍ଧା ଧରାପଡ଼ିବ ନାହିଁ ।

 

ରାଧାଗୁପ୍ତ- ସେଥିପାଇଁ ତୁମେ ନିଶ୍ଚିନ୍ତ ରହିପାର ଗଣଭଟ୍ଟ ! କାରଣ ତୁମର ଯିବା ବାଟ ନିରାପଦ ।

 

ଅଶୋକ- (ପୂର୍ବ ପରି ରାଧାଗୁପ୍ତଙ୍କୁ ଚାହିଁ) ରାଜଦ୍ରୋହୀମାନଙ୍କର ଦଣ୍ଡ ?

 

ରାଧାଗୁପ୍ତ- ଜିହ୍ୱାଚ୍ଛେଦ-ଯେଉଁ ଜିହ୍ୱା ରାଜନିନ୍ଦା ଉଚ୍ଚାରଣ କରିବ, ଚିରଦିନ ତାକୁ ମୂକ ହେବାକୁ ପଡ଼ିବ ।

 

ଗଣଭଟ୍ଟ- ବାଃ, ବିଚିତ୍ର ଉଦ୍ଭାବନ ! ଏଥିରେ ବିବେକ ଯେମିତି ଅଛି, କବିତ୍ୱ ମଧ୍ୟ ସେହିପରି !

 

ଅଶୋକ- ରାଧାଗୁପ୍ତ ! ସେ ଆଦେଶ ବର୍ତ୍ତମାନ ରଦ୍‌କରିବାକୁ ହେବ ।

 

ରାଧାଗୁପ୍ତ- (ନିଜର ପରାଜୟରେ ବ୍ୟଥିତ ହୋଇ) କିନ୍ତୁ ରାଜଦ୍ରୋହୀର ତ ଦଣ୍ଡ ଆବଶ୍ୟକ ।

 

ଅଶୋକ- (ଦୃଢ଼ ସ୍ୱରରେ) ଶିରଚ୍ଛେଦ । ରାଜ୍ୟଯାକ ପ୍ରଚାର କର, ଯାହା ମୁହଁରୁ ରାଜା କିମ୍ବା ରାଜ୍ୟ ଶାସନର ନିନ୍ଦା ଶୁଣାଯାଏ, ତାହାର ମୁଣ୍ଡକାଟ ହେବ ଏବଂ ଭାରତ-ସମ୍ରାଟ୍‌ଦେଶଗୋଟାକୁ ମୁଣ୍ଡହୀନ କରିଦେବା ପାଇଁ କୁଣ୍ଠିତ ହେବେ ନାହିଁ ।

 

ଗଣଭଟ୍ଟ- (ରାଧାଗୁପ୍ତଙ୍କୁ କୌତୁକ ଦୃଷ୍ଟିରେ ଚାହିଁ) ତା’ହେଲେ କେବଳ ବାକି ରହିଯିବ ରାଜକର୍ମଚାରୀଙ୍କ ମୁଣ୍ଡଗୁଡ଼ିକ, ଯହିଁରେ ତାଙ୍କର ଆବଶ୍ୟକ ଅତି ଅଳ୍ପ । ସେଥିପାଇଁ ପ୍ରଥମେ ଅନ୍ତତଃ ସେହିମାନଙ୍କ ମୁଣ୍ଡରେ ଖଡ଼୍‌ଗର ଧାର ପରୀକ୍ଷା କଲେ ଭଲ ହୁଅନ୍ତା । ଆଉ ସେଥିରେ ଆମ ସାମ୍ରାଜ୍ୟର ମଧ୍ୟ କିଛି କ୍ଷତି ନାହିଁ । କାରଣ ସେମାନେ ଯେଉଁ କାମ କରନ୍ତି, ବିନା ମୁଣ୍ଡରେ ମଧ୍ୟ ତାହା କରାଯାଇପାରେ, କେବଳ ଦୁଇଟି ଗୋଡ଼ ଓ ଦୁଇଟି ହାତ ଥିଲେହେଁ ଚଳିଲା ।

 

ରାଧାଗୁପ୍ତ- (ବିଦ୍ରୂପ କରି) ଆଉ ତୁମର ଖାଲି ମୁଣ୍ଡଟି ଦରକାର; ସୁତରାଂ ବାକି ଅଂଶଟିରେ ଖଡ଼୍‌ଗର ଧାର ପରୀକ୍ଷା କଲେ କ୍ଷତି ନାହିଁ । (ଅଶୋକଙ୍କ ପ୍ରତି) ମହାରାଜ ! ଯେଉଁମାନେ ଆଜି ପର୍ଯ୍ୟନ୍ତ ରାଜଦ୍ରୋହ ପାଇଁ ଧରାଯାଇଛନ୍ତି, ସେମାନଙ୍କୁ ଅବଶ୍ୟ ଆଗରୁ ଯେପରି ଆଦେଶ ଅଛି ସେହିପରି ଦଣ୍ଡିତ ହେବାକୁ ପଡ଼ିବ ।

 

ଅଶୋକ- ସେମାନଙ୍କର ସଂଖ୍ୟା ? (ଧୀରେ ଆସି ଆସନରେ ବସିଲେ ଏବଂ ଅନ୍ୟ ଦୁହେଁ ମଧ୍ୟ ନିଜ ନିଜର ଆସନ ନେଲେ ।)

 

ରାଧାଗୁପ୍ତ- ତିନି ହଜାର ସାତଶ ତେପନ ।

 

ଅଶୋକ- ଏତେ ବେଶି ?

 

ଗଣଭଟ୍ଟ- ସମସ୍ତେ ମନୁଷ୍ୟ ତ ?

 

ଅଶୋକ- ଗଣଭଟ୍ଟ ! ତୁମର ପରିହାସ ମଧ୍ୟ ଉପଦ୍ରବ ହୋଇ ଉଠିଚି ।

 

ରାଧାଗୁପ୍ତ- (ଅବିଚଳିତ ଭାବରେ) ଅବଶ୍ୟ ଆମର ତଳୁ କର୍ମଚାରୀ କୋଟୁଆଳମାନେ ଅତି ବେଶୀ ତତ୍ପରତା ଦେଖାଇବାକୁ ଯାଇ କେତେଟା ପକ୍ଷୀଙ୍କୁ ମଧ୍ୟ ପରି ଆଣିଥିଲେ । (ବିଜୟ ଉଲ୍ଲାସରେ ଗଣଭଟ୍ଟଙ୍କର ମୃଦୁହାସ୍ୟ)

 

ଅଶୋକ- (ନିସ୍ୱ ସ୍ୱରରେ ପକ୍ଷୀ) !

 

ରାଧାଗୁପ୍ତ-କେହି କେହି ମଗଧବାସୀ ଶୁଆ ସାରିଙ୍କୁ ରାଜଦ୍ରୋହ କଥା ଶିଖାଇଛନ୍ତି । ଉଭୟ ଗୁରୁ ଓ ଶିଷ୍ୟଙ୍କୁ ଆମର କୋଟୁଆଳମାନେ ଧରି ଆଣନ୍ତି, ପ୍ରମାଣ ଦେଖାଇବା ଉଦ୍ଦେଶ୍ୟରେ । ପକ୍ଷୀଗୁଡ଼ାଙ୍କୁ ଅବଶ୍ୟ ଛାଡ଼ିଦିଆଯାଏ ।

 

ଗଣଭଟ୍ଟ- କିନ୍ତୁ ସେମାନେ ମନୁଷ୍ୟ ଅପେକ୍ଷା ବେଶି ଭୟଙ୍କର ଆକାଶରେ ମଧ୍ୟ ରାଜଦ୍ରୋହ ପ୍ରଚାର କରିବେ ।

 

ଅଶୋକ- ପ୍ରମାଣ ଦେବାପାଇଁ ପକ୍ଷୀଗୁଡ଼ାଙ୍କୁ ମଧ୍ୟ ବନ୍ଦ କରିବା ଦରକାର ।

 

ରାଧାଗୁପ୍ତ- ତଳ ଦରର କର୍ମଚାରୀଙ୍କର ଯେମିତି ବୁଦ୍ଧି ଆଜି ଦୁଇଜଣ କୋଟୁଆଳ କଳିଙ୍ଗର ରାଜଦୂତଙ୍କୁ ମଧ୍ୟ ବନ୍ଦୀ କରି ଆଣିଛନ୍ତି ।

 

ଗଣଭଟ୍ଟ- କଳିଙ୍ଗର ରାଜଦୂତ ! ହଠାତ୍‌ କଣ ମନେକରି

 

ରାଧାଗୁପ୍ତ- (ବିଦ୍ରୂପର ହାସ୍ୟ ହସି) ମାନନୀୟ ଅଭ୍ୟାଗତଙ୍କୁ ତାହା ପଚାରିବା ଭଦ୍ରତାର ବହିର୍ଭୂତ ।

 

ଗଣଭଟ୍ଟ- (ସେହି ହାସ୍ୟ ଫେରାଇ ଦେଇ) ସତେ ? ମୋହର ତେବେ ଭୁଲ୍‌ହୋଇଛି-ତୁମମାନଙ୍କ ଭିତରେ ତା’ହେଲେ ଭଦ୍ରଲୋକ ବି ଅଛନ୍ତି !

 

ଅଶୋକ- କଳିଙ୍ଗ ରାଜଦୂତଙ୍କୁ ବନ୍ଦୀ କରିବା ଅତି ଅନ୍ୟାୟ ହୋଇଛି, ରାଧାଗୁପ୍ତ !

 

ରାଧାଗୁପ୍ତ- (ନିଜ ଉପରୁ ଦାୟିତ୍ୱ ଖସାଇବା ପାଇଁ) ସେଥିପାଇଁ ସେହି ମୂର୍ଖ କୋଟୁଆଳ ଦୁଇଜଣ ଦାୟୀ । ବନ୍ଦୀ କରି ଆଣିଲେ ମଧ୍ୟ ଦୁହିଁଙ୍କ ଭିତରୁ କେହି ଜଣେ ଠିକ୍‌କଥା କହୁନାହିଁ । ସଙ୍ଗେ ସଙ୍ଗେ ସେ ଦୁଇଟାଙ୍କୁ କାମରୁ ବାହାର କରି ଦିଆଯାଇଛି ।

 

ଅଶୋକ- ଉତ୍ତମ । ସେମାନଙ୍କ ଜାଗାରେ ଆଉ ଦୁଇ ଜଣ ନିଯୁକ୍ତ କର ।

 

ଗଣଭଟ୍ଟ- ରାଧାଗୁପ୍ତ ! ଦୁଇଜଣଙ୍କୁ ବାହାର କରି ଦେଇ ସେଥିଭିତରୁ ଜଣେ କାହାକୁ ଆଜି ମନ୍ତ୍ରୀ କରିଦିଅ; କାଲିଠାରୁ ଦେଖିବ, ସେ ଯାହା କହିବ ସବୁ ଠିକ୍‌-ଆଉ ତୁମେ ଯଦି ଦୟା କରି ତାହାରି ସ୍ଥାନ ଯାଇ ପୂରଣ କର, କାଲିଠାରୁ ଯାହା କହିବ, ସବୁ ଭୁଲ୍‌ ।

 

ଦ୍ୱାରପାଳ- (ପ୍ରବେଶ କରି ଜାନୁପାତପୂର୍ବକ) ଦେବୀ ସଂଘମିତ୍ତ୍ରା ଶ୍ରୀଛାମୁକୁ ଆସିବାକୁ ଚାହାଁନ୍ତି ।

 

ଅଶୋକ- ଆସିବାକୁ କହ (ଦ୍ୱାରୀର ପ୍ରସ୍ଥାନ)

 

ରାଧାଗୁପ୍ତ- (ଆସନ ଛାଡ଼ି ବ୍ୟଗ୍ରଭାବରେ) ମୁଁ ମଧ୍ୟ ଉଠେଁ, କଳିଙ୍ଗ ରାଜଦୂତଙ୍କର ଅଭ୍ୟର୍ଥନା ଦେଖି ତାଙ୍କୁ ଘେନିଆସେଁ ।

 

ଗଣଭଟ୍ଟ- ଅଃ, ବସନା-ଯେତେ ରାଧାଗୁପ୍ତ ଚେଷ୍ଟା କଲା ଭଲା ଏ ପୃଥିବୀ ତାହାର କକ୍ଷରୁ ତିଳେ ହେଲେ ଘୁଞ୍ଚିବ ?

 

ରାଧାଗୁପ୍ତ- (ବିରକ୍ତ ସ୍ୱରରେ) ଗଣଭଟ୍ଟ ! ଖୁସିଗପ କରିବାର ଭାଗ୍ୟ ଅଳ୍ପ ଲୋକଙ୍କର ଅଛି ।

 

ଗଣଭଟ୍ଟ- (ମୃଦୁ ହସି) ଆଉ ସେହି ଅଳ୍ପ ଲୋକଙ୍କ ପାଇଁ ତୁମେ ବହୁଲୋକ ଦିନରାତି ଖଟି ଶାନ୍ତି ପାଅ ନାହିଁ ।

 

ରାଧାଗୁପ୍ତ- ହୋଇପାରେ, ସେଥିପାଇଁ ସେମାନେ ଆମ ପାଖରେ ଋଣୀ ! (ଦ୍ୱାରଦେଶକୁ ଚାହିଁ) ଏହି ତ ରାଜଜେମା !

(ପ୍ରସ୍ଥାନ)

 

[ସଂଘମିତ୍ତ୍ରାଙ୍କର ପ୍ରବେଶ । ତୀକ୍ଷ୍‌ଣନାସା ଓ ଆୟତଚକ୍ଷୁରେ ଆର୍ଯ୍ୟ ଲଳନାରେ ଦୀପ୍ତିମୟ ସୁଷମା । ବୟସ ୧୮, ଯୌବନରେ ପ୍ରଥମ ପାହାଚରେ ପାଦ ରଖିଛନ୍ତି । ସାଧାରଣ ରାଜକୁମାରୀମାନଙ୍କ ପରି ଦେହରେ ଆଭରଣରେ ଆଡ଼ମ୍ବର ନାହିଁ । ସେଥିରେ ତାଙ୍କର ବେଶବିନ୍ୟାସରେ ଅବହେଳା ବୋଲି କୁହାଯାଇ ନ ପାରେ । ନିଜର ରୂପ ଓ ବୟସ ପ୍ରତି ସେ ସମ୍ପୂର୍ଣ୍ଣ ସଚେତନ ଥିବାହିଁ ଏହାର କାରଣ-ସାଧାରଣ ବେଶଭୂଷା ଘେନି ରୂପ ଓ ରୁଚିର ଅସାଧାରଣତ୍ୱ ଦେଖାଇବାହିଁ ତାଙ୍କର ଉଦ୍ଦେଶ୍ୟ । ସୁତରାଂ ନାରୀ-ପ୍ରକୃତିରୁ ସେ ବଞ୍ଚିତା ନୁହନ୍ତି; କିନ୍ତୁ ତାଙ୍କୁ ଅତି-ନାରୀ କହିଲେ ଭୁଲ ହେବ । ସେ ଘୋଡ଼ା ଉପରେ ବସି ସୈନ୍ୟଚାଳନା କରନ୍ତି, ସନ୍ତରଣ କରି ନଦୀ ପାରହୁଅନ୍ତି, ଧନୁହାତରେ ରଣଭୂଇଁରେ ପୁରୁଷ ଉପରେ ଶର ମାରନ୍ତି; ଅଥଚ ନିଜର ରୂପ ଓ ବୟସ ସଙ୍ଗେ ତାଙ୍କର ପରିଚୟ ଏପରି ଘନିଷ୍ଠ ଯେ, ଶତ୍ରୁ ପକ୍ଷର କୌଣସି ମନୋମତ ଯୋଦ୍ଧା ଦେଖିବାକୁ ପାଇଲେ ତାଙ୍କ ସହିତ ରଣ ବଦଳରେ ପ୍ରଣୟରେ ମଧ୍ୟ ଆବଦ୍ଧ ହୋଇ ପାରନ୍ତି ।

 

ପିତା ଏବଂ ଗୁରୁ ଗଣଭଟ୍ଟଙ୍କୁ ଅଭିବାଦନ କରି ସଂଘମିତ୍ତ୍ରା, ଅଶୋକଙ୍କ ନିକଟରେ ବସିଲେ ।

 

ସଂଘମିତ୍ତ୍ରା- (ବୟସୋଚିତ ଚାଞ୍ଚଲ୍ୟରେ) ମହାରାଜ ! ଚଣ୍ଡଗିରି ମତେ ଅପମାନ କରିଚି-

 

ଗଣଭଟ୍ଟ- ସାମାନ୍ୟ ଘାତକ ଚଣ୍ଡଗିରି !

 

ସଂଘମିତ୍ତ୍ରା- ଚଣ୍ଡଗିରି ମୋର ଫୁଲବଗିଚାଟି ପୋଡ଼ି ପାଉଁଶ କରି ଦେଇଚି ।

 

ଅଶୋକ- ସେଥିପାଇଁ ତାର ବିଚାର କରାଯିବ ।

 

ସଂଘମିତ୍ତ୍ରା- (ଅଶୋକଙ୍କର ଗାମ୍ଭୀର୍ଯ୍ୟ ଭାଙ୍ଗିବା ପାଇଁ) ମୋହର ସଖୀ ନୀହାରିକା ବାଧା ଦେବାରୁ ତାଙ୍କ କଥା ନ ମାନି କହିଲା, ମହାରାଜାଙ୍କର ହୁକୁମ । ଆଉ କେତେ ଅପମାନ କରି ମଧ୍ୟ କହିଲା ।

 

ଗଣଭଟ୍ଟ- (ବିସ୍ମିତ ହୋଇ) ମହାରାଜ କଣ ଆଦେଶ କରିଥିଲେ ଜେମାଙ୍କର ଫୁଲବଗିଚା ପୋଡ଼ିବାପାଇଁ ?

 

ସଂଘମିତ୍ତ୍ରା- ଯେଉଁ ଅଭାଗିନୀ ଝିଅଗୁଡ଼ିକ ବଗିଚାର ଅଶୋକ ଗଛରୁ ଡାଳପତ୍ର ଭାଙ୍ଗିଥିଲେ, ସେହିମାନଙ୍କୁ ପୋଡ଼ିବାପାଇଁ ରାଜାଙ୍କର ଆଦେଶ ଥିଲା । ଚଣ୍ଡଗିରି ସେମାନଙ୍କୁ ଆଣି ମୋହରି ବଗିଚାରେ ପୋଡ଼ିଚି, ଆଉ ସେଥିରେ ମୋର ଫୁଲଗଛଗୁଡ଼ିକ ସମୂଳେ ନଷ୍ଟ ହେଇଚି ।

 

ଗଣଭଟ୍ଟ- ସଂଘମିତ୍ତ୍ରାକୁ ରହସ୍ୟପୂର୍ଣ୍ଣ ଦୃଷ୍ଟିରେ ଚାହିଁ ଚଣ୍ଡଗିରିର ଅପରାଧ ଗୁରୁତର ତାକୁ ହୁକୁମ ଥିଲା, ରମଣୀମାନଙ୍କ ଜୀବନ ନଷ୍ଟ କରିବାକୁ, ଜେମାଙ୍କର ଫୁଲବଗିଚା ନୁହେଁ ।

 

ଅଶୋକ- (ସାନ୍ତ୍ୱନା ଦେବା ଛଳରେ) ଜେମାଙ୍କ ପାଇଁ ନୂଆ ବଗିଚା ଗଢ଼ାଯିବ ।

 

ଗଣଭଟ୍ଟ- (କୌତୁକ କରି) ଯଥାର୍ଥ କଥା ଆଉ ଗୋଟିଏ ବଗିଚା ସହଜରେ ତିଆରି ହୋଇପାରେ; କିନ୍ତୁ ଯେଉଁମାନଙ୍କୁ ଥରେ ଦଗ୍‌ଧ କରାଯାଇଚି, ସେମାନଙ୍କୁ ତ ଆଉ ଥରେ କରାଯାଇ ପାରିବ ନାହିଁ ! ସୁତରାଂ ସେମାନଙ୍କ ପ୍ରତି ଜେମାଙ୍କର ଏପରି ନିଷ୍ଠୂର ହେବା ଠିକ୍‌ନୁହେଁ ।

 

ସଂଘମିତ୍ତ୍ରା- (ଉତ୍ତ୍ୟକ୍ତ ହୋଇ) ଆପଣ ଏ ସବୁ କଣ କହୁଚନ୍ତି ଗୁରୁଦେବ ! ମୋହରି ବଗିଚାରେହିଁ ସେମାନଙ୍କୁ ପୋଡ଼ାଯିବ !

 

ଗଣଭଟ୍ଟ- ସେଥିପାଇଁ ସେମାନେ ଅବଶ୍ୟ ଜେମାଙ୍କର କ୍ଷମାର ପାତ୍ର । କିନ୍ତୁ ଚଣ୍ଡଗିରି.....

 

ଅଶୋକ- ଚଣ୍ଡଗିରିକୁ ଆଦେଶ ଥିଲା ଏ କାମଟା ଗୋପନରେ କରିବାପାଇଁ ।

 

ସଂଘମିତ୍ତ୍ରା- (ଅଭିମାନର ସ୍ୱରରେ) ଗୋପନରେ !

 

ଅଶୋକ- ହଁ, ଯେଉଁ ନାରୀ ଖେଳରେ ମତ୍ତ ହୋଇ ରାଜାଙ୍କର ନାମଧେୟ ଗଛକୁ ଏପରି ଶ୍ରୀହୀନ କରିପାରେ, ତାହାର ଚରିତ୍ର ଅତି ଜଘନ୍ୟ ।

 

ସଂଘମିତ୍ତ୍ରା- କିନ୍ତୁ ସେମାନଙ୍କର ଦଣ୍ଡ ତ ଅଳ୍ପ ଜଘନ୍ୟ ନୁହେଁ !

 

ଗଣଭଟ୍ଟ- ଯେକୌଣସି ଦଣ୍ଡର ବିଶେଷଣ ଜଘନ୍ୟ ଛଡ଼ା ଆଉ କିଛି ହୋଇପାରେ ନାହିଁ-ତାହାହେଲେ ତାକୁ ଦଣ୍ଡ ନ କହି ଆଉ କିଛି ନାମ ଦେବାକୁ ହେବ ।

 

ଅଶୋକ- କିନ୍ତୁ ଜେମା, କୁନାଳଙ୍କଠାରୁ କଣ ଖବର ପାଇଚ କାହିଁ କହିଲ ନାହିଁ ?

 

ସଂଘମିତ୍ତ୍ରା- (ସ୍ମରଣ କରି) ଚଣ୍ଡଗିରିର ଆଚରଣରେ ଉତ୍ୟକ୍ତ ହୋଇ ମୁଁ ସେ କଥା ଭୁଲିଯାଇଥିଲି । ଭାଇ ପତ୍ର ଦେଇଚନ୍ତି, ତାଙ୍କ ପାଇଁ ଅନୁସନ୍ଧାନ କରିବା ନିଷ୍ଫଳ ଏବଂ ସେ ମଗଧର ସିଂହାସନ ଅପେକ୍ଷା ଅନେକ ବଡ଼ ଏକ ସିଂହାସନରୁ ଆଦେଶ ପାଇ ତକ୍ଷଶିଳା ଛାଡ଼ି ଯାଇଛନ୍ତି ଯଥା-ସମୟରେ ନିଜେ ଆସି ପିତାଙ୍କର ସାକ୍ଷାତ୍‌କରିବେ । (ଦଣ୍ଡାୟମାନ ହୋଇ) କିନ୍ତୁ ଚଣ୍ଡଗିରିର ବ୍ୟବହାର ମତେ ଏତେଦୂର ଉତ୍ତ୍ୟକ୍ତ କରିଛି ଯେ ମୁଁ ଭାଇ କୁନାଳଙ୍କ ପାଇଁ ଦୁଃଖ କରି ପାରୁନାହିଁ ।

 

ଅଶୋକ- ଆଚ୍ଛା, ଯାଅ ଜେମା ! ଚଣ୍ଡଗିରିର ବିଚାର ଅବଶ୍ୟ କରାଯିବ । (ସଂଘମିତ୍ତ୍ରାଙ୍କପ୍ରସ୍ଥାନ ପରେ ଗଣଭଟ୍ଟଙ୍କୁ ଚାହିଁ) ତୁମ ଉପରେ ଏମାନଙ୍କର ଶିକ୍ଷାଭାର ଦେଇ କି ଉପକାର ହେଇଚି-ବୁଝି ପାରୁନାହିଁ ।

 

ଗଣଭଟ୍ଟ- (ବିନୀତ ହାସ୍ୟରେ) ମହାରାଜ ! ଶିକ୍ଷା ଯେଉଁମାନେ ପାନ୍ତି ସେହିମାନଙ୍କର ହିଁ ଉପକାର ହୁଏ, ପରିବାରର ଆଉ ସମସ୍ତଙ୍କର ତ ନୁହେଁ !

 

ଅଶୋକ- ପରିହାସ ନୁହେଁ ଗଣଭଟ୍ଟ ! ସମ୍ବାଦ ନ ଦେଇ କୁନାଳ ରାଜ୍ୟ ଛାଡ଼ି ବନବାସୀ ।ସଂଘମିତ୍ତ୍ରା ମୋ ଶାସନର ନିନ୍ଦା କହିବାକୁ ମଧ୍ୟ କୁଣ୍ଠିତ ନୁହେଁ । ତୁମେ ଓ ତୁମର ଶିକ୍ଷା ଏଥିପାଇଁ ଦାୟୀ ନୁହେଁ କି ? ତିନିଟା ଭାରତ ସାମ୍ରାଜ୍ୟ ବିଦ୍ରେହୀ ହେଲେ ମଗଧ ସମ୍ରାଟ୍‌ତାକୁ ଫୁଙ୍କି ନିଭାଇ ଦେଇପାରେ; କିନ୍ତୁ ପରିବାର ଯଦି ଶାନ୍ତିଶୂନ୍ୟ ହୁଏ, ପୁତ୍ର ଅବାଧ୍ୟ ହୁଏ, ନିଜ କନ୍ୟାକୁ ସନ୍ତାନ ବୋଲି ଦାବି କରିବାପାଇଁ ଯେବେ ସାହାସ ନ ରହେ....

 

ଗଣଭଟ୍ଟ- ତାହାହେଲେ ଅନୁମତି ନେଇ କହିବି, ମଗଧ ସମ୍ରାଟ୍‌ଙ୍କର ନିଜ ଶିକ୍ଷାରେ ତ୍ରୁଟି ରହିଯାଇଛି ।

 

ଅଶୋକ- (କ୍ରୋଧ ରୁଦ୍ଧ କରି) ମଗଧ ସମ୍ରାଟ୍‌ର ତ୍ରୁଟି ଦେଖାଇବା ପାଇଁ ତୁମକୁ କେବଳ ବନ୍ଧୁ ବୋଲି ସ୍ୱାତନ୍ତ୍ର୍ୟ ମିଳିଚି । ଆଉ ତୁମେ ତାକୁ ଏପରି ବ୍ୟବହାର କରିଚ ଯେ, ତାହାର ଫଳ ହେଇଛି ଦୁଃଖ ଓ ଅଶାନ୍ତି । ଭାବିବ ନାହିଁ, ବନ୍ଧୁତା ପାଇଁ ଭାରତ ସମ୍ରାଟ୍‌ତାହାର ସର୍ବସ୍ୱ ପଣ କରିବ । ସମୟରେ ସେ ତାହାର ନିଜ ହାତକୁ ମଧ୍ୟ ବିଶ୍ୱାସ କରେ ନାହିଁ, ଏହା କଣ ଦେଖି ନାହିଁ ? (ପୂର୍ବପରି ଆସନ ଛାଡ଼ି ପଦଚାରଣ କଲେ ଏବଂ ଗଣଭଟ୍ଟ ତାଙ୍କର ଅନୁବର୍ତ୍ତୀ ହେଲେ ।)

 

ଗଣଭଟ୍ଟ- (ଅଶୋକଙ୍କର ଏପରି ସାମୟିକ ଭାବ ପରିବର୍ତ୍ତନ ଦେଖିବା ତାଙ୍କର ଅଭ୍ୟାସଗତ ଏବଂ ସେଥିରୁ ଉଦ୍ଧାର ପାଇବାର କୌଶଳରେ ସେ ସୁନିପୁଣ । ସୁତରାଂ ଅବିଚଳିତ ହୋଇ) ଗଣଭଟ୍ଟର ସର୍ବସ୍ୱ ତାହାର ଏହି ଦେହ ଏବଂ ସେ ତାହା ଅନେକ ଆଗରୁ ଶ୍ରୀଛାମୁରେ ଉତ୍ସର୍ଗ କରିଦେଇଛି ।

 

ଅଶୋକ- ତୋଷାମଦ କରି ତୁମେ ବାଘକୁ ଭୁଲାଇ ପାରିବ ?

 

ଗଣଭଟ୍ଟ- (ବିଶ୍ୱାସ ଦେଇ) ନା ମହାରାଜ, ତୋଷାମଦ ନୁହେଁ । ଯଥାର୍ଥ କହିବାକୁ ଗଲେ ଶ୍ରୀଛାମୁଙ୍କ ଆଦେଶ ମାନି ମୁଁ ଶିକ୍ଷକ ରୂପେ ମୁକରିର ହୋଇଛି ମାତ୍ର; କିନ୍ତୁ କୌଣସି ଶିକ୍ଷା ଦେଇ ନାହିଁ ।

 

ଅଶୋକ- ନା, ଦେଇ ନାହିଁ ? ନିଜ ଉପରୁ ଦାୟିତ୍ୱ ଖସାଇବାର ଛଳନା ।

 

ଗଣଭଟ୍ଟ- (ଅଶୋକଙ୍କ ସ୍ୱର ପରିବର୍ତ୍ତନ ଦେଖି ଉତ୍ସାହ ପାଇ) ମହାରାଜଙ୍କ ନିକଟରେ ମୋହର ଯଥାସର୍ବସ୍ୱ ଏହି ଦେହ ଗୋଟାକୁ ପୁଣ କରି ଦେଇଅଛି । ସେଥିପାଇଁ ବିଶ୍ୱାସ ନ କଲେ ମୋର ଆଉ କିଛି ପଣ ନାହିଁ ।

 

ଅଶୋକ- (ଅନ୍ୟ ଦିଗରୁ ଆକ୍ରମଣ କରି) ତାହାହେଲେ ଏସବୁ ତୁମର ଶିକ୍ଷା ନ ଦେବାର ଫଳ-ତେବେ ତୁମେ ରାଜାଦେଶକୁ ଅମାନ୍ୟ କରିଚ ।

 

ଗଣଭଟ୍ଟ- (ଆଉ ଏକ ଗର୍ତ୍ତରୁ ଉଦ୍ଧାର ପାଇବା ଚେଷ୍ଟାରେ) ରାଜାଦେଶକୁ ଅମାନ୍ୟ କରି ନାହିଁ ମହାରାଜ ! କିନ୍ତୁ ଶିକ୍ଷା ଦେବାକୁ ଯାଇ ଦେଖିଲି, ରାଜସନ୍ତାନମାନଙ୍କ ପାଖରେ ଶିକ୍ଷକତା କରିବି କଣ ? ବନ୍ଧୁତାରେ ଆବଦ୍ଧ ହୋଇପଡ଼ିଛି ଏବଂ ସେହି ସୂତ୍ରରେ ବୁଝିଲି ଯେ, ଗୁରୁ ନ ହେବାର ସବୁଗୁଡ଼ିକ ସଦ୍‌ଗୁଣ ମୋହର ଅଛି । ଆଉ ମଧ୍ୟ ସେମାନେ ମୋଠାରୁ କଣ ଶିଖିଲେ କେଜାଣି, ମୁଁ ସେମାନଙ୍କଠାରୁ ଏତିକି ଶିଖିଲି ଯେ....

 

(ବ୍ୟଗ୍ରତା ଦମନ କରି ଅଶୋକ ପୁଣି ଆସନରେ ବସିଲେ)

 

ଅଶୋକ- (ପ୍ରକୃତିସ୍ଥ ହୋଇ) ଗଣଭଟ୍ଟ ! ତୁମର ମନେ ରଖିବା ଉଚିତ ଥିଲା, ସେଠାକୁ ତୁମେ ଶିଖାଇବାକୁ ଯାଇଥିଲ, ଶିଖିବାକୁ ଚାହେଁ ।

 

ଗଣଭଟ୍ଟ- ଯେଡ଼େ ପଣ୍ଡିତ ହେଲେହେଁ ଯେ କେହି ଲୋକ ଖୁବ୍‌ବଡ଼ ନିଜକୁ ଶିକ୍ଷା ଦେଇପାରେ ।

 

ଅଶୋକ- ତଥାପି ସେମାନେ ତ ତୁମକୁ ଗୁରୁ ବୋଲି ସ୍ୱୀକାର କରନ୍ତି, ଭକ୍ତି ବି କରନ୍ତି ।

 

ଗଣଭଟ୍ଟ- (ବିଜୟୀର ଉତ୍ସାହରେ) ମହାରାଜ ! ବାସ୍ତବିକ ଯଦି ଏପରି ଦୁର୍ଘଟଣା ଘଟିଥାଏ, ତେବେ ତାହା ମୋର ଅଗୋଚରରେ ହୋଇଚି ଏବଂ ସେଥିପାଇଁ ମୁଁ କ୍ଷମାର ପାତ୍ର । କାରଣ ନିଜକୁହିଁ ମୁଁ ଏତେଦୂର ଭକ୍ତି କରେ ଯେ, ସେଥିଭିତରେ ଆଉ କାହାରି ଭକ୍ତି ପରୀକ୍ଷା କରିବାକୁ ଅବକାଶ ମୋତେ ମିଳିନାହିଁ ।

 

(ରାଧାଗୁପ୍ତ ଓ କଳିଙ୍ଗର ରାଜଦୂତଙ୍କର ପ୍ରବେଶ)

 

ରାଧାଗୁପ୍ତ- କଳିଙ୍ଗର ରାଜଦୂତ ଧର୍ମ୍ମପାଳ ।

 

ଧର୍ମ୍ମପାଳ- ଯେଉଁ ସିଂହାସନରେ ରାମ ଯୁଧିଷ୍ଠିର ବସିଥିଲେ, ଭାରତର ସେହି ସିଂହାସନକୁ ନମସ୍କାର ଜଣାଉଅଛି ।

 

ଅଶୋକ- କଳିଙ୍ଗ ନରପତିଙ୍କର ସବୁ କୁଶଳ ତ ?

 

ଧର୍ମ୍ମପାଳ- ମହାରାଜ ! କଳିଙ୍ଗ ନରପତି ରାଜ୍ୟର ମଙ୍ଗଳକୁ ନିଜର ମଙ୍ଗଳ ବୋଲି ଭାବନ୍ତି । ରାଜ୍ୟ ଶାସନଟା ତାଙ୍କ ପାଖରେ ଲୋକସେବା । ନିଜ ସୁଖଠାରୁ ପ୍ରଜା ସୁଖକୁ ସେ ଅଧିକ ଦେଖନ୍ତି । ସେଥିପାଇଁ କଳିଙ୍ଗରେ ଭିକାରି ଓ ଦରିଦ୍ରଙ୍କର ଖାଲି କାମ ଶୁଣାଯାଇଥାଏ ।

 

ଗଣଭଟ୍ଟ- (ରାଧାଗୁପ୍ତ ଓ ଅଶୋକଙ୍କର ଈର୍ଷ୍ୟାଜନିତ ଭୃକୁଞ୍ଚନ ଦେଖି) ସ୍ୱାଧୀନ ରାଜ୍ୟରେ ପ୍ରଜା ଧନଶାଳୀ ହେବା ଯେମିତି ଦରକାର, ସୁଖୀ ଅଥବା ସ୍ୱଚ୍ଛନ୍ଦ ହେବା ସେହିପରି ବିପଦ । ସୁଖ-ସ୍ୱାଚ୍ଛନ୍ଦ୍ୟ ପରାଧୀନ ପକ୍ଷରେ ଭଲ ଦିଶେ । ସ୍ୱାଧୀନତା ପରି ଆଉ ବେଶି ଦାୟିତ୍ୱପୂର୍ଣ୍ଣ ବସ୍ତୁ ନାହିଁ କି ନା !

 

ଧର୍ମ୍ମପାଳ- (ଗଣଭଟ୍ଟଙ୍କୁ ଚାହିଁ) କଳିଙ୍ଗ ପ୍ରଜା କିପରି ସୁଖୀ ଅଥଚ ସ୍ୱାଧୀନ ତାହା ନିଜେ ନ ଦେଖିଲେ ବୁଝି ପାରିବେ ନାହିଁ । ମୋର ସେଠାରେ ଜନ୍ମ ବୋଲି ଏ କଥା କହୁନାହିଁ । ପର ରାଜ୍ୟ ବୋଲି ମୋ ପକ୍ଷରେ କିଛି ନାହିଁ କଳିଙ୍ଗ ଓ ମଗଧକୁ ମୁଁ ସମାନ ଦୃଷ୍ଟିରେ ଦେଖେଁ । କାରଣ ମୁଁ କୌଣସି ଗୋଟିଏ ଦେଶର ପ୍ରଜା ନୁହେଁ ରାଜସ୍ୱ ଦେବାକୁ ମତେ ପଡ଼େ ନାହିଁ ।

 

ଗଣଭଟ୍ଟ- (ମୃଦୁ ସ୍ୱରରେ) କିନ୍ତୁ ଆପଣ ତ କଳିଙ୍ଗର ରାଜଦୂତ ହୋଇ ଆସିଛନ୍ତି ?

 

ଧର୍ମ୍ମପାଳ- (ସହଜ ସ୍ୱରରେ) ସେ କେବଳ ଜଣେ ପରିବ୍ରାଜକ ବୋଲି ମଗଧ ସମ୍ରାଟ୍‌ଙ୍କର ଦୂତ ହେବା ପାଇଁ ମଧ୍ୟ ମୋର ବାଧା ନାହିଁ ।

 

ଅଶୋକ- ତାହାହେଲେ କଳିଙ୍ଗରାଜାଙ୍କୁ ଦୟାକରି ଜଣାଇବେ ଭାରତ ସମ୍ରାଟ୍‌ସେ ଦେଶ ବିରୁଦ୍ଧରେ ଯୁଦ୍ଧଯାତ୍ରା କରି ଆସୁଚନ୍ତି ।

 

(ରାଧାଗୁପ୍ତ, ଗଣଭଟ୍ଟ ଓ ଧର୍ମ୍ମପାଳଙ୍କର ଯୁଗପତ୍‌ଚାଞ୍ଚଲ୍ୟ ଓ ବିସ୍ମୟ ଏବଂ ପ୍ରଥମେ ସମସ୍ତେ ଅଶୋକଙ୍କୁ ଓ ପରେ ପରସ୍ପରକୁ ଅବାକ୍‌ଦୃଷ୍ଟିରେ ଚାହିଁବା)

 

ଧର୍ମ୍ମାପାଳ- କିନ୍ତୁ ମହାରାଜ !

 

ଗଣଭଟ୍ଟ- (ଧର୍ମ୍ମପାଳଙ୍କୁ) କିଛି ମନେ କରିବେ ନାହିଁ କଳିଙ୍ଗ ଜୟ କରିବା ଭାରତ ସମ୍ରାଟ୍‌ଙ୍କର ଅନେକ ଦିନର ଇଚ୍ଛା; କିନ୍ତୁ ଦୂତ ଅଭାବରେ ଏପର୍ଯ୍ୟନ୍ତ ସେ ଖବରଟା ପଠାଯାଇ ପାରି ନ ଥିଲା ।

 

ଧର୍ମ୍ମପାଳ- (ବିସ୍ମୃତ ହୋଇ) କିନ୍ତୁ ମହାରାଜଙ୍କର ବାକ୍ୟ ତ ପରିହାସ ନୁହେଁ !

 

ଅଶୋକ- ନା, ପରିହାସ ନୁହେଁ, ସାମ୍ରାଜ୍ୟର ଅଧୀନତା ନେବାପାଇଁ କଳିଙ୍ଗରାଜଙ୍କୁ ମୁଁ ଏଥିପୂର୍ବେ ପଚାରିଥିଲି । ସେ ତାହା ଗ୍ରହଣ କରିନାହାନ୍ତି ।

 

ରାଧାଗୁପ୍ତ- (ମନ୍ତ୍ରୀତ୍ୱ ଦେଖାଇବା ଉଦ୍ଦେଶ୍ୟରେ) କଳିଙ୍ଗ ଜୟପରେ ସମଗ୍ର ହିନ୍ଦୁସ୍ଥାନ ଗୋଟାଏ ଛତ୍ର ତଳେ ରହିବ । ବାକି ସିଂହଳ ଓ ପାଣ୍ଡ୍ୟପ୍ରଭୃତି ଛୋଟ ଛୋଟ ରାଜ୍ୟ କେତୋଟି କଳିଙ୍ଗ ତୁଳନାରେ କିଛି ନୁହେଁ ।

 

ଧର୍ମ୍ମପାଳ- (ବିମୂଢ଼ଭାବରେ ପ୍ରଥମେ ରାଧାଗୁପ୍ତ ଓ ପରେ ଅଶୋକଙ୍କୁ ଚାହିଁ) ମହାରାଜ-! କଳିଙ୍ଗ ରାଜନବରରୁ ମଗଧ ସମ୍ରାଟ୍‌ଙ୍କ ନିକଟକୁ ନିମନ୍ତ୍ରଣ ଘେନି ମୁଁ ଆସିଅଛି ।

 

ଗଣଭଟ୍ଟ- ଆମର ମଧ୍ୟ ନିମନ୍ତ୍ରଣ ଘେନି ଫେରନ୍ତୁ ଯୁଦ୍ଧ ନିମନ୍ତ୍ରଣ ।

 

ଧର୍ମ୍ମପାଳ- (ଗମ୍ଭୀର ହୋଇ) ଏ ଘଟନା କଳିଙ୍ଗର ରାଜା ପ୍ରଜା ସମସ୍ତଙ୍କ ପକ୍ଷରେ ଅପ୍ରତ୍ୟାଶିତ । କଳିଙ୍ଗ ନରପତି ବର୍ତ୍ତମାନ ପଞ୍ଚବାର୍ଷିକ ଉତ୍ସବ ପାଳିବାକୁ ଯାଇ ଭାରତ ଅଧୀଶ୍ୱରଙ୍କୁ ସବିନୟ ଆହ୍ୱାନ ପଠାଇ ଅଛନ୍ତି । ସମଗ୍ର କଳିଙ୍ଗ ଏହି ପାଞ୍ଚଦିନ ବିରାଟ ଏକ ଉତ୍ସବର ରାଜ୍ୟ । ପ୍ରଜାମାନଙ୍କ ପାଇଁ ରାଜକୋଷ ମୁକ୍ତ । କଳିଙ୍ଗର ରାଜା ସିଂହାସନ ଛାଡ଼ି ଭିକ୍ଷୁବେଶରେ ରାଜପଥର ଦୀନ ଦୁଃଖୀଙ୍କ ସଙ୍ଗେ ହସି ହସି ଆଳାପ କରୁଚନ୍ତି । ସୈନ୍ୟ, ସାମନ୍ତ ଓ ଅନ୍ୟାନ୍ୟ ସବୁ କର୍ମଚାରୀଙ୍କର ଛୁଟି, ସବୁ କାମ ଖେଳରେ ପରିଣତ ହୋଇଅଛି । ମୁଁ ଏପରି ସମୟରେ ଖବର ଦେବି ମଗଧବାହିନୀ ନିକଟରେ ଯୁଦ୍ଧପାଇଁ ତିଆର ହୁଅ !

 

ଗଣଭଟ୍ଟ- ନା, ନା, ତାହାହେଲେ କିନ୍ତୁ ସେମାନଙ୍କ ଖେଳରେ ବ୍ୟାଘାତ ହୋଇପାରେ ! ଆପଣ କେବଳ ଦୟାକରି କଳିଙ୍ଗ ରାଜାଙ୍କୁ ଗୋପନରେ ସମ୍ବାଦ ଦେଲେ ହେଲା ।

 

ଧର୍ମ୍ମପାଳ- କିନ୍ତୁ ଏ ଘଟନା କଣ ଗୋପନ ହୋଇ ରହିବ ? (କାତର ସ୍ୱରରେ) ଶହ ଶହ ଲୋକଙ୍କର ପ୍ରାଣନାଶ ଯେ ପ୍ରତ୍ୟକ୍ଷରେ ଘଟିବ !

 

ଗଣଭଟ୍ଟ- ଶହ ଶହ ଲୋକଙ୍କର ପ୍ରାଣନାଶ ଦରକାର, ଜଣେ ଜଣେ ଲୋକଙ୍କର ବଞ୍ଚିବା ପାଇଁ ।

 

ଧର୍ମ୍ମପାଳ- କିନ୍ତୁ କଳିଙ୍ଗ ଯେ ହିଂସା କଣ ବହୁଦିନୁ ଭୁଲି ଯାଇଚି !

 

ଗଣଭଟ୍ଟ- ତେବେ ତାକୁ ବର୍ତ୍ତମାନ ଆମିଷ ଧରିବାକୁ ହେବ, କାରଣ ମନୁଷ୍ୟର ଦେହଟା ଆମିଷ ।

 

ଅଶୋକ- ରାଧାଗୁପ୍ତ ! ସବୁ ବନ୍ଦୀଙ୍କୁ ମୁକ୍ତ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଆଦେଶ ଦିଅ । ସମସ୍ତ ରାଜ୍ୟରେ ଯୁଦ୍ଧବାର୍ତ୍ତା ପ୍ରଚାର କର ।

 

(ରାଧାଗୁପ୍ତ ମୁଣ୍ଡ ନୁଆଇଁ ରାଜାଦେଶ ପାଳନ ପାଇଁ, ସମ୍ମତି ଜଣାଇଲେ)

 

ଧର୍ମ୍ମପାଳ- ମହାରାଜ ! କଳିଙ୍ଗ ନରପତିଙ୍କ ନିମନ୍ତ୍ରଣର ଏହାହିଁ କଣ ଉତ୍ତର ?

 

ରାଧାଗୁପ୍ତ- ଧର୍ମ୍ମପାଳ ! ଯୁଦ୍ଧ ବିଷୟରେ ଭାରତ ସମ୍ରାଟ୍ ବେଶି କଥା କହନ୍ତି ନାହିଁ, କାରଣ ସେ ତାଙ୍କର ଅତି ପ୍ରିୟ ବସ୍ତୁ । କଳିଙ୍ଗରାଜ ଯେଉଁ ନିମନ୍ତ୍ରଣ ପଠାଇଚନ୍ତି, ତାହା ସମାନ ଆସନର ରାଜପୁରୁଷଙ୍କୁ ପଠାଯାଏ । ଭାରତ ସମ୍ରାଟ ସେ ନମନ୍ତ୍ରଣକୁ ରକ୍ଷା କରେ କଳିଙ୍ଗ ସ୍ୱାଧୀନ ବୋଲି ସ୍ୱୀକାର କରିବେ । କଳିଙ୍ଗ ସମୃଦ୍ଧଶାଳୀ ଦେଶ । ଭାରତ ସାମ୍ରାଜ୍ୟରୁ ଅଲଗା ରହିପାରିବାକୁ ତାହାର କ୍ଷମତା ଥିଲେ ବିନା ଯୁଦ୍ଧରେ ନିଜର ସ୍ୱାଧିନତା ଅନ୍ୟ ହାତରେ ଦେବ ନାହିଁ-। କଳିଙ୍କର ଅଭିବୃଦ୍ଧି ଶୁଣି ବହୁ ପୂର୍ବରୁ ତାହା ଜୟ କରିବାର ମନ୍ତ୍ରଣା ହୋଇଛି । ବର୍ତ୍ତମାନ ତାହା ବିରୁଦ୍ଧରେ ଯୁଦ୍ଧମାତ୍ରା କରିବାର ପ୍ରକୃଷ୍ଟ ସମୟ ।

 

ଧର୍ମ୍ମପାଳ- (ଉତ୍ତେଜିତ ହୋଇ) କାରଣ କଳିଙ୍ଗ ରାଜକୋଷ ବର୍ତ୍ତମାନ ଶୂନ୍ୟ ଏବଂ ରାଜା ନିଜେ ଭିକ୍ଷୂ ।

 

ରାଧାଗୁପ୍ତ- ଯାହାହେଉ କଳିଙ୍ଗ ବିରୁଦ୍ଧରେ ମଗଧର ଯୁଦ୍ଧଯାତ୍ରା ସମ୍ପୂଣ୍ଣ ଆକସ୍ମିକ ନୁହେଁ-

 

ଧର୍ମ୍ମପାଳ- (ବିସ୍ମିତ ଦୃଷ୍ଟିରେ) ନା, ଆକସ୍ମିକ ନୁହେଁ !

(ଯବନିକା)

***

 

Unknown

ତୃତୀୟ ଅଙ୍କ

 

ଅନ୍ତଃପୁରର ଛୋଟ ଫୁଲ ବଗିଚା । ସମୟ-ସନ୍ଧ୍ୟା । ଶରତ୍ ଶୁଭ୍ର ଜ୍ୟୋସ୍ନା ଫୁଲଗଛ ତଳେ ଆଲୋକଛାୟାର ଅପୂର୍ବ ଅଭିନୟ କରୁଚି । ବଗିଚାଟିର ଗୋଟିଏ ପାଖରେ ପ୍ରବେଶପଥ-ଫାଟକ । ସଂଘମିତ୍ତ୍ରାଙ୍କର ସଖୀ ନୀହାରିକା ତିନିଟି କାଠର ଆସନ ସେହି ଫାଟକ ପାଖରୁ ଆଣି ବଗିଚା ଭିତରେ ସଜାଡ଼ି ରଖୁଚି । ନୀହାରିକାର ବୟସ ସଂଘମିତ୍ତ୍ରାଙ୍କଠାରୁ କିଛି କମ୍; କିନ୍ତୁ ଚତୁରତା କମ୍ ନୁହେଁ । ରାଜଜେମାଙ୍କ ସାଥିରେ ଗଣଭଟ୍ଟଙ୍କଠାରୁ ଶିକ୍ଷା ପାଇ ନାରୀସୁଲଭ ଲଜ୍ଜାରୁ ସେ ଅନେକ ପରିମାଣରେ ଉତ୍ତୀର୍ଣ୍ଣ ହୋଇଅଛି । ଅଧିକାଂଶ ରମଣୀଙ୍କ ପରି ଦେହ ସଙ୍ଗେ ତାହାର ବୁଦ୍ଧି ବୃତ୍ତି ମଧ୍ୟ ବୟସକୁ ପାର ହୋଇ ଏପରି ଦ୍ରୁତଗତିରେ ବଢ଼ିଚାଲିଚି ଯେ ଅଳ୍ପ ଦିନ ପରେ ତାହା କୂଅପାଣି ପରିସ୍ଥିର ହୋଇଯିବାର ଆଶଙ୍କା । ବେଶବିନ୍ୟାସରେ ସେ ଏତେଦୂର ପଟୁ ଯେ, ସେଥିରେ ତା ଦେହ ଲୁଚେ ଯେତିକି, ଫୁଟେ ସେଥିରୁ ବେଶି । ସେ ରୂପସୀ ନ ହେଲେହେଁ ବୟସ ଓ ଶିକ୍ଷା ତାହାର ସବୁ ଅବୟବରେ ରୂପ ଆଣିଦେଇଚି । ହାସ୍ୟ ତାହାର ଲଜ୍ଜାରଞ୍ଜିତ ନୁହେଁ, କଟାକ୍ଷରେ ବଙ୍କିମା ନାହିଁ ଏବଂ କଥା ତାହାର ସଙ୍କୋଚଶୂନ୍ୟ । ତାହାର ନିର୍ଜୀବ ମୂର୍ତ୍ତିଶିଳ୍ପରେ ବିଧାତା ଯେଉଁ ରୂପ ଦେଇନାହିଁ, ଗଣଭଟ୍ଟ ନିଜର ଶିକ୍ଷାବଳରେ ତାହା ଫେରାଇ ଆଣିଛନ୍ତି । ସେହି ରୂପର ଅଭାବ ପୂରାଇବା ପାଇଁ ଏ ଗୁଣଗୁଡ଼ିକୁ ସେ ଭଲଭାବରେ କର୍ଷଣ କରିଅଛି-ଯଦିବା ସମ୍ପୂର୍ଣ୍ଣ ନିର୍ବିକାର ରୂପେ ହାସଲ କରିପାରିନାହିଁ ।

 

ଗଣଭଟ୍ଟ ନୀହାରିକାର ଅଲକ୍ଷ୍ୟରେ ଫାଟକ ପାଖରେ ଆସି ଠିଆ ହେଲେ । ଦେହରେ ବର୍ତ୍ତମାନ ଦରବାରୀ ଚପକନ୍ ନାହିଁ । ତାହା ଏତେଦୂର ଛୋଟ ଯେ ସେଥିରେ ତାଙ୍କର ଅନେକ ପରିମାଣରେ କମ୍ ହୋଇପଡ଼ିଚି ।

 

ଗଣଭଟ୍ଟ- (ଫାଟକକୁ ଧରି) ନୀହାରିକା !

 

ନୀହାରିକା-(ଫେରିପଡ଼ି ତାଙ୍କୁ ଚାହିଁଲା ଏବଂ ମୃଦୁ ହସି) ଆସନ୍ତୁ ।

 

ଗଣଭଟ୍ଟ- (ଫାଟକ ଫିଟାଇ ଆସୁ ଆସୁ) ତୁମେ ଏକା ଏଠାରେ ?

 

ନୀହାରିକା- ରାଜଜେମା ଅଳ୍ପ ସମୟ ପରେ ଆସୁଚନ୍ତି ।

 

ଗଣଭଟ୍ଟ- (ପାଖକୁ ଆସି) କଳିଙ୍ଗ ଯିବାପାଇଁ ସବୁ ଠିକ୍ ସରିଚି ତ ?

 

ନୀହାରିକା- ହଁ ଆଜ୍ଞା, ତାହାରି ଯୋଗାଡ଼ରେ ତ ଏତେବେଳ ବ୍ୟସ୍ତଥିଲୁଁ ! (ଆସନ ଦେଇ) ବସନ୍ତୁ । (ଗଣଭଟ୍ଟଙ୍କ ବସିବା ପରେ ନୀହାରିକା ମଧ୍ୟ ଆଉ ଏକ ଆସନରେ ବସିଲା)

 

ଗଣଭଟ୍ଟ- ସେହି କଥା ତୁମକୁ ଆଉ ଥରେ ମନେପକାଇ ଦେବାକୁ ଆସିଥିଲି । କାରଣ କାହିଁ ଟିକିଏ ବାହାରିଲେ ଝିଅମାନଙ୍କର ଯୋଗାଡ଼ ଗୋଟାଏ ଯୁଦ୍ଧ ଆୟୋଜନ ଅପେକ୍ଷା ବେଶି ସମୟ ନିଏ । ଠିକ୍ ବାହାରିବାକୁ ଦଣ୍ଡେ ଥିବ, ତୁମର କଣ ଯିବ କଣ ନାହିଁ, ସେତିକି ବେଳେ ଯୋଗାଡ଼ ହେବ ।

 

ନୀହାରିକା- (ନିଜର ନ୍ୟୁନତା ଅବରୋଧ କରି) ଆପଣଙ୍କର ସବୁ ଯୋଗାଡ଼ ସରିଚି ନିଶ୍ଚୟ ?

 

ଗଣଭଟ୍ଟ- (ଉପେକ୍ଷାର ମୃଦୁହାସ୍ୟ ହସି) ମୋ ଯୋଗାଡ଼ ତ ସାଥି ସାଥି । ବେଶ୍ ତ-ଚାଲ ସମସ୍ତେ । ମଝିରେ ମଝିରେ ଏମ୍‌ତି ଯୁଦ୍ଧ ହେଉଥିଲେ ଆମର ଅନ୍ତତଃ ଦେଶଭ୍ରମଣ ହେବ । ଆଉ ଗୋଟିଏ କଥା-ପଶା ପାଲଟା ସାଥିରେ ନେବାକୁ ଭୁଲିବ ନାହିଁ ।

 

ନୀହାରିକା- ଆମେ କଣ ସେଠାରେ ପଶା ଖେଳିବାକୁ ଯିବା ?

 

ଗଣଭଟ୍ଟା- ପାଶାଖେଳ ନଇଲେ ବଣଭୋଜି । କଳିଙ୍ଗରେ ବଣଭୋଜି ପାଇଁ ଯେମିତି ସୁନ୍ଦର ଜଙ୍ଗଲ ଅଛି, ମଗଧ ଝିଅମାନେ କଳିଙ୍ଗ ପୁଅଙ୍କୁ ପଶା ଖେଳ ହରାଇ ଦେବାକୁ ମଧ୍ୟ ସୁବିଧା ଅଛି ସେମିତି ।

 

ନୀହାରିକା- (ଉପହାସ ସ୍ୱରରେ) ଉଃ, ମଗଧ ଝିଅଙ୍କର ଭାରି ତ ଗରଜ ! ଝିଅମାନେ ମଧ୍ୟ ଯୁଦ୍ଧ କରିପାରନ୍ତି, ଜାଣନ୍ତି କି ?

 

ଗଣଭଟ୍ଟ- ଅବଶ୍ୟ- ବାକ୍‌ଯୁଦ୍ଧ ।

 

ନୀହାରିକା- (ରକ୍ତଗଣ୍ଡ ହୋଇ) ଆପଣ ? ଆପଣ କି ଯୁଦ୍ଧ କରନ୍ତି ? ଶର ମାରନ୍ତି ନା ଖଡ଼୍‌ଗ ଧରନ୍ତି ?

 

ଗଣଭଟ୍ଟ- ନାହିଁ, ମୁଁ ମଧ୍ୟ ଝିଅମାନଙ୍କ ଭିତରୁ ଜଣେ । ତେବେ ତଫାତ୍ ଏତିକି ଯେ ମୋ ବାକ୍ୟଗୁଡ଼ାକରେ ଅସମାପିକା କ୍ରିୟାର ସଂଖ୍ୟା ବେଶି, ସେଥିପାଇଁ ଟିକିଏ ଲମ୍ବା; ନ ହେଲେ ମତେ ପଶା ଖେଳି ଆସେ, ରୋଷେଇଟା ନିଜ ପାଇଁ ଚଳାଇ ଦେଇ ପାରେ । ଝିଅମାନେ ଆଉ କେଉଁ କଥା ଅଧିକା ଜାଣନ୍ତି ? ଆଉ ଗୋଟାଏ ବିଷୟରେ ମୋର ସନ୍ଦେହ ଅଛି, ଯାହା ଆଜି ସୁଦ୍ଧା କୌଣସି ଭାଗ୍ୟବାନ୍ ପୁରୁଷର ଆୟତ୍ତ ଭିତରକୁ ଆସିନାହିଁ । ସେ କଥାଟି କଣ ଜାଣ ନୀରୁ ? ସନ୍ତାନ ଉତ୍ପାଦନ ।

 

ନୀହାରିକା- (ଆସନ ଛାଡ଼ି ଅଭିମାନ ସ୍ୱରରେ) ଦେଖନ୍ତୁ, ଆପଣଙ୍କ ସାଥିରେ ଏତିକି । (ମୁହଁ ଫେରାଇନେଲା କ୍ଷିପ୍ରଗତିରେ; କିନ୍ତୁ ଧୀରେ ଧୀରେ ବଗିଚା ଭିତରକୁ ଚାଲିଲା । ଇଚ୍ଛା, ଗଣଭଟ୍ଟ ତାହାର ଅଭିମାନ ଭାଙ୍ଗନ୍ତୁ ।)

 

ଗଣଭଟ୍ଟ- (ଆସନ ଛାଡ଼ି) ବାସ୍, ଏ ହେଲା ଝିଅମାନଙ୍କର ଆଉ ଗୋଟାଏ ବିଶେଷ ଗୁଣ, ଯାହା ମୁଁ ହାସଲ କରି ପାରିନାହିଁ । (ମୃଦୁଗତିରେ ନୀହାରିକା ନିକଟକୁ ଯାଇ, କୌତୁକ ଓ ସ୍ନେହମିଶ୍ରିତ ସ୍ୱରରେ ପଛପାଖରୁ) ଏହା ତ ସମ୍ମୁଖ ଯୁଦ୍ଧ ହେଲା ନାହିଁ, ନୀରୁ! ସ୍ୱେଦ, ଲୋମାଞ୍ଚ ପ୍ରଭୃତି ପୂର୍ବରାଗର ଲକ୍ଷଣ ଗୁଡ଼ିକ ଯେ ତୁମଠାରେ ଦେଖିବାକୁ ପାଉଛି ? ଯୁଦ୍ଧ ବିଷୟରେ ଏହି ପରା ତୁମର ଧାରଣା ?

 

ନୀହାରିକା- (ଅଭିମାନ ପୂର୍ଣ୍ଣ ତୀବ୍ରଦୃଷ୍ଟି ବୁଲାଇ) ଆପଣ ନାରୀ ବିଦ୍ୱେଷୀ, ମତେ କିଛି କହିବେ ନାହିଁ ।

 

ଗଣଭଟ୍ଟ- ନାରୀକୁ ମୁଁ ବିଦ୍ୱେଷ କରୁନାହିଁ । ତାହାର ଯଥାର୍ଥ ସ୍ୱରୂପ ଯାହା, ସେଥିରେ ମୋର କଳ୍ପନାର ଇନ୍ଦ୍ରଜାଲ ଖଞ୍ଜି ଅତିରଞ୍ଜିତ କରୁନାହିଁ । ଯେଉଁ ଗୁଣ ତା’ଠାରେ ନାହିଁ, ଆପଣାକୁ ଭୁଲିଯାଇ ତାହାର ମିଥ୍ୟ ଆରୋପ କରୁନାହିଁ । ମୁଁ ନାରୀକୁ ନାରୀରୂପରେ ଦେଖେ, ସ୍ୱର୍ଗର ଅପ୍‌ସରା କିମ୍ବା ଦେବୀ-ରୂପରେ ନୁହେଁ ।

 

ନୀହାରିକା- (ପୂର୍ବ ପରି ଅଭିମାନର ଛଳନା କରି) ଆପଣଙ୍କ ମୁହଁରେ ଏ ସବୁ କଥା ଆଦୌ ଭଲ ଶୁଣାଯାଉ ନାହିଁ। ଆପଣକେତେ ଜଣ ଝିଅଙ୍କୁ ଜାଣନ୍ତି ? କାହା ସାଥିରେ ମିଶିଛନ୍ତି ? ଖାଲି ବହି ପଢ଼ିଲେ ସବୁକଥା ଜଣାଯାଏ ନାହିଁ, ବୁଝିଲେ ?

 

ଗଣଭଟ୍ଟ- ନାରୀକୁ ଜାଣିବା ପାଇଁ ଯଦି ଯୋଗାଭ୍ୟାସ ଦରକାର ହୁଏ, ମୁଁ ତାହା କରି ନାହିଁ । କିନ୍ତୁ ତାହାର ପରିଚୟ ପାଇବାକୁ କେତେକ ସୁଯୋଗ ମୋତେ ମିଳିଛି ।

 

ନୀହାରିକା- ଜେମାଙ୍କୁ ଏବଂ ମୋତେ ଶିକ୍ଷା ଦେବାର ଯେଉଁ ସୁଯୋଗ ପାଇଚନ୍ତି, ସେ କଣ ଝିଅମାନଙ୍କୁ ଚିହ୍ନିବାପାଇଁ ଯଥେଷ୍ଟ ? ଆମେ ଦୁହେଁ ତ ଆପଣଙ୍କ ପାଖରେ ଶିଷ୍ୟା ! ପାଠ ପଢ଼େଇଲେ ବୋଲି ଆମ ଦୁହିଁଙ୍କୁ ଦେଖି ନାରୀଜାତିଟାକୁ ବୁଝିସାରିଛନ୍ତି ପରା ? ବାଃ !

 

ଗଣଭଟ୍ଟ- କେବଳ ତୁମ ଦୁହିଁଙ୍କୁ ଦେଖି ନାରୀ-ଚରିତ୍ର ମୁଁ ବୁଝିନାହିଁ-ଅନ୍ୟମାନଙ୍କ ସାଥିରେ ମଧ୍ୟ ମିଶିଛି । ନାରୀଠାରୁ ମୋର ଜନ୍ମ ।

 

ନୀହାରିକା- ଖାଲି ମିଶିଲେ କଣ ଜଣେ ଜଣକୁ ସହଜରେ ବୁଝିଯିବ ? ଆପଣ କେତେ ଜଣ ଝିଅଙ୍କର ସୁଖ-ଦୁଃଖ ନିଜେ ଅନୁଭବ କରିଛନ୍ତି ? ନିଜ ସୁଖ-ଦୁଃଖର ଛାୟା କେତେଜଣଙ୍କ ଭିତରେ ଦେଖିଚନ୍ତି ? କେତୋଟି ଝିଅଙ୍କର ନିକଟତମ ହୋଇଚନ୍ତି ?

 

ଗଣଭଟ୍ଟ- (କୁଟିଳ ଦୃଷ୍ଟିରେ) ନିକଟତମ ଯେ ମିଶିବାର ମୋହତକ ତୁଟିଯାଏ, ନୀରୁ ! ଦୂର ପର୍ବତ ପରି ଦୂର ନାରୀ ମଧ୍ୟ ସୁନ୍ଦର । ଆଉ ମଧ୍ୟ ଜଣକର ନିକଟତର ହେଲେ ଅନ୍ୟମାନଙ୍କଠାରୁ ଦୂରତର ହେବାକୁ ପଡ଼େ ଏବଂ ନିକଟ ବସ୍ତୁ ଅପେକ୍ଷା ଦୂରର ବସ୍ତୁ ଅଧିକ ଅଲଭ୍ୟ ହୁଏ ଏବଂ ସେଥିପାଇଁ ଅଧିକ ଲୋଭନୀୟ । ସେ ଦଶା ସେ ଆହୁରି କ୍ଲେଶକର ।

 

ନୀହାରିକା- (ବ୍ୟଙ୍ଗ ସ୍ୱରରେ) ବାଃ, ସେଥିପାଇଁ ତେବେ ଏତେ ବୟସ ହେଲାଣି, ବାହା କରି ନାହାନ୍ତି ? ଧନ୍ୟ ଆପଣ !

 

ଗଣଭଟ୍ଟ- (ସେ ବ୍ୟଙ୍ଗକୁ ଭ୍ରୂକ୍ଷେପ ନ କରି) ବୟସଟାକୁ ଭୁଲି ରହିବାକୁ ହିଁ ବାହା କରି ନାହିଁ, ନୀରୁ ! ଆଉ ବାହା କରନ୍ତି କାହାକୁ ଭଲା ? ଯେତୋଟି ଯୁବତୀ ଝିଅ ଆଖି ଆଗରେ ପଡ଼ିଛନ୍ତି, ସମସ୍ତଙ୍କ ତ ବାହା କରିବାକୁ ଇଚ୍ଛା ହେଇଚି, ଅଥଚ ସେପରି ସୁବିଧା ମୋର ନାହିଁ । କହିଲ ଭଲା, ତାଙ୍କ ଭିତରୁ ଜଣେ କାହାକୁ ନିଜ ପାଇଁ ବାଛିବି ? ସେଥିରେ ସେ ଜଣକ ପାଇଁ ପକ୍ଷପାତ ଓ ଆଉମାନଙ୍କ ପାଇଁ ଅବହେଳା !

 

ନୀହାରିକା- (ବିସ୍ମୟ ଓ ବିରକ୍ତି ଭଙ୍ଗୀ କରି) କଣ କହିଲେ ?

 

ଗଣଭଟ୍ଟ- (ପୂର୍ବପରି ସହଜ ସ୍ୱରରେ ନୀହାରିକାର ଭଙ୍ଗୀ ଲକ୍ଷ୍ୟ କରି) ଡର ନାହିଁ ନୀରୁ-! ତୁମକୁ ଦେଖି ମଧ୍ୟ ବାହା କରିବାକୁ ଇଚ୍ଛା ହେଇଚି । କିନ୍ତୁ ସେହି କାରଣରୁ...

 

ନୀହାରିକ- (କ୍ରୋଧର ଅଭିନୟ କରି) ଗୁରୁଦେବ !

 

ଗଣଭଟ୍ଟ- (ବାଧା ଦେଇ) ନା, ଗଣଭଟ୍ଟ !

 

ନୀହାରିକା- (ନିଜେ ଛଳନା କରି) ଆପଣ ଏପରି ନୀଚ ଛଳନା କରି ପାରନ୍ତି ।

 

ଗଣଭଟ୍ଟ- (ନୀହାରିକାର ଭାବ ପରିବର୍ତ୍ତନକୁ ଉପଭୋଗକରି) ନୀଚ ! ତୁମକୁ ଯେ ପ୍ରୀତି-ଆଖିରେ ଦେଖିବ ସେ ନୀଚ !

 

ନୀହାରିକା- (ଗଣଭଟ୍ଟର ଦୃଢ଼ତା ପରୀକ୍ଷାପାଇଁ) କିନ୍ତୁ ନିଜ ଶିକ୍ଷ୍ୟା ପ୍ରତି ଆପଣଙ୍କର ଏପରି ବ୍ୟବହାର କଣ ଉଚିତ ? (ବୁଲୁବୁଲୁ ଉଭୟେ ସେହି ଆସନ ପାଖକୁ ଆସିଯାଇଥିଲେ ଏବଂ କେହି କାହାକୁ ଅପେକ୍ଷା ନ କରି ବସିଲେ)

 

ଗଣଭଟ୍ଟ- (ନିଜର ସ୍ୱାଭାବିକ ସ୍ୱରରେ) କିପରି ବ୍ୟବହାର କାହାପାଇଁ ଉଚିତ, ତାହା ମୋର ଚାଟଶାଳୀରୁ ଜାଣିରଖିଚି, ନୀରୁ ! ନାରୀକୁ ପ୍ରତିଦୃଷ୍ଟିରେ ଦେଖିବା ପୁରୁଷର ଅନୁଚିତ ନୁହେଁ-। ତୁମର ନାରୀ ହେବା ଯେପରି ଉଚିତ, ମୋହର ପୁରୁଷ ହେବା ଯେପରି ଉଚିତ, ଏ ସେହିପରି ଉଚିତ; ମଣିଷକୁ ଭୋକ ଶୋଷ କରିବା ଯେପରି ଉଚିତ, ଏ ସେହିପରି ଉଚିତ । ଏ ସବୁ କଥା ଅବଶ୍ୟ ଚାଟଶାଳୀରେ କେହି ମତେ ଶିଖାଇ ନ ଥିଲେ ।

 

ନୀହାରିକା- (ଅଧିକ ଛଳନା କରି) ଚାଟଶାଳୀର ଶିକ୍ଷକ ଆପଣଙ୍କଠାରୁ ଢେର୍ ଭଲ । ଛି,ଛି, ଆପଣ ଏତେ ଅଭଦ୍ର !

 

ଗଣଭଟ୍ଟ- (ପୂର୍ବପରି) ହଁ ନୀରୁ, ନିର୍ଲଜ୍ଜ ନିଶ୍ଚୟ-କାରଣ ମୁହଁରେ ମୋହର ଓଢ଼ଣୀ ନାହିଁ, ମନରେ ମୋହର ଘୋଡ଼ଣୀ ନାହିଁ-ନିଜକୁ ମୁଁ ଅନ୍ୟମାନଙ୍କଠାରୁ ଲୁଚାଇ ନିଜର ଗୁରୁତ୍ୱ ବଢ଼ାଏ ନାହିଁ, ଦେହଟାକୁ ଅନ୍ୟ ଆଖିରେ ରହସ୍ୟମୟ କରିବାକୁ ଚାହେଁ ନାହିଁ, କଥାଟାକୁ ଅନ୍ୟ କାନରେ ସଙ୍ଗୀତମୟ କରିବାକୁ ଯାଏ ନାହିଁ । ମୋହର ଭିତରେ ଯାହା, ବାହାର ଯେପରି, ସେହି ଭାବରେ ତାକୁ ମୁଁ ଦେଖାଇ ଥାଏଁ-ଛଳନା କରେ ନାହିଁ, ତାଳକୁ ତିଳ କିମ୍ବା ତିଳକୁ ତାଳ କରିବାକୁ ପ୍ରବଞ୍ଚନା ଜ୍ଞାନ କରେ-ଏଥିରେ ଆଉ ନିର୍ଲ୍ଲଜ ନ ହୋଇ କଣ ହେବି ? ପୁଣି ଅଭଦ୍ର ? ଅଭଦ୍ର ହେବା ତ ମୋହର ଜୀବନର ସାଧନା-ନାରୀ ସହିତ ମୁଁ ଏକାନ୍ତରେ କଥା କହେଁ, ଯୁବତୀ ସାଥିରେ ସବୁ ବିଷୟରେ ଗଳ୍ପ କୌତୁକ କରେଁ, ଲୁଗା ପିନ୍ଧିଲେ ମୋହର ଦେହ ଗୋଟାକ ଲୁଚେ ନାହିଁ; ରାଜଦରବାର ପାଇଁ ମୁଣ୍ଡରେ ଭଲ ପଗଡ଼ି ନାହିଁ, ଘରଖଣ୍ଡରେ ମୋହର ପାଁଜଣଙ୍କର ବସିବାକୁ ଜାଗା ନାହିଁ । ଆଉ କଣ ଜାଣ-ସତ କଥାଟାକୁ ମୁଁ ବଙ୍କେଇ ନ କହି ସିଧା କହେଁ, ଆଉ ପାଁଜଣ ଯେପରି ଭାବନ୍ତି ସେହିପରି ଭାବେଁ; କିନ୍ତୁ ସେମାନେ ଯାହା ଗୋପନ ରଖନ୍ତି ତାହା ପ୍ରକାଶ କରେଁ । ହସ ମାଡ଼ିଲେ ଭଲ କରି ହସେଁ, ସବୁ କଥାରେ ଟିକିଏ ଓଠ ମେଲାଇ ଚାବୁକଖିଆ ହସ ହସେ ନାହିଁ-। ଏ ଯେତେଗୁଡ଼ିକ ଆଚରଣ, ସବୁ ତ ଅଭଦ୍ର !

 

ନୀହାରିକା- (ମୁଗ୍‌ଧ ଦୃଷ୍ଟିରେ ନିଜର ପ୍ରସଙ୍ଗ ଉଠାଇବା ପାଇଁ) କିନ୍ତୁ ସବୁ ପୁରୁଷ ଆପଣଙ୍କ ପରି ଝିଅମାନଙ୍କୁ ନିଜର ଲୀଳା-କମଳ କରିବାକୁ ଚାହାନ୍ତି ?

 

ଗଣଭଟ୍ଟ- (ଉତ୍ସାହିତ ହୋଇ) ଖାଲି ଚାହାନ୍ତି ନୁହେଁ, ସୁବିଧା ପାଇଲେ କରନ୍ତି ମଧ୍ୟ-କିନ୍ତୁ ମୁହଁରେ କେବେ କହନ୍ତି ନାହିଁ ।

 

ନୀହାରିକା- (ପରିହାସ ସ୍ୱରରେ) ଆପଣ କିନ୍ତୁ କରନ୍ତି ନାହିଁ-ମୁହଁରେ ଯାହା କହନ୍ତି ମାତ୍ର-ନୁହେ କି ? ବେଶ୍ କଥା, ନିଜକୁ ନିରୀହ ବୋଲି ପରିଚୟ ଦେବାରେ ଗୌରବ ଅଛି ।

 

ଗଣଭଟ୍ଟ- (ସ୍ଫୀତ ହୋଇ) ସେହି ମୋହର ଗୋଟାଏ ପରିଚୟ, ଅନ୍ୟ ପରିଚୟ ନାହିଁ ।

 

ନୀହାରିକା- (କୌତୁକ ହାସ୍ୟରେ) ସତେ ? ଏତେ ସ୍ପଷ୍ଟ ଆପଣ ? ଏତେ ସହଜରେ ଧରାଦିଅନ୍ତି ?

 

ଗଣଭଟ୍ଟ- (ସ୍ୱାଭାବିକ ସ୍ୱରରେ) ସେଇଥିପାଇଁ କେହି ମତେ ବାହା କରି ନାହାନ୍ତି; ତୁମେ ମଧ୍ୟ କରିବ ନାହିଁ ।

 

ନୀହାରିକା- (ଏ କଥା ଶୁଣିବା ପାଇଁ ପୂର୍ବରୁ ପ୍ରସ୍ତୁତ ନ ଥିବା ପରି) କିନ୍ତୁ ଗୁରୁଦେବ !

 

ଗଣଭଟ୍ଟ- (ଉତ୍ତ୍ୟକ୍ତ ହୋଇ) ନୀହାରିକା, ଆଗରୁ ପରା ମନା କରିଚି-ମତେ ଏ ଉପାଧିତା ସବୁଠାରୁ ଖରାପ ଲାଗେ; କାରଣ କାହାକୁ ମୁଁ ଗୁରୁ କରି ମାନି ନାହିଁ, କାହାରି ମନ୍ତ୍ର ନେଇ ନାହିଁ । ନିଜର ଗୁରୁ ମୁଁ ନିଜେ ।

 

ନୀହାରିକା- ବେଶ୍ କଥା, ତେବେ ଏଣିକି ଗଣଭଟ୍ଟ ବୋଲି ଡାକିବ । (ଗମ୍ଭୀର ହୋଇ) ଗଣଭଟ୍ଟ ! ମୁଁ- ମୁଁ ତୁମକୁ କି ଆଖିରେ ଦେଖେଁ, ଥରେ ଭାବିଚି କି ?

 

ଗଣଭଟ୍ଟ- (ଚମକି ପଡ଼ି ଏବଂ ନିଜର ଦୁଇ ଆଖି ନୀହାରିକା ଆଖିରେ ନିବଦ୍ଧ କରି) ତୁମେ ?

 

ନୀହାରିକା- (ଦୃଢ଼ ସ୍ୱରରେ) ହଁ, ମୁଁ । କାହିଁକି ଅସମ୍ଭବ ହେଲା ?

 

ଗଣଭଟ୍ଟ-ତୁମେ ? ହାଃ ହାଃ ! (ଉଚ୍ଚହାସ୍ୟ) ଚମତ୍କାର ଉପହାସ !

 

ନୀହାରିକା- (ପୂର୍ବ ପରି) ମୁଁ ମଧ୍ୟ ତୁମକୁ ବିସ୍ମିତ କରି ପାରେ, ଚମକାଇ ଦେଇ ପାରେ, ନୁହେଁ କି ?

 

ଗଣଭଟ୍ଟ- (କୌତୁକ ଦୃଷ୍ଟିରେ) ତୁମକୁ ? ଆପଣରୁ ସାଙ୍ଗେ ସାଙ୍ଗେ ତୁମେ ?

 

ନୀହାରିକା- କାହିଁକି-ଅପମାନ ଲାଗୁଚି ? ଯାହାର କୁଳ ନାହିଁ, ସମ୍ଭ୍ରମ ନାହିଁ, ନିଜର ବାପା ମାଙ୍କୁ ଯେ ଜାଣେ ନାହିଁ, ଅଜ୍ଞାନ ଅବସ୍ଥାରୁ ଯେ ଅନ୍ୟର ଘରତଳ ଆଶ୍ରୟ କରିଚି, ଅନ୍ୟର ଅନ୍ନରେ ପେଟ ପୋଷିଚି, ତାହାର ଏପରି ସାହସ ଦେଖି ? ରାଜଅନ୍ତଃପୁରର ସେବିକା ହେବା ପାଇଁ ଯାହାର ଜୀବନଟା ଉତ୍ସୃଷ୍ଟ, ନିଜର ଆହାର ବିହାର ଛଡ଼ା ଯେ ଅନ୍ୟ ସୁଖ ଜାଣି ନାହିଁ, ନିଜର ରୋଗ ବ୍ୟଥା ଅପେକ୍ଷା ଯେ ଅପର ଦୁଃଖ ଜାଣେ ନାହିଁ, ସେ ମଧ୍ୟ ଆଜି ଆଉ ଜଣକ ସୁଖରେ ସୁଖୀ ହେବାକୁ ଚାହେଁ, ଆଉ ଜଣକ ବ୍ୟଥାକୁ ନିଜର ବୋଲି ଅନୁଭବ କରିବାକୁ ଲୋଡ଼େ ? ରାଜସେବକମାନଙ୍କର କୌତୁକପରିହାସକୁ ଯେ ଜୀବନର ଏକମାତ୍ର ଗର୍ବ ବୋଲି ଭାବନ୍ତି, ତାହାର ମଧ୍ୟ ତୁମ ପରି ମାର୍ଜିତ ଲୋକର ପ୍ରଣୟପ୍ରାର୍ଥିନି ହେବାକୁ ସାହସ ? କିନ୍ତୁ ସେ ସାହସ ଦେଇଛି ତାକୁ କିଏ ?

 

ଗଣଭଟ୍ଟ- ହଉ, ନୀରୁ, ଯଥେଷ୍ଟ ହୋଇଛି ତୁମ ଶିକ୍ଷା; ଏଥିଭିତରେ ବହୁତ ଦୂର ଆଗେଇ ଯାଇଛି । ତୁମକୁ ମୁଁ ଆଜିଠାରୁ ମୋର ପଟ୍ଟଶିଷ୍ୟା ବୋଲି ଜାଣିଲି । କିନ୍ତୁ ଗୋଟିଏ କଥା, ନିଜର ଦୀନତା ଉପରେ ତୁମେ ବଡ଼ ବେଶି ନଜର ରଖିଚ । ମତେ ଜାଣ ତ ? ମୁଁ ଭାରତ ସମ୍ରାଟ ଅଶୋକଙ୍କଠାରୁ ନିଜକୁ କୌଣସି ଅଂଶରେ ଛୋଟ ବୋଲି ଭାବେ ନାହିଁ; ତୁମକୁ ମଧ୍ୟ ଭାରତର ସାମ୍ରାଜ୍ଞୀଙ୍କଠାରୁ...

 

ନୀହାରିକା- କିନ୍ତୁ ରାଜଜେମାଙ୍କୁ ତୁମେ ମୋହଠାରୁ ବେଶି ମର୍ଯ୍ୟାଦା ଦେଖାଅ ।

 

ଗଣଭଟ୍ଟ- ତାହାର କାରଣ ତାଙ୍କ ଅପେକ୍ଷା ତୁମ ସହିତ ମୋର ସମ୍ପର୍କ ବେଶି ।

 

ନୀହାରିକା- ଆଉ ଗୋଟିଏ କାରଣ, ସେ ମୋ ପରି ନିଜ ଦୁର୍ବଳତାଟାକୁ ତୁମ ଆଗରେ ଦେଖାଇ ନାହାନ୍ତି । ମୋ ପରି ଚାରିଆଡ଼ ଶୂନ୍ୟ ଦେଖନ୍ତି ନାହିଁ, ନିଜକୁ ଏତେ ବେଶି ଅସହାୟ ବୋଲି ଭାବନ୍ତି ନାହିଁ ।

 

ଗଣଭଟ୍ଟ- ହୋଇପାରେ । ସ୍ନେହ, ପ୍ରୀତି ଦୁର୍ବଳ ଲୋକର ଲକ୍ଷଣ ଛଡ଼ା ଆଉ କଣ କହ-? ଦୁର୍ବଳ କିମ୍ବା ଅସହାୟ ବୋଲି ମନେ ନ କଲେ ନିଜେ ବାନ୍ଧିବାକୁ ଯିବ କାହିଁକି ? କିନ୍ତୁ ଜାଣ ନୀରୁ, ଏସବୁ ଖାଲି ଭାବନାର ଫରକ-ଭାବନା ବଳରେ ରାଜ-ରାଜେଶ୍ୱର ମଧ୍ୟ ଦାଣ୍ଡର ଭିକାରିଠାରୁ ଆହୁରି ଦୀନ ଓ ଦୁଃଖୀ ହୋଇପାରେ-ଦାଣ୍ଡର ଫକୀର ମଧ୍ୟ ।

 

ନୀହାରିକା- ସେହି ଭାବନା ବଳରେ ତୁମେ ନିଜ ଗର୍ବରେ ଫୁଲି ରହିଚ । ନିଜ ଛଡ଼ା ଆଉ କେହି ତୁମ ଆଖି ଆଗରେ ପଡ଼ନ୍ତି ନାହିଁ ।

 

ଗଣଭଟ୍ଟ- (ମୃଦୁହସି) ତୁମଠାରୁ ଅବଶ୍ୟ ନିଜ ଖବର ମୁଁ ଅନେକ ପରିମାଣରେଜାଣିବାକୁ ପାଉଚି, ନିଜକୁ ପୁରୁଷ ବୋଲି ଅନୁଭବ କରୁଚି । ଝିଅମାନଙ୍କ ପାଖରେ ଏ ମୋର ଗୋଟିଏ ବଡ଼ ଲାଭ । କିନ୍ତୁ ତୁମେ ବୋଧହୁଏ ଅନ୍ୟ ପୁରୁଷଙ୍କ ସାଥିରେ ଭଲ କରି ମିଶିନାହିଁ । ମିଶିଲେ ଦେଖିବ, ସବୁ ପୁରୁଷଯାକ ସମାନ୍ତ, ଅନ୍ତତଃ ଝିଅମାନଙ୍କ ପାଖରେ । ଖାଲି ମତେ ନୁହେଁ ନୀରୁ, ଦେଖିବ, ସମସ୍ତଙ୍କୁ ହୁଏତ ତୁମେ ସମାନ ଭାବରେ ଭଲ ପାଇ ବସିଚ । ଆଉ ସେତେବେଳେ ହୁଏତ ଖାଲି ମୋହରି ଛାଇରେ ତୁମର ଦୁଇଟାଯାକ ଆଖି ଘୋଡ଼େଇ ହୋଇ ରହିବ ନାହିଁ ।

 

ନୀହାରିକା- ନାହିଁ ଗଣଭଟ୍ଟ । ତୁମକୁ କେବଳ ଭଲ ପାଏ ନାହିଁ, ପ୍ରାଣର ନିଭୃତତମ ଦେଶରେ ଧ୍ୟାନ କରେଁ । ଏ ଜୀବନର ଚାରି ଭାଗରୁ ତିନି ଭାଗ ତୁମେ ଅଧିକାର କରିଛ । ତୁମ ସ୍ପର୍ଶରେ ମୋହର ଜାଗରଣ ମଧ୍ୟ ସ୍ୱପ୍ନ ହୋଇ ଉଠିଚି ଏବଂ ଏହି କଠିନ ପୃଥିବୀଟା ତୁଳା ପରି ହାଲୁକା, କାଚ ପରି ମସୃଣ ଓ ଆକାଶ ପରି ସମତଳ ହୋଇପଡ଼ିଚି । ତୁମେ ମୋହର ମଧୁରତମ ଅଶ୍ରୁ, ମୋର ନିବିଡ଼ତମ ରହସ୍ୟ !

 

ଗଣଭଟ୍ଟ- (ମୃଦୁ ହସି) ଇସ୍, ଏତେବେଶି ? ସେଥିପାଇଁ ଆଜିଯାଏ ଏହା ଗୋପନ ରଖିଥିଲ ? କିନ୍ତୁ ମୁଁ ତୁମକୁ ତ ଏପରି ଭଲ ପାଇ ପାରି ନାହିଁ, ଏତେ ମନୋଯୋଗ ଦେଇନାହିଁ !

 

ନୀହାରିକା- (ତିରସ୍କାର ସ୍ୱରରେ) ନା, ତୁମେ ଅତ୍ୟନ୍ତ ସ୍ୱାର୍ଥପର, ନିଜ କଥାକୁହିଁ ବେଶି ଭାବ । ମୁଁ ଯେତେବେଳେ ତୁମ ଭାବନାରେ ବିଭୋର, ସେତେବେଳେ ତୁମେ ନିଷ୍ଠୁର ପରିହାସ କରିଯାଅ । ଯେତେବେଳେ ମୁଁ ତୁମରି ପଥକୁ ଚାହିଁ ବସେ, ତୁମଠାରୁ ପାଏଁ ଅବହେଳା । ମୋହର ଅନ୍ତରର ନୈବେଦ୍ୟକୁ ତୁମେ ଧୂଳିଖେଳ ପରି ପାଦରେ ଠେଲିଦିଅ, ମୋହର ଜୀବନକୁ ତୁମେ ଅବସରର କ୍ରୀଡ଼ା ବୋଲି ଜ୍ଞାନ କର ।

 

ଗଣଭଟ୍ଟ- (ଉଦ୍ଧାର ଚଷ୍ଟାରେ) ମତେ ଏଡ଼େ ହୀନ ଭାବ ନାହିଁ ନୀରୁ ! ଏ ସବୁ କଥା ମୁଁ ଆଗରୁ ଜାଣେ ।

 

ନୀହାରିକୁ- (ଆଗ୍ରହ ସହ ଜାଣ ? ତେବେ ମୋ ସାଥିରେ କପଟ କରିଚ ?

 

ଗଣଭଟ୍ଟ- ନା, ତୁମକୁ ହିଁ ଅକପଟ କରିବାକୁ ଅପେକ୍ଷା କରିଚି, ତୁମକୁ ମୁହଁରେ ଏ କଥା କୁହାଇବାକୁ ଯାଇଚି । ସେଥିପାଇଁ ଆଜିଯାଏ ତୁମର ଭାବଭଙ୍ଗୀ ଲକ୍ଷ୍ୟ କରୁଥିଲି । କିନ୍ତୁ ତୁମେ ମତେ ଏତେ ଅଧିକ ଭଲପାଅ ଯେ ସେଥିରେ ଆମ ଦୁହିଁଙ୍କର ମିଳନ କିମ୍ବା ବିବାହ ଏକାବେଳେକେ ଅସମମ୍ଭ-ଗାନ୍ଧର୍ବ ନୁହେଁ କି ମାନୁଷୀ ନୁହେଁ; କଥାରେ ପରା କହନ୍ତି, ବେଶି ପାଣିରେ ପଦ୍ମ ମରେ ।

 

ନୀହାରିକା- ହୋଇପାରେ, କିନ୍ତୁ ମୋର ପୂଜାର ଅର୍ଘ୍ୟକୁ ଅସମ୍ମାନ କରିବାର ଅଧିକାର ତୁମର ନାହିଁ । ମୋହର ପ୍ରୀତିର ମର୍ଯ୍ୟଦାକୁ କ୍ଷୂର୍ଣ୍ଣ କରି ତୁମେ ନୀରସ ବିବାହରକଥା ଆଲୋଚନା କରୁଚ । ଫୁଲଟିଏ ଦେଖି ତୁମର ଆନନ୍ଦ ଜନ୍ମେ ନାହିଁ, ଆହାର କରିବାପାଇଁ କ୍ଷୁଧା ବଢ଼େ ।

 

ଗଣଭଟ୍ଟ- ପ୍ରୀତି ! ବିବାହ କଥା ନ ଭାବି ପ୍ରୀତି କରିବା ଯେ ଅପରାଧ ! କାରଣ ତାହା ଦେବତାଙ୍କଠାରେ ଶୋଭା ପାଏ, ମନୁଷ୍ୟଠାରେ ନୁହେଁ । ପୁରୁଷ ପକ୍ଷରେ ଏହା ସମ୍ଭବ ହୋଇପାରେ, କିନ୍ତୁ ତୁମ୍ଭ ପକ୍ଷରେ ନୁହେଁ । ସତକରି କହି ତ ନୀରୁ, ତୁମେ ଖାଲି ଧ୍ୱନି ଚାହଁ, ରୂପ ନୁହେଁ ? କେବଳ ଗାନ, ଗାୟକ ନୁହେଁ ? ମିଥ୍ୟା କଥା-ନାରୀ ଯେ ସବୁବେଳେ ନିଜ ଆଗରେ ଜଣେ ପୁରୁଷକୁ ଦେଖିବାକୁ ଚାହେଁ, ପୁରୁଷକୁ ଛାଡ଼ି ନିଜକୁ କଳ୍ପନା କରିବା ଯେ ତାହା ପକ୍ଷରେ କ୍ଲେଶକର-ପୁରୁଷ ହିଁ ତାହାର ସର୍ବଶ୍ରେଷ୍ଠ ସ୍ୱାଧୀନତା !

 

ନୀହାରିକା- ସତେ ନା ? ସେଇଥିପାଇଁ ପୁରୁଷ ତାକୁ ଏପରି ଅବହେଳା କରେ ?

 

ଗଣଭଟ୍ଟ- ପୁରୁଷ ଧାଇଁଚି ଆଗରେ ଏବଂ ନାରୀ ତାହାର ସବୁ ପୂଜା ଅର୍ଘ୍ୟ ଘେନି ପଛରେ । ସେଇଥିପାଇଁ ନାରୀ ଦେଖେ ପୁରୁଷର ପଛପାଖଟା, ଆଉ ପୁରୁଷ ପଛକୁ ଚାହିଁ ଦେଖେ ରୂପ ଏବଂ ଆଗକୁ ଚାହିଁ ଅରୂପ । ସୁତରାଂ କେହି କାହାକୁ ବୁଝିପାରେ ନାହିଁ ।

 

ନୀହାରିକା- ମୁଁ ତୁମକୁ ବୁଝିବାକୁ ଚାହେଁନାହିଁ, ତୁମର ଚରିତ୍ର ବିଶ୍ଲେଷର ମୋହର ଲୋଡ଼ା ନୁହେଁ । ତୁମେ ଚପଳ ହୁଅ, ସ୍ଖଳିତ ହୁଅ, ସେ କ୍ଷତି ମୋହର ନୁହେଁ-ତୁମର ।

 

ଗଣଭଟ୍ଟ- ହଁ, ଏ କଥା ଆଜି ପନ୍ଦର ବର୍ଷର ନୀହାରିକା ଚାଳିଶ ବର୍ଷର ଗଣଭଟ୍ଟକୁ କହିପାରେ । କିନ୍ତୁ ପଚିଶ ବର୍ଷର ନୀହାରିକା ସଙ୍ଗେ ପଚାଶ ବର୍ଷର ଗଣଭଟ୍ଟର କି ଅଭିନୟ ହେବ, ଭାବିଚ କି ନୀରୁ ?

 

ନୀହାରିକା- ବର୍ତ୍ତମାନ ଉପରେହିଁ ମୁଁ ଦୃଢ଼ ହୋଇ ଦଣ୍ଡାୟମାନ-ଭବିଷ୍ୟତ ପାଇଁ ଚିନ୍ତିତା ନୁହେଁ ।

 

ଗଣଭଟ୍ଟ- (ବିଦ୍ରୁପର ହାସ୍ୟ ହସି) ତାହାହେଲେ ତୁମ ପ୍ରେମ ଦେଶକାଳକୁ ଅତିକ୍ରମ କରିଅଛି । ସେହି ନିଷ୍କାମ ପ୍ରେମକୁ ଘେନି ତୁମେ ତେବେ ତୃପ୍ତ ରହ, ପୁରୁଷ ସଙ୍ଗେ ମିଳାମିଶା କିମ୍ବା ବିବାହ କରିବାର ସ୍ୱପ୍ନ ଦେଖନାହିଁ ।

 

ନୀହାରିକା- କାହିଁକି ? ପୁରୁଷକୁ ଯେଉଁମାନେ ବିବାହ କରନ୍ତି ସେମାନଙ୍କର କଣ ପ୍ରେମ ଲୋଡ଼ା ନୁହେଁ ।

 

ଗଣଭଟ୍ଟ- (ସେହିପରି ହସି) ଖୁବ୍ କମ୍ । ପ୍ରୀତିଟା ଅତି ବେଶି ହେବା ବରଂ ଅନ୍ତରାୟ ।

 

ନୀହାରିକା- (ବିସ୍ମିତ ହୋଇ) ଅନ୍ତରାୟ ।

 

ଗଣଭଟ୍ଟ- ହଁ ନୀରୁ, ବିବାହ କରନ୍ତି-ଲୋକେ ଭଲପାଇବାକୁ ନୁହେଁ, କଜିଆ କରିବାକୁ ।

 

ନୀହାରିକା- (ଗଣଭଟ୍ଟଙ୍କର ମୁହଁକୁ ପାଠ କଲା ପରି ତୀବ୍ର ଅଥଚ କାତର ଦୃଷ୍ଟରେ) ଇସ୍ ! ଭାରି ତ ସାହସ ! ମତେ ଆଘାତ କରି ଆପଣ ବଡ଼ ହେବାକୁ ଚାହାନ୍ତି । ମୁଁ ତାହା କରାଇଦେବି ନାହିଁ । ଲଜ୍ଜାରେ ମୋତେ ନୂଆଁଇ ଦେବେ ? ଦୁଇ ହାତରେ ମୁଁ ମୁହଁ ଲୁଚାଉ ନାହିଁ । ଏ ଛାତିରେ ମୋର ଅପମାନର ଅଗ୍ନି ଜାଳିବେ ? ସହଜରେ ତାକୁ ମୁଁ ନିଭାଇପାରେ ।

 

ଗଣଭଟ୍ଟ- (ପରିହାସ ସ୍ୱରରେ) ସବୁ କଥାଗୁଡ଼ାକ କହିପକାଇ ଭଲ କରିଚ ନୀରୁ ! ନ ହେଲେ ଏମିତି ସିନା ଛାତିରେ ଅଗ୍ନି ଜଳୁଛି, ସେମିତି ପେଟରେ ହୁଅନ୍ତା ଅଗ୍ନିମାନ୍ଦ୍ୟ । ବାସ୍ତବିକ ତୁମକୁ ଏପରି ସିଧା ଦେଖି ମୋହର ନାଚି ଉଠିବାକୁ ମନ ହେଉଛି । ସତେ ତ, ତୁମ ପାଖରେ ମୁଁ ଆଉ ବଡ଼ିମା ଦେଖାଇବି କଣ ? ତେବେ ଏତିକି ଯେ ‘ତୁମେ’ ସମ୍ବୋଧନରୁ ପୁଣି ସାଙ୍ଗେ ସାଙ୍ଗେ ‘ଆପଣ’ ହୋଇ ପଡ଼ିଚି ।

 

ନୀହାରିକା- ପରିହାସ ରଖନ୍ତୁ । ଏ କଥା ଆଉ କାହା ଆଗରେ କହିବେ ନାହିଁ ।

 

ଗଣଭଟ୍ଟ- ଛି, ଛି, ଏ ବିଶ୍ୱାସ କଥାଗୁଡ଼ିକ ଆଉ କାହାକୁ କୁହାଯାଏ ! କିନ୍ତୁ ଆଗରୁ ଖାଲି ଜଣଙ୍କ ପାଖରେ କହିଛି-ସେ ଅବଶ୍ୟ ମୋର ବଡ଼ ବିଶ୍ୱାସୀ ଲୋକ ।

 

ନୀହାରିକା- (ଦୁଃଖ ଓ ବିସ୍ମୟରେ) କଣ କହିଛନ୍ତି ?

 

ଗଣଭଟ୍ଟ- (ନିର୍ବିକାର ଭାବରେ) ଆଉ କିଛି ନୁହେଁ-ଏଇ ଯାହା ତୁମ ମୋ ଭିତରେ ଟିକିଏ ସ୍ନେହ ସମ୍ପର୍କ-କିପରି ଆମେ ପରସ୍ପରଠାରେ ମୁଗ୍‌ଧ-ମୁଁ ତୁମକୁ କିପରି ଦୃଷ୍ଟିରେ ଦେଖେ, ଆଉ ତୁମେ ମଧ୍ୟ ମୋତେ କିପରି-କିପରି ଆମେ ଦୁହେଁ ଦୁହିଁଙ୍କୁ ଡାକୁ, କିପରି ହସ କୌତୁକ, ସ୍ନେହ ସୋହାଗ...

 

ନୀହାରିକା- (ବିରକ୍ତିରେ) କିନ୍ତୁ ଏ ବିଷୟରେ ତ ମୋହର ଆପଣଙ୍କ ସାଥିରେ ଆଜି କେବଳ କଥାବାର୍ତ୍ତା ?

 

ଗଣଭଟ୍ଟ- (ଶାନ୍ତ ଭାବରେ) ନାହିଁ ନୀରୁ, ଏଥି ପୂର୍ବେ ମଧ୍ୟ ହୋଇଛି, ସେ ଅବଶ୍ୟ ମୋହର ଚିନ୍ତା-ରାଜ୍ୟରେ । କିନ୍ତୁ ସେ କଥାବାର୍ତ୍ତା ଆଜିଠାରୁ ଆଉରି ଚମତ୍କାର, ସେ ଅଭିନୟ ଏହା ଅପେକ୍ଷା ଅଧିକ ସତ୍ୟ । ଦିନ ନାହିଁ, ରାତି ନାହିଁ, ଏକା ଏକା କେତେ ଚିତ୍ର ମୁଁ ମନେ ମନେ ଆଙ୍କିଛି-। କେତେ ଅସମ୍ଭବ ଗଳ୍ପ କରିଛି ତୁମ ସାଥିରେ ।

 

ନୀହାରିକା- (ଭୀତ ହୋଇ) ଆଉ ସେହି ମିଛ କଳ୍ପନାକୁ ଆପଣ ଅନ୍ୟ ଲୋକ ଆଗରେ ବୟାନ କରିଛନ୍ତି !

 

ଗଣଭଟ୍ଟ- ଆଉ କେହି ବାହାରର ନୁହେଁ ନୀରୁ, ଆମରି ଭିତରର ଲୋକ ।

 

ନୀହାରିକା- ଆମରି ଭିତରର ?

 

ଗଣଭଟ୍ଟ- (ଆଶ୍ୱସ୍ତ ସ୍ୱରରେ) ହଁ, ତୁମର ମଧ୍ୟ ଜଣାଶୁଣା ଲୋକ; ସେ ଆମ ରାଜଜେମାଙ୍କର ଦାସୀ ।

 

ନୀହାରିକା- ଦାସୀ !

 

ଗଣଭଟ୍ଟ- ଖାଲି ଦୁଇଟି ହାତ ଓ ଦୁଇଟିଗୋଡ଼ ଛାଡ଼ିଦେଲେ କମଳା ଲେମ୍ବୁ ପରି ଲାଲ ଗୋଲ ଚେହେରା । ନାଁ’ଟି କଣ ତାହାର ? ତୁଳସୀ ପରା ? ରୂପର ବେଶ ଡୌଲ ଅଛି, ନୁହେଁ ?

 

ନୀହାରିକା- (ଆକାଶରୁ ପଡ଼ି) ତୁଳସୀ ଆଗରେ ମଧ୍ୟ ଆପଣ ଏ ସବୁ କଥା କହିଛନ୍ତି-?

 

ଗଣଭଟ୍ଟ- ହଁ, କାରଣ ତାକୁ ମଧ୍ୟ ମୁ ଟିକିଏ ପ୍ରୀତି...ବୁଝିଲ ? ଆଚ୍ଛା ଛିଅଟିଏ-ଟିକିଏ ଯାହା ବେଶି କଥା ଗପେ, ନ ହେଲେ-

 

ନୀହାରିକା- (ବିରକ୍ତ ଓ ଘୃଣାରେ) ଛିଃ, ଆପଣଙ୍କ ପାଖରେ ବସି ପାରିବି ନାହିଁ । (ସହସା ଉଠିଯାଇ ଫାଟକ ଆଡ଼କୁ ଚାଲିଲା; ଗଣଭଟ୍ଟ ମଧ୍ୟ ଆସନ ଛାଡ଼ି ମୃଦୁଗତିରେ ତାର ପଛେ ପଛେ ଚାଲିଲେ ।)

 

ଗଣଭଟ୍ଟ- (କୌତୁକ ଓ ସ୍ନେହମିଶା ସ୍ୱରରେ) ଆଜି ଜୋତ୍ସ୍ନାଟା ଭାରି ସୁନ୍ଦର ହେଇଚି, ନୁହେଁ ନୀରୁ ? ଆକାଶଟା ତୁମ ବେଣୀଠାରୁ ଅଧିକ ନୀଳ, ଆଉ ଏହି ପ୍ରକାଣ୍ଡ ନେଳୀ ପର୍ଦା ତଳେ ନିକଟରେ ଏହି ଅଶ୍ୱତ୍‌ଥ ଡାଳ ଉପରେ ଶରତ୍‌ର ସ୍ନିଗ୍‌ଧ ଚାନ୍ଦଟି ଝୁଲି ପଡ଼ିଚି ଏବଂ ସଭା ତଳେ ରାଜବଗିଚାର ଅସଂଖ୍ୟ ଫୁଲରାଶି ଭିତରେ ଗୋଟାଏ ବିଚିତ୍ର ଅଭିନୟ । (ନୀହାରିକା ମୁହଁ ବଙ୍କାଇ ଗଣଭଟ୍ଟଙ୍କୁ ଚାହିଁବାକୁ ଅଧିକ ଉତ୍ସାହରେ) ନୀହାରିକାର ଶୁକ୍ଲାଭିସାର, ଗଣଭଟ୍ଟର ପ୍ରବେଶ ଓ ନୀହାରିକାର ମାନଭଞ୍ଜନ- ଏହି ଜୋସ୍ନା ତଳେ, ଜୁଈ ମାଳତୀର ଗନ୍ଧସେବିତ ତୁମର ଚିକୁର ଭାର-ବଡ଼ ଚମତ୍କାର, ନା ? (ଫାଟକ ପାଖରେ ସଂଘମିତ୍ତ୍ରାଙ୍କୁ ଦେଖି ନୀହାରିକା ହଠାତ୍ ଠିଆହୋଇଗଲା ଏବଂ ଗଣଭଟ୍ଟ ତାହାର ଆଗରୁ ଚାଲିଯାଇ ପୂର୍ବ ସ୍ୱରରେ) ପୁଣି ଏହି ଦେଖ-ରାଜଜେମା ସଂଘମିତ୍ତ୍ରାଙ୍କର ପ୍ରବେଶ ଓ ନୀହାରିକା ସଙ୍ଗେ ମିଳନ ଏବଂ ଗଣଭଟ୍ଟଙ୍କର ପ୍ରସ୍ଥାନ । (ଫାଟକ ଆଡ଼କୁ ଚାଲିଗଲେ)

 

ସଂଘମିତ୍ତ୍ରା- (ଫାଟକ ଖୋଲି ଭିତରକୁ ଆସି) ଏତେ ଚଞ୍ଚଳ ଫେରି ଯାଉଛନ୍ତି ? ବସନ୍ତ ଟିକିଏ ।

 

ଗଣଭଟ୍ଟ- ନାହିଁ ଜେମା, ମହାରାଜାଙ୍କ ପାଖରେ ହାଜର ହେବାକୁ ପଡ଼ିବ । କାଲି ଯୁଦ୍ଧଯାତ୍ରା ପାଇଁ ତୁମ୍ଭମାନଙ୍କୁ ଖାଲି ମନେ ପକାଇ ଦେବାକୁ ଆସିଥିଲି । କିନ୍ତୁ ନୀହାରିକାଙ୍କୁ ଏକା ଦେଖି ଟିକିଏ ଖୁସିଗପ କରିବାରେ ଡେରି ହୋଇଗଲା ।

 

ସଂଘମିତ୍ତ୍ରା- (ନୀହାରିକାକୁ ଚାହିଁ ମୃଦୁ ହସି) କିନ୍ତୁ ନୀହାରିକା ମୁହଁ ତ କାହିଁକି ଖଟା ଖାଇଲା ପରି ଫଟା ଦିଶୁଚି । କଣ କହିଲେ କି ତାକୁ ?

 

ଗଣଭଟ୍ଟ- (କୌତୁକ ଦୃଷ୍ଟିରେ ଦୁହିଁଙ୍କୁ ଚାହିଁ) ନୀହାରିକାଙ୍କର ଏକା ଜିଦ୍ ମତେ ଏଇ ମୁହୂର୍ତ୍ତରେ ବାହା କରିବେ । ମୁଁ କିନ୍ତୁ କହେ, କଳିଙ୍ଗ-ଯୁଦ୍ଧଟା ଶେଷ ହେଉ, ତା’ ପରେ ଦେଖିବା । ଏତିକି କଥା ନା ଆଉ କଣ ନୀରୁ-ମିଛି କହିଲି ? ତମେ ତାକୁ ଟିକିଏ ବୁଝେଇ ଦେବ ତ ଜେମା !

 

(ହସି ହସି ପ୍ରସ୍ଥାନ)

 

ନୀହାରିକା- ସତେ ଜେମା, ଏମିତି ଲୋକ ମୁଁ ଆଉ ଜଣେ ହେଲେ ଦେଖିନାହିଁ । ଚେଙ୍ଗ ମାଛଠାରୁ ବେଶି ଚାଇଁ । ଆଙ୍ଗୁଠିସନ୍ଧାରେ ଖସି ପଳେଇବେ ।

 

ସଂଘମିତ୍ତ୍ରା- ତୁମକୁ ବି ଆଉ ବେଳ ମିଳେ ନାହିଁ ନୀରୁ ! କାଲି କଳିଙ୍ଗ-ଯୁଦ୍ଧ, ତୁମର ଆଜି ତର ସହୁ ନାହିଁ କୌତୁକ କରିବାକୁ !

 

ନୀହାରିକା- ମୋର ତ ବାକି ଗରଜ । ସେ ଆପେ ଆସି କୌତୁକ କରୁଥିଲେ ନା-କି, ତାଙ୍କୁ ଡାକିଯାଇଥିଲା କି ?

 

ସଂଘମିତ୍ତ୍ରା- ତମେ ମଧ୍ୟ ତାଙ୍କ ସାଥିକୁ ଜଣେ । ମୁଁ ପଛେ ତେଣେ କଣ ଯିବ କଣ ନାହିଁ, ସଜାଡ଼ିବାରେ ହଇରାଣ, ତୁମର ଏଣେ ଉଦ୍ୟାନବିହାର ଚାଲିଚି । କେତେ ବୟସ ହେଲେ ତମର ନାଁବାଳକ ଦୋଷ କଟିବ କେଜାଣି ?

 

ନୀହାରିକା- (ମୃଦୁ ହସି) ଜେମା ବିଜେ କରିବେ ବୋଲି ଏଠାରେ ପରା ମୁଁ ଆସନ ସଜାଡ଼ୁଥିଲି ! ମଝିରେ ଆସି ସେ କୁଆଡ଼ୁ ହାଜର ହେଲେ । ତାଙ୍କ କଥା ତ ଜେମା ଜାଣନ୍ତି-ଆକାଶରୁ ତୋଳି କଥା କହିବେ ।

 

ସଂଘମିତ୍ତ୍ରା- ହଉ, ହଉ, କଳିଙ୍ଗ ଯିବାକୁ ଇଚ୍ଛା ଅଛିଟି ?

 

ନୀହାରିକା- (ଲୋଲୁପ ହୋଇ) ଯିବିନି ? ଏତେ ସୁନ୍ଦର ଦେଶକଳିଙ୍ଗ-ଆଉ କଣ କେବେ ଯିବାପାଇଁ ସୁବିଧା ହେବ ?

 

(ଆସନ ପାଖକୁ ଆସି ଦୁଇ ସଖୀ ବସିଲେ ।)

 

ସଂଘମିତ୍ତ୍ରା- ବାଃ, ନ ଦେଖିବା ଆଗରୁ ତ ସୁନ୍ଦର ବୋଲି ଜାଣିସାରିଲଣି !

 

ନୀହାରିକା- ହଁ ଜେମା, ଶୁଣିଛି, ତାହାର ହ୍ରଦ ପାହାଡ଼ ଯେମିତି ସୁନ୍ଦର, ଶିଳ୍ପ ଓ ସାହିତ୍ୟ ମଧ୍ୟସେହିପରି । ସେ ଦିନେ ପରା ଗୁରୁଦେବ କହୁଥିଲେ-

 

ସଂଘମିତ୍ତ୍ରା- ଶୁଣିବା କଥାଗୁଡ଼ାକ ପ୍ରାୟ ସୁନ୍ଦର ହୋଇଥାଏ, କିନ୍ତୁ ନ ଦେଖିଲା ଓଉ ଛଅ ଫଡ଼ା ।

 

ନୀହାରିକା- ଆପଣ ତ କଳିଙ୍ଗ-ରାଜପୁତ୍ରଙ୍କୁ ଦେଖିଛନ୍ତି-ଘୋଡ଼ା ଦୌଡ଼ରେ ପ୍ରତିଯୋଗୀ ହୋଇ ସେଥର ପରା ସେ ମଗଧକୁ ଆସିଥିଲେ...

 

ସଂଘମିତ୍ତ୍ରା- କିଏ...ଜୟପାଳ ? ହଁ, ତାଙ୍କୁହିଁ ଦେଖିବାରେ ପାହା କଳିଙ୍ଗ ଦେଖା ହେଇଚି-। (ମୃଦୁ ହସି) ସେଥର ସେଇ ଚିତ୍ରକୂଟ ପାହାଡ଼ କଥା ମନେ ପଡ଼େ ନୀରୁ ?

 

ନୀହାରିକା- ହଁ ଜେମା; ଆପଣ ଦୁହେଁଯାକ ଘୋଡ଼ା ଉପରେ ସେହି ପାହାଡ଼ ଭିତରେ କାହିଁ ହଜିଗଲେ, ଆମେ ସବୁ ଏଣେ ଖୋଜି ଖୋଜି ତାଟକା । ତେବେ ଶୁଣୁଚି, ଯେଉଁ ଜାଗାରେ ଆମ ଛାଉଣୀ ପଡ଼ିବ, ସେ ସ୍ଥାନଟି କୁଆଡ଼େ ଚିତ୍ରକୂଟ ପରି ଭାରି ସୁନ୍ଦର-ଛୋଟ ପାହାଡ଼ଟିଏ, ଆଉ ତାହାରି ତଳେ କୁଆଡ଼େ ଅତି ଛୋଟ ଗୋଟିଏ ନଈ-

 

ସଂଘମିତ୍ତ୍ରା- ନୂଆ ଜାଗାକୁ ଯିବା ଆଗରୁ ତୁମେ ତାକୁ ଏପରି ଭାବରେ କଳ୍ପନା କରିଥାଅ ଯେ ସେଠାରେ ପହଞ୍ଚିଲେ ହତାଶ ହେବାକୁ ପଡ଼ିବ ।

 

ନୀହାରିକା- କିନ୍ତୁ ଆମ ଗୁରୁଦେବ ତାକୁ ଏମିତି କ୍ଷୁର୍ଣ୍ଣ କରି କହନ୍ତି ଯେ, ଯିବା ଆଗରୁ ଅଧେ ଉତ୍ସାହ ଭାଙ୍ଗଯାଇଥିବ ।

 

ସଂଘମିତ୍ତ୍ରା- ଯାହାହେଉ ତାଙ୍କରି ଚେଷ୍ଟାରେ ଏଥର ଆମେ ଯାଉଥାଇଁ । ଜାଣନା, ନ ହେଲେ ମହାରାଜାଙ୍କର ଯେମିତି ଖିଆଲ୍, ସହଜରେ କଣ ଅନୁମତି ମିଳିଥାନ୍ତା ? ସେଥର ତକ୍ଷଶିଳା ଗଲାବେଳେ ଦେଖିନ ?

 

ନୀହାରିକା- (କୁଟୀଳ ହାସ୍ୟରେ) ମହାରାଜାଙ୍କ ଅନୁମତି ପାଇଁ କଣ ଜେମା ଅପେକ୍ଷା କରୁଥିଲେ କି ? କଳିଙ୍ଗର ଜୟପାଳଙ୍କ ସାଥିରେ ଯେ ଆମ ପଶାଖେଳ ହେବ, ବଣଭୋଜି ହେବ ! କିନ୍ତୁ ଜେମା, ସେଠାରେ ଯେମିତି ଆପଣ ହଜି ନ ଯାନ୍ତି !

 

ସଂଘମିତ୍ତ୍ରା- (ମୃଦୁ ହସି) ସେଥିପାଇଁ ମୋର ଭୟ କଣ ? ତୁମେ ସବୁ ତ ଅଛ ଖୋଜି ବାହାର କରିବାପାଇଁ ! (ଦୂରରୁ ଗୋଟିଏ କ୍ଷୀଣ ସଙ୍ଗୀତ ସ୍ୱର ଶୁଣାଗଲା, କିନ୍ତୁ ଉଭୟେ ସେଥିପ୍ରତି ଅମନୋଯୋଗୀ ।)

 

ନୀହାରିକା- କିନ୍ତୁ ମଗଧର ଘାଟବାଟ ଆମମାନଙ୍କୁ ଜଣାଅଛି, କଳିଙ୍ଗର ତ ନୁହେଁ ! ସତେ ଜେମା, ଆମ ମହାରାଜାଙ୍କ ଅମଳରେ ଖାଲି ଯୁଦ୍ଧ ଦେଖି ଦେଖି ଚିଟା ଲାଗିଲାଣି । କଳିଙ୍ଗର ଯୁଦ୍ଧ ନ ହୋଇ ଖାଲି ଖେଳ ହୁଅନ୍ତା କି ! ଶିକାର, ଘୋଡ଼ା ଦୌଡ଼, ଲାଖବିନ୍ଧା......

 

ସଂଘମିତ୍ତ୍ରା- ବାଃ, ଭାରି ତ ତୁମର ସଉକ ! ଛୋଟ ଖେଳରେ ମଣିଷର ମନ ବୁଝେନାହିଁ, ଜାଣ ? ସେଥିପାଇଁ ସେ ଚାହେଁ ହତ୍ୟା, ଯୁଦ୍ଧ, ରାଜ୍ୟଶାସନ । ଆମର ଏ ସବୁରେ ଥାଏ କଣ ? ଆମକୁ ଖାଲି ନଅରରେ ପାବେରି ବେଢ଼ ଭିତରୁ ଟିକିଏ ମୁକ୍ତି ମିଳିଲେହିଁ ହେଲା ।

 

ନିହାରିକା- କିନ୍ତୁ ଏ ଯୁଦ୍ଧରେ କିଏ ହାରିବ, କିଏ ଜିତିବ କେ ଜାଣେ ?

 

ସଂଘମିତ୍ତ୍ରା- ମଗଧ ନିଶ୍ଚୟ ଜିତିବ । କାହିଁକି ନା, ତାହାର ରାଜ୍ୟଲିପ୍‌ସା ଅଛି । ସେ ମାରିବାକୁ ଚାହେଁ, ଅଥଚ କଳିଙ୍ଗ କାଲି ବଞ୍ଚିଗଲେ ଖୁସି ।

 

ନୀହାରିକା- ହଁ ଆମ ମହାରାଜାଙ୍କ କୋଷ୍ଠୀରେ କୁଆଡ଼େ ପରାଜୟ ଜମାରୁ ନାହିଁ । ଯେ ଜିତୁ, ସେଥିରୁ ଆମର ଯାଏ କେତେ ଆସେ କେତେ ? (ଦୂରରୁ ସେହି ସଙ୍ଗୀତରେ ସ୍ୱର ଭାସି ଆସିଲା ।)

 

ସଂଘମିତ୍ତ୍ରା- (ପରିହାସରେ) ତୁମକୁ ଖାଲି ଗୁରୁଦେବଙ୍କ ସାଙ୍ଗେ କୌତୁକ କରିବାକୁ ସୁବିଧା ମିଳିଲେ ହେଲା, ନୁହେଁ ?

 

ନୀହାରିକା- ଜେମାଙ୍କ ସାଥିରେ ଜୟପାଳଙ୍କ ଭେଟ ନ ହେଲେ ମୁଁ ଆଉ ତାଙ୍କୁ ମୁହଁ ଦେଖାଇବି ? କଦାପି ନୁହେଁ । ଆଉ ତାଙ୍କ ସାଥିରେ ମୋର ଯେଉଁ ଭାବ ! ଭୋକ ବିକଳରେ ଖାଲି ତାଟିଆ କାମୁଡ଼ିବାପରି । (ପରିଚାରିକା ତୁଳସୀର ପ୍ରବେଶ ଓ ଅଭିବାଦନ ।)

 

ତୁଳସୀ- ଜେମାଦେଈ ! ଜଣେ ଅନ୍ଧ ଭିକ୍ଷୁ ଆସିବାକୁ ଚାହାନ୍ତି ।

 

ସଂଘମିତ୍ତ୍ରା- ଅନ୍ଧ ଭିକ୍ଷୁ ? ଆଚ୍ଛା ଡାକିଆଣ । (ତୁଳସୀର ପ୍ରସ୍ଥାନ)

 

ନୀହାରିକା- କିନ୍ତୁ ଏହିଠାରେ ସେ ସାକ୍ଷାତ୍ କରିବେ ?

 

ସଂଘମିତ୍ତ୍ରା-(ମୃଦୁ ହସି) ଶୁଣିଲ ତ ଅନ୍ଧ ଭିକ୍ଷୁ- ତାଙ୍କର ଆଉ ସାକ୍ଷାତ୍‌ କ’ଣ ? ମୁଣ୍ଡ ନ ଥାଇ ମୁଣ୍ଡବ୍ୟଥା ।

 

(ଭିକ୍ଷୁବେଶରେ ଅନ୍ଧ କୁନାଳଙ୍କର ପ୍ରବେଶ । ଧର୍ମ୍ମପାଳଙ୍କ ପରି ଲଣ୍ଡିତ-ମସ୍ତକ ଏବଂ ଦେହରେ ଗେରୁଆ ଲମ୍ବା ଆଲଖେଲ୍ଲା । ଦେହଟାକୁ ପୀଡ଼ିତ କଲେ ମନଟା ସବଳ ହୁଏ ବୋଲି ତାଙ୍କର ଧାରଣା, ସୁତରାଂ ତାଙ୍କର ଯୋଦ୍ଧାର ମାଂସପେଶୀ ବର୍ତ୍ତମାନ ଶୀର୍ଣ୍ଣ । ଏହା ଉପରେ ତାଙ୍କର ଚକ୍ଷୁହୀନତା ମୁଖର ପରିଚୟକୁ ବଦଳାଇ ଦେଇଅଛି । ସେଥିପାଇଁ ଅତି ଶୈଶବରୁ ଘନିଷ୍ଠ ଜଣାଶୁଣା ଥିଲେହେଁ ସଂଘମିତ୍ତ୍ରା କିମ୍ବା ନୀହାରିକା ପକ୍ଷରେ ବର୍ତ୍ତମାନ ତାଙ୍କୁ ହଠାତ୍ ଚିହ୍ନି ପାରିବା କଠିନ । ଦେହଟାକୁ କନ୍ଦାଇବାକୁ ଯାଇ ସେ ନିଜେ ସବୁବେଳେ ହସିବାକୁ ଚାହାନ୍ତି । କିନ୍ତୁ ଆଖି ଦିଓଟି ନ ଥିବାରୁ ତାଙ୍କର ହାସ୍ୟ ଓ କଥା ଉଦ୍ଦେଶ୍ୟହୀନ ପରି ମନେ ହୁଏ । ତୁଳସୀ ଆଗେ ଆଗେ ତାଙ୍କୁ ବାଟ କଢ଼ାଇ ଆଣିଲା ଏବଂ କୁନାଳ ମଧୁର କଣ୍ଠରେ ଗୀତ ଗାଇ ପ୍ରବେଶ କଲେ)

 

ତୁମରି ଆଲୋକ ଅନ୍ଧ କରିଛି ନୟନ,

ପ୍ରିୟ ହେ, ପ୍ରିୟ ହେ ।

ତୁମରି ପବନ ଅଙ୍ଗ କରିଛି ଦହନ,

ପ୍ରିୟ ହେ, ପ୍ରିୟ ହେ ।

ତବ ବାଣୀ ମତେ କରିଅଛି ମୂକ

ପରଶ ତୁମରି ଦେଇଅଛି ଦୁଃଖ

ସଙ୍ଗୀତ ତବ ବଧିର କରିଛି ଶ୍ରବଣ,

ପ୍ରିୟ ହେ, ପ୍ରିୟ ହେ ।

 

(କୁନାଳଙ୍କୁ ନିକଟବର୍ତ୍ତୀ ଦେଖୀ ଉଭୟ ସଂଘମିତ୍ତ୍ରା ଓ ନୀହାରିକା ଆସନ ଛାଡ଼ି ଠିଆହେଲେ ।)

 

ତୁଳସୀ- (କୁନାଳଙ୍କୁ ସଂଘମିତ୍ତ୍ରାଙ୍କର ସମ୍ମୁଖକୁ ଆଣି) ରାଜକୁମାରୀ ଏବଂ ତାଙ୍କ ସଖୀ ନୀହାରିକା ।

 

ସଂଘମିତ୍ତ୍ରା ଓ ନିହାରିକା- (ନମସ୍କାର କରି) ଉଭୟେ ଭିକ୍ଷୁକଙ୍କ ପ୍ରତି ପ୍ରଣତି ଜଣାଉଅଛୁଁ-

 

କୁନାଳ- ଚିରନ୍ତନ ତଥାଗତ ତୁମର ମଙ୍ଗଳ କରନ୍ତୁ ।

 

ସଂଘମିତ୍ତ୍ରା- ତୁଳସୀ ! ଭିକ୍ଷୁକ ଆସନ ଦେ । (ତୁଳସୀ କୁନାଳଙ୍କୁ ଗୋଟିଏ ଆସନରେ ବସାଇବା ପରେ ସଂଘମିତ୍ତ୍ରା ଓ ନୀହାରିକା ଯେଝା ଆସନରେ ବସିଲେ ।)

 

କୁନାଳ- (ମୃଦୁ ହସି) ଏଠାରେ ତେବେ ଜେମାଙ୍କ ଛଡ଼ା ଆଉ କେହି ନାହାନ୍ତି ? କେବଳ ତାଙ୍କର ସଖୀ ନୀହାରିକା ?

 

ସଂଘମିତ୍ତ୍ରା - ଆଜ୍ଞା ମଣିମା ! କିନ୍ତୁ ଏଙ୍କୁ ତ ପୁଣି ବାଟ କଢ଼ାଇ ନେବାକୁ ହେବ ? ଆସିଲାବେଳେ ପରା ଭୁଲରେ ଆମ ଅନ୍ତଃପୁର ଭିତରକୁ ପଶିଯାଉଥିଲେ ।

 

ନୀହାରିକା - ହଉ, ହଉ, ତତେ ଆଉ ବାକ୍ୟ ବନେଇବାକୁ ହେବ ନାହିଁ । ପୁଣି ଦରକାର ହେଲେ ତତେ ଖବର ଦେବୁଁ ।

 

ତୁଳସୀ - କାହିଁକି ତମେ ଟିକିଏ ବାଟ କଢ଼େଇ ନେବ ନାହିଁ ? ଏଇଠୁ ଏତକ ଆସୁ ଆସୁ ତ ମୋ ଦିହ ପାଣି ଫାଟିଗଲାଣି । ପୁରୁଷ ମଣିଷଙ୍କୁ ସାଥିରେ ଘେନି ଆସିବା ଖାଲି ସହଜେ ପଡ଼ିଚି ପରା !

 

ନୀହାରିକା - ଉଃ, ତୋହରି ଏକା ଭାରୀ ସାହାସ ! ଯା, ଯା, ଆଉ ଏତେ ଫବେଇ ହେବା ଦରକାର ନାହିଁ । ପୁରୁଷ ଲୋକଙ୍କୁ ଆଉ ଯେମିତି କେହି ଦେଖିନାହିଁ !

 

ତୁଳସୀ - ଦେଖୀ ନ ଥିବ କାହିଁକି - ତା ପାଖ କଣ ଆଉ ମାଡ଼ିଚ ?

 

ନୀହାରିକା - ନାଃ, ତୋ ଦିହରେ ବେଶି ମାଉଁସ ଅଛି ନା, ସେଥିପାଇଁ ତୋର ଡର ! ପୁରୁଷ ଯେମିତି ବାଘ-ଭାଲୁ !

 

ତୁଳସୀ - ବାଘ ଭାଲୁ ?

 

ସଂଘମିତ୍ତ୍ରା - ଯା ତୁଳସୀ ! ତତେ ଏଠାରେ ଗପ ଆରମ୍ଭ କରିବାକୁ କେହି ଡାକି ନାହିଁ ।

 

ତୁଳସୀ - ଯାଉଛି ଜେମା ! ନୀରୁ ଦେଈ ପରା ଚାଲିଗଲା ଶଗଡ଼ରେ ହାତ ପୂରେଇବେ-

[ପ୍ରସ୍ଥାନ]

 

କୁନାଳ - ମୁଁ ଗୋଟିଏ ବଡ଼ ଗୋପନ ଖବର ଘେନି ଆସିଚି ଜେମା ! ସେଥିପାଇଁ ଅନ୍ୟ କାହାରି ଏଠାରେଉପସ୍ଥିତ ହେବା ଠିକ୍‌ନୁହେଁ । ତେବେ ଜେମାଙ୍କର ସଖୀ ନୀହାରିକା ଥିଲେ କ୍ଷତି ନାହିଁ । କିନ୍ତୁ ବଡ଼ ଗୋପନ - କୌଣସି ରୂପେ ଯେପରି ଏହା ପ୍ରକାଶ ନ ପାଏ ।

 

ସଂଘମିତ୍ତ୍ରା- (ଚିନ୍ତିତା ହୋଇ) ଗୋପନ ଖବର ! ହଁ, ଆପଣଙ୍କୁ ମୁଁ ଆଉ କାହିଁ ଦେଖିଲା ପରି ମନେ ହେଉଚି, ଆପଣଙ୍କ କଣ୍ଠ ମଧ୍ୟ ମୋହର ପରିଚିତ ! ବୋଧହୁଏ ଏ ଜହ୍ନ ଆଲୁଅରେ ଭଲକରି ଚିହ୍ନି ପାରୁନାହିଁ ।

 

କୁନାଳ- (ପୂର୍ବ ପରି ମୃଦୁ ହସି) ରାସ୍ତା-ଘାଟରେ ବୁଲି ଭିକ୍ଷା କରିବା ତ ମୋହର ବେଉସା, ଦେଖି ନ ଥିବ କାହିଁକି ?

 

ନୀହାରିକା - ମୁଁ ମଧ୍ୟ ଆପଣଙ୍କୁ କେତେ ଥର ଦେଖିବା ପରି ମନେ ପଡ଼ୁଚି । କିନ୍ତୁ କେଉଁଠାରେ ଦେଖିଥିଲି ଭାବି ପାରୁ ନାହିଁ ।

 

କୁନାଳ- ହଁ, ଦେଖିଥିବି ନିଶ୍ଚୟ, ଅନେକ ଦିନ ତଳେ । କାରଣ କେତେଦିନ ହେଲା ମୁଁ ମଗଧକୁ ଆସିନାହିଁ । ସବୁଆଡ଼େ ବୁଲିବା ମୋର କାମ କି ନା ! ଦେଖିବାଟା ଅବଶ୍ୟ ମୋହରି ପାଇଁ ମନା ହୋଇଚି ଗୁରୁତର ବୋଲି ମୁଁ ଭାବେ ନାହିଁ ।

 

ନୀହାରିକା- ବର୍ତ୍ତମାନ କେଉଁଠାରୁ ଆସୁଚନ୍ତି ?

 

କୁନାଳ- ତକ୍ଷଶିଳାରୁ ।

 

ସଂଘମିତ୍ତ୍ରା- (ଉଦ୍‌ବିଗ୍ନ ହୋଇ) ଭାଇ କୁନାଳଙ୍କର କିଛି ଖବର ଆଣିଚନ୍ତି ତା’ ହେଲେ ?

 

କୁନାଳ- ହଁ ଜେମା, ତାଙ୍କରିଠାରୁ ମୁଁ ଆସୁଚି ।

 

ସଂଘମିତ୍ତ୍ରା- (ଉତ୍ସାହ ଓ ଉଦ୍‌ବେଗରେ) କହନ୍ତୁ ତେବେ ସେ, କେଉଁଠାରେ କିପରି ଅଛନ୍ତି ? ଅଳ୍ପଦିନ ହେଲା ତାଙ୍କଠାରୁ ଖଣ୍ଡିଏ ମାତ୍ର କିନ୍ତୁ ସେଥିରୁ ତାଙ୍କର ସବୁ ଖବର ମିଳିନାହିଁ । ସେଥିପାଇଁ ସମସ୍ତେ ବଡ଼ ଉଦ୍‌ବିଗ୍ନ ହୋଇ ପଡ଼ିଚୁ ।

 

ନୀହାରିକା - ରାଜକୁମାର କାହିଁକି ହଠାତ୍‌ତକ୍ଷଶିଳା ତ୍ୟାଗକଲେ ?

 

ସଂଘମିତ୍ତ୍ରା - ଏବଂ ବୌଦ୍ଧଧର୍ମ ଗ୍ରହଣ କଲେ କାହିଁକି ?

 

କୁନାଳ - କାରଣ, ତାହା ମହାରାଜାଙ୍କରଆଦେଶ ।

 

ସଂଘମିତ୍ତ୍ରା - ମହାରାଜା !

 

ନୀହାରିକା - ଅସମ୍ଭବ କଥା ।

 

କୁନାଳ - ସତକଥାଟାହିଁ ବେଶି ସମୟରେ ବିଶ୍ୱାସଯୋଗ୍ୟ ନୁହେଁ ।

 

ସଂଘମିତ୍ତ୍ରା- (ବିସ୍ମୟ ଓ ଭୟରେ) କିନ୍ତୁ କୁନାଳଙ୍କ ବିଚ୍ଛେଦରେ ମହାରାଜା ଯେ କାତର ହୋଇପଡ଼ିଚନ୍ତି ! ଆଜିକାଲି ସବୁବେଳେ କୁନାଳଙ୍କ କଥା - ଯାହାକୁ ଦେଖୁଚନ୍ତି ତାଙ୍କୁ କୁନାଳଙ୍କ ଖବର ପଚାରୁଚନ୍ତି ।

 

କୁନାଳ- ଶୁଣ ଜେମା, ତକ୍ଷଶିଳାରେ କୁଞ୍ଜରକର୍ଣ୍ଣ ସଙ୍ଗେ କୁନାଳ ଯେତେବଳେ ଯୁଦ୍ଧରେ ବ୍ୟାପୃତ, ସେତେବେଳେ ସମ୍ରାଟଙ୍କଠାରୁ ଗୋଟାଏ ଆଦେଶ ପାଇଲେ । ସେ ଆଦେଶରେ ଲେଖା ଥିଲା, ପତ୍ରପ୍ରାପ୍ତି ମାତ୍ରେ କୁନାଳ ନିଜର ଦୁଇଟି ଆଖି ଉପାଡ଼ି ବାହକ ହାତରେ ଏବଂ ତାହାର କାରଣ ବୁଝିବାକୁ ଗଲେ, ରାଜାଜ୍ଞା ଲଙ୍ଘନ କରିବେ । ସଙ୍ଗେ ସଙ୍ଗେ କୁନାଳ ରାଜା ଏବଂ ପିତାଙ୍କର ଆଦେଶ ପାଳନ କରିଅଛନ୍ତି ।

 

ସଂଘମିତ୍ତ୍ରା- (ବ୍ୟାକୁଳ ଓ ଉତ୍ତେଜିତ ହୋଇ) ନା, ନ, ମିଛ କଥା ଆପଣ କହୁଚନ୍ତି । ମହାରାଜା କଦାପି ଏପରି ଆଦେଶ କରି ନାହାନ୍ତି । ତାଙ୍କର ପ୍ରିୟ ପୁତ୍ର କୁନାଳଙ୍କ ପ୍ରତି ଏପରି ନିଷ୍ଠୁର ଆଦେଶ କରିବା...

 

କୁନାଳ - କିନ୍ତୁ ପ୍ରଜାପୁଞ୍ଜ ଉପରେ ଏହାଠାରୁ ଅଧିକ ନିଷ୍ଠୁର ହୁକୁମ ହୋଇଅଛି । ସୁତରାଂ ଏପରି ଆଦେଶ ମହାରାଜାଙ୍କ କ୍ଷମତାର ବହିର୍ଭୂତ ନୁହେଁ ।

 

ନୀହାରିକା - ରାଜକୁମାରଙ୍କ ପ୍ରତି ଏପରି ଆଦେଶ ଦେଇଥିଲେ ମହାରାଜ ବ୍ୟାକୁଳ ହୋଇ ତାଙ୍କୁ ସ୍ମରଣ କରୁ ନ ଥାନ୍ତେ ।

 

କୁନାଳ - (ମୃଦୁହସି) ସେ ଆଦେଶରେ ମହାରାଜାଙ୍କର ସ୍ୱାକ୍ଷର ଜାଲ କରାଯାଇଥିବା କବର କୁନାଳ ପରେ ଜାଣିପାରିଲେ କିନ୍ତୁ ସେତେବେଳେକୁ ସମୟ ଅତୀତ ହୋଇଯାଇଥିଲା ।

 

ନିହିରିକା - ଜାଲ ସ୍ୱାକ୍ଷର ! କାହାର ଏପରି ସାହସ !

 

କୁନାଳ- ହଁ, ସେ ଖବର ପାଇବା ଆଗରୁ କୁନାଳ ଅବଶ୍ୟ ଆଦେଶ ପାଳନ କରିସାରିଥିଲେ । ସେ ଆଦେଶ ମହାରାଜାଙ୍କର ନୁହେଁ, ବିମାତାଙ୍କର ।

 

ସଂଘମିତ୍ତ୍ରା - ତିଷ୍ୟରକ୍ଷିତା !

 

ନୀହାରିକା- ଉଃ, ଧନ୍ୟ ନାରୀ !

 

କୁନାଳ - ଆଉ ସେହିଦିନୁ ରାଜ୍ୟଲିପ୍‌ସୁ କୁନାଳ ପଥେ ପଥେ ଅନ୍ୟ ଏକ ରାଜ୍ୟର ସନ୍ଧାନରେ........(ମୃଦୁ ହାସ୍ୟ)

 

ସଂଘମିତ୍ତ୍ରା - (ଆସନ ଛାଡ଼ି ସହସା ଉଠିଗଲେ ଏବଂ କୁନାଳଙ୍କ ଆଗରେ ଜାନୁପାତ କରି ଓ ତାଙ୍କର ଦୁଇହାତ ଧରି ଗଦ୍‌ଗଦ୍‌ ସ୍ୱରରେ) ଭାଇ ! କୁନାଳ !

 

ନୀହାରିକା - (ଆସନ ଛାଡ଼ି ଠିଆହେଲା) ରାଜକୁମାର !

 

କୁନାଳ - (ପ୍ରବୋଧ ଦେଇ) ଏ କଣ ସଂଙ୍ଘମିତ୍ତ୍ରା, ଏତେ ଅଧୀର ! ଏପରି କଠିନ ମୁଷ୍ଟି କାହିଁକି ? ଉଦ୍‌ବେଗ ? ହଁ, ତୁମର ହାତର କମ୍ପନରୁ ବୁଝିପାରୁଚି । ଏ ପୁଣି କଣ ? ମୋ ହାତରେ ଉଷ୍ଣ ଜଳ କାହିଁକି ? କାନ୍ଦୁଚ ? ଛି ଭଉଣି ! ସବୁ କ୍ରନ୍ଦନରୁ ମୁକ୍ତି ଦେବା ପାଇଁ, ଅନ୍ଧ ଜଗତକୁ ଚକ୍ଷୁ ଦେବାପାଇଁ ସେ ଯେ ଏ ପୃଥିବୀକୁ ଆସିଥିଲେ (ସଂଘମିତ୍ତ୍ରଙ୍କ ମସ୍ତକରେ ହାତ ବୁଲାଇ ଏବଂ ଆଖି ପୋଛିଦେଇ) ଯାଅ ମା’ ନିଜ ଆସନକୁ । (ଉଭୟ ସଂଘମିତ୍ତ୍ରା ଓ ନିହାରିକା ନିଜ ନିଜ ଆସନରେ ବସିଲେ ।)

 

ନୀହାରିକା- କିନ୍ତୁ ଏ ଖବର ତ ମହାରାଜାଙ୍କୁ ଦେବାକୁ ହେବ ।

 

କୁନାଳ- ବାଃ, ତାହାହେଲେ ତ ଖୁବ୍‌ ଗୋପନ ରଖିବ ତୁମେ !

 

ନୀହାରିକା- (ଲଜ୍ଜିତା ହୋଇ) କିନ୍ତୁ ମହାରାଜାଙ୍କ ସଙ୍ଗେ କୁମାରଙ୍କର କ’ଣ ସାକ୍ଷାତ୍ ହେବ ନାହିଁ ?

 

କୁନାଳ- ନା, ଯୁଦ୍ଧଲିପ୍‌ସୁ ରାଜା ସହିତ ବନବାସୀ ଫକୀର ଯେକୌଣସି ସମୟରେ ଦେଖା କରି ପାରେ ନାହିଁ । ଶୁଣିଲି, ସମ୍ରାଟ୍‌ବର୍ତ୍ତମାନ କଳିଙ୍ଗ-ବିଜୟ ପାଇଁ ଯୁଦ୍ଧଯାତ୍ରା କରୁଛନ୍ତି । ମୁଁ ମଧ୍ୟ ସେହି ଦିଗରେ ଯାଉଛି, କିନ୍ତୁ ଦୁହିଁଙ୍କର ଉଦ୍ଦେଶ୍ୟରେ ପ୍ରଭେଦ ଅଛି ।

 

ନୀହାରିକା - ଆମେ ଦୁହେଁ ମଧ୍ୟ କଳିଙ୍ଗ ଯିବୁ ।

 

କୁନାଳ - ଭଲ କଥା । ତାହାହେଲେ ତୁମ ସାଥିରେ ମଝିରେ ମଝିରେ ଦେଖା ହେବ । କିନ୍ତୁ ସାବଧାନ ! ଏ ଖବର ଯେପରି ମହାରାଜାଙ୍କୁ ନ ପହଞ୍ଚେ, ସେଥିପାଇଁ ତୁମେ ଦୁହେଁ ସର୍ତକ ରହିଥିବ । ସମୟ ବୁଝି ମୁଁ ନିଜେ ଯାଇ ସାକ୍ଷାତ୍‌କରିବି । ତୁମ ଦୁହିଁଙ୍କୁ ଆଗରୁ ଜଣାଇ ରଖିବାର କାରଣ, ଯଦି ଅନ୍ୟ କୌଣସି ଦିଗରୁ ମହାରାଜାଙ୍କୁ ଏ ଖବର ପହଞ୍ଚେ ଏବଂ ତୁମେ ଦୁହେଁ ଆଗରୁ ତାହା ଜାଣିପାର, ତାହାହେଲେ ବରଂ ଏକ୍ଷଣି ଯେପରି ସେ ତାହା ନ ଶୁଣନ୍ତି, ସେଥିପ୍ରତି ସାବଧାନ ଥିବ ।

 

ସଂଘମିତ୍ତ୍ରା - ତହାହେଲେ ତୁମେ ଆମ ସାଥିରେ ଯାଉନାହିଁ, ଭାଇ ?

କୁନାଳ - (ମୃଦୁ ହସି) ସଂଘମିତ୍ତ୍ରା ! ଆମର ବିନା ବିଚାରରେ ଯାହା ଘଟିଯାଇଅଛି, ସେଥିରେ ଦୁଃଖ କରିବାର କଥା ନୁହେଁ । ତୁମମାନଙ୍କ ସାଥିରେ ତ ମୁଁ ଚାଲିଚି, କେବଳ ମୋହର ପଥ ଯାହା ଟିକେ ଅଲଗା ।

 

(ପ୍ରଥମେ କୁନାଳ ଓ ପରେ ଅନ୍ୟ ଦୁଇଜଣ ଛାତ୍ର ଆସନ ଛାଡ଼ି ଉଠିଲେ । ସଂଘମିତ୍ତ୍ରା କୁନାଳଙ୍କ ହାତ ଧରି ଧୀରେ ଧୀରେ ଚାଲିଲେ ଏବଂ କୁନାଳଙ୍କର ଗୀତ ।)

 

ପଥ ପାଶେ ଆଜି ଆସନ ସଜାଇ

ଖୋଜଇ ଏକା ମୁଁ କି ଧନ ହଜାଇ,

ଅନ୍ଧ ଆଖିରେ ଅଶ୍ରୁ କରିଲି ବହନ,

ପ୍ରିୟ ହେ, ପ୍ରିୟ ହେ, ।

 

[ସମସ୍ତେ ଧିରେ ଧୀରେ ଫାଟକ ଆଡ଼କୁ ଚାଲିଲେ ।]

[ଯବନିକା]

***

 

ଚତୁର୍ଥ ଅଙ୍କ

 

[ଶରତର ଗୋଧୂଳି । ଛୋଟ ଧଉଳି ପାହାଡ଼ର ଶିଖର ଭାଗରେ ସଂଘମିତ୍ତ୍ରା ଓ ନୀହାରିକା ଦୂରକୁ ଚାହିଁ ରହିଛନ୍ତି । ପାହାଡ଼ର ତଳ ଦେଶରେ କ୍ଷୀଣସ୍ରୋତା ଦୟା ନଦୀ । ପଶ୍ଚିମ ଦିଗ୍‌ବଳୟର ଅସ୍ତରାଗରେ ଦୁଇ ସଖୀଙ୍କର ଚକ୍ଷୁ ରଞ୍ଜିତ, ରଣସାଜରେ ଦୁହେଁ ସଜ୍ଜିତ ।]

 

ନୀହାରିକା -(ଦୂରକୁ ଚାହିଁ ହାତ ଦେଖାଇ) ଏ କଣ ଜେମା... ନିକଟରେ ତ ଖଣ୍ଡଗିରି, ଆଉ ତାହାରି ତଳେ ଛୋଟ ଛୋଟ ଧଳା ବଉଦ ପରି ଜମା ହୋଇଚି - ?

 

ସଂଘମିତ୍ତ୍ରା - ଖଣ୍ଡଗିରି ତ ଏହି ଧଉଳି ପରି ଛୋଟ ପାହାଡ଼, ତାହା ତଳରେ ମେଘ ଆସନ୍ତା କୁଆଡ଼ୁ, ନୀରୁ ? ସେଗୁଡ଼ିକ କଳିଙ୍ଗର ରାଜପ୍ରସାଦ ହେବ ।

 

ନୀହାରିକା - ଆଉ ଏହି ବାଁ ପାଖେ ବରୁଣେଇ ପାହାଡ଼ ନା ? କିନ୍ତୁ ପଶ୍ଚିମରେ ଏହି ଯେ ଲମ୍ବା ପାହାଡ଼ ଧାଡ଼ିଟା ଉପରେ ସୁନାଚିତା ପରି ସୂର୍ଯ୍ୟ ନିଶ୍ଚଳ ରହିଚି –

 

ସଂଘମିତ୍ତ୍ରା - (ଅନ୍ୟ ଦିଗକୁ ମନ ଦେଇ) ଦେଖ ନୀରୁ, କଳିଙ୍ଗ ରାଜାଙ୍କର ହାତିପଲ ଯେମିତି ଅସଂଖ୍ୟ ବରୁଣେଇ ପାହାଡ଼ର ପାଚେରି ଏବଂ ତାହାରି ତଳେ ଛୋଟ ଛୋଟ ଗୁଳ୍ମପରି କଳିଙ୍ଗର ସୈନ୍ୟଶ୍ରେଣୀ ।

 

ନୀହାରିକା - ଓଃ ! ସେମାନଙ୍କ ଛାଇରେ ସଞ୍ଜ ମଗରୁ ରଣଭୁଇଁରେ ଅନ୍ଧାର ବ୍ୟାପିଗଲାଣି ।

 

ସଂଘମିତ୍ତ୍ରା- (ଦେହ ଓ ଗ୍ରୀବା ବଙ୍କାଇ ନୃତ୍ୟଭଙ୍ଗୀରେ) ଆଉ ଦେଖ,ଯୁଦ୍ଧ ପୁଣି ଭୀଷଣ ହୋଇଉଠୁଚି । ମଗଧ ସୈନ୍ୟ ଆଗକୁ ଆଗକୁ ଚାଲିଚି, ଯେମିତି ଗୋଟାଏ ଚଳନ୍ତା ଅରଣ୍ୟ ଏବଂ ତାହାର ଆଡ଼କୁ କଳିଙ୍ଗ ହାତୀପଲର ସେହି ପ୍ରକାଣ୍ଡ ପାଚେରିଟା ମାଡ଼ି ମାଡ଼ି ଆସୁଚି ।

 

ନୀହାରିକା- (ସେହିପରି ନୃତ୍ୟ ଭଙ୍ଗୀରେ) ସେହି ପାଚେରି ପଛରେ ଅସଂଖ୍ୟ ସୈନ୍ୟ ସାମନ୍ତ ଯେମିତି ଝଡ଼ର ସମୁଦ୍ର ଏବଂ ହାତିପଲଟା ତାହାରି ଭିତରୁ ବିରାଟ ଲହରୀମାଳା ପରି ଫୁଲି ଫୁଲିଆକାଶକୁ ଉଠୁଚି । ଦେଖନ୍ତୁ ଜେମା ! ମଗଧ ସେନା ଦୟାନଦୀର ଆର ପାଖରୁ ଭଟ୍ଟା ପରି ସେ ଯେମିତି ସେହି ସମୁଦ୍ରଗର୍ଭକୁ ଧାଇଁଚି ଏବଂ ତାହାର ଆଘାତରେ ହାତିପଲଟା ବେଶି ବେଶି ଉପରକୁ ଉଠୁଚି-ମଗଧ ସେନାକୁ ଦଳିଦେଇ ମାଟିରେ ମିଶାଇ ଦବ ଅବା !

 

ସଂଘମିତ୍ତ୍ରା- (ଅନ୍ୟ ଦିଗରେ ଗ୍ରୀବା ବଙ୍କାଇ) ଏ ପାଖରେ ଦେଖୁଚ, ଲହରୀ ଉପର ଫେଣ ପରି ଏହି ଯେ ମସ୍ତ ଧଳା ହାତୀଟା, କେଡ଼େ ବେଗରେ ଯୁଦ୍ଧ ମଝିକୁ ଧାଇଁ ଆସୁଚି ।

 

ନୀହାରିକା- (ସେହିପରି ଗ୍ରୀବା ଭଙ୍ଗୀରେ) ହଁ ଜେମା, ଉପରେ ତାହାର ସୁନା ଛତି ତଳେ ଜଣେ ଆରୋହୀ ମଥାରେ ମଣିମାଣିକ୍ୟର ମୁକୁଟ, ଦେହରେ ଜରିର ସାଞ୍ଜୁ । ସୂର୍ଯ୍ୟର ଶେଷ ଦୀପ୍ତିରେ ଛତିଟା ତରଳ ସୁନା ପରି ଢଳ ଢଳ ଦିଶୁଚି, ଆଉ ସେହି ଆରୋହୀର ମୁକୁଟରୁ ଇନ୍ଦ୍ରଧନୁର ସାତଟା ରଙ୍ଗ ଜଳି ଉଠୁଚି । ସେ ନିଶ୍ଚୟ କଳିଙ୍ଗର ରାଜପୁତ୍ର ହେବେ । ନୁହେଁ ଜେମା ? (ମୃଦୁ ହାସ୍ୟ)

 

ସଂଘମିତ୍ତ୍ରା- କିଏ ? ଜୟପାଳ ? ହଁ, ଖୁବ୍‌ ସମ୍ଭବ । କାରଣ କଳିଙ୍ଗର ରାଜା ତ କାଲିଠାରୁ ନିହତ ହୋଇଛନ୍ତି ।

 

ନୀହାରିକା- କୌତୁକ କରି ଏତେ ବାଟରୁ ଜେମା ତାଙ୍କୁ ଚିହ୍ନି ରଖିଲେଣି । କାହିଁ, ମୋ ଆଖିରେ ତ କିଛି ଜଣାଜାଉ ନାହିଁ !

 

ସଂଘମିତ୍ତ୍ରା- ତୁମର ସେ କଣ ଆଖି ନା ମୃଗୁନି ପଥର ? ଦୂରକୁ ଚାହିଁ ଦେଖ ନୀରୁ, ସେହି ହାତି ପଲର ପାଚେରିଟା କାତେ ଭାଗରେ ବିଭକ୍ତ ହୋଇପଡ଼ିଚି ଏବଂ ଅତି ନୃଶଂସ ଭାବରେ ମଗଧ ସେନାକୁ ଦଳିଦେଉଛି ।

 

ନୀହାରିକା- ନାହିଁ ଜେମା ! ବାଘ ଶିକାରକୁ ଛକିଲା ପରି ମଗଧ ସେନା ନଇଁ ନଇଁ ଚାଲୁଚି ସେଥିପାଇଁ ସେପରି ଦେଖାଯାଉଛି । ଆଉ ଏ କଣ ଯୁଦ୍ଧଭୂଇଁ ଉପରେ ଅଗଣିତ ଚଢ଼େଇ ?

 

ସଂଘମିତ୍ତ୍ରା- ଚଢ଼େଇ ନୁହେଁ ନୀରୁ, ଦୁଇ ପକ୍ଷର ଶର ବୃଷ୍ଟି । ଶରତ ଗୋଧୂଳିର ନିର୍ମଳ ଆକାଶଟା ସେଥିରେ ଅନ୍ଧାର ହୋଇ ପଡ଼ିଚି। ଆଉ ତ କିଛି ଦେଖାଯାଉ ନାହିଁ !

 

ନୀହାରିକା- (ନିବିଡ଼ ଦୃଷ୍ଟିରେ) ନା, କିନ୍ତୁ ସେହି ବିରାଟ ଧଳା ହାତୀଟା ମଗଧ ସେନା ଭିତରେ କେହି ତାହାର ପାଖ ମାଡ଼ି ପାରୁ ନାହାନ୍ତି । ତେବେ ଚାରିଆଡ଼ୁ ତାକୁ ଜଗି ରହିଚନ୍ତି । ଉଃ ପାହୁଲଟାମାନ ଯେମିତି ଗୋଟାଏ ଗୋଟାଏ ପାହାଡ଼କୁ ମଧ୍ୟ ପାତାଳକୁ ଚାପିଦେବ ! ବେପରୁଆ ହୋଇ ଚାଲିଚି । କୁଆଡ଼କୁ ଟିକିଏ ଭ୍ରୁକ୍ଷେପ ହେଲେ ଥାନ୍ତା ! ଶୁଣ୍ଢଟାକୁ ଖାଲି ଉପରକୁ ଟେକିଚି ଏବଂ ବାଦୁଡ଼ି ପରି ସେଥିରେ ମଗଧସେନାର ଶର ଗୁଡ଼ିକ ଲାଗିଚି ।

 

ସଂଘମିତ୍ତ୍ରା- (ମୃଦୁ ହସି) ହଉ ନୀରୁ, ମୋର ତେବେ ଭୁଲ୍ ହେଇଚି । ତୁମ ଆଖି ଦୁଇଟା ଭାରି ଭଲ । ଯାହା କେହି ଦେଖି ପାରିବେ ନାହିଁ, ତୁମ ଆଖି ତାହା ଦେଖେ ।

 

ନୀହାରିକା- ଆଉ କେତେ ଦିନ ଜେମା ? ଦଶଦିନ ତ ହେଲାଣି, ଖାଲି ହତ୍ୟା ହତ୍ୟା । ଆଜି ତିନି ହଜାର ହେଲେ କାଲି ପାଞ୍ଚ ହଜାର,ପରଦିନ ଦଶ ହଜାର । ପ୍ରତିଦିନ ଖାଲି ମଲାଲୋକଙ୍କର ସୁମାରି ଲାଗିଛି, ଜୀଅନ୍ତାକୁ ପଚାରୁ ନାହିଁ । ମନୁଷ୍ୟ ମରିବେ ପାଇଁ ବି ଏମିତି ପାଗଳ ହୁଏ ?

 

ସଂଘମିତ୍ତ୍ରା- ପାଗଳ ନ ହେଲେ ମରିବ କିପରି,ନୀରୁ ? ସେ ପାଗଳାମିର କଣ ଅନ୍ତ ଅଛି ? ମରିବା ପରେ ମଧ୍ୟ ତାହା ଶେଷ ହୁଏ ନାହିଁ । ମଲା ଲୋକର ପ୍ରେତାତ୍ମା ଆସି ଜୀଅନ୍ତା ମଣିଷକୁ ଗ୍ରାସ କରେ । କାହା ଭାଇ ମରିଚି, କାହାର ବନ୍ଧୁ ମରିଚି, ଆଉ କାହାର ନାତି ସେମାନେ ଫେରି ଆସି ପୁଣି ନିଜର ଜ୍ଞାନ୍ତି କୁଟୁମ୍ବଙ୍କୁ ଆମନ୍ତ୍ରଣ କରନ୍ତି । ସେ ଆମନ୍ତ୍ରଣରେ ଦୁଇ ଗୁଣ ପାଗଳ ହୋଇ ଜୀଅନ୍ତା ମଣିଷ ଏହି ଶବସମାଧି ଉପରେ ସମାରୋହ କରେ - ମରଣର ଦାନବ ଲୀଳା ଉପରେ ବିଜୟର ନିଶାଣ ଉଡ଼ାଏ । ରକ୍ତତୃଷାର ପିଶାଚ ନାଚ ନାଚି ମୃତ୍ୟୁକୁ ଉତ୍ସାହ ଦିଏ - ଭାଟ ଚାରଣ ତାହାରି ଗୀତ ଗାଆନ୍ତି, ମରଣ ପାଇଁ ଯେତେ ଧନ ସମ୍ପତ୍ତି ବ୍ୟୟ ହୁଏ, ତାହାର ଦଶ ଭାଗରୁ ଭାଗେ ହେଲେ ଜୀବନ ପାଇଁ ଖର୍ଚ୍ଚ ହେଉଥାନ୍ତା !

 

ନୀହାରିକା- ଦେଖନ୍ତୁ ଜେମା, ପାହାଡ଼ ଉପରେ ଠାଏ ଠାଏ ନିଆଁ ଜଳି ଉଠୁଛି । ଏବେ ମଧ୍ୟ କଣ ଯୁଦ୍ଧ ଲାଗିଛି ?

 

ସଂଘମିତ୍ତ୍ରା- ହଁ ଆଉ ସିନା କିଛି ଦେଖା ଯାଉନାହିଁ, ଶୁଣି ପାରୁ ନାହିଁ, ସମୁଦ୍ର ଗର୍ଜନ ପରି ସୈନ୍ୟମାନଙ୍କର ଗୋଳମାଳ ? ଏଥର ଚାଲ ଫେରିବା ନୀରୁ ଭୟକାତର ପକ୍ଷୀଗୁଡ଼ିକ ଧଉଳିର ଗୁମ୍ଫା ଭିତରେ ଶୋଇଲେଣି, ଦୂର ପର୍ବତଗୁଡ଼ିକର ଶିଖରରେଖା ଆକାଶରେ ମିଶି ଗଲାଣି-। ବିଶ୍ୱ ପ୍ରକୃତି ବିଶ୍ରାମ ନେଇଛି, କିନ୍ତୁ ଏ ଯୁଦ୍ଧର ଅବସାନ ନାହିଁ ।

 

ନୀହାରିକା- ଚାଲନ୍ତୁ ଜେମା, ଆଉ ତ କିଛି ଦେଖାଯାଉ ନାହିଁ, ପାହାଡ଼ ଉପରେ ପବନଟା ମଧ୍ୟ ଭାରି ଥଣ୍ଡା ହେଲାଣି । (ଓହ୍ଲାଇବାର ଉପକ୍ରମ କରି) ଧୀରେ ଜେମା, ଏଠାରେ ବହୁତ ଗୁଡ଼ାଏ ପଥର- କଳିଙ୍ଗସେନାଙ୍କ ମୁଣ୍ଡ ପାଇଁ ବୋଧହୁଏ ସାଇତା ହୋଇଚି ।

 

(ଉଭୟଙ୍କର ପ୍ରସ୍ଥାନ)

 

(ପର୍ବତ ତଳରେ ଅଶୋକ ଓ ଗଣଭଟ୍ଟଙ୍କର ଧୀରେ ଧୀରେ ପଦଚାରଣ । ଧଉଳି ପାହାଡ଼ର ଚୂଡ଼ା ଅନ୍ଧକାରରେ ମିଶି ଯାଇଚି ।)

 

ଅଶୋକ- ଆଜି ପୁଣି ସେହି ଗ୍ରାମକୁ ଯାଇଥିଲ ? କେମିତି ଲାଗିଲା ?

 

ଗଣଭଟ୍ଟ- ଗ୍ରାମଗୁଡ଼ାକ ପ୍ରାୟ ଯେମିତି ଲାଗେ । ପୁରୁଷ ଲୋକ ତ ନାହାନ୍ତି କହିଲେ ଚଳେ ସମସ୍ତେ ଯାଇଚନ୍ତି ଯୁଦ୍ଧକୁ ।

 

ଅଶୋକ- ସମସ୍ତେ ଯୁଦ୍ଧକୁ ?

 

ଗଣଭଟ୍ଟ- ଯୁଦ୍ଧକୁ ଯିବେ ନାହିଁ ତ ଜୀଅନ୍ତା ହୋଇ ସେ କଣ କରିବେ ? ବାକି ଯେ ବୁଢ଼ା ବୁଢ଼ା, କେତେ ଜଣ ଅଛନ୍ତି ତାଙ୍କର ମଧ୍ୟ ମରିବା ଉଚିତ । ଆଉ ଯେ ଅଣ୍ଡାବଚା, ଝିଅ ମାଇପେ ହେଇ ରହିଛନ୍ତି, ତାଙ୍କ କଥା ଛାଡ଼ନ୍ତୁ । ସେ ତ ମଣିଷ ନୁହନ୍ତି ଗୋଟାଏ ଗୋଟାଏ ଜନ୍ତୁ । ଘର ଦୁଆର ଯେମିତି ଭଙ୍ଗାଦଦରା, ମଣିଷଗୁଡ଼ାଙ୍କର ବି ସେମିତି ଗଣ୍ଡି ନାହିଁ କି ମୁଣ୍ଡ ନାହିଁ । ଏଡ଼େ ବୋକା ଯେ, ବିଦେଶୀ ବୋଲି ଜଣେ କେହି ମତେ ଠଉରେଇ ପାରିଲେନାହିଁ । ଜୀଅନ୍ତା ମଣିଷର କିଛି ଲକ୍ଷଣ ଥାନ୍ତା ! ଗୋଡ଼ି ମାଟି ପରି ଯୁଆଡ଼େ ଫିଙ୍ଗିଦେଲେ ସିଆଡ଼େ ପଡ଼ିଲେ । ନିଜର ଇଚ୍ଛା ବୋଲି କିଛି ନାହିଁ । ସବୁ କଥାରେ ଖାଲି ଭାଗ୍ୟ- ବସିଲେ ଭାଗ୍ୟ, କାଶିଲେ ଭାଗ୍ୟ, ଯୁଦ୍ଧ କଥା ପଚାରିଲେ ସେହି ଭାଗ୍ୟ ।

 

ଅଶୋକ- ମଗଧ ଗ୍ରାମମାନଙ୍କଠାରୁ କିଛି ପ୍ରଭେଦ ଦେଖିଲ ?

 

ଗଣଭଟ୍ଟ- କିଛି ନାହିଁ, ସବୁ ସମାନ । ଗ୍ରାମ ନୁହେଁ ତ ଶାଳଗ୍ରାମ ।

 

ଅଶୋକ- ବୈଦ୍ଧଶ୍ରମଣ ବେଶରେ ଯାଇଥିଲ ତ ?

 

ଗଣଭଟ୍ଟ- ହଁ ମହାରାଜ ! ଖାଲି ଏହିପରି ଯାଇଥିଲେ ମଧ୍ୟ ମୋହର କେଶାଗ୍ର କେହି ଛୁଇଁ ପାରି ନଥାନ୍ତେ । ତେବେ ଏତିକି ଯେ, ଝିଅବୋହୂମାନେ ଏତେ ନିର୍ଭର ହୋଇ ପାଖକୁ ଆସନ୍ତେ ନାହିଁ । କଳିଙ୍ଗର ନଈ, ପାହାଡ଼ ଯେମିତି ସୁନ୍ଦର, ଝିଅଗୁଡ଼ିକ ସେମିତି ଗୋଟିଏ ଗୋଟିଏ ପ୍ରତିମା । ସେହିମାନଙ୍କର ପାଇଁ ମନଟା ଟିକିଏ ତରଳିଗଲା । ଇଚ୍ଛା ହେଲା, କଳିଙ୍ଗର ପୁରୁଷଯାକ ପଛେ ସମସ୍ତେ ମରନ୍ତୁ; କିନ୍ତୁ ଝିଅଗୁଡ଼ିକ ବିଧବା ନ ହୁଅନ୍ତୁ ।

 

ଅଶୋକ- ତୁମେ ତା’ହେଲେ କଳିଙ୍ଗଯୁଦ୍ଧକୁ ସମସ୍ତଙ୍କଠାରୁ ବେଶି ଉପଭୋଗ କଲ । (ମୃଦୁ ହାସ୍ୟ)

 

ଗଣଭଟ୍ଟ- ହଁ ମହାରାଜ ! କାରଣ ମତେ ଯୁଦ୍ଧଭୂମିକୁ ଯିବାପାଇଁ ପଡ଼ି ନାହିଁ । ଛାମୁ ଯେପରି କାଲିଠାରୁ ଯୁଦ୍ଧ ଜୟ ବିଷୟରେ ନିଶ୍ଚିନ୍ତ ରହି ଆଜି ଯିବାପାଇଁ ଆବଶ୍ୟକ ମନେକଲେ ନାହିଁ, ମଗଧରୁ ଅନୁକୂଳ କରିବା ମାତ୍ରକେ ଯୁଦ୍ଧ କରିବା ମୋ ପକ୍ଷରେ ଅନାବଶ୍ୟକ ବୋଲି ମୁଁ ସେହିପରି ସ୍ଥିର କରିଥିଲି ।

 

ଅଶୋକ- ନା, ଯୁଦ୍ଧ ଜୟ ବିଷୟରେ ନିଶ୍ଚିତ ରହି ଆଜି ମୁଁ ଯେ ଯାଇନାହିଁ ତାହା ନୁହେଁ-। ଯୁଦ୍ଧଟାକୁ ଏତେ ଶୀଘ୍ର ଶେଷ କରିଦେବା ମୋର ଇଚ୍ଛା ନୁହେ । ଯୁଦ୍ଧ ସମୟରେ ହିଁ ମୋର ମନଟା ଯେପରି ଭଲଥାଏ, ଦେହଟା ମଧ୍ୟ ସେହିପରି ।

 

ଗଣଭଟ୍ଟ- ମୋହର ମଧ୍ୟ ଦେହ ମନ ଭାରି ଭଲ ଅଛି । କଳିଙ୍ଗ ଜଳବାୟୁରେ ହଜମ ଶକ୍ତିଟା ଯେପରି ଚାରିଗୁଣ ବଢ଼ି ଯାଇଚି, କଳିଙ୍ଗର ଦୃଶ୍ୟ ଦେଖି ଦୃଷ୍ଟି ଶକ୍ତି ମଧ୍ୟ ଏପରି ବଢ଼ିଚି ଯେ, ଚାରିଟା ଦିନରେ ଚାଳିଶା ଛାଡ଼ିଯାଇଚି ।

 

ଅଶୋକ- ଦୃଷ୍ଟି ଶକ୍ତି ?

 

ଗଣଭଟ୍ଟ- ହଁ ମହାରାଜ, ବର୍ତ୍ତମାନ ବିଶ୍ୱରୂପ ଦର୍ଶନ କରିବାର ସାମର୍ଥ୍ୟ ମଧ୍ୟ ମୋହର ଜାତ ହେଇଅଛି ।

 

(ଅଶୋକଙ୍କର ହାସ୍ୟ)

 

(ଜୟଧ୍ୱନି ଓ ମନ୍ତ୍ରୀ ରାଧାଗୁପ୍ତଙ୍କର ପ୍ରବେଶ)

 

ରାଧାଗୁପ୍ତ- (ଅଭିବାଦନ କରି ଉଦ୍‌ବେଗରେ ଉଚ୍ଛ୍ୱାସରେ) ମହାରାଜାଙ୍କର ଜୟ ହେଉ-। କଳିଙ୍ଗ ଆଜି ସମ୍ପୂର୍ଣ୍ଣ ପରାସ୍ତ ହୋଇଛି ।

 

ଅଶୋକ- (ନିରୁତ୍ସାହ ସ୍ୱରରେ) ଯୁଦ୍ଧ ତେବେ ଆଜିଠାରୁ ଶେଷ ହେଲା ?

 

ଗଣଭଟ୍ଟ- ରାଧାଗୁପ୍ତ ! ଏତେ ଶୀଘ୍ର ଯୁଦ୍ଧ ଶେଷ କରିଦେବା ତୁମର ଉଚିତ ହେଲା କି-? ତୁମେ କଣ ଜାଣନାହିଁ, ଯୁଦ୍ଧ ସମୟରେ ମହାରାଜଙ୍କର ଚିତ୍ତ ସବୁଠାରୁ ବେଶି ପ୍ରଫୁଲ୍ଲ ଥାଏ ଯୁଦ୍ଧବେଳେହିଁ ଭାରତ ସମ୍ରାଟ୍‌ପୃଥିବୀର ଶ୍ରେଷ୍ଠ ବିବେକୀ ଅସାଧାରଣ ସାମ୍ୟବାଦୀ ଆଉ ଆମ୍ଭମାନଙ୍କୁ ସାଧାରଣ ଭାବରେ ଦୁଃଖ ସୁଖ କହିବାର ସୁଯୋଗ ମିଳେ ସେତିକିବେଳେ- ସେତିକିବେଳେ ହିଁ ଛାମୁଙ୍କ ମୁହଁରୁ ପଦେ ଦୁଇପଦ ଖୁସିକଥା ଶୁଣିବାକୁ ପାଇଥାଉଁ ?

 

ରାଧାଗୁପ୍ତ- (ମୃଦୁ ହସି) ମହାରାଜଙ୍କ ଛାମୁରେ ତୁମର ଖୁସି ଗପ କରିବାର ସୁବିଧା ଶେଷ ହେଉନାହିଁ ଗଣଭଟ୍ଟ !ଏହାପରେ ଆହୁରି ଦକ୍ଷିଣକୁ ଆମର ଅଭିଯାନ ହେବ ଚେର,ଚୋଳ ଓ ସିଂହଳ ବିରୁଦ୍ଧରେ ।

 

ଅଶୋକ- ଅବଶ୍ୟ । ଏହାପରେ ସିଂହଳ ବିଜୟ; କିନ୍ତୁ କଳିଙ୍ଗ ଯୁଦ୍ଧ ଏହିଠାରେ ବନ୍ଦ ହେଲା ?

 

ରାଧାଗୁପ୍ତ- ହଁ ମହାରାଜ ! କଳିଙ୍ଗ ସମର ଏହିଠାରେ ହିଁ ବନ୍ଦ ଏବଂ କଳିଙ୍ଗ ରାଜପୁନ୍ତ୍ର ଜୟପାଳ ବନ୍ଦୀ । କଳିଙ୍ଗ ଯୁଦ୍ଧ ମହାରାଜାଙ୍କ ରାଜତ୍ୱକାଳରେ ସର୍ବଶ୍ରେଷ୍ଠ ।

 

ଗଣଭଟ୍ଟ- କାରଣ ମରିଛନ୍ତି ଯେପରି ଲକ୍ଷ ଲକ୍ଷ, ବନ୍ଦୀମାନଙ୍କ ସଂଖ୍ୟା ମଧ୍ୟ ଅଳ୍ପ ନୁହେଁ-

 

ଅଶୋକ- ବାସ୍ତବିକ, ଏଥର ଯୁଦ୍ଧଟା ଭାରି ଭଲ ଲାଗିଲା ।

 

ଗଣଭଟ୍ଟ- କିନ୍ତୁ କଳିଙ୍ଗ ଯଦି ଜୟୀ ହୋଇଥାନ୍ତା, ତାହାହେଲେ କଦାପି ଏତେ ଭଲ ଲାଗିନଥାନ୍ତା !

 

ଅଶୋକ- କଳିଙ୍ଗ ସେନ ଯଦିବା ହାରିଚି, ଯୁଦ୍ଧ କରିଛି ବିଚକ୍ଷଣ । ମଗଧ ସୈନ୍ୟ ତାହା ପାଖରୁ ରଣକୌଶଳ ଶିଖିବାର କଥା । ତାହାର ପଦକ୍ଷେପ, ଶର ମାରିବାର ଭଙ୍ଗୀ, ବ୍ୟୁହ-ରଚନା ପ୍ରଭୁତ ଗୋଟାଏ ଗୋଟିଏ ଛବିରେ ଅଙ୍କା ହେବାର ବସ୍ତୁ ।

 

ଗଣଭଟ୍ଟ- ମଗଧ ସେନାରେ ମଧ୍ୟ ବାହାଦୂରୀ ଥିବ, ମହାରାଜ ! କିନ୍ତୁ ତାହା ଆଲୋଚନା କରିବାକୁ ଏକ୍ଷଣି କାହାକୁ ଫୁରୁସତ୍‌ମିଳିବ ନାହିଁ । ଅବଶ୍ୟ ଏ କଥା ମାନିବାକୁ ହେବ ଯେ, ମଗଧ ସେନା ଯୁଦ୍ଧଭୁଇଁକୁ ଛବି ଅଙ୍କେଇବାକୁ ଯାଏ ନାହିଁ, ମଣିଷ ମାରିବାକୁ ଯାଏ ।

 

ଅଶୋକ- (ରାଧାଗୁପ୍ତଙ୍କୁ ଚାହିଁ) ସୈନ୍ୟ ସାମନ୍ତମାନେ ତେବେ ଯୁଦ୍ଧ ଭୂମିରୁ ଫେରିଛନ୍ତି-?

 

ରାଧାଗୁପ୍ତ- କେବଳ ଗୋଟାଏ ଦଳ ଏ ସମ୍ବାଦ ଦେବାପାଇଁ ଫେରିଆସିଚନ୍ତି । ଆଉ ସମସ୍ତେ ବିଜୟ ଉତ୍ସବରେ ଉନ୍ମତ୍ତ ଏବଂ କଳିଙ୍ଗ ରାଜପ୍ରାସାଦ ଦଖଲ କରିବାରେ ଅନ୍ୟମାନେ ବ୍ୟସ୍ତ ।

 

ଗଣଭଟ୍ଟ- ବାକି ସବୁ ହୁଏତ ଅତି ଆହ୍ଲାଦରେ ଯୁଦ୍ଧ ଭୂଇଁରେ ଶୋଇଯାଇଛନ୍ତି, ଆଉ ଥରେ ନ ଉଠିବା ପାଇଁ । ଆଉ କିଏ ହୁଏତ ହାତ ଗୋଡ଼ ଛିଣ୍ଡାଇ ମଣିଷ ନ ପାଇ ବିଲୁଆ କୁକୁରଙ୍କୁ ସାଥିରେ ଯୁଦ୍ଧ କରୁଚି, ଅନ୍ତତଃ ଘଡ଼ିଏ ଖଣ୍ଡେ ବଞ୍ଚି ଯିବା ଲାଗି- ନୁହେ ରାଧାଗୁପ୍ତ ?

 

ରାଧାଗୁପ୍ତ- ସେହିମାନଙ୍କ ସମାଧି ଉପରେ ମଗଧର ବିଜୟବାନ ଉଡ଼ିବ, ଗଣଭଟ୍ଟ ! ଏ ବିଜୟ ସେହିମାନଙ୍କର ।

 

ଗଣଭଟ୍ଟ- ତାହାହେଲେ ଯେଉଁମାନେ ଜୀବିତ ଅଛନ୍ତି, ସେମାନଙ୍କର ମଧ୍ୟ ଏଠାରେ ନିହିତ ହେବା ଉଚିତ; କିନ୍ତୁ ବିଜୟଟା ମୃତ କିମ୍ବା ଆହାତ ଲୋକଙ୍କର କେମିତି ହବ ? ଯେ ମରି ଶୋଇଚି ସେ ତୁମ ଜୟଧ୍ୱନି ଶୁଣି ପାରିବନାହିଁ । ଯାହାର ହାତ ଛିଡ଼ିଚି, ଗୋଡ଼ ଭାଙ୍ଗିଚି କିମ୍ବା ଆଖି ଫୁଟିଚି, ସେ ଅବଶ୍ୟ ଜୟଧ୍ୱନିଟା ଶୁଣିବ କିନ୍ତୁ ବିଜୟଟାକୁ କେଉଁ ପରିମାଣରେ ଉପଭୋଗ କରିବ, ତାହା ସେହି ଜାଣେ । ମାତ୍ର ଯେଉଁମାନେ ସମ୍ପୂର୍ଣ୍ଣ ଅକ୍ଷତ ଦେହରେ ଫେରିଯିବେ, ଭୋଗ କରିବେ ସେହିମାନେ, ନୁହେଁ କି, ଯଥା- ତୁମେ ଓ ମୁଁ । ଅବଶ୍ୟ ଖାଲି କଳିଙ୍ଗ ବିଷୟରେ ତୁମ କଥା ଲାଗିପାରେ । ସେମାନଙ୍କ ଭିତରୁ ଯେ ମରିଛନ୍ତି, ସେ ଉଦ୍ଧାର ପାଇଲେ । କିନ୍ତୁ ଯେଉଁମାନେ ବଞ୍ଚିରହିଲେ, ସେହିମାନେ ନିର୍ଲ୍ଲଜ ।

 

ଅଶୋକ- ରାଧାଗୁପ୍ତ ! କାଲି ତେବେ ଫେରି ଯିବାର ଆୟୋଜନ କର । ସୈନ୍ୟସାମନ୍ତମାନଙ୍କୁ ସମ୍ବାଦ ଦିଅ, ଏହିଠାରୁ ହିଁ ସିଂହଳ ବିଜୟ ପାଇଁ ଅଭିଯାନ କରାଯିବ । ମଗଧବାହିନୀର ବିଜୟନିଶାଣ ଧଉଳି,ଖଣ୍ଡଗିରି,ଦନ୍ତପୁର ପ୍ରଭୃତି କଳିଙ୍ଗର ବିଶିଷ୍ଟ ସ୍ଥାନମାନଙ୍କରେ ଉଡ଼ାଇ ଦିଅ । ଯାଅ, ତୁରନ୍ତ ଏ ସବୁ ସମାଧାନ କରି ଆସ ।

 

ରାଧାଗୁପ୍ତ- ସମସ୍ତ ଆୟୋଜନ କରାଯାଉଛି, ମହାରାଜ ! ସିଂହଳ ଅଭିଯାନ ପାଇଁ ଧନ ଜନର ଅଭାବ ନାହିଁ । କଳିଙ୍ଗକୁ ହିଁ ସେ ସମସ୍ତ ଯୋଗାଇବାକୁ ହେବ । ଏ ପର୍ଯ୍ୟନ୍ତ କଳିଙ୍ଗରୁ ଯେତେ ଧନ ଆଦାୟ ହୋଇଛି, ତାହା ତିନିଟା ସିଂହଳ ଅଭିଯାନର ଖର୍ଚ୍ଚ ତୁଲାଇ ଦେଇ ପାରେ; କିନ୍ତୁ ଏହି ଘୋର ସମର ପରେ ମହାରାଜ ଟିକିଏ ବିଶ୍ରାମ ନେବେ ନାହିଁ, ସଙ୍ଗେ ସଙ୍ଗେ ପୁଣି...

 

ଅଶୋକ- ବିଶ୍ରାମ ? ସିଂହଳ ଅଭିଯାନ ରାସ୍ତାରେ ଚେର,ଚୋଳ ଓ ପାଣ୍ଡ୍ୟ ପ୍ରଭୃତି ଛୋଟ ଛୋଟ ରାଜ୍ୟ କେତେ ଖଣ୍ଡି କରଗତ କରିବାବେଳେ ବିଶ୍ରାମ ନେବା । ତା’ପରେ ଯବନ ରାଜା ଏଣ୍ଟିଓକାସ୍‌ଙ୍କୁ ପରାସ୍ତ କରି ଚୀନ ଅଭିମୁଖରେ ଯାନ୍ତ୍ରା କରିବା । ପଥରେ ବିଶ୍ରାମ ପାଇଁ ବହୁତ ସମୟ ମିଳିବ ।

 

ରାଧାଗୁପ୍ତ- ତାହାହେଲେ କଳିଙ୍ଗର ବନ୍ଦୀ ସୈନ୍ୟମାନଙ୍କୁ ମଗଧସେନାର ଅନ୍ତର୍ଭୁକ୍ତ କରିବା ଦରକାର । ସେମାନଙ୍କ ଭିତରୁ ଅନେକ ଆମର ବଶ୍ୟତା ସ୍ୱୀକାର କରିଅଛନ୍ତି; କିନ୍ତୁ କଳିଙ୍ଗର ରାଜକୁମାର ଭାରତ ସମ୍ରାଟ୍‌ଙ୍କର ଅଧିନତା ସ୍ୱୀକାର କରିବାକୁ ରାଜି ନୁହନ୍ତି । ସମ୍ରାଟଙ୍କ ଉଦ୍ଦେଶ୍ୟରେ ପ୍ରଣତ ଜଣାଇବାକୁ କହିବାରୁ ଉଗ୍ର ଭାଷାରେ ସେ ଉତ୍ତର କଲେ ଯେ, କଳିଙ୍ଗ ରାଜକୁମାରର ଶିର ଅନ୍ୟ କୌଣସି ସିଂହାସନ ନିକଟରେ ନତ ହେବାକୁ ଶିଖିନାହିଁ । (ବ୍ୟଙ୍ଗହାସ୍ୟ) ଆଉ କେମିତି ତାଙ୍କର ଶିର ନତ ହେବ କେଜାଣି ! ଯୁବକ କି ନା, ଔଦ୍ଧତ୍ୟଟା ଛାଡ଼ି ପାରୁ ନାହାନ୍ତି ।

 

ଅଶୋକ- ତେବେ ତାଙ୍କ ଶିରଚ୍ଛେଦ କରି ମଗଧର ସିଂହାସନ ତଳେ ଗଡ଼ାଇ ଦିଅ ।

 

ଗଣଭଟ୍ଟ- (ବିସ୍ମିତ ହୋଇ) କିଏ, ଜୟପାଳ ! ସେଥର ଯେ ମଗଧ ଯାଇଥିଲେ ? ତାଙ୍କର ଶିରଚ୍ଛେଦ ଆଦେଶ ହେଉଛି ? କିନ୍ତୁ-

 

ରାଧାଗୁପ୍ତ- (ବାଧାଦେଇ) ହଁ, ସେହି ଜୟପାଳ । (ଅଶୋକଙ୍କ ପ୍ରତି) ଆଜି ରାତି ଭିତରେ ଛାମୁଙ୍କର ଆଦେଶମତେ ସବୁ ପ୍ରସ୍ତୁତ କରିବା ଦରକାର ।

 

ଅଶୋକ- ହଁ,ଯାଅ, ତୁରନ୍ତ ସବୁ ଆୟୋଜନ କର ।

 

(ରାଧାଗୁପ୍ତଙ୍କ ପ୍ରସ୍ଥାନ)

 

ଗଣଭଟ୍ଟ- ମହାରାଜ ! ସଙ୍ଗେ ସଙ୍ଗେ ଆଉ ଗୋଟାଏ ଅଭିଯାନ ।

 

ଅଶୋକ- (ମୃଦୁ ହାସ୍ୟ) ହଁ, କାରଣ କଳିଙ୍ଗ ବିଜୟଟା ସଙ୍ଗେ ସଙ୍ଗେ ହଜମ ହୋଇପଡ଼ିଚି ।

 

ଗଣଭଟ୍ଟ- (ଅନୁନୟ ସ୍ୱରରେ) କିନ୍ତୁ ଏଠାରେ ଆଉ ଗୋଟିଏ ଖଣ୍ଡେ ଦିନ-

 

ଅଶୋକ- କାହିଁକି ? ତୁମର ଗ୍ରାମପର୍ଯ୍ୟଟନ କଣ ଶେଷ ହୋଇ ନାହିଁ ?

 

ଗଣଭଟ୍ଟ- କଳିଙ୍ଗଟା ଯେପରି ସ୍ୱାସ୍ଥ୍ୟକର ସେହିପରି ସୁନ୍ଦର । ଏହାର ଶରତ ଆକାଶଟା ମଗଧ ଲଳନାଙ୍କ ଡୋଳା ଅପେକ୍ଷା ଅଧିକ ନୀଳ । ଧଉଳିର ପାଦଦେଶରେ ଏହି କ୍ଷୁଦ୍ର ହ୍ରଦଟିରେ ଯେଉଁ ରକ୍ତପଦ୍ମ ଫୁଟିଚି, ତାହା ପାଣି ଉପରେ କିମ୍ବା ଭିତରେ ବୁଝିବା କଠିନ; ଆଉ ସେହି ପଦ୍ମ ଗନ୍ଧରେ ପବନଟା ମଦାଳସାହୋଇଉଠିଚି । ସୁତରାଂ ପରିଶ୍ରମ କରି ଏତେ ଦୂର ଯେତେବେଳେ ଆସିଛି, ଇଚ୍ଛାହେଉଛି ଆଉ ଦିନେ ଅଧେ ଏଠାରେ ରହି ଭଲକରି ଟିକିଏ ଦେଖିଯାନ୍ତି । ଏତେ ବଡ଼ ଯୁଦ୍ଧଟା ପରେ ଟିକିଏ ଶ୍ରାନ୍ତି ଅପନୋଦନ କରି –

 

ଅଶୋକ- ବାଃ, କବି ନ ହେଲେହେଁ ତମର ତ ଦେଖୁଚି କଳିଙ୍ଗକୁ ଆସି କାବ୍ୟପ୍ରୀତି ଜାତ ହୋଇଛି । କଳିଙ୍ଗ ପାଣି ପବନରେ ଭଲ ହଜମ ହୁଏ ବୋଲି ଶୁଣିଥିଲି, କିନ୍ତୁ ତୁମ ପରି ଅକବିର କବି ହେବାର ଉପସର୍ଗ ଯେ ଏଠାରେ ବାହାରିପାରେ, ତାହା ଏହିକ୍ଷଣି ଜାଣିପାରିଲି ।

 

ଗଣଭଟ୍ଟ- ଯେ କୌଣସି ଜାଗାରେ କବି ହେବାର ସୁବିଧା ଅଛି ମଣିମା ! ସତ କଥା ଛାଡ଼ି ଆଉ ଯାହା କିଛି କହିପାରିଲେ ଏବଂ ନିଜ ସହଧର୍ମିଣୀଙ୍କୁ ଛାଡ଼ି ଆଉ ଯେ କାହାକୁ ପ୍ରୀତି କରିପାରିଲେ ହିଁ କବିତ୍ୱ ଉଦ୍ଭବ ହେଲା । ତେଣିକି ଖାଲି କାଳି କଲମ ଖରଚ କରିବା ପାଇଁ ହାତରେ ପଇସା ଥିବା ଦରକାର । ତେବେ ବିପଦ ଏତିକି ଯେ, ସେଥିରେ ଗୃହିଣୀ ହେବେ ରୁଷ୍ଟ ଓ ସନ୍ତାନ ହେବେ ଦୁଷ୍ଟ । ଗୃହିଣୀ ଭାବିବେ କାବ୍ୟ ତାଙ୍କର ସଉତୁଣୀ, ଆଉ ସନ୍ତାନ ବିଚାରିବେ କାବ୍ୟଛାୟାକୁ ନିଜର କାର୍ଯ୍ୟକଳାପରେ ଫୁଟାଇ ପାରିଲେ ହିଁ ସେ ହେବେ ପିତୃଭକ୍ତ । ମୋହର ଅବଶ୍ୟ ଗୃହିଣୀ କିମ୍ବା ସନ୍ତାନ ନାହାନ୍ତି, ସୁତରାଂ କବି ହେବାର ସମ୍ଭାବନା ଅଳ୍ପ ।

 

ଅଶୋକ- (ମୃଦୁ ହସି) ତୁମେ କିନ୍ତୁ ସବୁ କବିଙ୍କ ପରି ଅଶ୍ଳୀଳ ।

 

ଗଣଭଟ୍ଟ- ମହାରାଜ ! ତାହାର କାରଣ, ସବୁ କବିଙ୍କ ପରି ମୁଁ ଦରିଦ୍ର ଓ ଅସହାୟ । ଅନ୍ୟମାନେ ଯେଉଁଠାରେ କାମ କରନ୍ତି ସେଠାରେ ମୁଁ ଖାଲି କଥା କହେ ଏବଂ ସମସ୍ତଙ୍କଠାରୁ ଅକାମୀ ବୋଲି ଯେଉଁ ସବୁ କଥା କହେ, ସେ ଖାଲି ମୋହର ନିଜର କଥା । ଶ୍ଳୀଳତାର ଛଦ୍ମବେଶରେ ଆଉ ସମସ୍ତଙ୍କୁ ଅନୁକରଣ କରି ନିଜକୁ ମୁଁ ଲୁଚାଏ ନାହିଁ । ନିଜର ଅନୁଭବକୁ ସଫା ସଫା ବ୍ୟକ୍ତ କରେ, କାରଣ ମୁଁ ମନୁଷ୍ୟ ଓ ମନୁଷ୍ୟର ଅନ୍ୟ ନାମ ବ୍ୟକ୍ତି ।

 

ଅଶୋକ- (ପ୍ରୀତ ହୋଇ) ହଉ, ହଉ, କାଲି କିନ୍ତୁ ତୁମର ସକାଳୁ ବୁଲାଟା ହୋଇ ପାରିବ ନାହିଁ । ଖୁବ୍‌ଭୋରରୁ ସିଂହଳ ଯିବାକୁ ହେବ, ବୁଝିଲ ?

 

ଗଣଭଟ୍ଟ- (ହସି ଦେଇ) ଯେତେ କବିତ୍ୱ କଲେ ମଧ୍ୟ ମଗଧ ସମ୍ରାଟଙ୍କୁ ତାଙ୍କ ସଙ୍କଳ୍ପରୁ ତିଳେହେଲେ ଘୁଞ୍ଚାଇବାର ଉପାୟ ନାହିଁ । ମୁଁ ତେବେ ଯାଇ ଏ ଖବରଟା ସଂଘମିତ୍ତ୍ରାଙ୍କୁ ଦିଏଁ । (ହଠାତ୍‌ ସ୍ମରଣ କରି) ହେଉ ମହାରାଜ ! ଏଠାରେ ପଛେ ଦିନଟାଏ ରହିବାର ନ ହେଲା - କିନ୍ତୁ ଆଉ ଗୋଟାଏ ମୋର ପ୍ରାର୍ଥନା ଅଛି, ଅଭୟ ମିଳିଲେ କହିବି ।

 

ଅଶୋକ- ଆଉ କଣ ?

 

ଗଣଭଟ୍ଟ-କଳିଙ୍ଗର ଜୟପାଳଙ୍କ ସାଥିରେ ଆମ ଜେମାଙ୍କର ପୂର୍ବରୁ ଟିକିଏ ବନ୍ଧୁତା ଅଛି - ସେ ଯେତେବେଳେ ମଗଧ ଯାଇଥିଲେ ।

 

ଅଶୋକ- (ରୁକ୍ଷ ସ୍ୱରରେ) ବେଶ୍‌କଥା ! ଜୟପାଳଙ୍କର ମରିବାରେ ତେବେ ସେ ବନ୍ଧୁତା ଭାଙ୍ଗିଯିବାର ଆଉ ତ ଭୟ ନାହିଁ ?

 

ଗଣଭଟ୍ଟ- କିନ୍ତୁ ସଂଘମିତ୍ତ୍ରାଙ୍କ ପ୍ରାଣରେ ଆଘାତ ଲାଗିପାରେ । ଜୟପାଳଙ୍କୁ ବଧ କରିବା ବ୍ୟତୀତ ଆଉ କଣ କିଛି ଦଣ୍ଡ ଦିଆଯାଇପାରେ ନାହିଁ ?

 

ଅଶୋକ- ତୁମେ ତେବେ ସେପରି ଗୋଟାଏ ଦଣ୍ଡର ଆବିଷ୍କାର କର, ଯାହାଦ୍ୱାରା ଜୟପାଳଙ୍କୁ ବଧ ନ କରି ମଧ୍ୟ ସେ ମରିବେ ।

 

ଦ୍ୱାରପାଳ- (ପ୍ରବେଶ ଓ ଜାନୁପାତ କରି) ମହାରାଜ ! ଶିବିର ପାଖରେ ଜଣେ ଅନ୍ଧ ଭିକ୍ଷୁ ଛାମୁଙ୍କର ଅପେକ୍ଷା କରିଛନ୍ତି ।

 

ଅଶୋକ- ଯୁଦ୍ଧଶିବିରରେ ଅନ୍ଧଭିକ୍ଷୁ ?

 

ଅଶୋକ- (ଠିଆହୋଇ) ହଁ ମହାରାଜ ! ଏକାନ୍ତରେ ସେ ସାକ୍ଷାତ୍‌କରିବାକୁ ଚାହାନ୍ତି ।

 

ଗଣଭଟ୍ଟ- କେଉଁ ଜାଗାର ଲୋକ ?

 

ଦ୍ୱାରପାଳ- ତାହା ଜାଣିବାର ଉପାୟ ନାହିଁ । ବେଶଭୂଷାରୁ କେବଳ ବୌଦ୍ଧ ଶ୍ରମଣ ବୋଲି ମନେହୁଏ ।

 

ଗଣଭଟ୍ଟ- ତେବେ ସମ୍ଭବତଃ କଳିଙ୍ଗର ଲୋକ । ବୌଦ୍ଧ ଭିକ୍ଷୁଙ୍କର ସଂଖ୍ୟା କଳିଙ୍ଗ ଛଡ଼ା ଆଉ ଏତେ ବେଶି କେଉଁଠାରେ ? ପୁଣି ବର୍ଷାଦିନର ସାଧବ ବୋହୂ ପରି କଳିଙ୍ଗ ଯୁଦ୍ଧଟା ତ ଆହୁରି ବେଶି ଲୋକଙ୍କୁ ଗେରୁଆ ଲୁଗା ପିନ୍ଧାଇବାର କଥା !

 

ଅଶୋକ- ଆସ ଗଣଭଟ୍ଟ ! ତୁମର ମଧ୍ୟ ସନ୍ନ୍ୟାସୀଙ୍କ ସଙ୍ଗେ ଆଳାପ ହେବା ଦରକାର-। (ସମସ୍ତଙ୍କର ପ୍ରସ୍ଥାନ)

 

(ସଂଘମିତ୍ତ୍ରା ଓ ଜୟପାଳଙ୍କର ପ୍ରବେଶ । ସଂଘମିତ୍ତ୍ରାଙ୍କର ରୂପର ରୁଚିରତା ତାଙ୍କର ଚମ୍ପକରଙ୍ଗର ରେଶମୀ ଶାଢ଼ିକୁ ତୁଚ୍ଛ କରିଦେଉଚି । କୃଷ୍ଣବେଣୀର ପ୍ରାନ୍ତ କୁସୁମଟି କଟିଦେଶକୁ ଅଧିକ ଭଙ୍ଗିମ କରିଅଛି । ଭ୍ରୁଲତାବେଷ୍ଟିତ ଆୟତ ଆଖି ଦୁଇଟିକୁ ଚାହିଁଲେ କୈଳାସ ଶିଖରରେ ତପସ୍ୟାରତ ଗୌରୀଙ୍କର ଧ୍ୟାନମୂର୍ତ୍ତିଟି କଳ୍ପନା କରାଯାଇପାରେ ।

 

ଦର୍ଶକ ମଣ୍ଡଳୀର ଦୃଷ୍ଟିରେ ସେ ଏକ ସ୍ୱପ୍ନପୁରୀର ସୁରନର୍ତ୍ତକୀ । କିନ୍ତୁ ଜୟପାଳଙ୍କ ଦୃଷ୍ଟିରେ ଗୋଟିଏ ବିୟୋଗାନ୍ତକ ମୂର୍ଚ୍ଛନା । ସଂଘମିତ୍ତ୍ରାଙ୍କୁ ସେ ଯେତିକି ଦେଖୁଛନ୍ତି, ଭୁଲୁଚନ୍ତି ସେତକି । କେହି ଲୋକ ମରିବାର ପୂର୍ବ ମୁହୂର୍ତ୍ତରେ ଯଦି ତାକୁ ଜୀବନ ଛଡ଼ା ଆଉ ଯାହା କିଛି ମାଗିବାକୁ କୁହାଯାଏ, ସଂଘମିତ୍ତ୍ରାଙ୍କର ପ୍ରଣୟ ପ୍ରାର୍ଥନାରେ ତାଙ୍କର ଭାଷା ସେହିପରି ସ୍ପୃହାଶୂନ୍ୟ । ସୁତରାଂ ବୟସରେ ସେ ପଚିଶ ପାର ନ ହେଲେହେଁ ଏବଂ ବୀର୍ଯ୍ୟ ଓ ରୂପ ଗୁଣରେ ସଂଘମିତ୍ତ୍ରାଙ୍କର ସୁଯୋଗ୍ୟ ସମକକ୍ଷ ହେଲେ ମଧ୍ୟ, ନିକଟରେ ଜଣେ ରୂପସୀ ଯୁବତୀକୁ ଦେଖିବାର ଚାଞ୍ଚଲ୍ୟ ତାଙ୍କଠାରେ ନାହିଁ । ଆସନ୍ନ ମୃତ୍ୟୁକୁ ସେ ତେତେଦୂର ନିଶ୍ଚୟ କରି ଧରିନେଇଛନ୍ତି ଯେ, ସେ ତାହାକୁ ଜୀବନ ଅପେକ୍ଷା ଅଳ୍ପ ଭୟ କରନ୍ତି । ସେଥିପାଇଁ ଶର ମାରିବାରେ ଯେପରି, ମରଣ ଉପରେ ମଧ୍ୟ ସେହିପରି ତାଙ୍କର ଲକ୍ଷ୍ୟ ସ୍ଥିର ଅଛି ।)

 

ଜୟପାଳ- ଚିତ୍ରକୁଟ ? ହଁ ଜେମା, ଚିତ୍ରକୁଟ ବୁଲିବା କଥା ମନେ ଅଛି । ସେଦିନ ଅବଶ୍ୟ ତୁମ ସାଥିରେ କଥା କହିଥିଲି, ଶିକାର କରିଥିଲି; କିନ୍ତୁ ସେ କେବଳ ସ୍ୱାଧୀନ କଳିଙ୍ଗର ରାଜପୁତ୍ରହିସାବରେ - ମଗଧର ଅନୁଗୃହୀତ ବନ୍ଦୀ ରୂପରେ ନୁହେଁ - ତୁମ କୃପାର ଦାସ ରୂପରେ ନୁହେଁ । (ମୃଦୁହାସ୍ୟ)

 

ସଂଘମିତ୍ତ୍ରା- ତୁମକୁ ମୁଁ ଅନୁଗ୍ରହ କରୁ ନାହିଁ ରାଜପୁତ୍ର ! ତୁମରି ଅନୁଗ୍ରହ ଭିକ୍ଷା କରୁଚି । ନିଜର ସ୍ୱାର୍ଥ ଦୃଷ୍ଟିରେ ତୁମକୁ ମୁଁ ଦେଖୁଚି, ଆପଣାର ସ୍ୱାର୍ଥ ପାଇଁ ତୁମର ମୁକ୍ତି ଲୋଡ଼ୁଚି ।

 

ଜୟପାଳ- (ମୃଦୁ ହସି) ହାୟ ସଂଘମିତ୍ତ୍ରା ! ତୁମ ସ୍ୱାର୍ଥ ପ୍ରଣୟରେ; କିନ୍ତୁ ମୋ ସ୍ୱାର୍ଥ ? ମୋ ସ୍ୱାର୍ଥ ଯେ ମରଣରେ ! ମରିବା ବ୍ୟତୀତ ମୋହର ଯେ ବର୍ତ୍ତମାନ ଅନ୍ୟ ଗତି ନାହିଁ । ନିଜ ସ୍ୱାର୍ଥ ପାଇଁ ତୁମେ ଯେପରି ପିତୃ ଆଦେଶ ଉପରେ ହସ୍ତକ୍ଷେପ କରିଚ, ମୋହ ସ୍ୱାର୍ଥ ପାଇଁ ସେହିପରି ତୁମକୁ ମଧ୍ୟ ମୁଁ ଭୁଲିଚି । କଳିଙ୍ଗର ଲକ୍ଷ ଲକ୍ଷ ମାତା ଓ କନ୍ୟାଙ୍କର ରୋଦନରେ ଏ କାନ ବଧିର ହୋଇସାରିଛି, ତୁମର ପ୍ରୀତିଗୁଞ୍ଜନ ପାଇଁ ତାହା ଅଯୋଗ୍ୟ । କଳିଙ୍ଗ ପ୍ରଜାର ରକ୍ତପାତରେ ଏ ଆଖି ଦୁଇଟା ଅନ୍ଧ, ତୁମର ରୂପ ଦେଖିବାର ସାମର୍ଥ୍ୟତାହାର ନାହିଁ ।

 

ସଂଘମିତ୍ତ୍ରା- ତୁମ ମୁହଁର ମୋ ରୂପର ବନ୍ଦନା ଶୁଣ ମୁଗ୍‌ଧ ହେବାକୁ ଲୋଡ଼ୁନାହିଁ, ଜୟପାଳ ! ମୁଁ ଚାହେଁ ତୁମର ମୁକ୍ତି, ତୁମର ଜୀବନ ।

 

ଜୟପାଳ- ମୁକ୍ତି ? ମଗଧ ସମ୍ରାଟ୍‌ଆଦେଶ କରିଛନ୍ତି ହତ୍ୟା; କିନ୍ତୁ ତାଙ୍କର କନ୍ୟା ଚାହାନ୍ତି ମୁକ୍ତି ? କାରଣ ମୋ ମୁକ୍ତିରେ ତାଙ୍କର ସ୍ୱାର୍ଥ ସିଦ୍ଧି ହେବ । ଠିକ ହେଲା ନାହିଁ ସଂଘମିତ୍ତ୍ରା ସମ୍ରାଟ୍‌ଙ୍କ ଆଦେଶ ଉପରେ ତୁମର ଏପରି ଅନଧିକାର ହସ୍ତକ୍ଷେପ । ସେ ତୁମର ପିତା, ତୁମର ଅଭିଭାବକ ଓ ରାଜା । କିନ୍ତୁ ସନ୍ତାନ ବୋଲି ତାଙ୍କୁ ନ ଜଣାଇ ନ ଶୁଣାଇ ଏପରି ଭାବରେ-

 

ସଂଘମିତ୍ତ୍ରା- ବିଚାରଶୂନ୍ୟ ହୋଇ ଏହା ମୁଁ କରିନାହିଁ, ଜୟପାଳ ! କାରଣ ମୁଁ ଜାଣେ, ତୁମେ ଯଦି ସ୍ୱୀକାର କର, ମଗଧ ସମ୍ରାଟଙ୍କ ଅନୁମତି ପାଇବା ମୋହ ପକ୍ଷରେ କଠିନ ହେବ ନାହିଁ; ମୋ ଅନୁରୋଧରେ ତାଙ୍କ ଆଦେଶକୁ ବିନା ଆପତ୍ତିରେ ସେ ଫେରାଇ ନେଇ ପାରନ୍ତି ।

 

ଜୟପାଳ- (ଧୀର ଅଥଚ ଦୃଢ଼ ସ୍ୱରରେ) କିନ୍ତୁ ମୁଁ ? ମୁଁ ମଧ୍ୟ ଜେମା ନିଜର ଏହି ଗୋପନ ମୁକ୍ତିକୁ ପ୍ରଶ୍ରୟ ଦେବି; କାରଣ ମଗଧ ଜେମା ମୋ ସହିତ ଅକସ୍ମାତ୍‌ ପ୍ରଣୟରେ ଆବଦ୍ଧ ହୋଇଛନ୍ତି ?

 

ସଂଘମିତ୍ତ୍ରା- (ବ୍ୟଥିତ ସ୍ୱରରେ) ଅକସ୍ମାତ୍ ! ହାଃ ହାଃ, ତାହାହେଲେ ଖାଲି ଏତିକି କହ - ତୁମେ ମୋତେ ଘୃଣା ଚକ୍ଷୁରେ ଦେଖ, କାରଣ ମୁଁ କଳିଙ୍ଗର ଶତ୍ରୁ ରାଜ୍ୟର କନ୍ୟା । ଚିତ୍ରକୂଟରେ ବୁଲିଲାବେଳେ ନିର୍ଲଜ୍ଜ ପରି ମୋହର ରୂପ ଗୁଣର ଯେଉଁ ସ୍ତୁତିବାଦ କରିଥିଲ, ତାହା ହେବେ କେବଳ ମିଥ୍ୟା ଓ ଛଳନା ! କହ ଜୟପାଳ ! ଦିନକ ପାଇଁ ମୋତେ ତୁମେ ହୃଦୟରେ ସ୍ଥାନ ଦେଇ ନାହିଁ ?

 

ଜୟପାଳ- (ଚିନ୍ତିତ ହୋଇ) ନା, ମତାମତର ଅଧିକାର ବନ୍ଦୀର ନାହିଁ । ବନ୍ଦୀକର୍ତ୍ତା ମୋହର ହତ୍ୟାର ଆଦେଶ କରିଅଛନ୍ତି, ମୁଁ ତାହା ପାଳନ କରିବି । ତୁମର କୃପାଦୃଷ୍ଟିରେ ପଡ଼ି ମୁକ୍ତି ଲାଭକରିବା ଯେ ମୋହ ପକ୍ଷରେ ଅପରାଧ । ଆଉ ଯେବେ ତୁମ ପ୍ରତି ଆକୃଷ୍ଟ ହେବାର କେବେ କିଛି ସୂଚନା ଦେଇଅଛି, ତେବେ ତାହା କ୍ଷଣିକର ଖିଆଲ ଭାବି ଭୁଲିଯାଅ, ଜେମା !

 

(ଘାତକ ଚଣ୍ଡଗିରିର ପ୍ରବେଶ)

 

ଚଣ୍ଡଗିରି- (ଅଭିବାଦନ କରି) ଜେମାଦେଈ ! ସମୟ ଅତୀତ ହୋଇଯାଉଚି ।

 

ସଂଘମିତ୍ତ୍ରା- ଅଳ୍ପକ୍ଷଣ ଚଣ୍ଡଗିରି ! ଆଉ ଅଳ୍ପକ୍ଷଣ ଅପେକ୍ଷା କର ।

 

(ଚଣ୍ଡଗିରିର ପ୍ରସ୍ଥାନ)

 

ଜୟପାଳ- ଛି ଛି ଜେମା, ସମ୍ରାଟ୍‌ନନ୍ଦିନୀ ତୁମେ-ଚଣ୍ଡଗିରି ତୁମକୁ ଅନୁଯୋଗ କରିବ...ନିଜର ଭୃତ୍ୟ ପାଖରେ ରାଜଜେମାଙ୍କର ଅନୁନୟ !

 

ସଂଘମିତ୍ତ୍ରା- ଜୟପାଳ ! ଚଣ୍ଡଗିରିର ପାଦଦେଶରେ ପଡ଼ିବାକୁ ମଧ୍ୟ ବର୍ତ୍ତମାନ ମୋହର ସଙ୍କୋଚ ନାହିଁ, ଜାଣ ?

 

ଜୟପାଳ- କାହିଁକି ? ମୋହରି ପାଇଁ ? ଛି ଛି, ଘାତକ ହାତରୁ ବନ୍ଦୀକୁ ମୁକୁଳାଇ ଆଣି ସମ୍ରାଟ୍‌କନ୍ୟା ତାହା ସହିତ ଗୋପନରେ ପ୍ରଣୟର ଆଲୋଚନା କରିବେ, ଏ ଘଟନାଟା ମତେ ସବୁଠାରୁ ବେଶି ବ୍ୟଥାହେଉଛି, ଜେମା-ମୃତ୍ୟୁଠାରୁ ମଧ୍ୟ ଅଧିକ ।

 

ସଂଘମିତ୍ତ୍ରା- ସେଥିପାଇଁ ମୁହିଁ କେବଳ ଦାୟୀ, ମୁହିଁ କେବଳ ଦୋଷୀ ।

 

ଜୟପାଳ- (ମୃଦୁ ହସି) ନିଜେ ବନ୍ଦୀ ହୋଇ ମୁଁ ବଦ୍ଧର ଆଦେଶ ପାଇ ସାରିଚି । ଅନ୍ୟକୁ ମୋହପାଇଁ ଦୋଷୀ ଦେଖିବାକୁ ଚାହେଁ ନାହିଁ । କ୍ଷମାକର ସଂଘମିତ୍ତ୍ରା ! ମଗଧର ରାଜନନ୍ଦିନୀଙ୍କ ସଙ୍ଗେ ଏକାନ୍ତରେ ପ୍ରଣୟ ପ୍ରସଙ୍ଗ ଆଲୋଚନା କରିବାକୁ ବନ୍ଦୀର ଅଧିକାର ନାହିଁ । ଏ ପ୍ରଣୟରେ ତୁମେ ବିଚାରଶୂନ୍ୟ ହୋଇପଡ଼ୁଚ । ହୋଇପାରେ, ଚିତ୍ରକୂଟରେ କେବେ ଦିନେ ତୁମ ସାଥିରେ ମିଳନ ହୋଇଥିଲା ଏବଂ ସେତେବେଳେ ହୁଏତ ଅଲକ୍ଷ୍ୟରେ ତୁମ ପ୍ରତି ବେଶି ମନୋଯୋଗ ଦେଇଥିବି । କିନ୍ତୁ –

 

ସଂଘମିତ୍ତ୍ରା- ସେ ତୁମର ପ୍ରକୃତ ମନୋଭାବ ନୁହେଁ ? କହ ଜୟପାଳ ! ସେ ତେବେ ଖାଲି ଶୈଶବର ନିମେଷକ୍ରୀଡ଼ା, ଯୌବନର କ୍ଷଣିକଚାଞ୍ଚଲ୍ୟ, ପୌରୁଷର ଅତର୍କିତ ସ୍ଖଳନ !

 

ଜୟପାଳ- (କ୍ଷଣକାଳ ଚିନ୍ତାକରି) ନା, ସେ କଥା ପ୍ରକାଶ କରିବାକୁ ତ ମୋତେ ଅବସର ମିଳିନାହିଁ !

 

ସଂଘମିତ୍ତ୍ରା- (ଅଳ୍ପ ହସି) କିନ୍ତୁ ବର୍ତ୍ତମାନ ଯଦି ମହାରାଜାଙ୍କଠାରୁ ତୁମର ମୁକ୍ତିର ଆଦେଶ ଆସେ, ତାହାହେଲେ ଅବସର ମିଳିବ ତ ? ତାହାହେଲେ ସେହିପରି ତରଳ ଭାଷାରେ କହିବ ତ - ସଂଘମିତ୍ତ୍ରା ! ତୁମର ହାସ୍ୟ ହିମାଳୟର ପ୍ରଭାତ ତୁସାରଠାରୁ ଅଧିକ କମନୀୟ, ତୁମର ଚକ୍ଷୁ ଶରତର ପଞ୍ଚମୀ ଜ୍ୟୋତ୍ସ୍ନାଠାରୁ ଅଧିକ ମୃଦୁ, ତୁମର ଗତି ଚୈତ୍ରର ସୁଦୂର ଚପଳାଠାରୁ ଅଧିକ ନୃତ୍ୟଶୀଳ- କହିବ ତ ଜୟପାଳ ?

 

ଜୟାପଳ- ମଗଧ ସମ୍ରାଟ୍‌ଏତେ ଶୀଘ୍ର ତାଙ୍କର ମତ ବଦଳାଇ ପାରନ୍ତି ? ଶତ୍ରୁ ଉପରେ ହତ୍ୟାର ଆଦେଶ । ଏହା ଯେ ସ୍ୱପ୍ନଠାରୁ ମଧ୍ୟ ଅସମ୍ଭବ !

 

ସଂଘମିତ୍ତ୍ରା- ହଁ ଜୟପାଳ ! ସେହି ଆଦେଶ ଫେରାଇବାପାଇଁ ମୁଁ ମୋହର ଭାଇ କୁନାଳଙ୍କୁ ମହାରାଜାଙ୍କ ନିକଟକୁ ପଠାଇଅଛି ଏବଂ ଏହି କାରଣରୁ ଚଣ୍ଡଗିରିଠାରୁ ସମୟ ଚାହେଁ । ଅଳ୍ପକ୍ଷଣ ଭିତରେ ତୁମର ମୁକ୍ତିର ଆଦେଶ ଆସିବ ଏବଂ ତା ପରେ ? (ଆଶା ଏବଂ ଆନନ୍ଦରେ ସଂଘମିତ୍ତ୍ରାଙ୍କର ସମସ୍ତ ଦେହ ହସି ଉଠିଲା ।)

 

ଜୟପାଳ- (ସ୍ତବ୍‌ଧ ହୋଇ) ମହାରାଜାଙ୍କଠାରେ ମୋହର ଜୀବନ ଭିକ୍ଷା କରିଚ ? କାରଣ ତୁମ ସାଥିରେ ମୁଁ ପ୍ରଣୟରେ ଆବଦ୍ଧ ? ଛି ଛି, ବଡ଼ ଅନ୍ୟାୟ ଜେମା ! କିପରି ଏହି ହୀନ ପ୍ରସ୍ତାବ କରିବାକୁ ଗଲ ? ନା, ନା, କୁନାଳଙ୍କୁ ଫେରାଇ ଆଣ ! ମୁଁ ମଗଧ ରାଜାଙ୍କର ବିଜିତ ଶତ୍ରୁ । କଳିଙ୍ଗ ଯୁଦ୍ଧରେ ପରାସ୍ତ ହୋଇ ସଙ୍ଗେ ସଙ୍ଗେ ପୁଣି ପ୍ରଣୟର ଅଭିନୟ ! ନା ନା କୁନାଳଙ୍କୁ ଫେରାଇଆଣ, ଜେମା ! ଇସ୍‌, ତୁମର ମଧ୍ୟ ଏପରି ପିଲାମି ଅଛି !

 

ସଂଘମିତା- (ତୀବ୍ର ସ୍ୱରରେ) କାହିଁକି ଜୟପାଳ, ଭୟ ହେଉଚି ? ଯୁଗ ଯୁଗ ଧରି ପୁରୁଷ ନାରୀକୁ ଯେଉଁଭୟ କରିଆସିଚି, ସେହି ଭୟ ? ବିଶ୍ୱର ଯେଉଁ ଆଦିମ ବାସ୍ତବତା ନାରୀ ପାଖରେ ପୁରୁଷକୁ ବିଚଳିତ କରେ, ତାହାରି ଭୟ ? ଯେଉଁ ଭୟରେ ନାରୀ-ପୁରୁଷର ସମ୍ବନ୍ଧ ହତ୍ୟାଠାରୁ ମଧ୍ୟ ଅଧିକ ଗୋପନୀୟ, ମିଥ୍ୟାଠାରୁ ମଧ୍ୟ ଅଧିକ ଲଜ୍ଜାକର ? ଯେଉଁ ଭୟରେ ପୁରୁଷ ନାରୀକୁ ଅବିଶ୍ୱାସ କରେ, ନାରୀ ପୁରୁଷକୁ ବୁଝିପାରେ ନାହିଁ ଏବଂ ଦୁହିଁଙ୍କର ମସ୍ତିଷ୍କ ବିକୃତ ହୁଏ- ସେହି ଭୟ ?

 

ଜୟପାଳ- ନାହିଁ ସଂଘମିତ୍ତ୍ରା, ଭୟ କରିବାକୁ ହେଲେ କଳିଙ୍ଗ ରାଜପୁତ୍ରର କିଛିଦିନ ତାହା ଶିକ୍ଷାକରିବା ଦରକାର । ସେଥିରେ ପୁଣି ନାରୀ- ପୁରୁଷର ଭୟ ! ହାଃ, ହାଃ । କିନ୍ତୁ ଜେମା, ମୋ’ ପ୍ରତି ଯେ ଏତେଦୂର ଆସକ୍ତ, ସେ ମୋହରି ଇଜ୍ଜତକୁ ହାନିକରି ଏତେ ବଡ଼ ହୀନ ପ୍ରସ୍ତାବ ଆଣି ପାରନ୍ତା କିପରି ?

 

ସଂଘମିତ୍ତ୍ରା- ହୀନ ପ୍ରସ୍ତାବ ! ମୁଁ ତୁମର ଜୀବନକୁ ଭଲ ପାଏ ଜୟପାଳ, ମୃତ୍ୟୁକୁ ନୁହେଁ-

 

ଜୟପାଳ- (ଉତ୍ତେଜିତ ହୋଇ) ଜୀବନ ? କାହାକୁ ତୁମେ ଜୀବନ କହ ? ବୋଇତଟିକୁ ପାଣି ଭିତରେ ବୁଡ଼ାଇଦେଇ, ନାଉରୀ ଯେବେ ପଳାଇଯାଇ ନିଜକୁ ବଞ୍ଚାଏ, ସେ ତାହାର ଜୀବନ ? କଳିଙ୍ଗର ଆକାଶ ପୃଥିବୀ ଯେତେବେଳେ ବିକଳ ବିଳାପରେ, ମଥିତ, କଳିଙ୍ଗର ସକଳ ପଥ ରୁଧିର-ରାଗରେ ରଞ୍ଜିତ, ସେତିକିବେଳେ କଳିଙ୍ଗର ରାଜକୁମାର ମଗଧ ଜେମାଙ୍କର ପାଣିଗ୍ରହଣ କରି ମଙ୍ଗଳ ଶଙ୍ଖ ମହୁରୀ ବଜାଇ ଯାତ୍ରାକରିବ- ଆଉ ସେ ତାହାର ଜୀବନ ?

 

ସଂଘମିତ୍ତ୍ରା- କିପରି ବୁଝିବ ଜୟପାଳ ! କଳିଙ୍ଗର ଲକ୍ଷ ଲକ୍ଷ ଲଳନାର କ୍ରନ୍ଦନରୋଳ ଯେଉଁ ହୃଦୟରେ ବାଜିଚି, ନିଜ ଆଗରେ ଗୋଟିଏ ନାରୀର ଅନ୍ତରକୁ କେଉଁ କଠୋରତାରେ ସେ ଦଳି ଦେଇପାରେ !

 

ଚଣ୍ଡଗିରି- (ପ୍ରବେଶ ଓ ଅଭିବାଦନ କରି) ଜେମାଦେଈ, ରାଜଆଜ୍ଞା ଲଙ୍ଘନ ହୋଉଅଛି-

 

ଜୟପାଳ- (ଚମକି ପଡ଼ି) ନା; ଯଥେଷ୍ଟ ହୋଇଚି - ଆଉ ହେବା ପାଇଁ ଦେବି ନାହିଁ, ଯାଉଛି ଜେମା, ତୁମକୁ ବିମୁଖ କରି । ତୁମର ଅର୍ଘ୍ୟକୁ ଅପାତ୍ରରେ ଢାଳିଚ ଜେମା, ସେଥିପାଇଁ ମୁଁ କ୍ଷମାର ଯୋଗ୍ୟ । ଜାଣେ ତୁମର ଅନ୍ତର ବ୍ୟଥିତ ହେବ । ସେହି ବ୍ୟଥାର ଉପଶମ ଲାଗି ଏ ଜୀବନଟା ଦେଇଥାନ୍ତି ହେଲେ ! କିନ୍ତୁ ଜେମା, ଏ ଜୀବନର ପୁଣ୍ୟ ଯେ ଅତି ସାମାନ୍ୟ । ଆଉ ଏହି ଅଯୋଗ୍ୟ ପାଇଁ ତୁମର ବିଳାପ ଯଦି ସତ୍ୟ ହୁଏ, ତେବେ ତାହା କେବଳ ଧ୍ୱନିରେ ସମାପ୍ତ ହେବନାହିଁ, କେବଳ ଦୀର୍ଘଶ୍ୱାସରେ ନିଭିଯିବ ନାହିଁ । ସେ ରୋଦନ କଳିଙ୍ଗ-ମଗଧରେ ରୁଦ୍ଧ ହେବନାହିଁ-(ସଂଘମିତ୍ତ୍ରାଙ୍କର ଆଖିପତା ଓଦା ହୋଇଉଠିଲା) ଦେଶେ ଦେଶେ, ସ୍ଥାନେ ସ୍ଥାନେ ତାହା ମୁଖରିତ ହୋଇ ଉଠିବ -ମୃତ୍ୟୁ ପାଇଁ ନୁହେଁ ଜେମା, ସତ୍ୟ ପାଇଁ; ମିଥ୍ୟା ପାଇଁ ନୁହେଁ, ବାସ୍ତବ ପାଇଁ । ଦିଅ, ଚଣ୍ଡଗିରି ! ଏ ହାତଟା ତ ମୋହର କୌଣସି ଘାତକର ହାତଠାରୁ ଅଳ୍ପ କଠୋର ନୁହେଁ ! ନୁହେଁ ଜେମା ? (ସଂଘମିତ୍ତ୍ରାଙ୍କୁ ମୃଦୁହାସ୍ୟରେ ଚାହିଁ କ୍ଷିପ୍ରଗତିରେ ଚଣ୍ଡଗିରିର ଶିଥିଳ ହାତର ଛୁରୀ କାଢ଼ିନେଲେ ଏବଂ ଆଖି ପଲକରେ ନିଜ ବକ୍ଷରେ ବିଦ୍ଧକରି ଭୂମି ଉପରା ଲୁଣ୍ଠିତ ହେଲେ)

 

ସଂଘମିତ୍ତ୍ରା- (ଦ୍ରୁତପଦରେ ବାଧାଦେବାକୁ ଯାଇ ଜୟପାଳଙ୍କୁ ତଳେ ପଡ଼ିଯାଇଥିବାର ଦେଖିଲେ । ତତ୍‌ପରେ ତାଙ୍କ ବକ୍ଷ ଉପରେ ହାତ ରଖି ଗଦ୍‌ଗଦ୍‌ଭାଷାରେ) ଜୟପାଳ – ଜୟଅନ୍ତକ-! ତୁମେ ଯେ ମୋହର ସର୍ବସ୍ୱ ଘେନିଗଲେ !

 

ଜୟପାଳ- (କ୍ଷୀଣ କଣ୍ଠରେ ସଂଘମିତ୍ତ୍ରାଙ୍କ ହାତ ଉପରେ ହାତରଖି) ଆଉ ସଂଘମିତ୍ତ୍ରା ! ତୁମର ଏହି ସ୍ପର୍ଶ ଭିତରେ ମୁଁ ଯେ ସମସ୍ତ ବିଶ୍ୱର ସ୍ପର୍ଶ ଅନୁଭବ କରୁଚି ।

 

ସଂଘମିତ୍ତ୍ରା- (ବିଳାପ ଓ କାତର ଭାବ) ହାୟ କପଟ ! ଦିଅ ତେବେ ସେହି ଛୁରୀକା - ତୁମରି ଉଷ୍ଣ ରକ୍ତରେ ଆପ୍ଲୁତ- ଏ ବକ୍ଷର ରକ୍ତ ସଙ୍ଗେ ତାକୁ ଯୋଗକରେଁ ଜୀବନବ୍ୟାପୀ ତୃଷ୍ଣାର ନିବୃତ୍ତି ପାଇଁ । (ଜୟପାଳଙ୍କ ବକ୍ଷର ଛୁରୀ କାଢ଼ିବାକୁ ଯିବାର ସେ ସେହି ଛୁରୀ ଉପରେ ହାତରଖି ବାଧାଦେଲେ ।)

 

ଜୟପାଳ- (କ୍ଷୀଣ ଅନୁନୟ ସ୍ୱରରେ) ନା, ନା, ଏ କଣ ? ଚଣ୍ଡଗିରି, ଛୁରୀ କାଢ଼ିନେଇ ରାଜଜେମାଙ୍କ ଜୀବନ ରଖ । (ଧୀରେ ଧୀରେ) ପ୍ରଣୟ ଅପେକ୍ଷା ଜୀବନଟା ଯଥେଷ୍ଟ ବଡ଼, ସଂଘମିତ୍ତ୍ରା ! (ଚଣ୍ଡଗିରି ସହସା ଛୁରୀ କାଢ଼ି ନେବା ସଙ୍ଗେ ସଙ୍ଗେ ଜୟପାଳଙ୍କର ବକ୍ଷଦେଶ ରକ୍ତସ୍ମାତ ହୋଇଉଠିଲା; କିନ୍ତୁ ମୃତ୍ୟୁ ପୂର୍ବରୁ ତାଙ୍କର ମୁଖ ବିକୃତ ହେଲାନାହିଁ । ସମ୍ଭବତଃ ଏହି ସମ୍ବାଦ ଦେବାପାଇଁ ଚଣ୍ଡଗିରି ସେଠାରୁ ଦ୍ରୁତ ପ୍ରସ୍ଥାନ କଲା) (ସଂଘମିତ୍ତ୍ରା ବିମୂଢ଼ ଦୃଷ୍ଟିରେ ଜୟପାଳଙ୍କ ରୁଧିର ଧାରକୁ ଚାହିଁ ରହିଥିବା ସମୟରେ ଗୀତ ଗାଇ ଗାଇ କୁନାଳଙ୍କର ପ୍ରବେଶ ।)

 

ଏ ଜୀବନ କୂଳେ କି ଗୀତ ଗାଇଲୁ,

ହେ ପ୍ରଣୟି !

ଗଭୀର ନିଶାରେ କି ବେଣୁ ବାଇଲ,

ହେ ପ୍ରଣୟି !

ଦଶ ଦଶ ଆଜି ହେଲା ସଚେତନ

ତୁଟିଲା ନିଦ୍ରା ତୁଟିଲା ସପନ

ସଜଳ ନୟନେ କିପାଇଁ ଚାହିଁଲ,

ହେ ପ୍ରଣୟି !

ଦୂରେ ଦୂରେ ତବ ମିଶିଗଲା ଗୀତ ଛନ୍ଦ

ତମସାର କୋଳେ ଭାସିଗଲା ଫୁଲ ଗନ୍ଧ

ନିଶା ଅଭିସାରେ ହେଲ ଅନୁରାଗୀ

କେଉଁ ପୀରତିର ପରିଣୟ ଲାଗି,

କେଉଁ ବିଧୁରାଗ ପରାସ ବହିଲ,

ହେ ପ୍ରଣୟି !

 

ସଂଘମିତ୍ତ୍ରା- (କୁନାଳଙ୍କ ନିକଟକୁ ଉଠିଆସି) ଭାଇ କୁନାଳ !

 

କୁନାଳ- ଏ କଣ ସଂଘମିତ୍ତ୍ରା ? କଣ୍ଠ ଏପରି ସଜଳ କାହଁକି ? ଜୟପାଳ କେଉଁଠାରେ-?

 

ସଂଘମିତ୍ତ୍ରା - ଜୟପାଳଙ୍କ ଶବ ଏଠାରେ ଶୟାନ ।

 

କୁନାଳ- (ବିସ୍ମିତ ହୋଇ) କଣ ! ଚଣ୍ଡଗିରି ଏହି ଅଳ୍ପ ସମୟ ଅପେକ୍ଷା କଲା ନାହିଁ !

 

ସଂଘମିତ୍ତ୍ରା- ଚଣ୍ଡଗିରିର ଅପେକ୍ଷାକୁ ଜୟପାଳ ଗ୍ରହଣ କଲେ ନାହିଁ, ଭାଇ ! ସେ ଯେ ଚଣ୍ଡଗିରିଠାରୁ ଅଧିକ କୃତାନ୍ତ !

 

କୁନାଳ- ତାହାହେଲେ ନିଜ ହାତରେ - କିନ୍ତୁ ମହାରାଜ ତାଙ୍କର ତ ମୁକ୍ତି ଆଦେଶ ଦେଇଅଛନ୍ତି !

 

ସଂଘମିତ୍ତ୍ରା- ସେ ମୁକ୍ତକିୁ ଜୟପାଳ ଗ୍ରହଣ କରନ୍ତେନାହିଁ- ମୃତ୍ୟକୁ ହିଁ ସେ ତାଙ୍କର ସର୍ବଶ୍ରେଷ୍ଠ ମୁକ୍ତିବୋଲି ଜ୍ଞାନ କଲେ ।

 

କୁନାଳ- ସଂଘମିତ୍ତ୍ରା ! ଉଠ ଭଉଣୀ, ଆଉ ବିଳାପ କରିବାର ବେଳ ନାହିଁ । ଜୟପାଳଙ୍କ ସମାଧି ବ୍ୟବସ୍ଥା କରି ତୁମକୁ ସଙ୍ଗେ ସଙ୍ଗେ ପିତାଙ୍କ ନିକଟକୁ ଯିବାକୁ ହେବ । ଉଠ ! ଆଉ ବିଳମ୍ବ ନୁହେଁ ।

 

ସଂଘମିତ୍ତ୍ରା- କାହିଁକି ? ସମ୍ରାଟ୍‌କଣ ଅସୁସ୍ଥ ହୋଇପଡ଼ିଚନ୍ତି ?

 

କୁନାଳ- ଅସୁସ୍ଥ ହେବାଠାରୁ ଯଥେଷ୍ଟ ବେଶି । ତୁମେ ଯେପରି ଜୟପାଳଙ୍କ ମୃତ୍ୟୁକୁ ନିଜର ସର୍ବଶ୍ରେଷ୍ଠ ସତ୍ୟ ବୋଲି ମନେକରୁଛ, ମହାରାଜ ମଧ୍ୟ ସେହିପରି ମୋହର ଅନ୍ଧ ଦଶାଟାକୁ ତାଙ୍କ ଜୀବନର ଦାରୁଣ ସତ୍ୟରୂପେ ଗ୍ରହଣ କରିଅଛନ୍ତି । ତାଙ୍କ ସାଥିରେ ବଡ଼ ଅସମୟରେ ଦେଖା କଲି ସଂଘମିତ୍ତ୍ରା ! କେବଳ ଜୟପାଳଙ୍କ ଜୀବନ ପାଇଁ...କିନ୍ତୁ ଫଳ ହେଲା ସାଙ୍ଘାତିକ ।

 

ସଂଘମିତ୍ତ୍ରା- (ଦୁଃଖ ଓ ବିସ୍ମୟରେ) କଣ ହେଲା ?

 

କୁନାଳ- ମୋହର ଅନ୍ଧଦଶା ଶୁଣିସାରି ମହାରାଜ ମୋଟେ ଦୁଇଟି କଥା କହିଛନ୍ତି, ତାହା ପରଠାରୁ ସମ୍ପୂର୍ଣ୍ଣ ନୀରବ ।

 

ସଂଘମିତ୍ତ୍ରା- ମୋଟେ ଦୁଇଟି କଥା ?

 

କୁନାଳ- ହଁ ଭଉଣୀ ! ଏହା ଗୋଟିଏ ବିଷମ ଅସ୍ୱାଭାବିକ ଅବସ୍ଥାର ଲକ୍ଷଣ । ବିମାତାଙ୍କର ନୃଶଂସ ବ୍ୟବହାର ଜାଣିପାରି ପ୍ରଥମ ଆଦେଶ କଲେ ତିଷ୍ୟରକ୍ଷିତାଙ୍କର ଯାବଜ୍ଜୀବନ ନିର୍ବାସନ ।

 

ସଂଘମିତ୍ତ୍ରା- ନିର୍ବାସନ !

 

କୁନାଳ- ଶିରଶ୍ଛେଦ ଆଦେଶ ମୋହରି ଅନୁରୋଧରେ ରହିତ ହେଲା । ଦ୍ୱିତୀୟ ଆଦେଶ କଲେ ଜୟପାଳଙ୍କର ମୁକ୍ତି । ତାହାପରେ ଶିବିରରୁଦ୍ଧ କରି ରହିଛନ୍ତି । କାହାରିକୁ ସାକ୍ଷାତ୍‌ପାଇଁ ମନା । ଗଣଭଟ୍ଟ ସେଠାରେ କଥା କହିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଅତ୍ୟନ୍ତ ବିରକ୍ତି ପ୍ରକାଶ କରି ତାଙ୍କୁ ମଧ୍ୟ ସଙ୍ଗେ ସଙ୍ଗେ ବିଦାୟ କରିଦେଲେ ।

 

ସଂଘମିତ୍ତ୍ରା- ହଁ, ଭାଇ, ତୁମ ପ୍ରତି ତାର ସ୍ନେହ ଯେପରି ବିମୂଢ଼ ଥିଲା, ତୁମର ଦୁଃଖ ତ ତାଙ୍କୁ ଅଧିକ ବିମୂଢ଼ କରିବାର କଥା ।

 

କୁନାଳ- କିନ୍ତୁ ମୋ ଦୁଃଖରେ ମୁଁ ନିଜେ ତ ଏତେଦୂର ବିଚଳିତ ନୁହେଁ ? ଲୋକେ କହନ୍ତି, ପିତା ନ ହେଲେ ପୁତ୍ରସ୍ନେହ ବୁଝିବା କଠିନ ହୋଇପାରେ । କିନ୍ତୁ ସେଥିରେ ସେ ଏତେଦୂର ବିବ୍ରତ ହେବାର ମୁଁ ତ ଆଉ କେବେ ଦେଖିନାହିଁ ?

 

ସଂଘମିତ୍ତ୍ରା- ଆଉ କଣ, କଳିଙ୍ଗ ଯୁଦ୍ଧ ? କଳିଙ୍ଗ ଯୁଦ୍ଧରେ ସେ କ୍ଲାନ୍ତ ହୋଇ ପଡ଼ିବେ ! ଯୁଦ୍ଧ ସେ ତାଙ୍କର କ୍ରୀଡ଼ାଠାରୁ ମଧ୍ୟ ଅଧିକ ଆହ୍ଲାଦର ସାମଗ୍ରୀ ? ତାହାହେଲେ ସଙ୍ଗେ ସଙ୍ଗେ ପୁଣି ସିଂହଳ ଅଭିଯାନର ଆୟୋଜନ ହୁଅନ୍ତା କାହିଁକି ?

 

କୁନାଳ- ଅସମ୍ଭବ ନୁହେଁ, ସଂଘମିତ୍ତ୍ରା ! କ୍ରୀଡ଼ାର ମଧ୍ୟ ମନୁଷ୍ୟର କ୍ଲାନ୍ତି ଆସେ । ଐଶ୍ୱର୍ଯ୍ୟ, ବିଭୂତି, ଖ୍ୟାତି-କ୍ଷମତା, ସ୍ୱାସ୍ଥ୍ୟ ସୌନ୍ଦର୍ଯ୍ୟ କେଉଁଠାରେ ତାହାର କ୍ଲାନ୍ତି ନାହିଁ ? ବାରମ୍ବାର ନିଜକୁ ଠକି ସେ କ୍ଳାନ୍ତିକୁ ଆମେ ଦୂରରୁ ଦୂରକୁ ଠେଲିନେଉଁ । କିନ୍ତୁ ଅଲକ୍ଷରେ ତାହା ମଧ୍ୟେ ମଧ୍ୟେ ଆମକୁ ଗ୍ରାସ କରି ବସେ - ଜଗତର ସବୁ ତ୍ରୁଟି ଅଭାବ ପାଇଁ ନିଜକୁହିଁ ଦିନେ ଦାୟୀ ବୋଲି ଜ୍ଞାନ କରୁଁ । ଯାହା ଆହାର କରୁ, ଉପାର୍ଜନ କରୁଁ, ତାକୁ ମଧ୍ୟ ଦିନେ ଅପହରଣ ବୋଲି ମନେ କରୁଁ ।

 

ସଂଘମିତ୍ତ୍ରା- ତାହାହେଲେ ମହାରାଜ ଯେ ଜୟପାଳଙ୍କ ପ୍ରତି ଏତେ ସହଜରେ ମୁକ୍ତିର ଆଦେଶ କଲେ, ତାହାର କାରଣ ତୁମର ଏହି ଅନ୍ଧଦଶା ?

 

କୁନାଳ-ହଁ, ସଂଘମିତ୍ତ୍ରା ! ଜୟପାଳଙ୍କ ମୁକ୍ତିର ଅନୁରୋଧ ମୋହଠାରୁ ଶୁଣିସାରି ଉତ୍ତର କଲେ, ‘‘ହେଉ କୁନାଳ, ତୁମର ପ୍ରାପ୍ୟ ତୁମେ ତ ମୋହଠାରୁ ଆଦାୟ କରି ନେଇଅଛ, ସଂଘମିତ୍ତ୍ରା ଆଉ ବାକି ରହିବ କାହିଁକି ? ସମସ୍ତ ଜଗତଟାର ଦେୟ ଯେ ଭାରତ ସମ୍ରାଟକୁ ପରିଶୋଧ କରିବାକୁ ପଡ଼ିବ !’’ ଯାଅ ଭଉଣୀ ! ଏପରି ଅବସ୍ଥାରେ ତାଙ୍କ ପାଖରେ ତୁମର ରହିବାହିଁ ବେଶି ଦରକାର ବୋଲି ମୁଁ ଭାବୁଚି । ଯାଅ, ଆଉ ବିଳମ୍ବ ନୁହେଁ ! ପ୍ରତି ମୁହୂର୍ତ୍ତରେ ହିଁ ଜଗତଟା ସତ୍ୟ, ହୋଇ ଉଠୁଚି, ଜେମା ! ସେଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ ।

 

ସଂଘମିତ୍ତ୍ରା- କିନ୍ତୁ ମୁଁ ଯାଇ ମହାରାଜଙ୍କୁ କି ସାନ୍ତ୍ୱନା ଦେବି, ଭାଇ !

 

କୁନାଳ- ତାଙ୍କର ନିକଟତମ ଆତ୍ମୀୟମାନଙ୍କ ଭିତରୁ ତୁମ ଛଡ଼ା ଆଉ କିଏ ଅଛି, କହ ? ନିଜର ସହଧର୍ମିଣୀ ତାଙ୍କର ଶତ୍ରୁତାଚରଣ କରି ନର୍ବାସିତା । ତାହାପରେ ତ ମଗଧର ଭ୍ରାତୃବିରୋଧ ଲାଗି ରହିଅଛି । ସୁସୀମ ସିନାନିହତ, ବୀତଶୋକଙ୍କୁ କଣ ବିଶ୍ୱାସ କରାଯାଏ ? ମଗଧର ଘରେ ଘରେ ତ ବିଦ୍ରୋହ ନିଆଁ କୁହୁଳି ଉଠୁଚି !

 

ସଂଘମିତ୍ତ୍ରା- କିନ୍ତୁ ତୁମର କଣ ଏହିକ୍ଷଣି ପିତାଙ୍କ ପାଖରେ ରହିବା ଉଚିତ ନୁହେଁ, ଭାଇ-?

 

କୁନାଳ- ମୁଁ ? ମତେ ଯେ ବର୍ତ୍ତମାନ ସିଂହଳ ଯିବାକୁ ହେବ ! କଳିଙ୍ଗ ସମରଠାରୁ ସିଂହଳ ଯୁଦ୍ଧ ସେ ଅଧିକ ଭୀଷଣ ହେବ, ସଂଘମିତ୍ତ୍ରା ! ସେଥିପାଇଁ ତ ସିଂହଳକୁ ଟିକିଏ ଆଗରୁ ପ୍ରସ୍ତୁତ କରିବା ଦରକାର ! ମୋତେ ଆଉ ସମୟ କାହିଁ, କହ ?

 

ସଂଘମିତ୍ତ୍ରା- (ଅଭିମାନରେ) କିନ୍ତୁ ମୋହରି କେବଳ ସମୟ ଅଛି ? ମଗଧ ସମ୍ରାଟ୍‌ଙ୍କ ଲାଗି ମୋହରି କେଳବ କର୍ତ୍ତବ୍ୟ ଅଛି, ତୁମର ନାହିଁ ?

 

କୁନାଳ- ତୁମ କର୍ତ୍ତବ୍ୟ ତୁମକୁ ହିଁ ସ୍ଥିର କରିବାକୁ ହେବ, ଭଉଣୀ ! ମୁଁ କେବଳ ଭାବୁଥିଲି, ମହାରାଜଙ୍କର ଏପରି ଦୂରବସ୍ଥାରେ ତୁମେ ପାଖରେ ରହିଲେ ତାଙ୍କର ଅବା କିଛି ଉପକାର ହୁଅନ୍ତା !

 

ସଂଘମିତ୍ତ୍ରା- ନୁହେଁ କଣ ! କାରଣ ମୋହରି ପାଇଁ ସେ ଜୟପାଳଙ୍କୁ ବିନା ଆପତ୍ତିରେ ମୁକ୍ତିଦାନ କରିଅଛନ୍ତି । ଆଉ ତୁମେ ? ତୁମେ ଏହି ଅନ୍ଧଦଶାରେ ଏକା ହୋଇ ସିଂହଳ ଯିବ ?

 

କୁନାଳ- ହଁ ଜେମା ! ସିଂହଳକୁ ପୂର୍ବପରି ଟିକିଏ ପ୍ରସ୍ତୁତି କରିବାକୁ ହେବ ।

 

ସଂଘମିତ୍ତ୍ରା- କାହିଁକି ? ଯୁଦ୍ଧପାଇଁ ?

 

କୁନାଳ- (ମୃଦୁ ହସି) ହଁ, ହଁ, ଯୁଦ୍ଧପାଇଁ - କିନ୍ତୁ ସେ ଯୁଦ୍ଧ ଟିକିଏ ନୂଆଧରଣର- କଳିଙ୍ଗ ସମରଠାରୁ ତାହା ଆହୁରି ବିଚିତ୍ର ହେବ, ଆହୁରି ଚମତ୍କାର ! ସେ ଯୁଦ୍ଧକୁ କିଏ ଆସିବେ ଜାଣ ? ସିଂହଳର ବାଳକ,ବନିତା ଓ ବୃଦ୍ଧ । ସେହିମାନେ ଆସି ମଗଧ ସେନାର ସମ୍ମୁଖରେ ଠିଆ ହେବେ- ସାଧାରଣ ବେଶ ପିନ୍ଧି, ଖାଲିହାତରେ । ସେଇମାନଙ୍କ ଉପରେ ହିଁ ମଗଧସେନାର ଶରବୃଷ୍ଟି ହେବ-। କେମିତି...ଖୁବ୍‌ ଚମତ୍କାର, ନୁହେଁ ?

 

ସଂଘମିତ୍ତ୍ରା- (ଉଦ୍‌ବେଗ ସହ) ଆଉ ସିଂହଳ ପକ୍ଷରେ ଅଗ୍ରଣୀ ହେବ କିଏ ଜାଣ ? ମଗଧ ସମ୍ରାଟଙ୍କ କନ୍ୟା- ସଂଘମିତ୍ତ୍ରା ।

 

କୁନାଳ- (ସବିସ୍ମୟ) ତୁମେ ? ସିଂହଳ ଯିବ ?

 

ସଂଘମିତ୍ତ୍ରା- ନହେଲେ ସିଂହଳର ଝିଅ ପୁଅମାନଙ୍କ ଆଗରେ କିଏ ଠିଆହେବ, ଭାଇ ? ମରିବାକୁ ହେଲେ ଆଗ ହୋଇ ମରିବ ତେବେ କିଏ ?

 

କୁନାଳ- ସିଂଘମିତ୍ତ୍ରା ! ତୁମେ ବର୍ତ୍ତମାନ ଗୋଟାଏ ସଦ୍ୟ ଆଘାତରେ ବିଚଳିତ ହୋଇ ପଡ଼ିଚ ଟିକିଏ ସ୍ଥିର ହୋଇ ବିଚାର କର; ଭଉଣି !

 

ସଂଘମିତ୍ତ୍ରା- ସ୍ଥିରହେବି ? କାହାକୁ ତୁମେ ସ୍ଥିର କହ ? ସେ ଆଘାତ ଯେ ସତ୍ୟର ଆଘାତ ! ସେ ଆଘାତରେ ଉତ୍ତୁଙ୍ଗ ହିମାଳୟ ମଧ୍ୟ ତୃଣ ପରି ନମ୍ର ହୁଏ; ସମ୍ରାଟ ମୁକୁଟ ଖସି ଭୁମିତଳେ ଲୁଣ୍ଠିତ ହୁଏ । ସେହି ଆଘାତ ହିଁ ମୋ ଦ୍ୱାରରେ ମୁହୁର୍ମୂହୁଃ ବାଜି ଉଠିଚି । ଏତେଦିନ ଆଜି ତାହାରି ଡାକ ମୋ କାନରେ ଲାଗିଚି । ସ୍ଥିର ହେବି କିପରି ? ତାହାଠାରୁ ମୁହଁଫେରାଇବା ଯେ ଅସମ୍ଭବ; ରାଜରାଜେଶ୍ୱର ପକ୍ଷରେ ମଧ୍ୟ । ସେ ଆଘାତ ଯେ ମୋହର ଦ୍ୱାର ମୋଚନ କରି ପଥ ଉପରକୁ ଡାକୁଚି- ସ୍ଥିର ହେବି କିପରି ?

 

କୁନାଳ- ସେଥିପାଇଁ ଚିନ୍ତା ଓ ସମୟ ଦରକାର ଜେମା । ସେ ପଥ ଅତି ଦୁର୍ଗମ !

 

ସଂଘମିତ୍ତ୍ରା- କାରଣ ତାହା ଅତି ସହଜ । ଚିନ୍ତା ଓ ସମୟର ସାହାଯ୍ୟ ନେଇ ସହଜକୁ ଆମେ ଜଟିଳ କରୁଁ । ଯେ ନିଜେ ଆସି ହାତ ପାଖରେ ଧରା ଦିଏ, ତାହାଠାରୁ ମୁହଁ ଫେରାଉ । ପ୍ରତି ମୁହୂର୍ତ୍ତରେ ଆଖି ଆଗରେ ଜରାବ୍ୟାଧିଗ୍ରସ୍ତ ଜୀବନକୁ ଦେଖୁଁ, ପ୍ରତିକ୍ଷଣରେ ମରଣର ବିଳାପ ଶୁଣୁଁ । ସେଥିପାଇଁ ବ୍ୟଥା ଜନ୍ମିଲେ ତାକୁ କହୁ ଦୁର୍ବଳତା । ନିଜେ ମରି ଅନ୍ୟକୁ ମାରୁଁ । ଅନ୍ତରର ଅନ୍ଧକୂପରେ ଆବଦ୍ଧ ରହି ନିଜକୁ ଠକୁଁ । କିନ୍ତୁ ଭାଇ ! ଜଗତରେ ଯେଉଁ -ଅଳ୍ପ କେତେ ଜଣ ବଞ୍ଚନ୍ତି, ସେମାନେ କେବଳ ସହଜରେହିଁ ବଞ୍ଚନ୍ତି । ଆଉ ଆମେ ? ଆମେ ଏହି ସହଜକୁ ହିଁ ସବୁଠାରୁ ବେଶି ଭୟ କରୁଁ, ଭାଇ ! ଆକାଶରେ ଏହି ଗ୍ରହ ତାରା ସହଜରେ ପ୍ରକାଶ ପା’ନ୍ତି । ଯେଉଁ ରଶ୍ମି ପୃଥିବୀକୁ ଆଲୁଅ ଦିଏ ତାହାର ପଥ ତ ବଙ୍କା ନୁହେଁ ! ଏହି ଦୟା ନଈଟି ଅତି ସହଜରେହିଁ ନିଜ ପଥ ବାଛି ନେଇଛି ! ଏହି ଧଉଳି ପାହାଡ଼, ବୃକ୍ଷ-ଲତା, ପଶୁପତଙ୍ଗ ସବୁ ତ ସହଜ ! କିନ୍ତୁ ମଣିଷ- ମଣିଷତ କାହିଁ ସହଜ ହେଲା ନାହିଁ !

(ଯବନିକା)

 

ପଞ୍ଚମ ଅଙ୍କ

 

[ଶିବିର ଭିତରେ ଅଶୋକ ନିଦ୍ରିତ । କିନ୍ତୁ ମଝିରେ ମଝିରେ କଡ଼ ମୋଡ଼ିବାରେ ଓ ହାତ ପାଦ ହଲାଇବାରେ ତାଙ୍କର ନିଦ୍ରା ଭଲ ହେଉ ନାହିଁ ବୋଲି ମନେହୁଏ । ଅଳ୍ପ ଦୂରରେ ଦୁଇଜଣ ସୈନିକ ଜଗି ରହିଚନ୍ତି । ରାତି ଅଧିକ ହେବାରୁ ସେମାନଙ୍କ ଆଖିରେ ମଧ୍ୟ ତନ୍ଦ୍ରା ଲାଗିଚି । ଅଶୋକଙ୍କର ମୁକ ଅସ୍ୱାଭାବିକ ବ୍ୟସ୍ତତାରେ ମଳିନ । ସମସ୍ତ ଦେହରେ ରକ୍ତ ଯେପରି ସେଠାରେ ଜମା ହୋଇଅଛି ଶିବିର ଭିତରେ ଛୋଟ ପ୍ରଦୀପ ଆଲୋକରେ ତାଙ୍କର ଲଲାଟର ରେଖାକୁଞ୍ଚନ ଏବଂ ଘନ ଘନ ମୁଖର ଭାବ ପରିବର୍ତ୍ତନରୁ ମନେହୁଏ, ଜାଗରଣ ସମୟରେ ଅନ୍ତରର ଯେଉଁ ବ୍ୟସ୍ତତାକୁ ସେ ଗୋପନ କରିବାକୁ ଚାହୁଁଥିଲେ, ସ୍ୱପ୍ନରେ ତାହା ଅବାଧରେ ଆତ୍ମପ୍ରକାଶ କରିଅଛି । ତାଙ୍କରଐଶ୍ୱର୍ଯ୍ୟମୟ ଜୀବନରେ ମଧ୍ୟ ଗୋଟିଏ ବିରାଟ ଦୈନ୍ୟର ଛାୟା ଲୁକକାୟିତ । ରକ୍ଷୀ ଦୁଇଜଣ କିଛିକ୍ଷଣ ପଦଚାରଣ କରିବା ପରେ-]

 

ପ୍ରଥମ ରକ୍ଷୀ- ଦଣ୍ଡେ ଖାଲି ଆଖି ମୁଦି ଦେବି ଭାଇ ! ତାହା ପରେ ପଛେ ତୁ ଟିକିଏ ଶୋଇଯିବୁ ।

 

ଦ୍ୱିତୀୟ ରକ୍ଷୀ- ନା ନା, ଆଖି ମୁଦିବା ସାଙ୍ଗେ ସାଙ୍ଗେ ତୋହର ପୁଣି ନାକ ଡାକିବ । ସେଥିରେ ମହାରାଜ ଉଠିବେ, ଶିବିର ଗୋଟାକର ସମସ୍ତେ ଧନୁଶର ଧରି ଧାଇଁବେ, ଆଉ ଦଶ ବର୍ଷ ପାଇଁ ମୋ ଆଖିରୁ ନିଦ ଛାଡ଼ିଯିବ । ସେଦିନ ତୁ ଯାହା ମତେ କରିଚୁ, ଖାଲି ବୁଦ୍ଧି ଦିଶିଗଲା- ନାକଟାକୁ ତୋହର ଚିପି ଧରିଲି ବୋଲି ସିନା ! ନ ହେଲେ ତୁ କଣ ଆଉ ସଂସାରରେ ରଖିଥିଲୁ ମତେ ? ଆଉ ଦିନେ ପୁଣି ସେହି କଥା କରିବି ? କେଭେ ନୁହେଁ । ଏମିତି ଯାହାର ନିଦ, ସେ ରାଜଘର ଚାକିରି କରିବ କାହିଁକି ? ଘର ଭିତରେ ଶେଯ ପାରି ଘୁଙ୍ଗୁଡ଼ି ମାରୁନୁ ?

 

ପ୍ରଥମ ରକ୍ଷୀ - ଭାଇ, ରଜାଘର ଚାକିରି କଲି ବୋଲି ଶୋଇବି ନାହିଁ, ଏ କଥା ତ କେହି ମତେ ଆଗରୁ କହି ନାହିଁ, ଜାଣିବ କେମିତି ? ଦେଖୁଚୁତ ଆଠ ଦିନ ହେଲା ଆଖିରେ ଟିକିଏ, କସାପଡ଼ି ନାହିଁ । ଦଣ୍ଡେ ଘଡ଼ିଏ ଯାହା ଟିକିଏ ଆଖି ମୁଦି ଦେଖିବାକୁ ବେଳ ମିଳୁଚି, ସେଥିରେ ପୁଣି ଏ ବିଟଳାଗୁଡ଼ାଙ୍କର ହଣାମରା ଦେଖି ସବୁବେଳେ ଛାତି ଥରୁଚି । ଦିହ ହାତ ସବୁବେଳେ ସଲି ଉଠୁଚି-କୋଉଁଠି ଚୋଟଟାଏ ବସିଗଲା ପରା....ଶରଟାଏ ଲାଗିଗଲା ପରା ! ଆଜି ଏତେଦିନକେ ଟିକିଏ ଯାହା ଫୁର୍‌ସତ୍‌ମିଳିଚି - ତତେ ଭଲା ନେହୁରା ହେଉଚି, ଭାଇ ! (ଶୋଇବାକୁ ଉଦ୍ୟତ)

 

ଦ୍ୱିତୀୟ ରକ୍ଷୀ- ହାଁ, ଖବରଦାର୍‌ ! ସାଙ୍ଗେ ସାଙ୍ଗେ ଯାଇ ସରଦାର୍‌କୁ କହିଦେବି । ତେଣିକି ଭଲ ହୋଇ ଶୋଇ ପଡ଼ିବୁ ଯେ ଆଉ ନିଦ ଭାଙ୍ଗିବ ନାହିଁ, ବୁଝିଲୁ ?

 

ପ୍ରଥମ ରକ୍ଷୀ- ଭୟ ଓ ବିସ୍ମୟରେ ଏଁ ? ଏଡ଼େ ଅବିଶ୍ୱାସୀ ତୁ ? ତୋ କଥା ଭଲା ମୁଁ କାହା ଆଗରେ କହେଁ ?

 

ଦ୍ୱିତୀୟ ରକ୍ଷୀ- ମୋ କଥା କଣରେ ? ମୁଁ କଣ ଚୋରି କରିଛି ନା ନାରୀ କରିଛି ? ପନ୍ଦର ବର୍ଷ ହେଲା ଚାକିରି କଲିଣି, ମୋ କାମରେ ଜଣେ କିଏ ଗୋଟାଏ ଖଇଚା ବାହାର କରି ଦେବ ? ତୁ ନା, ତୋହ ପରି ପଣେ !

 

ପ୍ରଥମ ରକ୍ଷୀ- (ସୁପାରିସ ଆଶାରେ) ହେଁ ହେଁ, ନାହିଁ ଭାଇ ! ସେ କଥା କଣ ତତେ ମୁଁ କହିଲି ? ହେଲେ ଭାଇ, ତୋ ପରି ସମସ୍ତେ କଣ ଚାକିରି ବଜେଇ ପାରିବେ ? ଚାକିରି ପାଇଁ ଭୋକ, ଶୋଷ, ନିଦ, ଅଳସ ତୋହ ପରି ପୁଣି ଛାଡ଼ି ପାରିବ କିଏ, କହିଲୁ ? ହେଲେ ଆମର ପରା ମଣିଷ ଜନ୍ମ । ତୋହ ସାଥିରେ ତୁ ଆଉ ସମସ୍ତଙ୍କୁ ତଉଲିଲେ ଚଳିବଟି କି ?

 

ଦ୍ୱିତୀୟ ରକ୍ଷୀ- କାହିଁକି ? ଦରମା ନେଲାବେଳକୁ ତମର ସବୁ ତ ଊଣା ପଡ଼ୁନାହିଁ ? ଖାଲି କାମ ବେଳକୁ ସବୁ ରୋଗଯାକ ମାଡ଼ି ବସୁଚି ! ବାର ରୂପରେ ମତେ ଫୁସୁଲାଇ ତମେ ସବୁ କିଏ ଶୋଇବ, କିଏ ଖେଳିବ; ଆଉ ଧରପଗଡ଼ ବେଳକୁ କେହି ଜଣେ ପିଠିରେ ପଡ଼ିବ ନାହିଁ ବାଃ !

 

ପ୍ରଥମ ରକ୍ଷୀ- ଦେଖିବୁନି ଭାଇ ! ଆଜି କେଭେ କେହି ଉଠିବେ ନାହିଁ, କି ଜାଣିବେ ନାହିଁ । ମହାରାଜ ଉଠିଲେ ବି କଣ କଥା କହିବେ ? ଦେଖୁଚୁ ତ ରାଜକୁମାରଙ୍କ ସାଥିରେ ଯେତିକି କଥା ହୋଇଥିଲେ, ସେତିକି-ଆଉ ଥରେ ଭଲା ମୁହଁ ଫିଟେଇଲେଣି ? (ନିମ୍ନ ସ୍ୱରରେ) କିରେ, ରାଇଜ ଗୋଟାକର ପରା ମୁହଁ ବନ୍ଦ କରେଇଥିଲେ ? ତାଙ୍କ ମୁହଁ ବନ୍ଦ ନ ହେଇଯିବ କୁଆଡ଼େ ? ଉଧାର ସେରକ କଣ ସବୁଦିନେ ତିନି ପାଆ ହେଇ ରହିଥିବ କି ? ଦିନେ ତ ପୁଣି ପାଞ୍ଚ ପାଆ ହେବ !

 

ଦ୍ୱିତୀୟ ରକ୍ଷୀ- (ଭୀତ ଦୃଷ୍ଟିରେ ଅଶୋକଙ୍କୁ ଚାହିଁ ଓ ପରେ) ଚୁପ୍‌, ଚୁପ୍‌! ତତେ ଏ ସବୁ କଥା କହିବାପାଇଁ କିଏ ପଚାରିଚି ରେ ? ଖବରଦାର୍‌ !

 

ପ୍ରଥମ ରକ୍ଷୀ- କଣ କରିବି ଭାଇ ! ଶୋଇବାକୁ ତ ଟିକିଏ ଦେଉନାହୁଁ, କଥା ନ ଗପିଲେ ନିଦ ଛାଡ଼ିବ କେମିତି ? କଣ କହୁଚୁ, କହିଲୁ ? ଦେଖୁଚୁ ତ ଆଜି ଯୁଦ୍ଧ ସରିବାରୁ କୁମ୍ଭକର୍ଣ୍ଣ ପରି ସମସ୍ତେ ଏକ୍ଷଣି ଶୋଇପଡ଼ିଚନ୍ତି । ସେଥିରେ ଭଲା ତାଙ୍କ ଉପରେ ହାତୀ ଚାଲିଗଲେ ବି ଉଠିବେ ? ଟିକିଏ ଖାଲି ଏଇଠି ପଡ଼ିଯାଏଁ ଭଲା- ତେଣିକି ତୁ ଯାହା କହିବୁ ତାହା କରିବି । ଏ ମାସ ଦରମାରରୁ ପଛେ ଅଧେ ଦେବି ତୋତେ ।

 

ଦ୍ୱିତୀୟ ରକ୍ଷୀ- (ପ୍ରଥମ ରକ୍ଷୀର ପ୍ରତିଶ୍ରୁତିରେ ପ୍ରସନ୍ନ ହୋଇ) କିନ୍ତୁ ତୋର ନାକ ?

 

ପ୍ରଥମ ରକ୍ଷୀ- (ବିରକ୍ତ ହୋଇ) ନାକ ! ନାକଟାକୁ ପଛେ ସେଦିନ ପରି ମୁଦି ଧରିବୁ- ଆଉ କଣ ?

 

ଦ୍ୱିତୀୟ ରକ୍ଷୀ- ନାକ ମୁଦିଲେ ପୁଣି ପାଟି ଯେ କଥା କହିବ ? ହଉ ଶୁଅ ତେବେ ମୂଳରୁ କିନ୍ତୁ କହି ରଖୁଚି, ପାଟି ନାକ ଦୁଇଟା ଯାକ ମୁଦି ଧରିବି । ନ ହେଲେ ତୁ ଯେମିତି ବିଳି ବିଳଉ-

 

ପ୍ରଥମ ରକ୍ଷୀ- (କ୍ରୋଧ ଓ ବିରକ୍ତିରେ) କେତେ ଫଟେଇ ହେଉଚୁରେ ? ମୁଁ ଯେବେ ବ୍ରହ୍ମା ହେଇଥାନ୍ତି, ସେହି ପୁଣି ବେଦ ହୁଅନ୍ତା; ଜାଣୁ ?

 

ଦ୍ୱିତୀୟ ରକ୍ଷୀ- (ବିଦ୍ରୁପ କରି) ହଃ ! ବେଦରେ ଆଉ କଣ କଣ ଅଛି କି- ସେବତୀ ଗୁଡ଼ିଆଣୀ, ଘରୁ ଆରିଷା ପିଠା ଚୋରି, ଆଉ ଧରାପଡ଼ିଯାଇ ତା ସାଥିରେ କଜିଆ ।

 

ପ୍ରଥମ ରକ୍ଷୀ- (ଆଖି ତରାଟି) ଚୁପ୍‌ ! ତତେ ଏ କଥା କିଏ କହିଲା ?

 

ଦ୍ୱିତୀୟ ରକ୍ଷୀ- (ଦୃଢ଼ସ୍ୱରରେ) ତୁଇ କଇଚୁ ।

 

ପ୍ରଥମ ରକ୍ଷୀ- (ବିସ୍ମିତ ହୋଇ) ମୁଁ କହିଚି ?

 

ଦ୍ୱିତୀୟ ରକ୍ଷୀ- (ହସି ହସି) ମନେନାହିଁ ? ସେଦିନ ରାତିରେ ନିଦରେ ଯେତେବେଳେ ବେଦ କହିଥିଲୁ ? ମୁଁ ଏଣେ ପଚାରିବାକୁ, ତୋହର ତେଣେ ବଖାଣ ।

 

ପ୍ରଥମ ରକ୍ଷୀ- ଆଉ କଣ କହିଚି ? (ଲଜ୍ଜା ଓ ବିରକ୍ତିରେ ସେ ବ୍ୟସ୍ତ ହୋଇପଡ଼ିଲା ।)

 

ଦ୍ୱିତୀୟ ରକ୍ଷୀ- ସବୁ କହିଚୁ- ଘରଭିତର କଥାଗୁଡ଼ାକ- ତୁ ତୋହର ପୁଅକୁ କିପରି ଶିଖାଇଦେଉ, ଆଉ ସେ ତାହାର ମାଆକୁ ମାଡ଼ ଚଢ଼ାଏ ।

 

ଦ୍ୱିତୀୟ ରକ୍ଷୀ- ପାଜି ସଇତାନ ! ଆଗରୁ ପରା କହିଥିଲି, ମତେ ତୁ ରଗେଇବୁ ନାହିଁ ? ରାଗିଲେ ମତେ ବେଶୀ ନିଦ ଆସେ ! (ସେହିଠାରେ ହିଁ ଶୋଇପଡ଼ିଲା ।)

 

ଦ୍ୱିତୀୟ ରକ୍ଷୀ- (ବସିପଡ଼ି ଓ ପ୍ରଥମ ରକ୍ଷୀକୁ ହାତରେ ହଲାଇ) କି ରେ ବାଃ । ସାଙ୍ଗେ ସାଙ୍ଗେ ନିଦ ଆସିଗଲା ? ହଉ, ହଉ ତୋହର ବେଦ ବାହାରିବା ଯାଏ ମୁଁ ମଧ୍ୟ ଏହିଠାରେ ଜଗି ରହିଲି । (କିନ୍ତୁ ସେ ମଧ୍ୟ ଦୁଇ ପାଖକୁ ମୁଣ୍ଡ ଝୁଲାଇ ଘୁମାଇବାକୁ ଲାଗିବ ଏବଂ ଅଳ୍ପକ୍ଷଣପରେ ସେହିଠାରେ ଢଳିପଡ଼ି ନିଦ୍ରାଗଲା । ମୁହୂର୍ତ୍ତକପାଇଁ ସମସ୍ତେ ଶିବିରଟି ଅନ୍ଧକାରରେ ଆଚ୍ଛନ୍ନ ହେଲା ଏବଂ ପର ମୁହୂର୍ତ୍ତରେ ଗୋଟାଏ ରକ୍ତରଶ୍ମି ଧୀରେ ଧୀରେ ସଞ୍ଚାଳିତ ହୋଇ ଅଶୋକଙ୍କର ଚକ୍ଷୁ ଓ ମୁଖକୁ ଆଲୋକିତ କଲା । ସେହିରଶ୍ମି ସଙ୍ଗରେ ସମସ୍ତେ ଦେହ କଳା ପରିଧାନରେ ଆବୃତ କରି ଚାରିଗୋଟି ପ୍ରେତତ୍ମା ତାଙ୍କର ନିକଟବର୍ତ୍ତୀ ହେଲେ । ରଶ୍ମିପାତରେ ତନ୍ଦ୍ରାଳସ ଆଖି ଖୋଲି ଅଶୋକ କ୍ଷଣକପାଇଁ ଚାହିଁଲେ ଏବଂ ତତ୍‌ପରେ ବନ୍ଦକରିଦେଲେ ।)

 

ପ୍ରଥମ ପ୍ରେତତ୍ମା- (ଅଗ୍ରସର ହୋଇ) ମଗଧ ସମ୍ରାଟ୍ !

 

ଦ୍ୱିତୀୟ ପ୍ରେତତ୍ମା- ଅଶୋକ !

 

ତୃତୀୟ ପ୍ରତାତ୍ମା- ଶୁଣିପାରୁଚ, ମହାରାଜ !

 

ଅଶୋକ- (ବିଚଳିତ ଭାବରେ ଆଖି ଖୋଲି) ଏ କଣ ତୁମେ ସବୁ କିଏ ? ମୁଁ କଣ ଶୋଇଚି ?

 

ଦ୍ୱିତୀୟ ପ୍ରେତତ୍ମା- (ତାଚ୍ଛଲ୍ୟ ଭାଷାରେ) ନାହିଁ, ନାହିଁ, ଚାହିଁଚ ବର୍ତ୍ତମାନ- ଆଜିଯାଏ କେବଳ ଶୋଇଥିଲ ।

 

ଅଶୋକ- କିନ୍ତୁ କିଏ ତୁମ୍ଭେମାନେ ? କାହା ଆଗରେ ଏପରି ଅସଂଯତ ଭାଷାରେ କଥା କହୁଚ, ଜାଣ ତ ?

 

ଦ୍ୱିତୀୟ ପ୍ରେତାତ୍ମା- (ଦୃଢ଼ ସ୍ୱାରରେ) ଜାଣୁ- ମଗଧ ସମ୍ରାଟ୍‌ଙ୍କ ଆଗରେ-କଅଣ ? ଠିକ୍‌ନୁହେଁ ? ହାଃ ହାଃ !

 

ଚତୁର୍ଥ ପ୍ରେତାତ୍ମା- ହାଃ ! ହାଃ ସମ୍ରାଟ୍‌ !

 

ପ୍ରଥମ ପ୍ରେତାତ୍ମା- ମଗଧ ସମ୍ରାଟ୍‌ଙ୍କଠାରୁ ଭାଷାର ସଂଯମ ଶିଖିବାପାଇଁ ଆସିଚୁ ଆମେ-!

 

ଅଶୋକ- (ଅର୍ଦ୍ଧେକ ଗାତ୍ରୋତ୍‌ଥାନା କରିବାକୁ ଯାଇ କ୍ରୋଧ ବିବ୍ରତ ଦୃଷ୍ଟିରେ) ବିନାନୁମତିରେ- କିଏ ତୁମେ ମାନେ ?

 

ତୃତୀୟ ପ୍ରେତାତ୍ମା- (ତୀକ୍ଷ୍‌ଣ ସ୍ୱରରେ) ଠିକ୍‌କଥା, ଠିକ୍‌କଥା ! ମଗଧ ସମ୍ରାଟ୍‌ଙ୍କ ବିନାନୁମତିରେ କାହାରି ଯେ ମରିବାକୁ ମଧ୍ୟ ଅଧିକାର ନାହିଁ !

 

ଚତୁର୍ଥ ପ୍ରେତାତ୍ମ- ଆମେ କିନ୍ତୁ କାହାରିକୁ ନ ଜଣାଇ ନ ଶୁଣାଇ ସମ୍ରାଟ୍‌ଙ୍କ ଶିବିର ଭିତରେ ପଶିଛୁଁ ।

 

ତୃତୀୟ ପ୍ରତାତ୍ମା- (ବିଦ୍ରୁପ ସହ) ଉଃ, ବଡ଼ ଅପରାଧ ! କ୍ଷମା କର ମହାରାଜ !

 

ଦ୍ୱିତୀୟ ପ୍ରେତାତ୍ମା- କିନ୍ତୁ କ୍ଷମା କରିବାକୁ ଶିଖିଚ ତ ଅଶୋକ ? ସ୍ମରଣ କଲ- ସମସ୍ତ ଜୀବନରେ ଦିନେ ହେଲେ କାହାକୁ କ୍ଷମା କରି ପାରିଚ ?

 

ପ୍ରଥମ ପ୍ରେତାତ୍ମା- କ୍ଷମା ! ଭାରତ ସମ୍ରାଟ୍ କ୍ଷମା କରିବେ ! ଛି, ଛି, ସେ କେବଳ ଦୁର୍ବଳ ଲୋକର ଛଳନା ! କାପୁରୁଷର ଲକ୍ଷଣ !

 

ଅଶୋକ- (କ୍ରୁଦ୍ଧ କଣ୍ଠରେ) କିଏ ଅଛରେ....ଏମାନଙ୍କୁ ଏଠାରୁ ବାହାର କର ।

 

ତୃତୀୟ ପ୍ରେତାତ୍ମା- (ବୃଦ୍ଧାଙ୍ଗୁଳି ଦେଖାଇ ଅଙ୍ଗଭଙ୍ଗୀରେ) ହାଃ ! ହାଃ ! ନାହିଁ, ନାହିଁ ମହାରାଜ ! କେହି ଆମକୁ ବାହାର କରିବା ଆଗରୁ ଆମେ ସମସ୍ତଙ୍କୁ ବାହାର କରିଦେଇ ଆସିଚୁଁ ।

 

ଦ୍ୱିତୀୟ ପ୍ରେତାତ୍ମା- ଆଉ ତୁମର ଶିବିର ଗୋଟାକୁ ଦଖଲ କରି ବସିଛୁ !

 

ଚତୁର୍ଥ ପ୍ରେତାତ୍ମା- କାରଣ ଆମେ ଏଠାରେ ଅଧିକାରୀ- କଳିଙ୍ଗ ସମର ଜୟ କରିଛୁଁ ଆମେ- ହାଃ ! ହାଃ !

 

ଅଶୋକ- (କ୍ରୋଧାନ୍ଧ ହୋଇ ଦୁର୍ଦ୍ଦମ ଚେଷ୍ଟାରେ ଶର୍ଯ୍ୟାରୁ ଉଠିବାକୁ ଗଲେ । କିନ୍ତୁ ଶକ୍ତିହୀନତାର ହତାଶରେପୂର୍ବ ପରି ଶର୍ଯ୍ୟା ଉପରେ ପଡ଼ି ରହିଲେ । ମୁଖରେ ବୈଗୁଣ ଓ ନୈରାଶ୍ୟର ଛବି ଫୁଟି ଉଠିଲା) ଇସ୍‌ !

 

ପ୍ରଥମ ପ୍ରେତାତ୍ମା- ହେଉ, ହେଉ, ଆଉ ଟିକିଏଏ ଚେଷ୍ଟା ହେଉ, ମହାରାଜ ! ଭାରତ ସମ୍ରାଟ୍‌ଙ୍କ ଦେହରେ ଏବେ ମଧ୍ୟ ଯଥେଷ୍ଟ ଶକ୍ତି ଅଛି ସିଂହଳ ବିଜୟ ପାଇଁ ! (ଆଘାତ କରିବା ପାଇଁ ଅଶୋକ ନିଜର ହାତ ଉଠାଇବାକୁ ଚେଷ୍ଟା କଲେ, କିନ୍ତୁ ପାରିଲେ ନାହିଁ ।)

 

ତୃତୀୟ ପ୍ରେତାତ୍ମା- ଆହା ! ବଡ଼ ଦୁଃଖ, ବଡ଼ ଅପମାନ ! ନିଜର ହାତଟି ଉଠାଇବାକୁ ମଧ୍ୟ ଭାରତ ସମ୍ରାଟ୍‌ଙ୍କ ଦେହରେ ହିମତ୍‌ନାହିଁ ।

 

ଅଶୋକ- (କାତର ଦୃଷ୍ଟିରେ) ଏ କଣ ? ମୋ ଦେହର ସବୁ ଶକ୍ତି କିଏ ଚୋରିକରିନେଲା ?

 

ଚତୁର୍ଥ ପ୍ରେତାତ୍ମା- (ପରିହାସ ସ୍ୱରରେ) ଆମେ ! ଆମେ ସବୁ ଯେ ତୁମର ଶକ୍ତି ! ଆମକୁ ଛାଡ଼ି ଯେ ଅସ୍ତିତ୍ୱ ତୁମର ନାହିଁ !

 

ତୃତୀୟ ପ୍ରେତାତ୍ମା- ତୁମର ଶକ୍ତି, ଐଶ୍ୱର୍ଯ୍ୟ, ଖ୍ୟାତି, ସମ୍ଭ୍ରମସବୁ ଯେ ଗଢ଼ିଚୁ ଆମେ !

 

ଦ୍ୱିତୀୟ ପ୍ରେତାତ୍ମା- ଆଉ କଣ ଅଶୋକ ? ଆଉ କାହିଁରେ ଦରକାର ତୁମର ? ସିଂହଳ ବିଜୟ ? ଚୀନ ଅଭିଯାନ ?

 

ପ୍ରଥମ ପ୍ରତାତ୍ମା- ରୂପବତୀ କନ୍ୟା ? ଶକ୍ତିଶାଳୀ ପୁତ୍ର ? ଗୁଣବତୀ ଭାର୍ଯ୍ୟା ? କାହିଁରେ ତୁମର ଅଭାବ ?

 

ଅଶୋକ- (ରୂଢ଼ ସ୍ୱରରେ) ଭାରତ ସମ୍ରାଟ୍‌ଭିକ୍ଷା କରିବାକୁ କେବେହେଲେ ଜାଣି ନାହିଁ ! ତାହାର ପ୍ରାପ୍ୟ ସେ ନିଜ ଶକ୍ତିରେ ଆଦାୟ କରିଅଛି ।

 

ତୃତୀୟ ପ୍ରେତାତ୍ମା- ନିଜ ଶକ୍ତି ! ଆମେମାନେ ତେବେ କେହି ନୋହୁ ?

 

ଅଶୋକ- ଚାଲିଯାଅ !

 

ଚତୁର୍ଥ ପ୍ରତାତ୍ମା- (ଅଙ୍ଗଭଙ୍ଗୀ କରି ବିଦ୍ରୂପରେ) ଚାଲିଯିବୁ ? କେଉଁ ଦେଶକୁ ଚାଲିଯିବୁ, ମହାରାଜ ? ସିଂହଳ ଗଲେ ବି ତୁମ ସାଥିରେ, ମଗଧ ଗଲେବି ତୁମ ସାଥିରେ !

 

ଦ୍ୱିତୀୟ ପ୍ରେତାତ୍ମା- ଆଉ ଚୀନ ଗଲେ ମଧ୍ୟ ତୁମ ସାଥିରେ ! ହାଃ-ହାଃ !

 

ପ୍ରଥମ ପ୍ରେତାତ୍ମା- ତୁମ ସାଥି ଆମେ ଛଡ଼ିବୁ କିପରି, ଅଶୋକ ?

 

ତୃତୀୟ ପ୍ରେତାତ୍ମା- ହାଃ, ହାଃ ! ତୁମ ସାଥିରେ ଯେ ଅଭେଦ ପ୍ରୀତି ଆମର !

 

ଅଶୋକ- (ବିବ୍ରତ ହେଇ) ତୁମକୁ ସବୁ ମୁଁ ଜାଣେନାହିଁ, ଚାଲିଯାଅ ।

 

ପ୍ରଥମ ପ୍ରେତାତ୍ମା- (ଦୁଇପଦ ପକାଇ ଅଗ୍ରସର ହେଲା ଏବଂ ଅଶୋକଙ୍କ ଆଗକୁ ଆସି) ସ୍ଥିର ହୁଅ ମହାରାଜ ! ଜାଣ, ଜାଣ, ସମସ୍ତଙ୍କୁ ଜାଣ । ଭଲ କରି ଟିକିଏ ଆଖି ଖୋଲି ଚାହିଁଲ-! ହଁ, ହଁ, ମଗଧ ସମ୍ରାଟ୍‌ଙ୍କ ଆଦେଶ ! କିନ୍ତୁ ସେଥିରେ ଯେ ଆମେ ବହୁ ଦୂରରେ ! କାହାରି ଅନୁମତି ପାଇଁ ଅପେକ୍ଷା ରଖୁ ନାହିଁ-ଘର ବାହାର ସବୁ ସମାନ ଆମ ପାଖରେ କୋଠା କୁଡ଼ିଆର ପ୍ରଭେଦ ଆମକୁ ଜଣା ନାହିଁ !

 

ଅଶୋକ- (ଭୟମିଶା ବିସ୍ମୟ ଦୃଷ୍ଟିରେ) ତୁମେ ?

 

ପ୍ରଥମ ପ୍ରେତାତ୍ମା- ହଁ- ହଁ ମୁହିଁ । ଚିହ୍ନିପାରୁଚ ମଗଧ ସମ୍ରାଟ୍‌ ଏଥର ଚିହ୍ନି ପାରୁଚ ?

 

ଅଶୋକ- (ସ୍ତବ୍‌ଧ ବିସ୍ମୟରେ ଓ ବିସ୍ଫୋରିତ ଦୃଷ୍ଟିରେ) ତୁମେ ସୁ-ସୀ-ମ ?

 

ପ୍ରଥମ ପ୍ରେତତ୍ମା- ଠିକ୍‌, ଠିକ୍‌! ସୁସୀମ ! ମଗଧ ସମ୍ରାଟ୍‌ଙ୍କର ଆପଣାର ବଡ଼ଭାଇ- ତକ୍ଷଶିଳାର ଅଧିନାୟକ ସୁସୀମ ହାଡ଼ରେ ଯାହାର ମଗଧ ସିଂହାସନକୁ ପାହାଚ ତିଆରି ହେଇଚି- ମୁଣ୍ଡରେ ଯାହାର ଭାରତ ସମ୍ରାଟ୍‌ର ମୁକୁଟ ତିଆରି ହେଇଚି- ଆଉ ରକ୍ତରେ ଯାହାର ? ସେହି ସୁସୀମ ମୁଁ ଅଶୋକ- ତୁମର ବଡ଼ଭାଇ, ତୁମର ଜୀବନ୍ତ ଈର୍ଷ୍ୟା ।

 

ଅଶୋକ- କିନ୍ତୁ ତୁମେ ଆଜି ଏତେ ଦିନ ପରେ ?

 

ପ୍ରଥମ ପ୍ରେତାତ୍ମା- ହଁ, ବହୁତ ଦିନ ବିତିଯାଇଅଛି, ନା ? ଆଜି ସେ ଗୁଡ଼ାକ ପାସୋରି ଯିବାର କଥା । ସୁସୀମ କିନ୍ତୁ ସବୁ ଘଟଣା ଗୋଟି ଗୋଟି କରି ମନେରଖିଚି- ବଡ଼ ଅନ୍ୟାୟ, ନୁହେଁ କି ? ବର୍ଚ୍ଛା ମୁନରେ ତାହାର ଛୋଟ ପିଲାଗୁଡ଼ାଙ୍କୁ ଶୋଇବା ଶେଯରୁ ଉଠାଇ ଆଣି ଆକାଶକୁ ନିକ୍ଷେପ କରାଯାଇଥିଲା, ସମ୍ରାଟ୍‌ଙ୍କ ଶିଶୁ ସନ୍ତାନଗୁଡ଼ିକ ଗାଢ଼ନିଦ୍ରାରେ ଶୋଇବେ ବୋଲି । ଆଉ ତାହାର ରାଣୀମାନଙ୍କର ଲଜ୍ଜା ହରଣ କରାଯାଇଥିଲା, ସମ୍ରାଟ୍‌ମହିଷୀପତିଙ୍କ ଲାଗି ଅନୁରକ୍ତା ରହିବେ ବୋଲି । ଏ ସବୁ ତ ତୁମର ହୋଇସାରିଛି, ସେ କଥା ଆଉ ପଦାରେ ପକାଇବା ଉଚିତ କି-? ଛି ଛି ! ସୁସୀମ କିନ୍ତୁ ସବୁ କଥା ଗୋଟି ଗୋଟି କରି ମନେ ରଖିଚି, କିପରି ? ବଡ଼ ଅନ୍ୟାୟ, ନା-?

 

ଅଶୋକ- କିନ୍ତୁ ତୁମେ ଏପରି ଅସମୟରେ କାହିଁକି ?

 

ପ୍ରଥମ ପ୍ରେତାତ୍ମା- ଠିକ୍‌ କଥା- ବଡ଼ ଅସମୟ- ଭାରତ ସମ୍ରାଟ୍‌ଙ୍କ ସୁଖନିଦ୍ରାରେ ବ୍ୟାଘତ କଲି । ଅନାହାରରେ ବନ୍ଦୀ କରାଯାଇ ଶେଷରେ ଯେଉଁ ଦିନ ସୁସୀମର ଶିରଶ୍ଛେଦ ହେଲା, ସେହିଦିନୁ ତ ଭାରତ ସମ୍ରାଟ୍‌ଙ୍କର ଆହାରଟା ରୋଚକ ଓ ନିଦ୍ରାଟା ସୁଖକର ହେଉଥିବ ! ବାସ୍ତବିକ୍‌, ବଡ଼ ଅସମୟ ! ସୁସୀମର ପରିବାରକୁ ମାରିଲାବେଳେ ମଗଧ ସମ୍ରାଟ୍‌ ଜ୍ୟୋତିଷୀର ମତ ନେଇ ଶୁଭ ସମୟ ସ୍ଥିର କରିଥିଲେ କି ନା ? (ଅନ୍ୟମାନଙ୍କ ପାଖକୁ ଫେରି ଠିଆହେଲା ।)

 

ଦ୍ୱିତୀୟ ପ୍ରେତାତ୍ମା- (ଆଗକୁ ଆସି) ମତେ ନିଶ୍ଚୟ ଚିହ୍ନି ପାରିବ ମହାରାଜ ! ଅଳ୍ପ ସମୟ ଆଗରୁ ତ ଦେଖା ହୋଇଥିଲା !

 

ଅଶୋକ- କିଏ ଯୁବକ ? କଳିଙ୍ଗର ରାଜକୁମାର- ଜୟପାଳ ?

 

ଦ୍ୱିତୀୟ ପ୍ରେତାତ୍ମା- (ଦୃଢ଼ ସ୍ୱରରେ) ହଁ, ଜୟପାଳ ! ତୁମର ବିଜୟ ତୁମର ଖ୍ୟାତି, ତୁମର ସବୁ ଐଶ୍ୱର୍ଯ୍ୟର କେନ୍ଦ୍ର ।

 

ଅଶୋକ- (ବିସ୍ମିତ ହୋଇ) କିନ୍ତୁ ତୁମକୁ ତ ମୁଁ କ୍ଷମା ଦେଇଅଛି- ତୁମକୁ ବଧ କରିବାକୁ ଯେଉଁ ଆଦେଶ ଥିଲା ତାହାକୁ ତ ଫେରାଇ ଆଣିଚି !

 

ଦ୍ୱିତୀୟ ପ୍ରେତାତ୍ମା- ମହାରାଜାଙ୍କର ଅପାର ଦୟା ! କୁନାଳଙ୍କର ଅନ୍ଧଦଶା ଦେଖି ଜୟପାଳକୁ କ୍ଷମା ଦେଇଥିଲ, ନା ? କିନ୍ତୁ ତୁମ ହାତରୁ ମୁଁ ଜୀବନ ଫେରାଇ ଆଣନ୍ତି ତୁମରି କୃପାର ଦାସ ହୋଇ ?

 

ଅଶୋକ- ନା, ତୁମେ ରାଜପୁତ୍ରର ପ୍ରକୃତ ସମ୍ମାନ ରଖିଚ, କ୍ଷତ୍ରିୟର କର୍ତ୍ତବ୍ୟ କରିଚ ! କିନ୍ତୁ ମୁଁ ତୁମ ପାଇଁ କ’ଣ କରିପାରେ ?

 

ଦ୍ୱିତୀୟ ପ୍ରେତାତ୍ମା- ତୁମେ ମଧ୍ୟ ନିଜର କର୍ତ୍ତବ୍ୟ କରିଚ ମହାରାଜ ! କଳିଙ୍ଗରାଜଙ୍କ ବନ୍ଧୁ ନିମନ୍ତ୍ରଣର ଯଥାର୍ଥ ଉତ୍ତର ଦେଇଛ । କଳିଙ୍ଗର ମରିବାର କଥା ସେ ମରିଚି- ସେ ହୁଏ ତ ବଞ୍ଚିବାକୁ ନିଜର କର୍ତ୍ତବ୍ୟ ମନେକରୁଥିଲା । ତୁମେ କିନ୍ତୁ ତାକୁ ମାରିବାକୁ ନିଜର କର୍ତ୍ତବ୍ୟ ଜ୍ଞାନ କଲ- ନୁହେଁ କି-? ସେଥିରେ ପ୍ରଭେଦ ଆଉ କେତେ ?

 

ଅଶୋକ- (ସ୍ମରଣ କରି) କିନ୍ତୁ ଜୟପାଳ, ତୁମେ ମୋହର ଶତ୍ରୁ ପକ୍ଷର ଲୋକ । ମୋହ ବିରୁଦ୍ଧରେ ଅଭିଯୋଗ ଆଣିବା ତୁମ ପକ୍ଷରେ ଯେ ସ୍ୱାଭାବିକ ।

 

ଦ୍ୱିତୀୟ ପ୍ରେତାତ୍ମା- ହଁ, ହଁ, ମହାରାଜଙ୍କର ମିତ୍ରପକ୍ଷର ଲୋକ ମଧ୍ୟ ଅଛନ୍ତି ! ପାତ୍ରମନ୍ତ୍ରୀମାନେ ତ ସବୁ କ୍ଷଣରେ ଆଦେଶକୁ ଚାହିଁ ରହିଛନ୍ତି ।

 

ପ୍ରଥମ ପ୍ରତାତ୍ମା- ଆଉ ପୁଣି ରୂପବତୀ କନ୍ୟା, ଶକ୍ତିଶାଳୀ ପୁତ୍ର, ଗୁଣବତୀ ଭାର୍ଯ୍ୟା !

 

ଚତୁର୍ଥ ପ୍ରେତାତ୍ମା- ସମ୍ରାଟ୍‌ଙ୍କ ଶତ୍ରୁ ସହିତ କନ୍ୟାଙ୍କର ପ୍ରଣୟ, ସମ୍ରାଟ୍‌ଙ୍କ ପୁତ୍ର ବିରୁଦ୍ଧରେ ମହିଷୀଙ୍କର ଷଡ଼ଯନ୍ତ୍ର ଏବଂ ସମ୍ରାଟ୍‌ଙ୍କ ସିଂହଳ ବିଜୟ ବିରୁଦ୍ଧରେ- କିଏ ?

 

ତୃତୀୟ ପ୍ରେତାତ୍ମା- ନା, ନା, କେହି ନାହିଁ !

 

ଅଶୋକ- ଦୂର ହୁଅ, ସଇତାନ୍‌ ।

 

ଦ୍ୱିତୀୟ ପ୍ରେତାତ୍ମା- ବିଚଳିତ ହେବ ନାହିଁ ମହାରାଜ ! ହଁ, ହଁ, ତୁମରି ବିରୁଦ୍ଧରେ ଷଡ଼ଯନ୍ତ୍ର । ତୁମରି ସିଂହଳ ବିଜୟ ବିରୁଦ୍ଧରେ ।

 

ଅଶୋକ- (ବିସ୍ମିତ ହୋଇ) ଷଡ଼ଯନ୍ତ୍ର ?

 

ଦ୍ୱିତୀୟ ପ୍ରେତାତ୍ମା- ଭାରତର ସମ୍ରାଟ ! ଆଉ ତୁମର ସାହସ ଅଛି ସେମାନଙ୍କୁ ଦଣ୍ଡ ଦେବାପାଇଁ ? ଛାତିଟା ତୁମର ସେହି ଇସ୍‌ପାତରେ ବନ୍ଧା ହୋଇଚି ତ ? ନା ନା, ମଣିଷ ତୁମେ, ଦୁର୍ବଳ ତୁମେ ! ସେ ଦୁର୍ବଳତା ଦେଖାଇ ସାରିଚି ଆଜି, ନିଜ ପୁଅଙ୍କର ଅନ୍ଧଦଶାରେ । କଣ- ମାନିବାକୁ ରାଜି ନୁହେଁ ?

 

ଅଶୋକ- ଜୟପାଳ ! ତୁମେ ଯେ ମୋହର ବିଜିତ, ଏ କଥା କଣ ଭୁଲିଯାଇଚ ?

 

ଦ୍ୱିତୀୟ ପ୍ରେତାତ୍ମା- ନାହିଁ ମହାରାଜ ! ଜୟପାଳ ଭୁଲି ନାହିଁ ଭୁଲିଚ ତୁମେ- ତୁମେ ଆଜି ଭୁଲିଚରାଜା, ତୁମେ ମୋହ ଭିତରୁ ବିଜିତ କିଏ ? ହାୟ ଅଶୋକ ! ତୁମକୁ ଆଜି ଦୁର୍ବଳ ଦେଖି ମୋହର ମଧ୍ୟ ଦୟା ହେଉଚି । ନ ହେଲେ ଏ ପ୍ରଶ୍ନ ତ ମଗଧ ସମ୍ରାଟ୍‌ଙ୍କ ମୁହଁରୁ ବାହାରନ୍ତା ନାହିଁ ! କୁନାଳଙ୍କର ଦୁଃଖ ଦେଖି ହାରି ସାରିଚି- ଏବେ ଯାଇ ନିଜ କନ୍ୟା ସଂଘମିତ୍ତ୍ରାଙ୍କୁ ପଚାର, ସେ ତୁମର ସବୁ ସନ୍ଦେହ ମେଣ୍ଟାଇ ଦେବେ କହିଦେବେ ଯଥାର୍ଥରେ ବିଜିତ କିଏ-ମଗଧ, ନା କଳିଙ୍ଗ- ତୁମେ ନା ମୁଁ !

 

ଅଶୋକ- ସଂଘମିତ୍ତ୍ରା ? କୈଶୋରର ଚପଳତାରେ ସେ ଯଦି ତୁମ ପ୍ରତି ଆକୃଷ୍ଟ ହୋଇଥାଏ, ସେଥିପାଇଁ ତୁମେ ଭାଗ୍ୟବାନ୍‌ । କିନ୍ତୁ ନିଜ ମତକୁ ସଂଶୋଧନ କରିବା ପାଇଁ ମଗଧ ସମ୍ରାଟ୍‌ର କନ୍ୟା ଭଲରୂପେ ଶିଖିଚି ।

 

ଦ୍ୱିତୀୟ ପ୍ରେତାତ୍ମା- ସତେ ? ସଂଘମିତ୍ତ୍ରାଙ୍କର ଜନକ ବୋଲି ତୁମେ ତାଙ୍କୁ ଏତେଦୂର ବୁଝିଚ ? ଯାଅ ରାଜା, ଦେଖିବ ଯାଅ- ସଂଘମିତ୍ତ୍ରା ତାଙ୍କର ମତ କିପରି ସଂଶୋଧନ କରିଅଛନ୍ତି ! ନାହିଁ ନାହିଁ- କଳିଙ୍ଗରୁ ବେଶୀ ସଂଖ୍ୟାରେ ମନୁଷ୍ୟ ମାରିଚ ବୋଲି ତୁମେ ବିଜୟୀ ନୁହେଁ । କଳିଙ୍ଗର ରାଜକୁଳ ଲୋପ ହେବାଟା ତାହାର ପରାସ୍ତର ପ୍ରମାଣ ନୁହେଁ । କଳିଙ୍ଗ ଲୋପ ହୋଇଚି ଜଗତର କଲ୍ୟାଣ ପାଇଁ, ତୁମର ସମରଲିପ୍‌ସାକୁ ଭୂମିତଳେ ଲୁଣ୍ଠିତ କରିବାକୁ, ତୁମର ସନ୍ତାନମାନଙ୍କୁ ତୁମ ବିରୁଦ୍ଧରେ ସଜାଡ଼ିବାକୁ- ତୁମର ସିଂହଳ ବିଜୟ କଳ୍ପନା ସମୂଳେ ପଣ୍ଡ କରିବା ଲାଗି । ସେଥିପାଇଁ ସଂଘମିତ୍ତ୍ରା ଆଜି ବ୍ରତଚାରିଣୀ । ଯାଅ ରାଜା, ତୁମର ପୁଅ ଝିଅଙ୍କୁ ପଚାର, ସମସ୍ତେ ସଂସାରକୁ ପଚାର- କଳିଙ୍ଗ ସମରରେ ଜିତିଛି କିଏ- ତୁମେ ନା ମୁଁ !

 

ଅଶୋକ- (ଦୃଢ଼ ଅଥଚ ଗମ୍ଭୀର ସ୍ୱରରେ) ତାହାହେଲେ ତୁମେ ଜିତିଛ, ଆଉ ମଗଧ ସମ୍ରାଟ୍‌ହାରିଛି ? କିନ୍ତୁ ଜାଣିରଖ ଜୟପାଳ, ହାରିବାକୁ ହେଲେ ମଧ୍ୟ ମଗଧ ସମ୍ରାଟ୍‌ଦୁର୍ବଳ ପରି ହାରେ ନାହିଁ । ଜିତିଲେ ଯେପରି, ହାରିଲେ ମଧ୍ୟ ସେହିପରି । ସେ ତାହାର ସମ୍ପୂର୍ଣ୍ଣ ପ୍ରାପ୍ୟ ପୃଥିବୀ ଉପରୁ ଆଦାୟ କରିଥାଏ । ଜିତିବାଟା ଯେପରି, ହାରିବାଟା ମଧ୍ୟ ତାହାର ସେହି ପରିମାଣରେ ବିରାଟ । (ଅପରକୁ ଉଦ୍ଦେଶ୍ୟ କରି) କିନ୍ତୁ ତୁମେ କିଏ ? ଏପରି ବିରୂପ କାହିଁକି ? ଦେହ ଗୋଟାକ କଳା ଦାଗ, ଛାତିରୁ ରକ୍ତ ଝରୁଛି- ତୁମର ବସନ କାହିଁ, ଭୂଷଣ କାହିଁ- ଇସ୍, ମୁହଁଟା ଏପରି ବିକୃତ କିଆଁ ? ଆଉ ଏ କଣ- ତୁମ ଦେହରୁ କଞ୍ଚା ମାଂସର ଗୋଟାଏ ତୀବ୍ର ପୋଡ଼ା ଗନ୍ଧ ବାହାରି ମୋହର ଶ୍ୱାସରୁଦ୍ଧ କରୁଛି ।

 

ତୃତୀୟ ପ୍ରେତାତ୍ମା- (ନାରୀକଣ୍ଠରେ) ହାଃ ହାଃ ! ମନେ ନାହିଁ ମହାରାଜ, ରାଜ ଉଦ୍ୟାନରେ ଅଶୋକଗଛର ଡାଳ ଭାଙ୍ଗି ଥିବା ଘଟଣା ? ମନେନାହିଁ ?

 

ଅଶୋକ- (ବ୍ୟଥିତ କଣ୍ଠରେ) କିଏ ତୁମେ ନାରୀ ? ମୁଖରେ ତୁମର ଅଗ୍ନି ଜଳୁଚି, ଦେହଟା ତୁମର ଭସ୍ମ ଲେପିତ...

 

ତୃତୀୟ ପ୍ରେତତ୍ମା- ନାହିଁ ମହାରାଜ ! ମୁଁ ନାରୀ ନୁହେଁ, ପୁରୁଷ ନୁହେଁ- ଗୋଟାଏ ଦର୍ପଣ-। ସେ ଦର୍ପଣରେ ତୁମେ ନିଜର ରୂପ ଦେଖୁଛ । ସେ ଅଗ୍ନି ତୁମରି ମୁହଁର , ସେ କଳା ଦାଗ ତୁମରି ଦେହର, ରକ୍ତ ତୁମରି ଛାତିର । ଆଉ ସେହି ପୋଡ଼ାଗନ୍ଧ- ସେ କେବଳ ତୁମରି ମାଂସର ମହାରାଜ-!

 

ଅଶୋକ- (କାତର କଣ୍ଠରେ) ମୋହରି ?

 

ତୃତୀୟ ପ୍ରେତତ୍ମା- ହଁ ହଁ, ନିଜକୁ ନିଜେ ପୋଡ଼ିଛ ତୁମେ, ନିଜକୁ ନିଜେ ମାରିଛ- ଆଉ କାହାରିକୁ ନୁହେଁ ।

 

ଅଶୋକ- (ନିଜକୁ ନିଜେ କହିବା ପରି) ତୁମେ ମଗଧର ଲଲନା ?

 

ତୃତୀୟ ପ୍ରେତାତ୍ମା- ନାହିଁ ନାହିଁ, ମୁଁତୁମର ଲଜ୍ଜା, ତୁମର ଅପମାନ, ତୁମର ଗ୍ଳାନି ! ବର୍ତ୍ତମାନ ଅନୁତାପ କର ମହାରାଜ, ଜୀବନମୟ ପାପରାଶିର କ୍ଷାଳନା ପାଇଁ ।

 

ଅଶୋକ- (ଭ୍ରୁକ୍ଷେପ ନକରି) ପାପ ? ଅନୁତାପ ? କାହାକୁ ଏସବୁ ଭୟ ଦେଖାଉଛ ? ଜୀବନ ବ୍ୟାପି ଯାହା କରିଛି ତାକୁ ପାପଜ୍ଞାନ କରିବି କାହିଁକି ? ଲଜ୍ଜା ଅପମାନ ଅନ୍ୟମାନଙ୍କର ଯେପରି ଅଛି ଭାରତ ସମ୍ରାଟ୍‌ର ମଧ୍ୟ ସେହିପରି । କିନ୍ତୁ ଅନ୍ୟମାନଙ୍କ ପରି ସେ ଦୁର୍ବଳ ନୁହେଁ, ସେଥିପାଇଁ ତାହାର ଲଜ୍ଜା ଅପମାନ ଅଧିକ ପରିସ୍ଫୁଟ । କିନ୍ତୁ ଜାଣିରଖ, ନିଜକୁ ସେ ଯେପରି ଲଜ୍ଜା ଦେଇପାରେ, ଗୌରବ ମଧ୍ୟ ଦେଇପାରେ ଅସାମାନ୍ୟ ! ସେ ଗୌରବର ଗୋଟିଏ ଦିଗ ସେ ଦେଖିସାରିଛି, ଅନ୍ୟ ଦିଗଟା ଦେଖିବା ମଧ୍ୟ ତାହାର କ୍ଷମତାର ବାହାରେ ନୁହେଁ । ପୃଥିବୀ ପୃଷ୍ଠରେ ନିଜକୁ ସେ ଏକଚ୍ଛତ୍ର ସମ୍ରାଟ୍‌କରି ଦେଖିବାକୁ ଚାହେଁ । ସେଥିପାଇଁ ଅତ୍ୟାଚାର ନିପୀଡ଼ନକୁ ପାପ, ଅନ୍ୟାୟ ଭାବେ ନାହିଁ; ଦୟା ଦାକ୍ଷିଣ୍ୟକୁ ପ୍ରାୟଶ୍ଚିତ୍ତ ଜ୍ଞାନ କରେ ନାହିଁ । ଦୁଇଟାଯାକର ମୂଲ୍ୟ ତାହାଠାରେ ସମାନ । ଜଗତର ସକଳ ବସ୍ତୁକୁ ସେ ବିଚାର କରିବାକୁ ଆସିଛି, ପରୀକ୍ଷା କରିବାକୁ ଆସିଛି । ପାପ କିମ୍ୱା ପୁଣ୍ୟ ନିକଟରେ ସେ ପରାଜୟ ମାନେନାହିଁ, ଆତ୍ମ ବିକ୍ରୟ କରେନାହିଁ । କୌଣସି ବସ୍ତୁର ଦାସତ୍ୱ ସ୍ୱୀକାର ତାହା ପକ୍ଷରେ ଅସହ୍ୟ । ଅତ୍ୟାଚାର ନିପୀଡ଼ନ ଉପରେ ଯେପରି, ଦୟା ପୁଣ୍ୟ ଉପରେ ମଧ୍ୟ ସେହିପରି ସେ ରାଜା !

 

ଚତୁର୍ଥ ପ୍ରେତାତ୍ମା- (ଆଗକୁ ଆସି) ହେଉ ହେଉ, ରାଜାତୁମେ- ସେ କଥା ତୁମକୁ ଭୁଲିବାକୁ କେହି କହୁ ନାହିଁ । କିନ୍ତୁ କିଏ ଜାଣ ମହାରାଜ ?

 

ଅଶୋକ- କିଏ ? ମଗଧର ସୈନିକ ! ତୁମେ ମଧ୍ୟ ଏମାନଙ୍କ ସାଥିରେ ?

 

ଚତୁର୍ଥ ପ୍ରେତାତ୍ମା- ଓହୋ, ଭୁଲ ହୋଇ ଯାଇଚି, ନା ? ଏମାନେ ଆମ ସମ୍ରାଟ୍‌ଙ୍କର ଶତ୍ରୁ ପରା ? ହାଃ ହାଃ ! (ବିଦ୍ରୁପର ହାସ୍ୟ)

 

ଅଶୋକ- କିନ୍ତୁ ଏ କଣ ? ତୁମେ ଯେ ସ୍ୱଦେଶ ଓ ସ୍ୱଜାତି ପାଇଁ ଜୀବନ ବଳି ଦେଇଛ- ମଗଧର କୀର୍ତ୍ତନିଶାଣ ଯେ ତୁମରି ସମାଧି ଉପରେ ଉଡ଼ିବ ।

 

ଚତୁର୍ଥ ପ୍ରେତାତ୍ମା- (ଉଚ୍ଚ ସ୍ୱରରେ) ହାଃ ହାଃ ! ସ୍ୱଦେଶ ! ସ୍ୱଜାତି ! ଏମାନେ ସବୁ ପରଦେଶର ଲୋକ- ଶତ୍ରୁ ! ମଗଧର ବିଜୟୀ ବୀର ମୁଁ- ଗୃହିଣୀ ମୋର ସହାୟହୀନା ହୋଇ ଚାରିଆଡ଼େ ଅନ୍ଧକାର ଦେଖୁ, ପୁଅ ମୋହର ରାଜଦଣ୍ଡ ପାଇ ଚିରକାଳ ମୂକ ରହୁ, ଯୁଦ୍ଧଭୂଇଁରେ କୀଟ ପରି ଛଟପଟ ହୋଇ ମୁଁ ପଛେ ପ୍ରାଣ ହରାଏଁ, କିନ୍ତୁ ମଗଧର ଜୟପତାକା ମୋହରି ପାଇଁ ଉଡ଼ିବ ! କାରଣ ସ୍ୱଦେଶ ! ସ୍ୱଜାତି ! ହାଃ ହାଃ !

 

ଅଶୋକ- (କ୍ରୋଧ ଓ ଘୃଣାରେ) ସାମାନ୍ୟ ସୈନିକ, ଏତେ ଆସ୍ପଦ୍ଧା !

 

ଚତୁର୍ଥ ପ୍ରେତାତ୍ମା- ସାମାନ୍ୟ ସୈନିକ ନୁହେଁ ମହାରାଜ- ତୁମର ଶକ୍ତି, ତୁମର ସାହାସ, ତୁମର ଗର୍ବ, ତୁମର ବିଭୂତି ।

 

ପ୍ରଥମ ପ୍ରେତାତ୍ମା- (ଅଶୋକଙ୍କୁ କହିବା ପାଇଁ ଉଦ୍ୟତ ଦେଖି ହାତ ଦେଖାଇ) ବାସ୍‌, ସେତିକି ହେଉ; ଆଉ କହିବା ଦରକାର ନାହିଁ । (କହିବାକୁ ଚେଷ୍ଟା କଲେହେଁଅଶୋକଙ୍କ ମୁଖରୁ ବାକ୍ୟ ସ୍ଫୁରଣ ହେଲାନାହିଁ; ମାତ୍ର ଚକ୍ଷୁ ବାଷ୍ପାକୁଳ ହୋଇଉଠିଲା ।) କେମିତି ମହାରାଜ- କଥା ନ କହିଲେ କଷ୍ଟ ହୁଏ ବଡ଼, ନା ?

 

ଦ୍ୱିତୀୟ ପ୍ରେତାତ୍ମା- ହାୟ ଅଶୋକ ।

 

ତୃତୀୟ ପ୍ରେତାତ୍ମା- ମଗଧ ସମ୍ରାଟ୍‌ ! ହାଃ ହାଃ !

 

(ରକ୍ତ ରଶ୍ମିଟା ଧୀରେ ଧୀରେ ଅଶୋକଙ୍କ ମୁଖରୁ ଅପସରି ଗଲା ଏବଂ ପୂର୍ବ ପରି ଶିବିର ଭିତରେ ଘନ ଅନ୍ଧକାର ମଧ୍ୟରେ ପ୍ରେତାତ୍ମାମାନଙ୍କର ସମସ୍ୱରରେ ତୀବ୍ର ଚିତ୍କାର ଶୁଣାଗଲା- ‘‘ଜୟ ଭାରତ ସମ୍ରାଟ୍‌ଙ୍କର ଜୟ ! ହାଃ ହାଃ ! ହାଃ ହାଃ ହାଃ ! ସେ ସ୍ୱରଟା ଦୂରରୁ ଦୂରକୁ ମିଳାଇ ଗଲା । ପୁନର୍ବାର ଯେତେବେଳେ ଶିବିରରେ ଆଲୋକ ଜଳିଲା, ପ୍ରେତଗୁଡ଼ିକ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି ଏବଂ ଅଶୋକ ଓ ଅଦୂରରେ ସେହି ରକ୍ଷୀ ଦୁଇ ଜଣ ପୂର୍ବ ପରି ନିଦ୍ରିତ ।)

 

ଦ୍ୱିତୀୟ ରକ୍ଷୀ- (ଉଠି ବସି ଆଖି ମଳିଲା ଏବଂ ଅଶୋକଙ୍କୁ ଚାହିଁ ବ୍ୟସ୍ତତ୍ରସ୍ତ ଭାବରେ ତାହାର ସଙ୍ଗୀକୁ ଉଠାଇବାକୁ ଗଲା ।) ଉଠ୍‌ରେ ହେ ! ତୋହର କଣ ନିଦ ଭାଙ୍ଗିବ ନାହିଁ ?

 

ପ୍ରଥମ ରକ୍ଷୀ- (ପୂର୍ବ ପରି ନିଶ୍ଚଳ ଭାବରେ ପଡ଼ିରହି ଆଖି ଫିଟାଇଲା ଏବଂ ଅଶୋକଙ୍କର ସ୍ୱର ଅନୁକରଣ କରି) ଯାଅ- କଳିଙ୍ଗର ଘରେ ଘରେ ନିଆଁ ଜାଳିଦିଅ ।

 

ଦ୍ୱିତୀୟ ରକ୍ଷୀ- ବାଃ ଏହିକ୍ଷଣି ତେବେ ମଗଧ ସମ୍ରାଟ୍‌ଙ୍କ ଅବତାର ପରା ? ହେଉ, ହେଉ, ବହୁତ ହେଲାଣି- ଏଥର ତେବେ ପହଡ଼ ଭାଙ୍ଗୁ !

 

ଅଶୋକ- (ଆଖି ଫିଟାଇ ଡାକିଲେ) କିଏ ଅଛିରେ !

 

ଦ୍ୱିତୀୟ ରକ୍ଷୀ- (ଚମକି ପଡ଼ି ଚାରିଆଡ଼କୁ ଚାହିଁଲା ଏବଂ ପରେ ତୁନି ତୁନି) ଯା ଏଥର, ସମ୍ଭାଳେ- ମହାରାଜ ଡାକିଲେଣି ।

 

ପ୍ରଥମ ରକ୍ଷୀ- (ଧଡ଼ପଡ଼ ଉଠି କମ୍ପିତ ଦେହରେ) ଏଁ ? ମହାରାଜ ? ଆଉ ମୁଁ ? ମୁଁ ତେବେ କେଉଁଠାରେ ? (ଭୀତପଦରେ ପଳାୟନ)

 

ଦ୍ୱିତୀୟ ରକ୍ଷୀ- (ଅଶୋକଙ୍କ ପାଖକୁ ଯାଇ ଓ ଅଭିବାଦନ କରି) ମହାରାଜ !

 

ଅଶୋକ- ରାତି ଆଉ କେତେ ବାକି ?

 

ଦ୍ୱିତୀୟ ରକ୍ଷୀ- ପୂର୍ବ ଆକାଶରେ କୁଆଁତାରା ଉଇଁଲାଣି । ବରୁଣାଇ ପାହାଡ଼ ଉପରେ ଚନ୍ଦ୍ରର ଶେଷରେଖାଟି ଦେଖାଯାଉଛି ।

 

ଅଶୋକ- ତୁମେମାନେ ଏଠାରେ ସମସ୍ତ ରାତି ଜଗିରହିଥିଲ ତ ?

 

ଦ୍ୱିତୀୟ ରକ୍ଷୀ- (ଚୌର ଦୃଷ୍ଟିରେ ଚତୁର୍ଦ୍ଦିଗକୁ ଚାହିଁ) ଆଜ୍ଞା ମଣିମା ! କାହିଁ ଯାଇ ନାହୁଁ ।

 

ଅଶୋକ- ମୋ ପ୍ରଶ୍ନର ଉତ୍ତର ଦେ- ସମସ୍ତ ରାତି ଜଗିଥିଲ ?

 

ଦ୍ୱିତୀୟ ରକ୍ଷୀ- (କାତର ହୋଇ) ଆଜ୍ଞା ମଣିମା- ସମସ୍ତ ରାତି !

 

ଅଶୋକ- କେତେ ଜଣ ?

 

ଦ୍ୱିତୀୟ ରକ୍ଷୀ- ଦୁଇଜଣ ।

 

ଅଶୋକ- ରାତି ଭିତରେ ଶିବିରକୁ କେହି ଆସି ନାହିଁ ?

 

ଦ୍ୱିତୀୟ ରକ୍ଷୀ- (କମ୍ପିତ କଣ୍ଠରେ) ନାହିଁ ମହାରାଜ !

 

ଅଶୋକ- ସତ କହୁଚୁ ?

 

ଦ୍ୱିତୀୟ ରକ୍ଷୀ- ଦୁଇଜଣ ପାଳିକରି ଜଗିଚୁ ମହାରାଜ ! ମଝିରେ ଖାଲି ଦଣ୍ଡେ ଲେଖାଏଁ ଶୋଇପଡ଼ିଥିଲୁ ।

 

ଅଶୋକ- ଶୋଇବା ଭିତରେ କେହି ଆସି ନାହିଁ ?

 

ଦ୍ୱିତୀୟ ରକ୍ଷୀ- ମୋ ଶୋଇବା ଭିତରେ କେହି ତ ଆସିନାହିଁ-, କିନ୍ତୁ ତାହାର ଶୋଇବା ଭିତରେ ଯଦି କେହି ଆସିଥାଏ- ସେକଥା ମୁଁ ତେବେ କିପରି କହିପାରିବି, ମଣିମା !

 

ଅଶୋକ- ମୁର୍ଖ ! ତାହାର ଶୋଇଥିବା ବେଳେ ତୁ ତେବେ ଚାହିଁ ନ ଥିଲୁ ?

 

ରାଧାଗୁପ୍ତ- (ପ୍ରବେଶ ଓ ଅଭିବାଦନ କରି) ସିଂହଳ ଅଭିଯାନ ପାଇଁ ସବୁ ଆୟୋଜନ ସ୍ଥିର ହୋଇଛି ମହାରାଜ ! (ରକ୍ଷୀର ପ୍ରସ୍ଥାନ) ।

 

ଅଶୋକ- ସବୁ ସ୍ଥିର କରି ଆସିଛି ? କିନ୍ତୁ ମଗଧ ସମ୍ରାଟ୍‌ର ସଂକଳ୍ପ ଯେ ବର୍ତ୍ତମାନ ଅସ୍ଥିର ! (ଅବାକ୍‌ଦୃଷ୍ଟିରେ ରାଧାଗୁପ୍ତ ତାଙ୍କର ମୁଖକୁ ଚାହିଁଲେ) ହଁ ରାଧାଗୁପ୍ତ, ସିଂହଳ ଅଭିଯାନ ବର୍ତ୍ତମାନ ସ୍ଥଗିତ ରଖିବାକୁ ହେବ ।

 

ରାଧାଗୁପ୍ତ- (ଆକାଶରୁ ପଡ଼ି) ସ୍ଥିରତ ହେବ ?

 

ଅଶୋକ- କଳିଙ୍ଗରୁ ଯେତେ ଧନ ଲୁଟି ହୋଇ ଆସିଛି, ଆମର ସୈନ୍ୟମାନେ ଆଜି ଏ ଦେଶର ଘରେ ଘରେ ବୁଲି ତାହା ଫେରାଇ ଦେଇ ଆସିବେ ।

 

ରାଧାଗୁପ୍ତ- (ସନ୍ଦେହ ଓ ବିସ୍ମୟରେ) ମହାରାଜ !

 

ଅଶୋକ- ଆମର ମଧ୍ୟ ଯେତେ ଧନ ବଳକା ଅଛି, ସବୁ ଏଡିଠାରେ ବାଣ୍ଟିବାକୁ ହେବ । ସୈନ୍ୟମାନଙ୍କୁ ଆଦେଶ ଦିଅ, ମଗଧର ଆହତମାନଙ୍କ ସଙ୍ଗେ କଳିଙ୍ଗର ଆହତମାନଙ୍କୁ ମଧ୍ୟ ସମାନ ଶୁଶ୍ରୂଷା କରିବେ- ଆଉ ଏ ରାଜ୍ୟର ସବୁ ବନ୍ଦୀଙ୍କୁ ଏହିକ୍ଷଣି ଯାଇ ମୁକୁଳାଇଦିଅ ।

 

ରାଧାଗୁପ୍ତ- କିନ୍ତୁ ମହାରାଜ !

 

ଅଶୋକ- ଭାରତ ସମ୍ରାଟ୍‌ର କଥା ଯାହା କାମ ତାହା । ସେ କେବଳ ପ୍ରଶ୍ନ କରିବାକୁ ଜାଣେ, କାହାରିଠାରୁ ପ୍ରଶ୍ନ ଶୁଣିବା ତାହାର ଅଭ୍ୟାସରେ ନାହିଁ ଏହା କଣ ଆଜି ଯାଏ ବୁଝି ନାହିଁ ? (ମୃଦୁ ହସି) ସିଂହଳ ଅଭିଯାନ ପାଇଁ ବେଶି ଆୟୋଜନ କରିଚ, ନା ? ସେଥିପାଇଁ ତୁମେ ଅବଶ୍ୟ ପୁରସ୍କୃତ ହେବ ।

 

ରାଧାଗୁପ୍ତ- ସିଂହଳ ଅଭିଯାନ ପାଇଁ ଆମର ସୈନ୍ୟସାମନ୍ତମାନେ ମହା ଆହ୍ଲାଦରେ ଯାତ୍ରା ଆରମ୍ଭ କରିଅଛନ୍ତି ।

 

ଅଶୋକ- ସେମାନଙ୍କୁ ଫେରାଇଆଣ ଏବଂ ଜଣାଇଦିଅ ଯେ କଳିଙ୍ଗଯୁଦ୍ଧ ଏ ରାଜତ୍ୱର ଶେଷ ଯୁଦ୍ଧ । ଦୁଃଖ କର ନାହିଁ ରାଧାଗୁପ୍ତ ! ଚୀନ, ସିଂହଳକୁ ଅବଶ୍ୟ କରଗତ କରିବାକୁ ହେବ, କିନ୍ତୁ ତାହା ପ୍ରଜାର ରକ୍ତପାତରେ ନୁହେଁ, ଭାରତ ସମ୍ରାଟ୍‌ର ଅଶ୍ରୁପାତରେ । ମନୁଷ୍ୟର ହସିବା ଅନୁପାତରେ କାନ୍ଦିବା ମଧ୍ୟ ଅନେକ ସମୟରେ ଦରକାର । ଭାରତ ସମ୍ରାଟ୍ ପକ୍ଷରେ ଏହି କାନ୍ଦିବାର ବେଳ ଆସିଛି । ନିଜକୁ ହସାଇବା ପାଇଁ କୋଟି କୋଟି ଲୋକଙ୍କୁ କନ୍ଦାଇବା ଦିନେ ତାହାର ଆବଶ୍ୟକ ଥିଲା; ଆଜି କିନ୍ତୁ ନିଜେ କାନ୍ଦି କୋଟି କୋଟି ଲୋକଙ୍କୁ ହସାଇବାକୁ ଚାହେଁ । ଏ କାନ୍ଦଣା ତାହାର ଅନୁତାପ ନୁହେଁ ରାଧାଗୁପ୍ତ, ଅନୁପାତ- ହସିବା ସଙ୍ଗେ କାନ୍ଦିବାର ଅନୁତାପ ରଖିବାକୁ ଚାହେଁ । ମୃତ୍ୟୁଟା ଯେପରି, ଜୀବନଟା ମଧ୍ୟ ସେହିପରି ଯେ ପ୍ରୟୋଜନ, ବୁଝି ପାରୁଚ ?

 

ରାଧାଗୁପ୍ତ- ମହାରାଜ, ଏବେ ମଧ୍ୟ ଆମର କେତେକ ସେନା ମହା ଉତ୍ସାହରେ କଳିଙ୍ଗର ଧନରତ୍ନ ଲୁଣ୍ଠନ କରିବାରେ ବ୍ୟସ୍ତ ଅଛନ୍ତି ।

 

ଅଶୋକ- (ଉଦ୍‌ବେଗ ସହ) ସେମାନଙ୍କୁ ତୁରନ୍ତ ସମ୍ବାଦ ଦିଅ, ସେ ଉତ୍ସାହକୁ କଳିଙ୍ଗବାସୀର ସେବାରେ ନିଯୁକ୍ତ କରିବେ । ଆଉ ଏ ଆଦେଶକୁ ଅମାନ୍ୟ କଲେ କଠୋର ଦଣ୍ଡରେ ଦଣ୍ଡିତ ହେବେ । ଯାଅ ରାଧାଗୁପ୍ତ- ବିଳମ୍ୱ କରନାହିଁ ।

 

ରାଧାଗୁପ୍ତ- ଆଉ ମଧ୍ୟ କେତେକସୈନ୍ୟ ଦନ୍ତପୁର, ଖଣ୍ଡଗିରି ଓ ଧଉଳି ପ୍ରଭୃତି କଳିଙ୍ଗର ବିଶିଷ୍ଟ ସ୍ଥାନମାନଙ୍କରେ ସାମ୍ରାଜ୍ୟର କୀର୍ତ୍ତି ପତାକା ଉତ୍ତୋଳନ କରି ବିଜୟ ଉତ୍ସବରେ ମତ୍ତ ଅଛନ୍ତି-

 

ଅଶୋକ- (ପୂର୍ବ ପରି) ନା, ନା, ରାଧାଗୁପ୍ତ ! ସଙ୍ଗେ ସଙ୍ଗେ ସେ ସବୁ ଉଠାଇ ଆଣ । ଆଉ ଏହି ପାହାଡ଼ଗୁଡ଼ିକର ପଥର ଦେହରେ ଲେଖିଦିଅ- କଳିଙ୍ଗ ସମରରେ ଆହତମାନଙ୍କ ରକ୍ତ ଭାରତ ସମ୍ରାଟ୍‌ର ଛାତିରୁ ଅହରହ ଝରୁଛି ଓ ନିହତମାନଙ୍କ ଯନ୍ତ୍ରଣା ତାହାର ମରଣକୁ ବଳି ବ୍ୟାପିଯାଇଚି । ଯେଉଁ ନାନୀ ସନ୍ତାନ ହରାଇଅଛି, ତାହାର ହାନି ମଗଧରାଜାର ହାନିଠାରୁ ବେଶି ନୁହେଁ ଏବଂ ଯେଉଁମାନେ ବିଧବା ହୋଇଅଛନ୍ତି, ଅଶୋକର ବୈଧବ୍ୟ ସେମାନଙ୍କଠାରୁ ବହୁଗୁଣରେ ବିକଳ ।

 

(ପ୍ରଥମେ କୁନାଳ ଏବଂ ପରେ ସଂଘମିତ୍ତ୍ରା ଓ ନିହାରିକା ଗୀତ ଗାଇ ଗାଇ ପ୍ରବେଶ କଲେ । ସମସ୍ତଙ୍କ ଦେହରେ ଗେରୁଆ ପରିଧାନ । ଗୀତଟିର କେବଳ ଘୋଷା ପଦକୁସଂଘମିତ୍ତ୍ରା ଓ ନିହାରିକା ଆବୃତ୍ତି କଲେ ।)

 

ମରଣେ ମୋହର ଅମୃତରସ ଢାଳ,

ବିଧୁର ହିୟାରେ ତୀବ୍ର ଦହନ ଜାଳ;

ବେଦନାର ତଳେ ମଧୁର ପରଶ ଦିଅ,

ହେ ମୋର ପ୍ରିୟ, ହେ ପ୍ରିୟ !

ବିଶ୍ୱର ଶତ      ଲାଞ୍ଛନା ମୋତେ

କରିଯାଏ ଉପହାସ,

ଅହରହ ଏହି      ପରାଣେ ଲେଖଇ

ଅଶ୍ରୁ ସଜଳ ପ୍ରାସ ।

ଧରାର ଆଘାତେ

ବିକଳ ବିରୂପ ପ୍ରାଣ

ଢାଳଇ ନିଗାଡ଼ି

ଚିର ଗଇରିକ ଗାନ

କୁସୁମ ସମାନ

ବ୍ୟଥା ଫୁଟେ କମନୀୟ !

ହେ ମୋର, ପ୍ରିୟ, ହେ ପ୍ରିୟ ?

 

ଅଶୋକ- (ଆସନ ଛାଡ଼ି) କୁନାଳ !

 

କୁନାଳ- ମହାରାଜ !

 

ଅଶୋକ- (ସଂଘମିତ୍ତ୍ରା ଓ ନୀହାରିକାଙ୍କୁ ଲକ୍ଷ୍ୟ କରି) ଏମାନଙ୍କ ଦେହରେ ମଧ୍ୟ ଗେରୁଆ କାହିଁକି ?

 

ସଂଘମିତ୍ତ୍ରା- (ମୃଦୁ ହସି), ନମ୍ରସ୍ୱରରେ ନିଜର କାନିକୁ ଦେଖାଇ) ମହାରାଜ, ସମଗ୍ର ମାନବଜାତିର ଏହା ରୁଧିର ଚିହ୍ନ ।

 

କୁନାଳ- ସିଂହଳ ସମରରେ ସେ ଚିହ୍ନକୁ ନିଭାଇବାପାଇଁ ଯାଉଛୁଁ ମହାରାଜ ! ସେଥିପାଇଁ ପ୍ରଥମେ ଅନୁମତି ଭିକ୍ଷା କରିବାକୁ ଆସିଅଛୁଁ ।

 

ରାଧାଗୁପ୍ତ ରାଜକୁମାର ! ସିଂହଳ ଯୁଦ୍ଧ ସ୍ଥଗିତ ହୋଇଅଛି ।

 

ଅଶୋକ- କିନ୍ତୁ ତୁମ୍ଭମାନଙ୍କୁ ସେଠାକୁ ଯିବାକୁ ହେବ । କୁନାଳ, ସଂଘମିତ୍ତ୍ରା ! କଳିଙ୍ଗରେ ମୁଁ ଯେଉଁ ଦିଗରେ ପରାସ୍ତ ହୋଇଅଛି, ସିଂହଳରେ ସେହି ଦିଗଟାରେ ଜୟ କରିବାକୁ ଚାହେଁ । ସେଥିପାଇଁ ତୁମେ ଦୁହେଁ ମୋହର ପ୍ରଧାନ ସହାୟ । ରାଧାଗୁପ୍ତ ! ଏମାନଙ୍କର ଯାତ୍ରାର ଆୟୋଜନ କର । ସିଂହଳ ଅଭିଯାନରେ ଏହିମାନେ ହିଁ ମୋହର ଅଗ୍ରଦୁତ ।

 

ରାଧାଗୁପ୍ତ- ନୀହାରିକା ମଧ୍ୟ ଏ ଅଭିଯାନରେ ଯୋଗ ଦେଇ ଅଛନ୍ତି ।

 

ନୀହାରିକା- (ଚପଳ ହାସ୍ୟରେ) ନୀହାରିକା ଯେ ଜେମାଙ୍କର ସହଚରୀ !

 

ଅଶୋକ- (ସଂଘମିତ୍ତ୍ରାଙ୍କ ପ୍ରତି) ଯାଅ ମା, ସିଂହଳ ଯାତ୍ରା ପାଇଁ ପ୍ରସ୍ତୁତ ହୁଅ ? (କୁନାଳ, ସଂଘମିତ୍ତ୍ରା ଓ ନୀହାରିକା ଅଭିବାଦନ କରି ପ୍ରସ୍ଥାନ) ରାଧାଗୁପ୍ତ ? କାଲି ଗୋଟାଏ ବିଚିତ୍ର ସ୍ୱପ୍ନ ଦେଖିଲି...କିନ୍ତୁ ଗଣଭଟ୍ଟ କାହାନ୍ତି ? ଏତେବେଳେଯାଏ ତାଙ୍କର ସକାଳବୁଲା ସରିନାହିଁ ? (ଅଶୋକ ଓ ରାଧାଗୁପ୍ତ ଆସନରେ ବସିଲେ ।)

 

ରାଧାଗୁପ୍ତ- ଅନ୍ୟ ଦିନେ ତ ବହୁତ ଆଗରୁ ସେ ଫେରିଆସିଥାନ୍ତି ।

 

ଅଶୋକ- ସିଂହଳ ଅଭିଯାନ ସ୍ଥଗିତ ହେବା ଖବର ତ ଶୁଣି ନାହାନ୍ତି ସେ, ତେବେ ଏତେ ଡେରି କାହିଁକି ତାଙ୍କର ?

 

ରାଧାଗୁପ୍ତ- (ମୃଦୁ ହସି) ମହାରାଜ ? ବାୟୁ ସେବନାହିଁ ଯାହାଙ୍କର ପ୍ରଧାନ ଦାୟିତ୍ୱ ତାଙ୍କ ପକ୍ଷରେ ଆଉ ଡେରି ଚଞ୍ଚଳ କଣ ?

 

ଦ୍ୱାରୀ- (ପ୍ରବେଶ ଓ ଜାନୁପାତ କରି) ଗଣଭଟ୍ଟ ଶ୍ରୀଛାମୁଙ୍କୁ ଆସୁଛନ୍ତି ।

 

ରାଧାଗୁପ୍ତ- (ପରିହାସଯୁକ୍ତ ସ୍ୱରରେ) ତେବେ ତ ତାଙ୍କର ବହୁତ ପରମାୟୁ ?

 

(ଦୁଇ ଚାରିଜଣ ସୈନିକ ଆହତମାନଙ୍କ ଖଟିଆରେ ଗଣଭଟ୍ଟଙ୍କୁ ଶୋଇବା ଅବସ୍ଥାରେ ଆଣିଲେ । ତାଙ୍କର ବକ୍ଷ ଉପରେ ଗୋଟାଏ ଶର ଲାଖିଅଛି ଏବଂ ସମସ୍ତ ଦେହ ଓ ପରିଧେୟ ରକ୍ତାକ୍ତ ।)

 

ଗଣଭଟ୍ଟ- (ସେହିପରି ଶୋଇଥିବା ଅବସ୍ଥାରେ ରାଧାଗୁପ୍ତଙ୍କର ମନ୍ତବ୍ୟ ଶୁଣି) ଯଥେଷ୍ଟ ପରମାୟୁ... ଆଉ ପ୍ରାୟ ଦଶ ଦଣ୍ଡ । (ଅଶୋକ ଓ ରାଧାଗୁପ୍ତ ବିସ୍ମିତ ହୋଇ ଖଟିଆ ପାଖକୁ ଉଠି ଆସିଲେ ।)

 

ଅଶୋକ- ଏ କ’ଣ ଗଣଭଟ୍ଟ ? ଏପରି ଭାବରେ ?

 

ଗଣଭଟ୍ଟ- (କୁଣ୍ଠିତ କଣ୍ଠରେ) କାଲି ପରା ମହାରାଜଙ୍କଠାରେ ପ୍ରତିଶ୍ରୁତି ଦେଇଥିଲି ଆଜି ସକାଳେ ସାକ୍ଷାତ୍‌କରିବି ବୋଲି ! ଏ ଅବସ୍ଥାରେ ଶୀଘ୍ର ବଦଳିଯିବ ବୋଲି ଆଶା ନ ଥିବାରୁ ଏହିପରି ଭାବରେ ଆସିବାକୁ ହେଲା । ବାଟରେ ଆସୁ ଆସୁ ଜେମା ଏବଂ ନୀହାରୀକାଙ୍କଠାରୁ ଶୁଣିଲି, ସିଂହଳ ବିଜୟ ପାଇଁ ଦଳେ ନୂଆ ଧରଣର ସୈନିକ ଯାତ୍ରା କରୁଛନ୍ତି । ବେଶ୍‌ ଆରାମ ଲାଗିଲା- କିନ୍ତୁ ବିସ୍ମୟ ଲାଗି ନାହିଁ, କାରଣ କୌଣସି ରକମର ଜୟ ତ ଭାରତ ସମ୍ରାଟ୍‌ଙ୍କ ଆୟତ୍ତର ବାହାରେ ନୁହେଁ !

 

ଅଶୋକ- (ଦୁଃଖ ଓ ବିସ୍ମୟରେ) କିନ୍ତୁ ଏ କଣ ? ଛାତିରେ ତୁମର ଶର ଲାଗିଲା କିପରି-?

 

ଗଣଭଟ୍ଟ- (ପୂର୍ବପରି) କାରଣ, ଆଜି ମଧ୍ୟ ଅତି ସକାଳୁ ମୁଁ ଦୟା ନଈର ଆର ପାଖ ଆମ୍ବତୋଟାକୁ ବୁଲି ଯାଇଥିଲି । ମହାରାଜାଙ୍କର ଆଦେଶ ଅମାନ୍ୟ କରିଥିବାର ଫଳ ଏହା ।

 

ରାଧାଗୁପ୍ତ- (ବିସ୍ମିତ ହୋଇ) କଳିଙ୍ଗରେ ଏବେ ମଧ୍ୟ କଣ ସୈନ୍ୟ ଅଛନ୍ତି ମଗଧ ଲୋକଙ୍କୁ ମାରିବା ପାଇଁ ?

 

ଗଣଭଟ୍ଟ- ଏ କାମଟା କଳିଙ୍ଗ ସୈନ୍ୟର ନୁହେଁ, ମଗଧ ସୈନ୍ୟର ।

 

ଅଶୋକ- (ବିଚଳିତ ଭାବରେ) ମଗଧର ? ରାଧାଗୁପ୍ତ ! ସେ ଲୋକର ଏହି ମୁହୂର୍ତ୍ତରେହିଁ ପ୍ରାଣଦଣ୍ଡ ହେବା ଉଚିତ ?

 

ଗଣଭଟ୍ଟ- ମହାରାଜ ! ସେ ବିଚରାର କିଛି ଦୋଷ ନାହିଁ, ମୋହର । କାରଣ ମୁଁ ତାହାକୁ ମଣିଷ ପରି ଦେଖା ନ ଯାଇ ଗୋଟିଏ ଜନ୍ତୁ ପରି ଦେଖାଗଲି । କାଲି କଳିଙ୍ଗ ସମରରେ ଜିତି ଆଜି ତାହାର ମଗଜ ବଡ଼ ଖୁସି ଅଛି । ସେଥିପାଇଁ ସକାଳୁ ଉଠି ଭାଲୁ ଶିକାରରେ ବାହାରିଥିଲା । କିନ୍ତୁ ଭୋର ଅନ୍ଧାରରେ ଚିହ୍ନିନପାରି ସାମାନ୍ୟ ଟିକିଏ ଭୁଲ କରି ପକାଇଛି-ମଣିଷକୁ ଭାଲୁମନେକରି ।

 

ରାଧାଗୁପ୍ତ- କିନ୍ତୁ ଏପରି ଭୁଲପାଇଁ ମଧ୍ୟ ସେ ଦୋଷୀ । କିଏ ସେ ଲୋକ ?

 

ଗଣଗଟ୍ଟ- ନାହିଁ, ରାଧାଗୁପ୍ତ, ସେ ଖୁସିରେ ମାରିଛି, ରାଗରେ ନୁହେଁ-ସେଥିପାଇଁ କ୍ଷମାର ପାତ୍ର । ଆଉ ସକାଳେ ଯେମିତି କୁହୁଡ଼ି, ସେଥିରେ ତ ଏତେ ଦୂରରୁ ଯେ କାହାରି ସନ୍ଦେହ ହେବାର କଥା ! ବିନା କୁହୁଡ଼ିରେ ମଧ୍ୟ ମୁଁ ନିଜେ ତ ନିଜକୁ ମଣିଷ କି ଭାଲୁ ଆଜିଯାଏ ଠିକ୍‌କରି ପାରିଲି ନାହିଁ ।

 

ଅଶୋକ- (ରାଧାଗୁପ୍ତଙ୍କୁ ଚାହିଁ) ତୀରଟା କଣ କାଢ଼ିବାର ଉପାୟ ନାହିଁ ?

 

ଗଣଭଟ୍ଟ- ତୀରଟା କାଢ଼ିଦେଲେ ମହାରାଜାଙ୍କ ସଙ୍ଗେ ସାକ୍ଷାତ୍ ବୋଧହୁଏ ଆହୁରି ସଂକ୍ଷିପ୍ତ ହୋଇଯିବ- ନା ରାଧାଗୁପ୍ତ ?

 

ରାଧାଗୁପ୍ତ- (ପରୀକ୍ଷା କରି, ଭୀତ ସ୍ୱରରେ) ନାହିଁ ମହାରାଜା ? ଏକାବେଳେ କଲିଜା ଭିତରେ ଲାଗିଚି ।

 

ଗଣଭଟ୍ଟ- (ମୃଦୁ ହସି, କଷ୍ଟରେ) ଭଲକରି ପରୀକ୍ଷା କଲ-କଲିଜା ସବୁ ଲୋକଙ୍କର ଥାଏ ତ ?

 

ରାଧାଗୁପ୍ତ- (ଗଣଭଟ୍ଟଙ୍କ କ୍ଷତକୁ ଚାହିଁ ବ୍ୟସ୍ତ ସ୍ୱରରେ) ମହାରାଜ, ରକ୍ତର ପରିମାଣ ବର୍ତ୍ତମାନ ଖୁବ୍ ବେଶି ।

 

ଗଣଭଟ୍ଟ- (ପୂର୍ବପରି) ମୋହର କିନ୍ତୁ ଆନନ୍ଦ ହେଉଛି ରାଧାଗୁପ୍ତ, ନିଜ ଦେହରେ ଏତେ ରକ୍ତ ଥିବାର ଆଗରୁ ତ କାହିଁ ଜାଣି ନ ଥିଲି ! ଏଥିପାଇଁ ବୋଧହୁଏ ଯୋଦ୍ଧାମାନେ ଯୁଦ୍ଧରେ ମରିବାକୁ ଚାହାନ୍ତି- ନ ହେଲେ ଏତେ ସହଜରେ ନିଜର ରକ୍ତର ଓଜନଟା ଜଣାଯିବ ଆଉ କିପରି ?

 

ଅଶୋକ- (ଗଣଭଟ୍ଟଙ୍କ ଛାତିରେ ହାତ ରଖି ସ୍ନେହସିକ୍ତ ଦୃଷ୍ଟିରେ) ଗଣଭଟ୍ଟ ! ପ୍ରିୟ ବୟସ୍ୟ ମୋର ?

 

ଗଣଭଟ୍ଟ- (ମୃଦୁ ହସି କ୍ଷୀଣତର ସ୍ୱରରେ) ଆଜିଯାଏ ଖାଲି କଥା ଗପିଲି ମହାରାଜ ! ଧନୁଶର ଧରି ନ ଜାଣିବାର ଯେଉଁ ଅପରାଧ କରିଚି, ତାହାରି ପ୍ରତିଶୋଧ ଏ ? ଜଗତର ସବୁ ଗପୁଡ଼ିଙ୍କ ପାଇଁ ଏହି ପୁରସ୍କାର ହିଁ ଯୋଗ୍ୟ । (ଅଶୋକ ଓ ରାଧାଗୁପ୍ତଙ୍କର ଯୁଗପତ୍ ବ୍ୟସ୍ତ ଓ ବ୍ୟଥିତଭାବ)

 

(ଯବନିକା)

***